Unknown

 

 

 

 

 

 

 

 

 

 

 

ଦଣ୍ତିଙ୍କ ଦଶକୁମାର ଚରିତ

ଶ୍ରୀଧର ମହାପାତ୍ର

 

ଭୂମିକା

 

ଆଚାର୍ଯ୍ୟ ଦଣ୍ଡୀଙ୍କର ଦଶକୁମାର ଚରିତ ସଂସ୍କୃତ ସାହିତ୍ୟର ଅଦ୍ୱିତୀୟ ରତ୍ନ । ପାଶ୍ଚାତ୍ୟ ମନୀଷୀମାନେ ସଂସ୍କୃତ ସାହିତ୍ୟରେ ଗଦ୍ୟକାବ୍ୟର ଅଭାବ ବୋଲି ଆକ୍ଷେପ କରିଅଛନ୍ତି । ଆଧୁନିକ ଉପନ୍ୟାସ ପରି ସରଳ ଚରିତ୍ରଚିତ୍ରଣ ଗଦ୍ୟକାବ୍ୟ ସଂସ୍କୃତରେ ବିରଳ । ବାଣଭଟ୍ଟଙ୍କର କାଦମ୍ୱରୀ ଓ ହର୍ଷଚରିତ କଠିନ ଓ ଦୁର୍ବୋଧ୍ୟ ହେବା ହେତୁ ସେମାନେ ତୀବ୍ର ଆକ୍ଷେପ କରିଥାନ୍ତି । ପ୍ରକୃତ ବସ୍ତୁର ସ୍ଵରୂପ ନ ବୁଝି ହଠାତ୍ ଗୋଟାଏ ମତ ବ୍ୟକ୍ତ କରି ବା ପାଶ୍ଚାତ୍ୟ ପଣ୍ଡିତମାନଙ୍କର ସ୍ଵାଭାବିକ ଅଭ୍ୟାସ । ଏ କ୍ଷେତ୍ରରେ ମଧ୍ୟ ତାହା ହିଁ ସେମାନେ ପ୍ରକାଶ କରିଅଛନ୍ତି । ସଂସ୍କୃତ ସାହିତ୍ୟ ଆଲୋଡ଼ନ କଲେ ସ୍ପଷ୍ଟ ପ୍ରତୀତ ହେବ, ଏହା କୌଣସି ଅଂଶରେ ପାଶ୍ଚାତ୍ୟ ସାହିତ୍ୟ ଅପେକ୍ଷା ହୀନସ୍ତରରେ ନାହିଁ । ବେତାଳ ପଞ୍ଚବିଂଶତି, ହିତୋପଦେଶ, ପଞ୍ଚତନ୍ତ୍ର, ଶୁକସପ୍ତତି ପ୍ରଭୃତି ପ୍ରାଚୀନ ସରଳ ସରସ ଆଦର୍ଶାନୁପ୍ରାଣିତ ଗଦ୍ୟକାବ୍ୟ ଅନ୍ୟ ସାହିତ୍ୟରେ ବିରଳ । ଇତିହାସ ପର୍ଯ୍ୟାଲୋଚନା କଲେ ଜଣାଯାଏ, ଏ ସମସ୍ତ ବିଭିନ୍ନ ପାଶ୍ଚାତ୍ୟ ଭାଷାରେ ଅନୂଦିତ ହୋଇ ଆଜିଯାଏ ବିଭିନ୍ନ ଦେଶରେ ଆଦରଲାଭ କରିଆସୁଅଛି । କାଦମ୍ବରୀ ଓ ହର୍ଷଚରିତ ପାଶ୍ଚାତ୍ୟମାନଙ୍କ ପକ୍ଷରେ ଦୂରବଗାହ ହେବା ହେତୁ ସେମାନଙ୍କର ଦୃଷ୍ଟି ଆକର୍ଷଣ କରି ପାରିନାହାନ୍ତି । କାଦମ୍ୱରୀର ସରସତା ସହୃଦୟ ପାଠକ କେବଳ ଗ୍ରହଣ କରି ପାରିବେ । “କାଦମ୍ୱରୀର ସଜ୍ଞାନା-ମାହାରାଽପି ନ ରୋଚତେ”, “ବାଣୋଚ୍ଛିଷ୍ଟମିଦଂ ଜଗତ୍”–ଏହି ସବୁ ପ୍ରବଚନ କାଦମ୍ୱରୀରସାସ୍ୱାଦନକାରୀ ବିଜ୍ଞ ସହୃଦୟ ପାଠକମାନଙ୍କର ଉର୍ବର ମସ୍ତିଷ୍କର ଫଳ । କାଦମ୍ୱରୀର ବର୍ଣ୍ଣନା ପାଶ୍ଚାତ୍ୟ ପଣ୍ଡିତମାନଙ୍କର ମସ୍ତକ ବିଘୂର୍ଣ୍ଣିତ କରୁଅଛି; ମାତ୍ର ସହୃଦୟ ଭାରତୀୟ ବିଦ୍ୱାନ୍‍ମାନଙ୍କର ପରମତୃପ୍ତି ସମ୍ପାଦନ କରୁଅଛି । ରୁଚିଭେଦରେ ପାଶ୍ଚାତ୍ୟ ଓ ଭାରତୀୟ ବିଜ୍ଞ ସମାଲୋଚକମାନଙ୍କର ବିଭିନ୍ନ ଅଭିମତ ପ୍ରକାଶ ପାଉଅଛି । ମାତ୍ର ଦଣ୍ତୀଙ୍କର ଦଶକୁମାର ଚରିତ ପାଶ୍ଚାତ୍ୟ ଓ ଭାରତୀୟ ମନୀଷୀମାନଙ୍କର ମନ ଆକର୍ଷଣ କରି ପାରିଅଛି । ଏଥିରେ ଦୀର୍ଘ ସମାସବହୁଳ ଦୂର୍ବୋଧ୍ୟ ପଦାବଳୀ ବିଶିଷ୍ଟ ଗଦ୍ୟଭାଗ ନାହିଁ, ମସ୍ତକଘୂର୍ଣ୍ଣିନକାରୀ ପାଠକମାନଙ୍କର ବିରକ୍ତି ସମ୍ପାଦକ ଦୀର୍ଘ ବର୍ଣ୍ଣନା ନାହିଁ, ଅଛି ସରସ ସରଳ ଚିତ୍ତାକର୍ଷକ ପଦବିନ୍ୟାସ ଓ ସହୃଦୟ ମାନସରଞ୍ଜକ ସୁମଧୁର ନାତିସଂକ୍ଷିପ୍ତ ବର୍ଣ୍ଣନା । ଭାଷା ସହଜ ଓ ସାଧାରଣବୋଧ୍ୟ ।

 

ଦଶକୁମାର ଚରିତର ଆଉ ଗୋଟିଏ ବିଶେଷତ୍ୱ ଏହାର ଭାବଧାରା । ସାଧାରଣତଃ ସଂସ୍କୃତ କବିମାନେ ସ୍ୱ ସ୍ୱ କାବ୍ୟରେ ନାୟକନାୟିକାମାନଙ୍କର କେବଳ ଗୁଣାବଳୀ ବର୍ଣ୍ଣନା କରନ୍ତି ଦୋଷଭାଗଟା ଏକରକମ ଛାଡ଼ି ଦିଅନ୍ତି କିମ୍ବା ଦୈବ ବା ଆକସ୍ମିକ ଘଟଣାବଳୀର ଆଶ୍ରୟରେ ସମର୍ଥନ କରିବସନ୍ତି । କିନ୍ତୁ ଏ ଗ୍ରନ୍ଥରେ କବି ସ୍ୱ ନାୟକ ନାୟିକାମାନଙ୍କର ଚରିତ୍ର ଚିତ୍ରଣ କଲାବେଳେ ଉଭୟ ଦିଗପ୍ରତି ସମାନ ଦୃଷ୍ଟି ଦେଇଅଛନ୍ତି । ଅପହାର ବର୍ମାଙ୍କର ଦ୍ୟୂତଚୌର୍ଯ୍ୟବୃତ୍ତ୍ୟାଶ୍ରୟରେ କୃତକାର୍ଯ୍ୟତା, ଉପହାରବର୍ମାଙ୍କର ଅବୈଧ ଉପାୟରେ ପିତୃଶତ୍ରୁ ବିନାଶ ଓ ପରନାରୀସ୍ୱୀକରଣ, ଅର୍ଥପାଳ ପ୍ରଭୃତିଙ୍କର ବିବିଧ ଉପାୟରେ ସ୍ୱାଭୀଷ୍ଟ ସାଧନ ବାସ୍ତବତାର ପ୍ରତିମୂର୍ତ୍ତି । ଏମାନଙ୍କର ଚରିତ୍ରଚରିତ୍ରଣରେ କବିଙ୍କର ସିଦ୍ଧହସ୍ତତା ବାସ୍ତବିକ ଅନନ୍ୟସାଧାରଣ । ଆଧୁନିକ ଉପନ୍ୟାସମାନଙ୍କରେ ଆମ୍ଭେମାନେ ଯେଉଁ ଧରଣର ଚରିତ୍ରଚିତ୍ରଣ ଦେଖୁ, ଏଥିରେ ଠିକ୍ ସେହି ଧରଣର । ରାଜବାହନ ସମେତ ଦଶଗୋଟି କୁମାରଙ୍କର ଚରିତ୍ରରେ ଯେପରି ବିଶେଷତ୍ୱ ରହିଅଛି, ନାୟିକାମାନଙ୍କର ଚରିତ୍ରରେ ମଧ୍ୟ ସେହିପରି ରହିଅଛି । ନାୟକ ଓ ନାୟିକାମାନଙ୍କର ରୀତି-ନୀତି, ଆଚାର-ବ୍ୟବହାର, ଚାଲିଚଳଣି ସମ୍ପୂର୍ଣ୍ଣ ପୃଥକ୍, ଅଥଚ ହୃଦୟସ୍ପର୍ଶୀ-

 

ଭାରତୀୟ ସାହିତ୍ୟ ବିଭିନ୍ନ ଉପାଦାନରେ ଗଠିତ । କର୍ତ୍ତବ୍ୟାକର୍ତ୍ତବ୍ୟ ପ୍ରତିପାଦନପୂର୍ବକ କର୍ତ୍ତବ୍ୟରେ ପ୍ରବୃତ୍ତ ଓ ଅକର୍ତ୍ତବ୍ୟରୁ ନିବୃତ୍ତ କରାଇବା ଭାରତୀୟ ସାହିତ୍ୟର ବିଶେଷତ୍ୱ । ଫଳତଃ ପ୍ରତ୍ୟେକ କାବ୍ୟ ଆଦର୍ଶ ନୀତି ପ୍ରଚାର କରି ସମାଜର ବିଶେଷ ଉପକାର ସାଧନ କରୁଅଛି । ଦଶକୁମାର ଚରିତ ଆଦର୍ଶନୀତିର ଆକର କହିଲେ ଅତ୍ୟୁକ୍ତି ହେବ ନାହିଁ । ସମାଜର ବିଭିନ୍ନ ସ୍ତରରେ ଆମ୍ଭେମାନେ ଯେଉଁସବୁ ଉପାଦେୟ ଆଦର୍ଶ ନେଇ ଜୀବନ ଗଠନ କରିବା କଥା, ସେ ସମସ୍ତ ଆଦର୍ଶ ଦଶକୁମାର ବର୍ଣ୍ଣିତ ପ୍ରତ୍ୟେକ ବ୍ୟକ୍ତିଙ୍କଠାରେ ପରିଲକ୍ଷିତ ହୁଏ । ମୈତ୍ରୀ, ପରୋପକାର, ଦେଶସେବା, ସମାଜସେବା ପ୍ରଭୃତି ଆଦର୍ଶ ଗୁଣଗୁଡ଼ିକ ନାୟକନାୟିକାଙ୍କଠାରେ ପ୍ରତିଫଳିତ ଓ ସହୃଦୟ ପାଠକମାନଙ୍କର ଅନୁକାର୍ଯ୍ୟ ।

 

ଆଧୁନିକ ସାହିତ୍ୟ ପଦ୍ୟଭାଗ ଅପେକ୍ଷା ବିଶେଷଭାବେ ଗଦ୍ୟଭାଗ ନେଇ ପରିପୁଷ୍ଟ । ଗଦ୍ୟକାବ୍ୟର ଚରିତ୍ରଚିତ୍ରଣ ଉପନ୍ୟାସ ସାହିତ୍ୟକୁ ସମାଜର ପ୍ରତିବିମ୍ୱ ସ୍ଵରୂପ ପ୍ରତିପାଦନ କରିଅଛି-। ଗଦ୍ୟ ସାହିତ୍ୟ ଗଳ୍ପ, ପ୍ରବନ୍ଧ, କଥା, ଆଖ୍ୟାୟିକା, ଉପନ୍ୟାସାଦି ଭେଦରେ ବିଭିନ୍ନ ହେଲେ ମଧ୍ୟ ଉପନ୍ୟାସକୁ ଶୀର୍ଷସ୍ଥାନ ଦେଇଅଛି । ଦଶକୁମାର ଚରିତ କେବଳ ଉପନ୍ୟାସ ନୁହେଁ, ଉପନ୍ୟାସର ସମଷ୍ଟି । ଏଥିରେ ଦଶଗୋଟି ବା ତତୋଽଧିକ ଉପନ୍ୟାସ ଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ସାଧାରଣତଃ ସାହିତ୍ୟ ତାତ୍କାଳିକ ଆଚାରବ୍ୟବହାରର ପ୍ରତୀକ । ଦଶକୁମାର ଚରିତ ସାମାଜିକ ଆଚାର ବ୍ୟବହାରର ଜୀବନ୍ତ ଛବି । ବାଣିଜ୍ୟ, ବ୍ୟବସାୟ, ଦ୍ୟୂତ, ଚୌର୍ଯ୍ୟ, ରାଜନୀତି, ସମାଜନୀତି, ଦେଶଧର୍ମ, ବର୍ଣ୍ଣଧର୍ମ, ଆଶ୍ରମଧର୍ମ, ନୃତ୍ୟଗୀତ, କଳାଶାସ୍ତ୍ର ଇତ୍ୟାଦି ବିଷୟରେ ଦଶକୁମାର ଚରିତ ଆମ୍ଭମାନଙ୍କ ସମ୍ମୁଖରେ ଗୋଟାଏ ଚଲଚ୍ଚିତ୍ର ଉପସ୍ଥାପିତ କରୁଅଛି ।

 

ଏହିପରି ଦଶକୁମାର ଚରିତ ସଂସ୍କୃତ ସାହିତ୍ୟରେ ଗୋଟାଏ ବିଶିଷ୍ଟ ସ୍ଥାନ ଅଧିକାର କରି ରହିଛି । ଏହି ଗ୍ରନ୍ଥ ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟକଳାର ସମାବେଶ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ।

 

ଶ୍ରୀଧର ବାବୁ ଦଶକୁମାର ଚରିତର ମାଧୁରୀ ଓ ଉପାଦେୟତା ସରଳ ଓ ସରସ ବାକ୍ୟରେ ପରିଷ୍ଫୁଟ କରିପାରିଅଛନ୍ତି । ପ୍ରାଚୀନ ସାହିତ୍ୟକୁ ଯୁଗୋପଯୋଗୀ କରିବାକୁ ହେଲେ ବିଶେଷ ସତର୍କ ହେବା ବାଞ୍ଛନୀୟ । ଶ୍ରୀଧର ବାବୁଙ୍କର ଦଶକୁମାର ଚରିତ ସଂସ୍କୃତ ଦଶକୁମାର ଚରିତର ଅନୁବାଦ ନୁହେଁ । ଅନୁବାଦକଙ୍କର କୌଣସି ପରିବର୍ତ୍ତନ କରିବାର ଅଧିକାର ନାହିଁ । ମାତ୍ର ଯେ ଶିଳ୍ପୀ, ସେ ନିଜ ଶିଳ୍ପ ଅନ୍ୟାନୁପ୍ରାଣିତ ହେଲେ ମଧ୍ୟ ନିଜ ବୈଶିଷ୍ଟ୍ୟ ଦେଖାଇ ସମ୍ପୂର୍ଣ୍ଣ ନୂତନ କରିଥାଏ । ଶ୍ରୀଧର ବାବୁଙ୍କର ଦଶକୁମାର ଚରିତରେ ତାହା ହିଁ ପରିଲକ୍ଷିତ ହୁଏ । ଏହା ପଢ଼ିଲେ କିଏ କହିପାରିବ ନାହିଁ, ଏହା ଏକ ସଂସ୍କୃତ ଗ୍ରନ୍ଥର ପ୍ରତିଲିପି । ଆଦର୍ଶ ଓ ଅନୁକରଣ ମଧ୍ୟରେ ବିଶେଷ ପାର୍ଥକ୍ୟ ଅଛି । ଆଦର୍ଶ ଅନୁମୋଦନୀୟ, ଅନୁକରଣ ହେୟ । କବିବର ଗଙ୍ଗାଧର ମେହେରଙ୍କର ପ୍ରଣୟବଲ୍ଲରୀ ‘ଶାକୁନ୍ତଳ’ର ଅନୁକରଣ ନୁହେଁ, ମାତ୍ର ଆଦର୍ଶାନୁପ୍ରାଣିତ । କାଳିଦାସଙ୍କର ଶାକୁନ୍ତଳ ମହାଭାରତର ଶକୁନ୍ତଳା ଉପାଖ୍ୟାନର ଅନୁକରଣ ନୁହେଁ, ମାତ୍ର ଆଦର୍ଶାନୁପ୍ରାଣିତ । ପ୍ରତ୍ୟେକ କ୍ଷେତ୍ରରେ ଆଦର୍ଶାନୁପ୍ରାଣିତ କାବ୍ୟରେ ଲେଖକଙ୍କର ବାହାଦୁରି ଦେଖାଇବାକୁ ସୁବିଧା ମିଳେ । ଏ କ୍ଷେତ୍ରରେ ମଧ୍ୟ ସେ ତାହାର ସଦ୍‍ବ୍ୟବହାର କରିଅଛନ୍ତି।

 

ଦଶକୁମାର ଚରିତର ସମ୍ବିଧାନ ଓ ଶ୍ରୀଧର ବାବୁଙ୍କର ଦଶକୁମାର ଚରିତର ସମ୍ବିଧାନ ଏକ ଧରଣର ନୁହେଁ । ଶ୍ରୀଧର ବାବୁ ସଂସ୍କୃତ ଗ୍ରନ୍ଥକୁ ଏକ ଆଧୁନିକ ଉପନ୍ୟାସ ଆକାରରେ ଚିତ୍ରିତ କରି ଥୋଇଦେଇଅଛନ୍ତି । ଭାଷା ଯୁଗୋପଯୋଗୀ, ଭାବ ଗମ୍ଭୀର, ଚରିତ୍ରଚିତ୍ରଣ ଅସାଧାରଣ । ସଂସ୍କୃତ ଗ୍ରନ୍ଥରେ ଯେଉଁସବୁ ଆଦର୍ଶ ନୀତି ସନ୍ନିବେଶିତ ଥିଲା, ଏଥିରେ ସେ ସମସ୍ତ ଅକ୍ଷୁଣ୍ଣ ରହିଅଛି । ମୋଟାମୋଟି କହିବାକୁ ଗଲେ ପୁସ୍ତକଟି ସର୍ବାଙ୍ଗସୁନ୍ଦର ହୋଇଅଛି ।

 

ସଂସ୍କୃତ ସାହିତ୍ୟର ଉପାଦେୟ ଗ୍ରନ୍ଥଗୁଡ଼ିକ ଆଧୁନିକ ଛାଞ୍ଚରେ ଏପରି ପ୍ରତିଫଳିତ ହେଲେ ସଂସ୍କୃତ ସାହିତ୍ୟର ପ୍ରସାର ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟଭଣ୍ଡାର ମଧ୍ୟ ପରିପୁଷ୍ଟ ଓ ଅଳଂକୃତ ହେବ–ଏଥିରେ ସନ୍ଦେହ ନାହିଁ ।

 

ଅନନ୍ତ ତ୍ରିପାଠୀ ଶର୍ମା

ତା ୧୪-୮-୪୯

Image

 

 

 

 

 

 

ମୋର ସ୍ଵର୍ଗତ ପିତା

ପଣ୍ଡିତ ଗଙ୍ଗାଧର ମହାପାତ୍ର ବିଦ୍ୟାଭୂଷଣ

ଏବଂ

ମୋର ସ୍ଵର୍ଗତ ଶିକ୍ଷା ଓ ଦୀକ୍ଷାଗୁରୁ

ପଣ୍ଡିତ ରଘୁନାଥ ମିଶ୍ର ଶାସ୍ତ୍ରୀଙ୍କ

ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ସମର୍ପିତ ।

Image

 

ସୂଚୀପତ୍ର

 

୧.

ମଗଧର ପରାଜୟ

୨.

ରାଜବାହନଙ୍କର ଜନ୍ମ

୩.

ଉପହାର ବର୍ମା ଓ ଅପହାର ବର୍ମାଙ୍କ ଆଗମନ

୪.

ପୁଷ୍ପୋଦ୍ଭବଙ୍କ ଆଗମନ

୫.

ଅର୍ଥପାଳଙ୍କ ଆଗମନ

୬.

ସୋମଦତ୍ତଙ୍କ ଆଗମନ

୭.

ଦଶକୁମାରଙ୍କ ବାଲ୍ୟଶିକ୍ଷା ଓ ଦେଶାନ୍ତର ଯାତ୍ରା

୮.

ମାତଙ୍ଗ ଓ ରାଜବାହନ

୯.

ପାତାଳ ବିଜୟ

୧୦.

ସୋମଦତ୍ତଙ୍କ ଭ୍ରମଣବୃତ୍ତାନ୍ତ

୧୧.

ପୁଷ୍ପୋଦ୍ଭବଙ୍କ ଭ୍ରମଣବୃତ୍ତାନ୍ତ

୧୨.

ଅବନ୍ତୀ ସୁନ୍ଦରୀଙ୍କର ବାସନ୍ତୀପୂଜା

୧୩.

ଅବନ୍ତୀ ସୁନ୍ଦରୀଙ୍କର ଐନ୍ଦ୍ରଜାଲିକ ବିବାହ

୧୪.

ବନ୍ଦୀ ରାଜବାହନ

୧୫.

ଅପହାର ବର୍ମାଙ୍କ କଥା

୧୬.

ଉପହାର ବର୍ମାଙ୍କ କଥା

୧୭.

ଅର୍ଥପାଳଙ୍କ କଥା

୧୮.

ବ୍ରମତିଙ୍କ କଥା

୧୯.

ମନ୍ତ୍ରଗୁପ୍ତଙ୍କ କଥା

୨୦.

ବିଶ୍ରୁତଙ୍କ କଥା

୨୧.

ବିଜୟବାହୁଡ଼ା

Image

 

ଏକ

ମଗଧର ପରାଜୟ

 

ଇତିହାସ-ପ୍ରସିଦ୍ଧ ମଗଧ ରାଜ୍ୟର ରାଜା ରାଜହଂସ ଅତି ପ୍ରତାପଶାଳୀ ଥିଲେ । ତାଙ୍କ ରାଜତ୍ୱରେ ମଗଧ ରାଜ୍ୟ ପୁଣ୍ୟତୋୟା ଜାହ୍ନବୀର ଉଭୟ ତଟରେ ବହୁଦୂର ବିସ୍ତୃତି ଲାଭ କରି ପାରିଥିଲା । ରାଜ୍ୟର ପ୍ରଜାଗଣ ବିଦ୍ୟା ଓ ବିଭବରେ ଭାରତର ତତ୍କାଳୀନ ଅନ୍ୟାନ୍ୟ ରାଜ୍ୟର ଅଧିବାସୀମାନଙ୍କର ଆଦର୍ଶସ୍ଥାନୀୟ ହୋଇ ପାରିଥିଲେ । ମଗଧର ରାଜଧାନୀ ପାଟଳିପୁତ୍ର ସକଳ ପ୍ରକାର ଉନ୍ନତିର କେନ୍ଦ୍ରସ୍ଥଳ ଥିଲା । ପାଟଳିପୁତ୍ରର ଅନ୍ୟ ନାମ ପୁଷ୍ପପୁର । ବାସ୍ତବିକ ଏ ନଗରଟି ଉପବନର ସଦ୍ୟ ପ୍ରସ୍ଫୁଟିତ କୁସୁମଟିଏ ଭଳି ସକଳ ବିଭବରେ ହସି ଉଠୁଥିଲା । ଧର୍ମପରାୟଣ ରାଜା ରାଜହଂସ ଓ ପ୍ରତିପ୍ରାଣା ରାଣୀ ବସୁମତୀ ନିଜ ନିଜର ଉଦାର ଗୁଣରେ ପ୍ରଜାବୃନ୍ଦଙ୍କର ପିତାମାତାର ସ୍ଥାନ ଅଧିକାର କରିଥିଲେ ।

 

ରାଜ୍ୟଶାସନରେ ସାହାଯ୍ୟ କରିବା ପାଇଁ ରାଜହଂସଙ୍କର ତିନିଜଣ ପ୍ରବୀଣ ବୃଦ୍ଧ ମନ୍ତ୍ରୀ ଥିଲେ–ଧର୍ମପାଳ, ପଦ୍ମୋଦ୍ଭବ ଓ ସିତବର୍ମା । ମନ୍ତ୍ରୀ ଧର୍ମପାଳଙ୍କର ତିନିପୁତ୍ର ଥିଲେ–ସୁମନ୍ତ, ସୁମିତ୍ର ଓ କାମପାଳ । ପଦ୍ମୋଦ୍ଭବଙ୍କର ଦୁଇପୁତ୍ର ଥିଲେ–ସୁଶ୍ରୁତ ଓ ରତ୍ନୋଦ୍ଭବ । ସିତବର୍ମାଙ୍କର ମଧ୍ୟ ଦୁଇପୁତ୍ର ଥିଲେ–ସୁମତି ଓ ସତ୍ୟବର୍ମା ।

 

ମନ୍ତ୍ରୀପୁତ୍ରମାନଙ୍କ ମଧ୍ୟରେ ସତ୍ୟବର୍ମା ଅତି ଧର୍ମପରାୟଣ ଥିଲେ । ସେ ସଂସାରର ଅସାରତା ଓ ଅନିତ୍ୟତା ହୃଦୟଙ୍ଗମ କରିପାରି ଦେଶାନ୍ତରରେ ଭ୍ରମଣଦ୍ୱାରା ସମଧିକ ଜ୍ଞାନ ଉପାର୍ଜ୍ଜନ କରିବା ଉଦ୍ଦେଶ୍ୟରେ ଗୃହତ୍ୟାଗୀ ହୋଇଥିଲେ । ଏହାର କିଛିଦିନ ପରେ ପଦ୍ମୋଦ୍ଭବଙ୍କର ପୁତ୍ର ରତ୍ନୋଦ୍ଭବ ମଧ୍ୟ ଦ୍ୱୀପାନ୍ତରରେ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ଜନ୍ମଭୂମି ପରିତ୍ୟାଗ କରିଥିଲେ । କାମପାଳ ମନ୍ତ୍ରୀପୁତ୍ରମାନଙ୍କ ମଧ୍ୟରେ ନିତାନ୍ତ ଅଶିକ୍ଷିତ ଏବଂ ବିଳାସୀ ଥିଲେ । ଗୁରୁଜନମାନଙ୍କ ଉପଦେଶ ଗ୍ରହଣ କରିବା ତାଙ୍କର ସ୍ୱଭାବବିରୁଦ୍ଧ ଥିଲା । ସେ ସର୍ବଦା ବେଶ୍ୟାଳୟ ଓ ଯାତ୍ରାଦଳରେ ବୁଲି ଦେଶ ବିଦେଶରେ ସମୟ କଟାଉଥିଲେ । ଅପର ମନ୍ତ୍ରୀପୁତ୍ରଗଣ ସ୍ୱ ସ୍ୱ ପିତୃବିୟୋଗ ପରେ ପୈତୃକ ପଦବୀ ଗ୍ରହଣ କରି ରାଜ୍ୟଶାସନରେ ସାହାଯ୍ୟ କରିବାକୁ ଲାଗିଲେ ।

 

ରାଜହଂସ ରାଜ୍ୟ, ପ୍ରଜା, ବିଭବ, ବିକ୍ରମ ଓ ବସୁମତୀଙ୍କ ପରି ଗୁଣବତୀ ପତ୍ନୀ ପାଇଥିଲେ ସତ୍ୟ; କିନ୍ତୁ ନିଜର ସନ୍ତାନ ଓ ରାଜ୍ୟର ଉତ୍ତରାଧିକାରୀ ଅଭାବରେ ସେ ଜୀବନକୁ ବ୍ୟର୍ଥ ମନେ କରୁଥିଲେ । ତେଣୁ ସେ ରାଣୀଙ୍କ ସହ ପୁତ୍ରକାମନାରେ ସର୍ବଦା ନାନା ପ୍ରକାର ଧର୍ମକାର୍ଯ୍ୟ ଓ ଈଶ୍ୱରାଧନାରେ ରତ ରହୁଥିଲେ । ଶେଷରେ ତାଙ୍କ ହୃଦୟର ଏକମାତ୍ର ପ୍ରାର୍ଥନା ପୂରଣ ହେଲା । ରାଣୀ ବସୁମତୀଙ୍କଠାରେ ଗର୍ଭଲକ୍ଷଣ ପ୍ରକାଶିତ ହେଲା ।

 

ଶୁଭ ଦିବସରେ ଶାସ୍ତ୍ରମତେ ସୀମନ୍ତୋତ୍ସବର ଆୟୋଜନ ହେଲା । ମଗଧର ମିତ୍ର ରାଜାଗଣ ଆମନ୍ତ୍ରିତ ହୋଇ ଏହି ପବିତ୍ରୋତ୍ସବରେ ଯୋଗଦାନ କଲେ । ରାଜା ରାଜହଂସ ସୀମନ୍ତୋତ୍ସବରେ ଲିପ୍ତ ରହି ଯେତେବେଳେ ଭାବୀ ପୁତ୍ରମୁଖ ଦର୍ଶନ ଆଶାସ୍ରୋତରେ ଭାସମାନ, ଠିକ୍ ସେହି ସମୟରେ ବିନାମେଘରେ ବଜ୍ରପାତ ପରି ଏକ ଦୁଃସମ୍ବାଦ ତାଙ୍କୁ ବିବ୍ରତ କରିପକାଇଲା-। ସେ ଗୁପ୍ତଚର ମୁଖରୁ ଶୁଣି ପାରିଲେ ଯେ ମାଳବର ରାଜା ମାନସାର ମଗଧ ଆକ୍ରମଣ କରିଛନ୍ତି । ଏପରି କ୍ଷେତ୍ରରେ ବୀର ରାଜହଂସ ଅଣୁମାତ୍ର କ୍ଷୁବ୍ଧ ହେବାର ଲୋକ ନୁହନ୍ତି; କିନ୍ତୁ ପବିତ୍ର ସୀମନ୍ତୋତ୍ସବ ଶେଷ ନ ହେଉଣୁ ଉଭୟ ପକ୍ଷର ନିରୀହ ପ୍ରଜାରକ୍ତରେ ମଗଧଭୂମି ସିକ୍ତ ହେବ, ଏହି ଚିନ୍ତାରେ ହିଁ ସେ ମ୍ରିୟମାଣ ହୋଇପଡ଼ିଲେ ।

 

ମାନସାର ଏଥିପୂର୍ବେ ଥରେ ମଗଧ ଆକ୍ରମଣ କରିଥିଲେ ଓ ତାର ଉପଯୁକ୍ତ ପୁରସ୍କାର ମଧ୍ୟ ପାଇଥିଲେ । ସେ ଯୁଦ୍ଧରେ ପରାସ୍ତ ହୋଇ ନିଜ ରାଜ୍ୟ ଛାଡ଼ି ପଳାୟନ କରିଥିଲେ । କିନ୍ତୁ ଉଦାରଚେତା ରାଜା ରାଜହଂସ ଶତ୍ରୁର ପ୍ରତିହିଂସା ସାଧନ କରିବା ପରିବର୍ତ୍ତେ ମାନସାରଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରି ମାଳବ ରାଜ୍ୟ ପ୍ରତ୍ୟର୍ପଣ କରିଥିଲେ; ମାତ୍ର ଏହାର ବିପରୀତ ଫଳ ଫଳିଥିଲା । କୃତଘ୍ନ ମାନସାର ଏହାକୁ ଘୋର ଅପମାନ ମନେକରି ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ମହାକାଳ ବନରେ ତପସ୍ୟା କରିବାକୁ ଲାଗିଲେ । ଅନେକ ଦିନପରେ ତାଙ୍କର ତପସ୍ୟା ସଫଳ ହେଲା । ଦେବଦେବ ମହାଦେବ ସୁପ୍ରସନ୍ନ ହୋଇ ତାଙ୍କୁ ଏକ ଶକ୍ତି ପ୍ରଦାନ କଲେ-। ଯୁଦ୍ଧକ୍ଷେତ୍ରରେ ଯେଉଁ ଯୋଦ୍ଧା ପ୍ରତି ଲକ୍ଷ୍ୟ କରି ଏ ଶକ୍ତି ପ୍ରୟୋଗ କରାଯିବ, ତାହାର ମୃତ୍ୟୁ ସୁନିଶ୍ଚିତ ।

 

ଦୈବୀବଳରେ ବଳୀୟାନ ହୋଇ ମାନସାର ଏଥର ମଗଧ ଆକ୍ରମଣ କରିଛନ୍ତି, ଏ କଥା ରାଜହଂସ ଅବଗତ ଥିଲେ । କିନ୍ତୁ ସେ ବୀର । ସେ ନିଜ ଜୀବନ ଅପେକ୍ଷା ଗୌରବକୁ ମହତ୍ତର ମନେ କରନ୍ତି; ତେଣୁ ବିପକ୍ଷର ଶକ୍ତିରେ ଚକିତ ନ ହୋଇ ଅଧିକ ଧୈର୍ଯ୍ୟ ସହକାରେ ରଣସଜ୍ଜାରେ ସଜ୍ଜିତ ହେଲେ । ରାଣୀ ବସୁମତୀ, ଅନ୍ତଃପୁରର ଅନ୍ୟାନ୍ୟ ଅବଳା ଓ ଶିଶୁମାନଙ୍କୁ ବିନ୍ଧ୍ୟ ପର୍ବତର କୌଣସି ନିଭୃତ ସ୍ଥାନରେ ରକ୍ଷା କରିବାପାଇଁ ଆଦେଶ କରି ନିଜେ ରଣକ୍ଷେତ୍ରକୁ ଅଗ୍ରସର ହେଲେ ।

 

ଅବିଶ୍ରାନ୍ତ ଯୁଦ୍ଧ ଚାଲିଲା । ଶତ ଶତ ରକ୍ତାକ୍ତ ମସ୍ତକ ଧରଣୀରେ ବିଲୁଣ୍ଠିତ ହେଲା–ବୀରର ହୁଂକାର ଓ ଆହତର ଚିତ୍କାର ଆକାଶ ମୁଖରିତ କଲା । ମଗଧସୈନ୍ୟ କ୍ରମେ ମାଳବସୈନ୍ୟଙ୍କୁ ଚତୁର୍ଦ୍ଦିଗରୁ ଅବରୁଦ୍ଧ କରିପକାଇଲେ ।

 

ମାନସାର ଦେଖିଲେ ବର୍ତ୍ତମାନ ତାଙ୍କର ପରାଜୟ ଅବଶ୍ୟମ୍ଭାବୀ । ତେଣୁ ସେ ଦୈବୀଶକ୍ତିର ଆଶ୍ରୟ ନେବା ହିଁ ଶେଷ ଉପାୟ ମନେ କଲେ । ସେ ରାଜହଂସଙ୍କୁ ଜୀବଦ୍ଦଶାରେ ବନ୍ଦୀ କରିବା ଉଦ୍ଦେଶ୍ୟରେ ତାଙ୍କର ସାରଥି ପ୍ରତି ଲକ୍ଷ୍ୟ କରି ଦେବଦତ୍ତ ଶକ୍ତି ପ୍ରୟୋଗ କଲେ । ସାରଥି ରଥଚ୍ୟୁତ ହୋଇ ଭୂତଳରେ ପତିତ ହେଲା ଏବଂ ରାଜହଂସ ଶକ୍ତିର ଅସୀମ ତେଜରେ ରଥ ଉପରେ ମୃତବତ୍ ପତିତ ହେଲେ । ମଗଧର ଶୌର୍ଯ୍ୟ-ରବିର ଏ ଅବସାନ କାଳରେ ଅସ୍ତାଚଳଗାମୀ ଦିବାକରଙ୍କର ଲୋହିତ କିରଣଜାଳ ରକ୍ତାକ୍ତ ରଣାଙ୍ଗନକୁ ଏକ ଅପୂର୍ବ ଭୀମକାନ୍ତ ଆଭାରେ ବିଭୂଷିତ କଲା ।

 

ଶତ୍ରୁର ପତନ ଦେଖି ଦୃଷ୍ଟଚିତ୍ତ ମାନସାର ତାହାଙ୍କୁ ବନ୍ଦୀ କରିବାକୁ ଉଦ୍ୟତ ହେଲାବେଳେ ହଠାତ୍ ଏକ ଅଦ୍ଭୁତ ଘଟଣା ଘଟିଲା । ରାଜହଂସଙ୍କ ରଥର ଅଶ୍ୱ ଦୁଇଟି ଶକ୍ତିର ତେଜରେ ଅତ୍ୟନ୍ତ ଅସଂଯତ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ସାରଥିର ପତନ ଦେଖି ସେମାନେ ତୀରଗତିରେ ବିପରୀତ ଦିଗରେ ଧାବମାନ ହେବାକୁ ଲାଗିଲେ । ମୁହୂର୍ତ୍ତକ ମଧ୍ୟରେ ସେମାନେ ରଥ ସହ ଅନ୍ଧକାରରେ ଅଦୃଶ୍ୟ ହୋଇଗଲେ ।

 

ଯୁଦ୍ଧଭୂମିରୁ ରାଜାଙ୍କ ରଥ ପଳାୟିତ ଦେଖି ମଗଧ ସୈନ୍ୟଗଣଙ୍କ ମଧ୍ୟରେ ନୈରାଶ୍ୟର ଗଭୀର ଛାୟା ପତିତ ହେଲା । ପଳାୟିତ ରଥ ଉପରେ ରାଜାଙ୍କୁ ଦେଖିବାକୁ ନ ପାଇ ସମସ୍ତେ ଭାବିଲେ, ରାଜା ମୃତ ଓ ଭୂପତିତ ହୋଇଛନ୍ତି । ସୁତରାଂ ମଗଧ ସୈନ୍ୟଗଣ ସେନାପତି ଅଭାବରେ ପୃଷ୍ଠଭଙ୍ଗ ଦେଲେ । ମାଳବ ସୈନ୍ୟମଧ୍ୟରେ ବିଜୟ-ଡିଣ୍ତିମ ବାଜିଉଠିଲା । ମାନସାର ପାଟଳିପୁତ୍ର ଅଧିକାର କରି ଶୂନ୍ୟ ସିଂହାସନରେ ନିଜକୁ ‘ରାଜାଧିରାଜ’ ରୂପେ ଘୋଷଣା କଲେ ।

Image

 

ଦୁଇ

ରାଜବାହନଙ୍କର ଜନ୍ମ

 

ରାଜହଂସଙ୍କ ମନ୍ତ୍ରୀଗଣ କ୍ଷତବିକ୍ଷତ ଶରୀରରେ ସମଗ୍ର ରଜନୀ ଯୁଦ୍ଧକ୍ଷେତ୍ରରେ ଅତିବାହିତ କରିଥିଲେ । ସୂର୍ଯ୍ୟୋଦୟ ସଙ୍ଗେ ସଙ୍ଗେ ସେମାନେ ଭଗ୍ନହୃଦୟରେ ଶବସ୍ତୂପ ମଧ୍ୟରେ ରାଜାଙ୍କର ମୃତଦେହର ସନ୍ଧାନ କରିବାକୁ ଲାଗିଲେ । କିନ୍ତୁ ସେମାନେ ରାଜାଙ୍କର କୌଣସି ସନ୍ଧାନ ନ ପାଇ ଗଭୀର ମନୋବେଦନା ସହ ଏ ଦୁଃସମ୍ବାଦ ରାଣୀ ବସୁମତୀଙ୍କ କର୍ଣ୍ଣଗୋଚର କରାଇବା ପାଇଁ ବିନ୍ଧ୍ୟପର୍ବତ ଅଭିମୁଖରେ ଯାତ୍ରା କଲେ ।

 

ବିନ୍ଧ୍ୟପର୍ବତର ଗହ୍ୱର ମଧ୍ୟରେ ରାଣୀ ବସୁମତୀ ପ୍ରତି ପଲକରେ ରାଜାଙ୍କ ଅପେକ୍ଷାରେ ଥାନ୍ତି । ପ୍ରତ୍ୟେକ ମୁହୂର୍ତ୍ତ ତାଙ୍କୁ ଯୁଗପରି ବୋଧ ହେଉଥାଏ, ହୃଦୟ ମଧ୍ୟରେ ଆଶା ଓ ଆଶଙ୍କାର ଭୀଷଣ ବାତ୍ୟା ଘୂର୍ଣ୍ଣୀୟମାନ ହେଉଥାଏ । ତେଣୁ ମନ୍ତ୍ରୀମାନଙ୍କଠାରୁ ରାଜାଙ୍କର ନିରୁଦ୍ଦେଶ ସମ୍ବାଦ ପାଇ ସଙ୍ଗେ ସଙ୍ଗେ ସେ ହତଚୈତନ୍ୟ ହୋଇପଡ଼ିଲେ ଏବଂ ଅନେକ ସମୟ ପରେ ସଚେତ ହୋଇ ବିକଳ କଣ୍ଠରେ ବିଳାପ କରିବାକୁ ଲାଗିଲେ । ପତି ବିନା ସତୀର ଜୀବନ ତୃଣ ତୁଲ୍ୟ ହେୟ, ପତିବିନାଶରେ ହିଁ ତାର ଇହଜୀବନର ସକଳ ଆଶାଭରସା, ସୁଖସୌଭାଗ୍ୟ ଲୋପ ପାଇଥାଏ । ରାଣୀ ବସୁମତୀ ଅବା ଏ ଆଘାତ ସହ୍ୟ କରନ୍ତେ କିପରି ? ଏକାଧାରରେ ରାଜ୍ୟନାଶ, ବନବାସ ଓ ପତିବିଚ୍ଛେଦ ! ସେ ପତିଙ୍କର ସହଗମନ କରି ସକଳ ଯନ୍ତ୍ରଣାରୁ ନିଷ୍କୃତି ପାଇବା ନିମନ୍ତେ ଦୃଢ଼ପ୍ରତିଜ୍ଞ ହେଲେ ।

 

କିନ୍ତୁ ସେତେବେଳେ ବସୁମତୀଙ୍କର ଜୀବନ ସ୍ଵାଧୀନ ନ ଥିଲା; ସେ ଗର୍ଭବତୀ । ତେଣୁ ମନ୍ତ୍ରୀମାନେ ତାଙ୍କୁ ଏ ଭୀଷଣ ପ୍ରତିଜ୍ଞାରୁ କ୍ଷାନ୍ତ ହେବା ପାଇଁ ନାନା ପ୍ରକାର ସାନ୍ତ୍ୱନା ବାଣୀ ଶୁଣାଇଲେ । ତାଙ୍କର ଗର୍ଭସ୍ଥ ସନ୍ତାନ ଦିନେ ଭାରତର ରାଜାଧିରାଜ ହେବେ ଏକଥା ଜ୍ୟୋତିର୍ବିଦମାନେ ଜଣାଇଲେ ।

 

କ୍ରମେ ସୂର୍ଯ୍ୟ ଅସ୍ତ ହେଲେ–ରାତ୍ରିର ସର୍ବଗ୍ରାସୀ କବଳରେ ବନ, ପର୍ବତ, ଗ୍ରାମ, ପ୍ରାନ୍ତର ଲୁଚିଗଲା । ଏହି ଅବସରରେ ବସୁମତୀ ଗୁମ୍ଫା ମଧ୍ୟରୁ ଗୋପନରେ ପଳାୟନ କଲେ । ସେ କିଛି ଦୂର ଯାଇ ଗୋଟାଏ ବୃକ୍ଷଉପରେ ଉଠିଲେ ଏବଂ ବୃକ୍ଷଶାଖାରେ ନିଜ ପରିଧେୟ ବସ୍ତ୍ର ବାନ୍ଧି ଅନ୍ୟ ପାଖରେ ଏକ ଫାଶ କରି ନିଜ ଗଳାରେ ଗଳାଇଦେଲେ । ସେ ଲମ୍ଫଦେଇ ଇହଲୀଳାର ଶେଷ ଯବନିକା ପାତ କରିବା ପୂର୍ବରୁ ହୃଦୟ ଭିତରୁ ଗୋଟାଏ ରକ୍ତଶୋଷୀ ଦୀର୍ଘଶ୍ୱାସ ଫୁଟିଉଠି ନୈଶାକାଶରେ ବିଲୀନ ହେଲା । ଦଶଦିଗପାଳଙ୍କୁ ସାକ୍ଷୀ ରଖି ସେ କହିଲେ–“ହେ ପ୍ରାଣେଶ୍ୱର, ଏ ଦାସୀକୁ ଏକାକୀ ଏ ସଂସାର-କାନନ ମଧ୍ୟରେ ପରିତ୍ୟାଗ କରି ଚାଲିଯିବା କ’ଣ ଆପଣଙ୍କର ଠିକ୍ ହୋଇଛି ? ଆପଣ ଉଚ୍ଚନୀଚ ସମସ୍ତଙ୍କ ପ୍ରତି ସଦୟ ଥିଲେ । ଅଥଚ ଏ ଦାସୀ ପ୍ରତି ଏପରି ନିର୍ଦ୍ଦୟ ହେଲେ କାହିଁକି ? ଆପଣଙ୍କ ଗୁଣାବଳୀର ସଦ୍‍ସତ୍ ବିଚାର କରିବା ଅବଶ୍ୟ ଏ ଅଧୀନାର ଔଚିତ୍ୟର ବାହାରେ । ତେଣୁ ଏଇ ଶେଷ ମୁହୂର୍ତ୍ତରେ ଦଶଦିଗପାଳଙ୍କୁ ସାକ୍ଷୀ ରଖି ଏତିକି ମାତ୍ର ପ୍ରାର୍ଥନା କରୁଛି–ଏ ଅଧୀନା ପରଜନ୍ମରେ ଆପଣଙ୍କୁ ହିଁ ଯେପରି ପତି ଭାବରେ ପାଇ ସେ ପାଦପଦ୍ମ ସେବା କରିବାର ଅଧିକାର ଲାଭ କରେ ।”

 

ବସୁମତୀ ବୃକ୍ଷଶାଖାରୁ ଲମ୍ଫ ପ୍ରଦାନ କରିବାକୁ ଉଦ୍ୟତ ହେଉଛନ୍ତି, ହଠାତ୍ ଶୁଣି ପାରିଲେ ଅଦୂରରେ ଜଣେ କେହି ବିକଳ କଣ୍ଠରେ ତାଙ୍କ ନାମ ଧରି ଡାକୁଛି । ସେ ଉତ୍କଣ୍ଠିତ ହୋଇ ଶୁଣିଲେ–“ବସୁମତୀ, ବସୁମତୀ, ଅପେକ୍ଷା କର । ଆତ୍ମହତ୍ୟା କରନାହିଁ, ମୁଁ ଜୀବିତ...” ବସୁମତୀ ଜାଣିପାରିଲେ, ଏ କଣ୍ଠସ୍ୱର ତାଙ୍କ ପତିଦେବତାଙ୍କର । ସେ ଅତି ନିକଟରେ କୌଣସି ସ୍ଥାନରେ ବୋଧହୁଏ ନିରାଶ୍ରୟ ଅବସ୍ଥାରେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ତାହାଙ୍କର ଶେଷ ବାଣୀ ଶୁଣି ଏପରି ବିକଳ ଚିତ୍କାର କରୁଛନ୍ତି । ବସୁମତୀ ତତ୍‍କ୍ଷଣାତ୍ ବୃକ୍ଷରୁ ଅବତରଣ କରି ଯେଉଁଆଡ଼ୁ କରୁଣ କଣ୍ଠସ୍ୱର ଭାସିଆସୁଥିଲା, ସେଇ ଦିଗରେ ଧାବମାନ ହେଲେ।

 

କିଛିଦୂର ଯାଇ ବସୁମତୀ ଦେଖିଲେ ଗୋଟାଏ ରଥ ବୃକ୍ଷଶାଖାରେ ଆଘାତ ପାଇ ଅର୍ଦ୍ଧଭଗ୍ନ ଅବସ୍ଥାରେ ରହିଅଛି ଏବଂ ତା ଭିତରୁ ସେହି ଅମୃତମୟ କଣ୍ଠସ୍ୱର ଫୁଟିଉଠୁଛି ! ସେ ରଥ ଉପରକୁ ଯାଇ ଦେଖିଲେ ବାସ୍ତବିକ ତାଙ୍କର ହୃଦୟ-ଦେବତା ଅର୍ଦ୍ଧଚୈତନ୍ୟ ଅବସ୍ଥାରେ ପତିତ । ସେ ପଲକମାତ୍ରକରେ ତାଙ୍କୁ ହୃଦୟ ନିକଟକୁ ଟାଣି ଆଣିଲେ । ଚାରି ଚକ୍ଷୁରୁ ତପ୍ତ ଅଶ୍ରୁଧାର ବିଗଳିତ ହେଲା–ଶୋକୋଚ୍ଛ୍ୱାସରେ ଅବରୁଦ୍ଧ କଣ୍ଠ ବାକ୍‍ସ୍ଫୁର୍ତ୍ତିହୀନ ହୋଇପଡ଼ିଲା–କେବଳ ପରସ୍ପର ଆଲୋଡ଼ିତ ହୃଦୟର ମୁହୁର୍ମୁହୁଃ କମ୍ପନ ଉଭୟେ ଅନୁଭବ କଲେ ଓ ପରସ୍ପରର ତପ୍ତ ଲୋତକର ମିଳନରେ ସକଳ ଭାବ ବିନିମୟ ହୋଇଗଲା ।

 

ରାଜହଂସ ବସୁମତୀଙ୍କ ସ୍କନ୍ଧରେ ମସ୍ତକ ନ୍ୟସ୍ତ କରି ଗୁହାମଧ୍ୟକୁ ଆଗମନ କଲେ । ରାଜା ଓ ରାଣୀଙ୍କୁ ଏପରି ଭାବରେ ଏକତ୍ର ପାଇ ମନ୍ତ୍ରୀ ଓ ଦାସଦାସୀମାନଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେମାନେ ରାଜ୍ୟର ପିତାମାତାଙ୍କୁ ମୃତ୍ୟୁମୁଖରୁ ଫେରି ପାଇଥିବା ଯୋଗୁଁ ଏକମୁଖରେ ପରାତ୍ପର ଭଗବାନଙ୍କୁ ଅଶେଷ ଧନ୍ୟବାଦ ଦେଲେ ।

 

ରାଜହଂସଙ୍କୁ ବନବାସ ଅବଶ୍ୟ ଅଧିକତର ଶାନ୍ତିପ୍ରଦ ବୋଧ ହେଲା; କିନ୍ତୁ ଯେତେବେଳେ ସୁକୁମାରୀ ବସୁମତୀ ବନ୍ୟ ଫଳମୂଳ ଭକ୍ଷଣ କରି ନିର୍ମମ ପାଷାଣପୃଷ୍ଠରେ ଶୟନ କରିବାର ନିଜ ଚକ୍ଷୁରେ ଦେଖନ୍ତି, ସେତେବେଳେ ତାଙ୍କର ବିଜ୍ଞହୃଦୟ ମଧ୍ୟ ବିଦ୍ରୋହୀ ହୋଇଉଠେ, ବିଧାତାର ନିର୍ମମ ସୃଷ୍ଟିପ୍ରଣାଳୀ ବିରୁଦ୍ଧରେ ତାଙ୍କର ସହିଷ୍ଣୁ ପ୍ରାଣର ସମସ୍ତ ଧୈର୍ଯ୍ୟ ଓ ସାହସ ସ୍ୱତଃ ପରାଭୂତ ହୁଏ ।

 

ଦଶମ ମାସରେ ଦିନେ ଶୁଭ ଲଗ୍ନରେ ବସୁମତୀ ଗୋଟିଏ ପୁତ୍ରସନ୍ତାନ ପ୍ରସବ କଲେ । ପୁତ୍ରମୁଖ ଦର୍ଶନ କରି ରାଜହଂସଙ୍କ ବିଷାଦ-ତିମିରାଚ୍ଛନ୍ନ-ହୃଦୟ-କନ୍ଦର ବାତ୍ସଲ୍ୟ-ପ୍ରେମାଲୋକରେ ଉଦ୍ଭାସିତ ହୋଇ ଉଠିଲା । ସେ ଋଷି ବାମଦେବଙ୍କଠାରୁ ଅବଗତ ହୋଇଥିଲେ ଯେ, ଏ ଗର୍ଭର ସନ୍ତାନ ଅତି ବିକ୍ରମଶାଳୀ ଓ ରାଜଚକ୍ରବର୍ତ୍ତୀ ହେବ । ତେଣୁ ଏକ-ବିଂଶତି ଦିବସରେ ପୁତ୍ରର ନାମକରଣ କଲେ ‘ରାଜବାହନ’ ।

 

ଇତିମଧ୍ୟରେ ମନ୍ତ୍ରୀ ସୁମନ୍ତ, ସୁମିତ୍ର, ସୁଶ୍ରୁତ ଓ ସୁମତିଙ୍କର ଗୋଟିଏ ଗୋଟିଏ ପୁତ୍ରସନ୍ତାନ ଜନ୍ମଗ୍ରହଣ କରିଥିଲେ । ସୁମନ୍ତଙ୍କ ପୁତ୍ରର ନାମ ଦିଆଗଲା ଚିତ୍ରଗୁପ୍ତ, ସୁମିତ୍ରଙ୍କ ପୁତ୍ରର ନାମ ମନ୍ତ୍ରଗୁପ୍ତ, ସୁମତିଙ୍କର ପୁତ୍ରର ନାମ ବ୍ରମତୀ ଓ ସୁଶ୍ରୁତଙ୍କ ପୁତ୍ରର ନାମ ରଖାଗଲା ବିଶ୍ରୁତ ।

Image

 

ତିନି

ଉପହାର ବର୍ମା ଓ ଅପହାର ବର୍ମାଙ୍କ ଆଗମନ

 

ଉପହାର ବର୍ମା-ରାଜବାହନଙ୍କ ଜନ୍ମର କେତେକ ମାସ ପରେ ଦିନେ ଜଣେ ବ୍ରାହ୍ମଣ ଗୋଟିଏ ସୁକୋମଳ ଶିଶୁ ସହ ରାଜହଂସଙ୍କ କୁଟୀରରେ ଉପସ୍ଥିତ ହେଲେ । ସେ ଶିଶୁଟିକୁ ରାଜହଂସଙ୍କ ଆସନ ନିକଟରେ ବସାଇ ଦେଇ କହିଲେ, “ମହାରାଜା ! ଏ ଶିଶୁଟି ମିଥିଳା ନରପତି ପ୍ରହାର ବର୍ମାଙ୍କ ପୁତ୍ର । ଅରଣ୍ୟର ଶବରମାନେ ଏହାଙ୍କୁ କାଳୀଙ୍କ ନିକଟରେ ବଳି ଦେଉଥିଲେ । ବହୁକଷ୍ଟରେ ମୁଁ ଏହାଙ୍କୁ ଉଦ୍ଧାର କରିଛି । ଛାମୁ ଶିଶୁଟିକୁ ଗ୍ରହଣ କରି ଲାଳନପାଳନର ବ୍ୟବସ୍ଥା କଲେ ବିଶେଷ ମଙ୍ଗଳ ହେବ ।”

 

ମିଥିଳା ନରପତି ପ୍ରହାର ବର୍ମାଙ୍କ ସନ୍ତାନ ଶବର ହସ୍ତରେ ପ୍ରାଣ ହରାଉଥିଲେ, ଏକଥା ଶୁଣି ରାଜହଂସ ବିଶେଷ ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲେ । ସେ ସମସ୍ତ ଘଟଣା ବର୍ଣ୍ଣନା କରିବା ପାଇଁ ବ୍ରାହ୍ମଣଙ୍କୁ ଅନୁରୋଧ କଲେ ।

 

ବ୍ରାହ୍ମଣ କହିଲେ–ଦିନେ ମୁଁ ବନ ପଥରେ ଯାଉ ଯାଉ ଗୋଟିଏ ବୃଦ୍ଧା ସେହି ପଥରେ ଏକାକିନୀ ଆସୁଥିବାର ଦେଖିଲି । ବୃଦ୍ଧାର ଅଙ୍ଗପ୍ରତ୍ୟଙ୍ଗ ଓ ଗତିବିଧିରୁ ସେ ନିତାନ୍ତ ନୀଚଜାତିସମ୍ଭୂତା ବୋଲି ବୋଧ ହେଉ ନ ଥିଲା । କିନ୍ତୁ ତାର ଦେହର ବସ୍ତ୍ର ଶତଛିନ୍ନ, ମସ୍ତକର କେଶ ରୁକ୍ଷ ଏବଂ ଚକ୍ଷୁ ଲୋତକସିକ୍ତ ଦେଖି ମୁଁ ତାର ପରିଚୟ ମାଗିଲି । ବୃଦ୍ଧା ମୋଠାରୁ ଆଶ୍ୱାସନାସୂଚକ ପ୍ରଶ୍ନ ଶୁଣି ବିକଳ କଣ୍ଠରେ ଅଧିକ କ୍ରନ୍ଦନ କରି କହିଲା–“ଆଜ୍ଞା ! ମୁଁ ଓ ମୋର କନ୍ୟା ମିଥିଳା ଉଆସରେ ଦାସୀକାମ କରୁ । ସେଠି ଆମର କାମ ଥିଲା ତାଙ୍କର ଦୁଇ ରାଜପୁତ୍ରଙ୍କୁ ପାଳିବା । ମୁଁ ବଡ଼ ପୁଅଟିକୁ ପାଳୁଥିଲି, ମୋ ଝିଅ ସାନ ପୁଅଟିକୁ ପାଳୁଥିଲା । କେତେଦିନ ତଳେ ଆମ ରାଜାରାଣୀ ମଗଧ ଦେଶକୁ ଆସିଥିଲେ । ମଗଧ ରାଣୀଙ୍କର ସେତେବେଳେ ସୀମନ୍ତ ଉତ୍ସବ ହେଉଥିଲା । ଆମେ ମା’ଝିଅ ଦି’ ପୁଅଙ୍କୁ ଧରି ଆସିଥିଲୁ । ଉତ୍ସବ ଦିନ ଆଉ ଗୋଟିଏ ଦେଶର ରାଜା ଆସି ମଗଧ ଚଢ଼ାଉ କଲା । ମଗଧରେ ଭାରି ଲଢ଼େଇ ହେଲା । ମଗଧରାଜା ଯୁଦ୍ଧରେ ମରିଗଲେ । ଆମ ରାଜା ମଧ୍ୟ ମଗଧ ରାଜାଙ୍କ ପାଖେ ଲଢ଼େଇ କରୁଥିଲେ । ମାତ୍ର ସେ ହାରିଯିବାରୁ କାଳେ ଶତ୍ରୁ ମିଥିଳା ଆକ୍ରମଣ କରିବ, ଏହି ଭୟରେ ତରତର ହୋଇ ନିଜ ରାଜ୍ୟ ରକ୍ଷା କରିବାକୁ ଧାଇଁଲେ । ଦୁର୍ଭାଗ୍ୟକୁ ବାଟରେ ଗୁଡ଼ାଏ ବଣୁଆ ଲୋକ ତାଙ୍କୁ ବାଟ ଆଗୁଳିଲେ । ଏଠାରେ ପୁଣି ଲଢ଼େଇ ଲାଗିଲା । ସେମାନେ ମିଥିଳା ସୈନ୍ୟଙ୍କୁ ପାରନ୍ତେ କୁଆଡ଼ୁ–ଅଳ୍ପଯୁଦ୍ଧରେ ସେମାନେ ହାରିଗଲେ । ମାତ୍ର ଏ ଗଣ୍ଡଗୋଳ ଭିତରେ ମୁଁ ଆଉ ମୋର ଝିଅ ପୁଅ ଯୋଡ଼ିକୁ ଧରି ଗୋଟାଏ ଅଣବାଟରେ ପଡ଼ିଲୁ । ଆମ ସଙ୍ଗରେ ଆଉ କେହି ନ ଥାନ୍ତି । ଏପରି ସମୟରେ ଗୋଟାଏ ମହାବଳ ବାଘ ଆମ ଆଗରେ ଆସି ଠିଆ ହେଲା । ପ୍ରାଣଭୟରେ ଉଭୟେ ଧାଇଁ ଚାଲିଯିବାକୁ ବାହାରିଲୁ । କିନ୍ତୁ ମୁଁ ପାଦେ ଯାଇଛି କି ନାହିଁ, ଗୋଟାଏ ଗଛର ଖୁଣ୍ଟା ଝୁଣ୍ଟି ଲେଉଟି ପଡ଼ିଲି । ପିଲାଟି ମୋ କାଖରୁ ଫିଙ୍ଗିହୋଇ ଖଣ୍ଡେ ଦୂରରେ ପଡ଼ିଲା । ଭାଗ୍ୟକୁ ପିଲାଟି ଦେହରେ ଆଘାତ ଲାଗି ନ ଥିଲା । ସେ ଉଠି-ବସି ବାଘକୁ ଚାହିଁ କିଲି କିଲି ହୋଇ ହସିବାକୁ ଲାଗିଲା । ଆଶ୍ଚର୍ଯ୍ୟର କଥା ବାଘ ଆମ ଦୁହିଁଙ୍କୁ ଏତେ ନିକଟରେ ପାଇ ମଧ୍ୟ କିଛି କଲା ନାହିଁ । ମୁହୂର୍ତ୍ତକ ପରେ ବାଘଟା ମେଘଗର୍ଜନ ପରି ରଡ଼ି କରି ଭୂଇଁରେ ଲୋଟି ପଡ଼ିଲା । ମୋର ତ ସେତେବେଳେ ଉଠିବାର ଶକ୍ତି ନ ଥାଏ, ସେହିପରି ପଡ଼ିରହି ଦେଖିଲି କିଛି ଦୂରରୁ ଜଣେ ଲୋକ ବାଘକୁ ଶର ମାରିଥିବାରୁ ବାଘଟି ଛଟପଟ ହେଉଛି ଏବଂ ଶବର ଭିତରୁ ଜଣେ ଧାଇଁ ଆସି ମୋର ପିଲାଟିକୁ ଧରି ବଣ ଭିତରେ ପଶି ଯାଉଛି । ମହାବଳ ବାଘଠାରୁ ଏ ଲୋକଗୁଡ଼ାକ ଆହୁରି ଭୟଙ୍କର ଦେଖା ଯାଉଥିଲେ । ମୁଁ ଚେଷ୍ଟା କରି ମଧ୍ୟ ପାଟିକରି ସେମାନଙ୍କୁ ଡାକି ପାରିଲି ନାହିଁ । ତାପରେ କଣ ହେଲା ମୁଁ ଜାଣେ ନାହିଁ ।

 

ମୁଁ ଚେତା ପାଇଲି ଜଙ୍ଗଲର ଗୋଟିଏ ଗଉଡ଼ଘରେ । ଗଉଡ଼ ଓ ଗଉଡ଼ୁଣୀଙ୍କ ସେବାରେ ମୁଁ କ୍ରମେ ବଳ ପାଇଲି । କିଛିଦିନ ପରେ ଭାବିଲି ମିଥିଳା ନଗରକୁ ଫେରିଯିବି । କିନ୍ତୁ ଫେରିଯାଇ କେଉଁ ମୁହଁରେ ରାଜାରାଣୀଙ୍କ ଆଗେ ଠିଆ ହେବି ? ଏଇ ଚିନ୍ତା ମୋର ହୃଦୟକୁ ଘାଣ୍ଟି ପକାଇଲା-। ତେଣୁ ଠିକ୍ କଲି, ମୋର ମରଣ ଯାଏ ଏ ବଣଭିତରେ ମୋର ପିଲାଟିକୁ ଖୋଜି ବୁଲିବି ।

 

ଏହା କହି ବୁଢ଼ୀ ଦୁଃଖ ଆବେଗରେ କାନ୍ଦିବାକୁ ଲାଗିଲା । ବୁଢ଼ୀର କାହାଣୀ ଓ ତାର ଦୃଢ଼ ପ୍ରତିଜ୍ଞା କଥା ଶୁଣି ମୋର ହୃଦୟ ମଧ୍ୟ ତରଳି ଗଲା । ମୁଁ ବୁଢ଼ୀକୁ ସାନ୍ତ୍ୱନା ଦେଇ ତାକୁ ଯତ୍‍ପରୋନାସ୍ତି ଏ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଲି ।

 

ସେହିଦିନଠାରୁ ମୁଁ ଜଙ୍ଗଲର ପ୍ରତ୍ୟେକ ଶବରପଲ୍ଲୀକୁ ଯାଇ ଘର ଘର ବୁଲି ଖୋଜିଲି । ଦିନେ ମୋର ପଥ ମଧ୍ୟରେ ଗୋଟିଏ ବଡ଼ ଶବରପଲ୍ଲୀ ପଡ଼ିଲା । ସେଦିନ ସେ ପଲ୍ଲୀରେ ଭାରି ଉତ୍ସବ ଲାଗିଥାଏ । ଶୁଣିଲି ସେ ଗାଁର ଇଷ୍ଟଦେବୀଙ୍କ ନିକଟରେ ନରବଳି ଦିଆଯାଉଚି । ସମସ୍ତ ଗ୍ରାମବାସୀ ସେଦିନ ସେହିଠାରେ ରୁଣ୍ଡ । ମୁଁ ମଧ୍ୟ ସେଠାରେ ଯାଇ ପହଞ୍ଚିଲି ।

 

ଜୀବନରେ କେବେ ଭାବି ନ ଥିଲି ଦିନେ ମୋତେ ଏପରି ଏକ ବୀଭତ୍ସ ଦୃଶ୍ୟର ଦର୍ଶକ ଭାବରେ ଦଣ୍ଡାୟମାନ ହେବାକୁ ହେବ । ଶହ ଶହ ଭୀଷଣ ନରରାକ୍ଷସଙ୍କ ମଧ୍ୟରେ କରାଳ କାଳୀମୂର୍ତ୍ତି–ସମ୍ମୁଖରେ ଅର୍ଦ୍ଧ-ପ୍ରସ୍ଫୁଟିତ ଗୋଲାପ କଳୀଟି ପରି ଗୋଟିଏ କୋମଳ ଶିଶୁ, କଣ୍ଠରେ ମନ୍ଦରମାଳା–ସର୍ବାଙ୍ଗରେ ରକ୍ତ-ଚନ୍ଦନ–ପାର୍ଶ୍ୱରେ ଶାଣିତ ଖଡ଼୍‍ଗହସ୍ତ ଘାତକ–ଚତୁର୍ଦ୍ଦିଗରେ ଅର୍ଦ୍ଧନଗ୍ନ ବିକୃତମୁଖ ଉନ୍ମତ୍ତ ଯୁବକଯୁବତୀମାନଙ୍କର ତାଣ୍ଡବ ନୃତ୍ୟ—ଗୀତ—ବାଦ୍ୟ ।

 

ଏ ହତଭାଗା ଶିଶୁ ଯେ ନିଶ୍ଚୟ ମିଥିଳା ରାଜକୁମାର, ଏଥିରେ ମୋର ଅଣୁମାତ୍ର ସନ୍ଦେହ ରହିଲା ନାହିଁ । କିନ୍ତୁ ଏପରି ଅବସ୍ଥାରେ ମୁଁ ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ଦୂରେ ଥାଉ ମୋର ନିଜ ପ୍ରାଣ ପ୍ରତି ବି ଭୟ ହେଲା । ମୁଁ ମନେ କଲି ଶତ ରାହୁକବଳରୁ ଏକମାତ୍ର ଚନ୍ଦ୍ରଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ଏବଂ ଏ ଶିଶୁକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିବା ଏକା କଥା । ମୁଁ ନୀରବରେ କିଛି ସମୟ ଠିଆ ହୋଇ ଚକିତ ନୟନରେ ଚାହିଁ ରହିଥିଲି । ଅକସ୍ମାତ୍ ମୋ ମୁଣ୍ଡରେ ଗୋଟାଏ ବୁଦ୍ଧି ପଶିଲା । ମୁଁ ହଠାତ୍ ସେଠାରେ ଉଚ୍ଚସ୍ୱରରେ କାନ୍ଦିବସିଲି । ଉତ୍ସବ ସମୟରେ କେହି ଜଣେ କାନ୍ଦୁଥିବାର ଶୁଣି ଶବରଗୁଡ଼ାକ ଆସି ରୁଣ୍ଡ ହୋଇଗଲେ । ମୁଁ କାହିଁକି କାନ୍ଦୁଛି, ଜଣ ଜଣ କରି ପଚାରିଗଲେ । ମୁଁ କାନ୍ଦୁ କାନ୍ଦୁ କହିଲି–ମା କାଳିକା ତୁମମାନଙ୍କୁ ଶହ ଶହ ବର୍ଷ ପରମାୟୁ ଦେଉ । ତୁମମାନଙ୍କୁ ନିତି ନିତି ବଡ଼ ବଡ଼ ପାରିଧି ମିଳୁ । ମୁଁ ବ୍ରାହ୍ମଣ, ମୋର ଗୋଟିଏ ବୋଲି ପୁଅ । ମୋର ବୁଢ଼ୀମା ବଣରେ ଅଇଲାବେଳେ ବାଘହାବୁଡ଼େ ପଡ଼ି ପିଲାଟିକୁ ହଜେଇ ଦେଇଛି । ତୁମେ କିଏ ଦେଖିଥିଲେ କହ । ମା କାଳୀ ତୁମର ମଙ୍ଗଳ କରିବ ।

 

ମୋର ବିକଳ କ୍ରନ୍ଦନ ବାସ୍ତବରେ ଶବରମାନଙ୍କ ପାଷାଣ ହୃଦୟକୁ ମଧ୍ୟ ତରଳାଇ ଦେଇଥିଲା । ସେମାନେ ଯେଉଁ ଶିଶୁଟିକୁ ବଳି ଦେଉଥିଲେ, ସେଇଟି ମୋର କି ନାହିଁ ଦେଖିବା ପାଇଁ କହିଲେ । ଏହି ସୁଯୋଗରେ ମୁଁ କାଳୀଙ୍କ ନିକଟକୁ ଧାଇଁଯାଇ ରାଜକୁମାରଙ୍କୁ କୋଳରେ ଧରି ଚୁମ୍ବନ ଦେବାକୁ ଲାଗିଲି । ରାଜକୁମାର ମଧ୍ୟ ଜୀବନଭୟରେ ମୋତେ କୁଣ୍ଢେଇ ଧରିପକାଇଲେ । ଉଭୟଙ୍କ ଆଖିରୁ ଅବିରଳ ଅଶ୍ରୁ ଗଳିପଡ଼ିଲା ।

 

ଏ କଥା ଦେଖି ଶବରମାନେ ଭାବିଲେ ଯେ ଶିଶୁଟି ନିଶ୍ଚୟ ମୋହରି ପୁଅ । ତେଣୁ ସେମାନେ କୌଣସି ବାଧା ନ ଦେଇ ଆମ ଦୁହିଁଙ୍କୁ ବିଦାୟ ଦେଲେ । ମୁଁ ସେମାନଙ୍କୁ ଅଶେଷ ଆଶୀର୍ବାଦ ଦେଇ ଫେରିଆସିଲି ।

 

ମହାରାଜ, ଶୁଣି ପାରିଲି ମିଥିଳା ଦେଶ ବର୍ତ୍ତମାନ ଜଣେ ଅତ୍ୟାଚାରୀ ରାଜାଦ୍ୱାରା ଅଧିକୃତ । ତେଣୁ ଶିଶୁଟିକୁ ଛାମୁଙ୍କ ନିକଟକୁ ନେଇଆସିଲି । ଛାମୁ ଏହାଙ୍କର ଲାଳନପାଳନର ଭାର ଗ୍ରହଣ କଲେ ବ୍ରାହ୍ମଣର ଶ୍ରମ ଚରିତାର୍ଥ ହେବ ।

 

ପ୍ରହାର ବର୍ମା ରାଜହଂସଙ୍କର ଜଣେ ପରମ ବନ୍ଧୁ ଥିଲେ । ସେ ଏ ସମ୍ବାଦରେ ବିଶେଷ ମର୍ମାହତ ହୋଇ ଶିଶୁଟିକୁ ସାଦରେ ଗ୍ରହଣ କଲେ । ଶିଶୁଟିର ନାମଦେଲେ ଉପହାର ବର୍ମା ।

 

ଅପହାର ବର୍ମା–ରାଜହଂସ ଥରେ କିଛିଦିନ ପାଇଁ ତୀର୍ଥଯାତ୍ରା କରିଯାଇଥିଲେ । ସେ ଗଙ୍ଗାସ୍ନାନ କରି ଫେରିବା ସମୟରେ ବାଟରେ ଗୋଟାଏ ଶବରପଲ୍ଲୀ ପଡ଼ିଲା । ସେ ଗ୍ରାମଟି ଅତିକ୍ରମ କରି ଗଲାବେଳେ ଦେଖିଲେ କେତେକ ଶବରରମଣୀ ଜଳକୁମ୍ଭ ଧରି ଗ୍ରାମମଧ୍ୟକୁ ଆସୁଛନ୍ତି । ସେମାନଙ୍କ ସଙ୍ଗରେ ଗୋଟିଏ ଅତି ସୁନ୍ଦର କୋମଳ ଶିଶୁ ତାର ଛୋଟ ଛୋଟ ରକ୍ତାଭ ପାଦ ପକାଇ ଧାଇଁଛି । ଶିଶୁଟିକୁ ଦେଖିଲେ ସେ ଯେକୌଣସି ଶବରସନ୍ତାନ ନୁହେଁ, ଏହା ସ୍ପଷ୍ଟ ଜଣାପଡ଼ୁ ଥିଲା ଓ ତାର ଅଙ୍ଗପ୍ରତ୍ୟଙ୍ଗରେ ରାଜଲକ୍ଷଣ ଫୁଟି ଉଠୁଥିଲା । ରାଜହଂସ ଶିଶୁଟିକୁ ଏପରି ଅବସ୍ଥାରେ ଦେଖି ଶବରୁଣୀକୁ ଡାକି ପିଲାଟି କାହାର ବୋଲି ପଚାରିଲେ ।

 

ଶବରୁଣୀ କହିଲା–ଥରେ ମିଥିଳା ଦେଶର ରଜା ଏ ବାଟେ ଯାଉଥିଲେ । ଆମ ରାଜ୍ୟଭିତରେ ସେ ସୈନ୍ୟ ଧରି ଯାଉଥିବାରୁ ଆମ ଗାଁର ମର୍ଦ୍ଦମାନେ ତାଙ୍କୁ ଆଗୁଳି ତାଙ୍କ ସଙ୍ଗେ ଲଢ଼େଇ କଲେ । ଲଢ଼େଇ ସରିଲା ଉତ୍ତାରୁ ଆମ ଘରଲୋକ ଏ ପିଲାଟିକୁ କୁଆଡ଼ୁ ଗୋଟେଇ ଆଣିଥିଲେ ।

 

ଏଥିରୁ ରାଜହଂସ ସ୍ପଷ୍ଟ ବୁଝି ପାରିଲେ, ଶିଶୁଟି ନିଶ୍ଚୟ ଉପହାର ବର୍ମାର ଭାଇ ହେବ । ତେଣୁ ପୁଅଟିକୁ ତାଙ୍କୁ ଦେଇଦେବା ପାଇଁ ସେ ଶବରୁଣୀକୁ ଅନୁରୋଧ କଲେ । ପ୍ରକୃତରେ ଶବରୁଣୀ ପିଲାଟି ପ୍ରତି ଅତିଶୟ ଅନୁରକ୍ତା ହୋଇପଡ଼ିଥିଲା । ସୁତରାଂ ସେ ଏ ପ୍ରସ୍ତାବରେ ପ୍ରଥମେ ଅସ୍ୱୀକାର କଲା; ମାତ୍ର ଶିଶୁ ପ୍ରତି ଗ୍ରାମବାସୀଙ୍କର କ୍ରୂର ବ୍ୟବହାର ସ୍ମରଣ କରି ପରେ ସମ୍ମତା ହେଲା । ସେ ଶିଶୁଟିକୁ ଛାଡ଼ିଦେଇ ଭଲଭାବରେ ତାହାର ଲାଳନପାଳନ କରିବା ପାଇଁ ଅନୁରୋଧ କରି ଚାଲିଗଲା।

 

ରାଜହଂସ ଅତି ଆନନ୍ଦରେ ଶିଶୁ ସହ ନିଜ କୁଟୀରକୁ ଫେରିଲେ ଓ ତାର ନାମ ଦେଲେ ଅପହାର ବର୍ମା । ଅପହାର ବର୍ମା ଏଠାରେ ତାର ଉପଯୁକ୍ତ ଦୁଇଟି ସାଙ୍ଗ ପାଇ ଆନନ୍ଦରେ କ୍ରୀଡ଼ା କୌତୁକରେ ଦିନ କଟାଇବାକୁ ଲାଗିଲା ।

Image

 

ଚାରି

ପୁଷ୍ପୋଦ୍ଭବଙ୍କ ଆଗମନ

 

ପୂର୍ବ ଘଟଣାର ପ୍ରାୟ ଏକମାସ ପରେ ଦିନେ ବାମଦେବ ଋଷିଙ୍କର ଜଣେ ଶିଷ୍ୟ କୋଳରେ ଗୋଟିଏ ଶିଶୁ ଧରି ରାଜହଂସଙ୍କ କୁଟୀରରେ ଉପସ୍ଥିତ ହେଲେ । ସେ ଶିଶୁଟିକୁ ରାଜାଙ୍କ ପାଦତଳେ ରଖି କହିଲେ, “ମହାରାଜ, ମୁଁ ଦିନେ ପୁଣ୍ୟତୋୟା ଜାହ୍ନବୀର ରାମତୀର୍ଥ ଘାଟରେ ସ୍ନାନ କରି ଫେରିଲାବେଳେ ଗୋଟିଏ ବୃଦ୍ଧା ଏଇ ଶିଶୁକୁ ଧରି ଜଙ୍ଗଲ ମଧ୍ୟରେ ବିଚରଣ କରୁଥିଲା । ଜଙ୍ଗଲ ମଧ୍ୟରେ ଏପରି ଦୃଶ୍ୟ ନିତାନ୍ତ ବିରଳ । ତେଣୁ ମୁଁ ବିସ୍ମିତ ହୋଇ ବୃଦ୍ଧା ଓ ଶିଶୁର ପରିଚୟ ମାଗିଲି ।

 

ବୃଦ୍ଧା କହିଲା ଯେ ସେ କାଳୟବନର ରତ୍ନୋଦ୍ଭବ ନାମକ ଜଣେ ଧନୀ ସୌଦାଗରଙ୍କ ପତ୍ନୀର ଦାସୀ । ରତ୍ନୋଦ୍ଭବ ମଗଧରାଜ୍ୟର ଜଣେ ମନ୍ତ୍ରୀଙ୍କ ପୁତ୍ର । ସେ ଦକ୍ଷିଣ ଦେଶରେ ଅଗାଧ ସମ୍ପତ୍ତି ଉପାର୍ଜନ କରି ସସ୍ତ୍ରୀକ ନିଜ ଦେଶକୁ ଫେରିଯିବାକୁ ଇଚ୍ଛା କଲେ । ଗୋଟାଏ ତରୀରେ ନିଜର ସ୍ତ୍ରୀ, ଶିଶୁପୁତ୍ର ଓ ମୂଲ୍ୟବାନ ଧନରତ୍ନ ସହ ଯାତ୍ରାରମ୍ଭ କଲେ । ତରୀଟି ପ୍ରାୟ ଅର୍ଦ୍ଧପଥ ଯାଇଛି, ଏପରି ସମୟରେ ଭୀଷଣ ବାତ୍ୟା ଉପସ୍ଥିତ ହେଲା । ନାବିକମାନେ ସମସ୍ତ ଶକ୍ତି ବିନିମୟରେ ମଧ୍ୟ ବୋଇତଟିକୁ ଥୟ କରିପାରିଲେ ନାହିଁ । ତାହା ଜଳତରଙ୍ଗ ଉପରେ ଉଠିପଡ଼ି ଯାଇ ଗୋଟାଏ ପାହାଡ଼ ଦେହରେ ଧକ୍କା ବାଜି ଫାଟିଗଲା । ତା ପରେ କ୍ରମେ ବୋଇତଟି ଡୁବିଗଲା-। ଶେଷ ମୁହୂର୍ତ୍ତରେ ପତି ପତ୍ନୀଠାରୁ ବିଚ୍ଛିନ୍ନ ହୋଇ ପଡ଼ିଲେ । ସୌଦାଗରଙ୍କ ପତ୍ନୀ ଶୁଭବୃତା ଓ କେତେକ ଦାସୀ ଗୋଟାଏ ଭାସମାନ କାଷ୍ଠ ପାଇ ତାହାର ଆଶ୍ରୟରେ କ୍ରମେ କ୍ରମେ ଆସି କୂଳରେ ପହଞ୍ଚିଲେ । ଶିଶୁଟି ମାତାର ଗଳଦେଶରେ ନିରାପଦରେ ଆବଦ୍ଧ ଥାଏ । କିନ୍ତୁ ଅତିରିକ୍ତ ଶାରୀରିକ ପରିଶ୍ରମ ଓ ମାନସିକ ଯନ୍ତ୍ରଣା ଫଳରେ ତଟରେ ପହଞ୍ଚୁ ପହଞ୍ଚୁ ଶୁଭବୃତା ଅଚେତ ହୋଇ ପଡ଼ିଗଲେ ।

 

ବୃଦ୍ଧା ମୋତେ ଏତିକି କହିଛି–ଏପରି ସମୟରେ ଗୋଟାଏ ବନ୍ୟ ହସ୍ତୀ ଭୀଷଣ ବେଗରେ ଆମଆଡ଼େ ଧାଇଁଆସିଲା । ଏ ଦୃଶ୍ୟରେ ବୃଦ୍ଧା ଏପରି ଭୀତତ୍ରସ୍ତା ହୋଇପଡ଼ିଲା ଯେ ତାର ଅଜ୍ଞାତସାରରେ ସେଇଠାରେ ଶିଶୁଟି ତା ହାତରୁ ଖସିପଡ଼ିଲା ଏବଂ ସେ ଧାଇଁଯାଇ ଅରଣ୍ୟ ମଧ୍ୟରେ ପଶିଗଲା । ମୁଁ ମଧ୍ୟ ଏ ଅବସ୍ଥାରେ ଉପାୟାନ୍ତର ନ ଦେଖି ନିକଟସ୍ଥ ଗୋଟାଏ ବଡ଼ ଗଛରେ ଚଢ଼ିଗଲି ।

 

ଆଶ୍ଚର୍ଯ୍ୟର କଥା ହାତୀଟା ଆମ ଦୁହିଁଙ୍କୁ ଦେଖି ମଧ୍ୟ କାହାରିକୁ ଆକ୍ରମଣ ନ କରି ଶିଶୁଟିକୁ ତାର ଶୁଣ୍ଢରେ ଗୁଡ଼ାଇ ଧରି ଉପରକୁ ଟେକିଲା । ବୋଧହୁଏ ପରମୁହୂର୍ତ୍ତରେ ସେ ତାହାକୁ ତଳେ ପିଟି ଦେଇ ଗୋଡ଼ରେ ଦଳି ଦେଇଥାନ୍ତା; କିନ୍ତୁ ହଠାତ୍ ନିକଟସ୍ଥ ଘନଲତା ମଧ୍ୟରୁ ଗୋଟାଏ ସିଂହ ବାହାରି ହାତୀର ପିଠି ଉପରେ ଡେଇଁ ବସିଲା । ଏଥିରେ ହାତୀ ଚମକି ପଡ଼ିଲା । ସେ ଶିଶୁଟିକୁ ଛାଡ଼ିଦେଇ ସିଂହକୁ ନିଜ ପିଠିରୁ ଖସାଇ ଦେବାପାଇଁ ତଳେ ଗଡ଼ିବାକୁ ଲାଗିଲା । ଭାଗ୍ୟବଶତଃ ଏଇ ସମୟରେ ଗୋଟାଏ ବୁଢ଼ା ମାଙ୍କଡ଼ ଗଛରୁ ଓହ୍ଲାଇ ଆସି ପିଲାଟିକି କୋଳ କରି ଗଛ ଉପରକୁ ନେଇଗଲା । ନଚେତ୍ ହାତୀ ଓ ସିଂହର ଭୀଷଣ ଯୁଦ୍ଧ ମଧ୍ୟରେ ପଡ଼ି ପିଲାଟି ଶେଷ ପାଇଯାଇଥାନ୍ତା ।

 

କ୍ରମେ ହାତୀ ଓ ସିଂହ ଯୁଦ୍ଧ କରୁ କରୁ ଜଙ୍ଗଲମଧ୍ୟକୁ ଚାଲିଗଲେ । ବୁଢ଼ା ମାଙ୍କଡ଼ଟି ପିଲାଟିକୁ ନେଇ ଗୋଟାଏ କୋରଡ଼ରେ ବସାଇ ଦେଇ ତଳେ ଯୁଦ୍ଧ ଦେଖୁ ଦେଖୁ ଅନ୍ୟ ମାଙ୍କଡ଼ମାନଙ୍କ ସହ ଗଛରୁ ଗଛକୁ ଡେଇଁ ଚାଲିଗଲା । କିଛି ସମୟ ପରେ ଚତୁର୍ଦ୍ଦିଗ ନିରାପଦ ଦେଖି ମୁଁ ଶିଶୁଟିକୁ ବୃକ୍ଷ କୋଟରରୁ ଉଦ୍ଧାର କରି ନିଜ ଆଶ୍ରମକୁ ଫେରିଲି । ଗୁରୁଦେବ ମୋଠାରୁ ସମସ୍ତ ଘଟଣା ଶୁଣି ଶିଶୁଟିକୁ ଆପଣଙ୍କ ହସ୍ତରେ ଅର୍ପଣ କରିବା ପାଇଁ ଆଦେଶ କଲେ । ମୋର ବିଶ୍ୱାସ, ଆପଣ ଏଥିରେ ଆପତ୍ତି କରିବେ ନାହିଁ ।

 

ରତ୍ନୋଦ୍ଭବ ରାଜହଂସଙ୍କ ବାଲ୍ୟ ବନ୍ଧୁ । ତାଙ୍କର ଶିଶୁପୁତ୍ର ଏପରି ଆକସ୍ମିକ ମୃତ୍ୟୁମୁଖରୁ ଏକାଧିକବାର ରକ୍ଷା ପାଇଥିବାରୁ ସେ ବିଚିତ୍ରକର୍ମା ପରମେଶ୍ୱରଙ୍କର ସ୍ତବ ଗାନକରିବାକୁ ଲାଗିଲେ ଓ ବ୍ରାହ୍ମଣଙ୍କର ନିଃସ୍ୱାର୍ଥ ପରିଶ୍ରମ ଓ ଅଶେଷ ଦୟା ଲାଗି ତାଙ୍କୁ ଧନ୍ୟବାଦ ଦେଇ ବିଦାୟ ଦେଲେ ।

 

ରତ୍ନୋଦ୍ଭବଙ୍କ ସହୋଦର ସୁଶ୍ରୁତ ମଧ୍ୟ ସେଠାରେ ବସି ସମସ୍ତ ଘଟଣା ଶୁଣୁଥିଲେ । ସେ ଲୋତକପୂର୍ଣ୍ଣ ନୟନରେ ଭ୍ରାତୁଷ୍ପୁତ୍ରକୁ କୋଳରେ ନେଇ ବାରମ୍ବାର ମୁଖ ଚୁମ୍ବନ କରିବାକୁ ଲାଗିଲେ ଓ ନିଜେ ତା’ର ପାଳନଭାର ଗ୍ରହଣ କଲେ । ଶିଶୁଟିର ନାମ ଦିଆଗଲା ପୁଷ୍ପୋଦ୍ଭବ ।

Image

 

ପାଞ୍ଚ

ଅର୍ଥପାଳଙ୍କ ଆଗମନ

 

ଦିନେ ରାତ୍ରିରେ ରାଣୀ ବସୁମତୀ ପର୍ଣ୍ଣଶାଳା ମଧ୍ୟରେ ନିଦ୍ରିତା ଥିବା ସମୟରେ ହଠାତ୍ କେହି ଜଣେ ବ୍ୟକ୍ତି ତାଙ୍କ ନିକଟରେ ଦଣ୍ଡାୟମାନ ହୋଇ ତାଙ୍କୁ ସମ୍ବୋଧନ କଲା ଭଳି ଜଣାଗଲା । ସେ ଚମକିପଡ଼ି ଉଠି ଦେଖିଲେ ତାଙ୍କ ସମକ୍ଷରେ ଗୋଟିଏ ସ୍ତ୍ରୀମୂର୍ତ୍ତି ଦଣ୍ଡାୟମାନା । ରମଣୀର ଅଲୌକିକ ତେଜରେ କୁଟୀର ଆଲୋକିତ ହେଉଅଛି । ଏ ଦୃଶ୍ୟରେ ବସୁମତୀ ଚମତ୍କୃତା ହୋଇପଡ଼ି ସ୍ତ୍ରୀମୂର୍ତ୍ତିର ପରିଚୟ ସଙ୍ଗେ ସଙ୍ଗେ ଆଗମନର ଉଦ୍ଦେଶ୍ୟ ଜିଜ୍ଞାସା କଲେ ।

 

ରମଣୀ ମୃଦୁ ମଧୁର ସ୍ୱରରେ କହିଲେ–“ମହାରାଣୀ, ମୁଁ ମଗଧ ଅଧିପତିଙ୍କର ପ୍ରଧାନମନ୍ତ୍ରୀ ଧର୍ମପାଳଙ୍କ ପୁତ୍ର କାମପାଳଙ୍କର ପତ୍ନୀ । ଏ ଯେଉଁ ଶିଶୁଟିକୁ ମୁଁ କୋଳରେ ଧରିଅଛି, ଏ ମୋର ସନ୍ତାନ । ମୋର ପିତା ଯକ୍ଷରାଜ ମଣିଭଦ୍ର ଏ ଶିଶୁକୁ ଆପଣଙ୍କ ହସ୍ତରେ ଅର୍ପଣ କରିବା ପାଇଁ ଉପଦେଶ ଦେଇଅଛନ୍ତି । କାରଣ ସେ ଜାଣନ୍ତି, ରାଜକୁମାର ରାଜବାହନଙ୍କ ପ୍ରଭାବ ଓ ପ୍ରତିପତ୍ତି ଦିନେ ସମଗ୍ର ଆର୍ଯ୍ୟାବର୍ତ୍ତକୁ ମୁଗ୍ଧ ଚକିତ କରିପକାଇବ । ତେଣୁ ଏ ଶିଶୁଟିକୁ ଆପଣଙ୍କ ଲାଳନପାଳନରେ ଛାଡ଼ିଦେଲେ ସେ ଆବାଲ୍ୟରୁ ରାଜକୁମାରଙ୍କ ସହଚରଭାବରେ ରହି ତାର ପୈତୃକ ସୌଭାଗ୍ୟ ଭୋଗ କରି ଯଥାସମୟରେ କର୍ତ୍ତବ୍ୟପାଳନ ପାଇଁ ଉପଯୁକ୍ତ ହେବ ।

 

ଏ କଥା ଶୁଣି ଯକ୍ଷକନ୍ୟାଙ୍କୁ ଆସନ ପ୍ରଦାନପୂର୍ବକ ସମ୍ମାନିତ କରିବାକୁ ଯିବାମାତ୍ରେ ସେ କେଉଁଆଡ଼େ ଅନ୍ତର୍ହିତ ହୋଇଗଲେ । ତହୁଁ ରାଣୀ ଶିଶୁଟିକୁ ରାଜହଂସଙ୍କ ନିକଟକୁ ନେଇ ସମସ୍ତ ଘଟଣା ଜଣାଇଲେ ।

 

ରାଜହଂସ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ତଥା ନିଜ ପୁତ୍ରର ଭବିଷ୍ୟତ ସମ୍ୱନ୍ଧେ ସୁସମ୍ବାଦ ପାଇ ବିଶେଷ ଆନନ୍ଦିତ ହେଲେ । ସେ ଶିଶୁର ନାମ ରଖିଲେ ‘ଅର୍ଥପାଳ’ ଏବଂ ତାହାର ରକ୍ଷଣାବେକ୍ଷଣ ଭାର ତାହାର ଜ୍ୟେଷ୍ଠତାତ ସୁମିତ୍ରଙ୍କ ହସ୍ତରେ ନ୍ୟସ୍ତ କଲେ ।

Image

 

ଛଅ

ସୋମଦତ୍ତଙ୍କ ଆଗମନ

 

ଗ୍ରୀଷ୍ମଋତୁର ପ୍ରାରମ୍ଭରେ ଋଷି ବାମଦେବଙ୍କର ଜଣେ ଶିଷ୍ୟ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଯାଇଥିଲେ । ସେ ଦାକ୍ଷିଣାତ୍ୟର କାବେରୀନଦୀରେ ସ୍ନାନତର୍ପଣାଦି ଶେଷ କରି ଫେରୁଅଛନ୍ତି, ଏପରି ସମୟରେ କିଛି ଦୂରରେ ଜଣେ ସ୍ତ୍ରୀଲୋକର ବିକଳ କ୍ରନ୍ଦନ ଶୁଣି ପାରିଲେ । ସେ ନିକଟକୁ ଯାଇ ଦେଖିଲେ କାବେରୀକୂଳରେ ସ୍ତ୍ରୀଲୋକଟିଏ ବସି କ୍ରନ୍ଦନ କରୁଅଛି; କୋଳରେ ଗୋଟିଏ ମାତ୍ର ଶିଶୁ । ଉଭୟେ ଆପାଦମସ୍ତଳ ଜଳସିକ୍ତ । ଶିଷ୍ୟ ତାହାକୁ ଆଶ୍ୱାସନା ଦେଇ କ୍ରନ୍ଦନର କାରଣ ପଚାରିଲେ ।

 

ସ୍ତ୍ରୀଲୋକଟି ଶୋକ ସମ୍ବରଣ କରି କହିଲା–“ମହାଶୟ, ମଗଧରାଜ ରାଜହଂସଙ୍କର ସିତବର୍ମା ନାମକ ଜଣେ ମନ୍ତ୍ରୀ ଥିଲେ । ତାହାଙ୍କର ପୁତ୍ର ସତ୍ୟବର୍ମା ବିଦେଶରେ ବହୁ ଧନରତ୍ନ ଅର୍ଜ୍ଜନ କରି ଏହି ନଦୀତଟରେ ଏକ ବ୍ରାହ୍ମଣଶାସନରେ ବାସ କଲେ । ସେ ସେହି ଗ୍ରାମରେ ‘କାଳୀ’ ନାମକ ଗୋଟିଏ କନ୍ୟାକୁ ବିବାହ କରିଥିଲେ । ବହୁବର୍ଷପରେ ମଧ୍ୟ କାଳୀର ଗର୍ଭରେ ସନ୍ତାନସନ୍ତତି ନ ହେବାରୁ ସତ୍ୟବର୍ମା କାଳୀର ଭଗିନୀ ଗୌରୀକୁ ବିବାହ କଲେ । କିଛିଦିନ ପରେ ଗୌରୀର ଗର୍ଭରୁ ଏ ପୁତ୍ରଟି ଜାତ ହେଲା । କାଳୀ ଏ କଥା ସହ୍ୟ କରି ପାରିଲା ନାହିଁ । ମୁଁ ଏ ଶିଶୁଟିକୁ ପାଳିଥାଏ । ଆଜି ମୁଁ ନଈକୂଳରେ ବସି ଏହାକୁ ଗୀତ ଗାଇ ଖେଳାଉଥିଲି । କାଳୀ ପଛରୁ ଲୁଚି ଲୁଚି ଆସି ହଠାତ୍ ଆମ ଦୁହିଁଙ୍କୁ ନଈମଧ୍ୟକୁ ପେଲିଦେଲା । ନିକଟରେ ଗୋଟାଏ ଭାସନ୍ତା କାଠଗଡ଼ ପାଇ ନ ଥିଲେ ଶିଶୁ ସହିତ ମୁଁ ନିଶ୍ଚୟ ବୁଡ଼ି ମରିଥାନ୍ତି । ଗୋଟିଏ ହାତରେ ଶିଶୁକୁ ଓ ଅନ୍ୟ ହାତରେ କାଠଗଡ଼ଟି ଧରି ଭାସିଆସି ମୁଁ କୂଳରେ ଲାଗିଲି; କିନ୍ତୁ ମୋର ଭାଗ୍ୟ ମନ୍ଦ । ଏ କୂଳରେ ଲାଗୁ ଲାଗୁ ଗୋଟାଏ କଳା ସାପ ପାଣିରେ ଭାସି ଆସି ମୋ ଦେହରେ ଗୁଡ଼େଇହୋଇ ମୋତେ କାମୁଡ଼ିଦେଲା । ତାର ବିଷଜ୍ୱାଳାରେ ମୋର ସର୍ବାଙ୍ଗ ବର୍ତ୍ତମାନ ଜଳୁଅଛି । ମୋର ଆଉ ବଞ୍ଚିବାର ଆଶା ନାହିଁ । ମୁଁ ନଈମଧ୍ୟରେ କେତେ ଦୂର ଭାସି ଆସିଅଛି, ଜାଣେ ନାହିଁ । ମୋର ମୃତ୍ୟୁପରେ ଏ ଶିଶୁର ଅବସ୍ଥା କଣ ହେବ, ଏ ବଣର ଦେବତା ହିଁ ଜାଣନ୍ତି ।”

 

ଏ କଥା କହୁ କହୁ ସ୍ତ୍ରୀ ଲୋକଟି ଅଚେତ ହୋଇପଡ଼ିଲା । ଋଷିକୁମାର ସର୍ପ ବିଷର କେତେକ ପ୍ରତିକାର ଜାଣିଥିଲେ । କିନ୍ତୁ ସେ ଚିକିତ୍ସାର ବ୍ୟବସ୍ଥା କରୁ କରୁ ବୃଦ୍ଧାର ପ୍ରାଣବାୟୁ ଉଡ଼ିଗଲା ।

 

ମୃତ ଦେହର ସତ୍କାର କରିସାରି ଋଷିକୁମାର ଶିଶୁକୁ ଧରି ଫେରିଲେ । ସେ ରାଜହଂସଙ୍କ କୁଟୀରରେ ଉପସ୍ଥିତ ହୋଇ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ । ରାଜହଂସ ଶିଶୁଟିକୁ ଗ୍ରହଣ କରି ସତ୍ୟବର୍ମାଙ୍କ ଭ୍ରାତା ସୁମତିଙ୍କ ହସ୍ତରେ ଅର୍ପଣ କଲେ । ଶିଶୁର ନାମ ରଖାଗଲା ‘ସୋମଦତ୍ତ’ ।

Image

 

ସାତ

ଦଶକୁମାରଙ୍କ ବାଲ୍ୟଶିକ୍ଷା ଓ ଦେଶାନ୍ତର ଯାତ୍ରା

 

ଏହି ଭାବରେ ଦୈବବଶତଃ ସମ୍ମିଳିତ ବାଳକମାନଙ୍କ ସହିତ ରାଜବାହନ ପ୍ରକୃତିର ଲୀଳାମୟ କ୍ରୋଡ଼ରେ କ୍ରୀଡ଼ା କରିବାକୁ ଲାଗିଲେ । ପାହାଡ଼ର ଶୃଙ୍ଗ ଆରୋହଣ କରିବା, ଅରଣ୍ୟରୁ ସିଂହଶାବକ ଧରି ଆଣିବା, ସନ୍ତରଣଦ୍ୱାରା ଖରସ୍ରୋତା ନଦୀ ଲଙ୍ଘନ କରିବା, ଅତ୍ୟୁଚ୍ଚ ପ୍ରପାତର ଗତିରୋଧ କରିବା ପାଇଁ ଚେଷ୍ଟା କରିବା ସେମାନଙ୍କର ଆମୋଦପ୍ରମୋଦରେ ପରିଣତ ହେଲା । ପରେ ଯଥାବିଧି ସେମାନଙ୍କର ଚୂଡ଼ାକରଣ ଓ ଉପନୟନାଦି ସଂସ୍କାରକର୍ମ ସମ୍ପନ୍ନ କରାଗଲା ।

 

ବୟୋବୃଦ୍ଧି ସଙ୍ଗେ ସଙ୍ଗେ ରାଜହଂସ ଦଶକୁମାରଙ୍କୁ ଏକତ୍ର ଶିକ୍ଷା ଦେବାକୁ ଲାଗିଲେ । ଉପଯୁକ୍ତ ଶିକ୍ଷକମାନଙ୍କଠାରୁ ସେମାନେ ନାନାଦେଶୀୟ ନିରୁକ୍ତ, ବ୍ୟାକରଣ, ଛନ୍ଦ, ଜ୍ୟୋତିଷ ପ୍ରଭୃତି ଷଡ଼୍‍ବେଦାଙ୍ଗ, ଚାରି ବେଦ, କାବ୍ୟ, ନାଟକ, ଆଖ୍ୟାନ, ଇତିହାସ, ପୁରାଣ, ସ୍ମୃତି, ଶାକୁନ (ପକ୍ଷୀମାନଙ୍କର ରବଜ୍ଞାନ), ନ୍ୟାୟ ଓ ମୀମାଂସା ଆଦି ସକଳ ଶାସ୍ତ୍ର ଅଧ୍ୟୟନ କଲେ । ଚାଣକ୍ୟ ଓ କାମନ୍ଦକାଦି ପ୍ରଣୀତ ସକଳ ନୀତିଶାସ୍ତ୍ରରେ ସେମାନଙ୍କର ଅଭିଜ୍ଞତା ଜନ୍ମିଲା । ବୀଣା ପ୍ରଭୃତି ବାଦ୍ୟଯନ୍ତ୍ର, ସଙ୍ଗୀତ ଓ ଶିଳ୍ପଶାସ୍ତ୍ରରେ ସେମାନଙ୍କର ନିପୁଣତା ପ୍ରକାଶିତ ହେଲା । ମଣି, ମନ୍ତ୍ର ଓ ଔଷଧାଦି ବିଦ୍ୟାରେ ସେମାନେ ଧୁରନ୍ଧର ହୋଇଉଠିଲେ । ହସ୍ତୀ, ଅଶ୍ୱ ଓ ରଥାରୋହଣ ଏବଂ ନାନାବିଧ ଅସ୍ତ୍ରପ୍ରୟୋଗରେ ପ୍ରତ୍ୟେକେ ଦକ୍ଷତା ଲାଭ କଲେ । ଏପରିକି ଚୌର୍ଯ୍ୟ, ଅକ୍ଷକ୍ରୀଡ଼ା ଇତ୍ୟାଦି ଅଧମ ଶିକ୍ଷାଗୁଡ଼ିକରେ ମଧ୍ୟ ସେମାନଙ୍କଠାରେ ବିଚକ୍ଷଣତା ଦେଖାଗଲା । ଏହିପରି ସର୍ବବିଷୟରେ ଶିକ୍ଷିତ, ଯୌବନକାନ୍ତିରେ ପରିପୂର୍ଣ୍ଣ ଏବଂ କର୍ତ୍ତବ୍ୟକାର୍ଯ୍ୟରେ ଆଳସ୍ୟହୀନ କୁମାରଗଣ ରାଜହଂସ ତଥା ମନ୍ତ୍ରୀମାନଙ୍କ ପ୍ରାଣରେ ଅପୂର୍ବ ଆନନ୍ଦ ଓ ଉତ୍ସାହଧାରା ପ୍ରବାହିତ କରିବାକୁ ଲାଗିଲେ ।

 

କୁମାରମାନେ ସକଳ ଶାସ୍ତ୍ରରେ ଅଗାଧ ପ୍ରବେଶ ଲାଭ କରିଥିବା ଦେଖି ରାଜା, ରାଣୀ ଓ ମନ୍ତ୍ରୀମାନଙ୍କ ବିଶ୍ୱାସ ଜାତ ହେଲା ଯେ ଏମାନେ ଦିନେ ତାଙ୍କର ଅପହୃତ ରାଜ୍ୟର ପୁନରୁଦ୍ଧାର କରି ମାନବଜାତିର ହିତ ସାଧନ କରିବେ । ତେଣୁ ବାମଦେବ ଋଷିଙ୍କର ଉପଦେଶକ୍ରମେ ସାଂସାରିକ ସକଳ ବିଷୟରେ ପ୍ରତ୍ୟକ୍ଷ ଜ୍ଞାନ ଲାଭ କରିବାକୁ ଦେଶଦେଶାନ୍ତର ଭ୍ରମଣ କରିବା ପାଇଁ ସେମାନଙ୍କୁ ଉପଦେଶ ଦିଆଗଲା । ଶୁଭ ଦିବସରେ ରାଜବାହନ ଓ ସହାଧ୍ୟାୟୀଗଣ ଗୁରୁବର୍ଗଙ୍କର ଚରଣ ବନ୍ଦନା କରି ଯାତ୍ରାରମ୍ଭ କଲେ ।

 

ଯାତ୍ରାର ପ୍ରଥମ ଦିବସ ସେମାନେ ବିନ୍ଧ୍ୟାଚଳର ଭୀମକାନ୍ତ ଦୃଶ୍ୟପୂର୍ଣ୍ଣ ଅରଣ୍ୟମାର୍ଗରେ ଭ୍ରମଣ କରି ସାୟାହ୍ନରେ ଏକ ଉପତ୍ୟକା ଭୂମିରେ ପ୍ରବେଶ କଲେ । ଏହିଠାରେ ରାତ୍ରିଯାପନ କରିବା ନିମିତ୍ତ ବନ୍ଧୁମାନେ ଇଚ୍ଛା ପ୍ରକାଶ କରିବାରୁ ରାଜବାହନ ସମ୍ମତ ହୋଇ ଆଦେଶ ପ୍ରଦାନ କଲେ ।

Image

 

ଆଠ

ମାତଙ୍ଗ ଓ ରାଜବାହନ

 

ରାଜବାହନ ଗୋଟିଏ ବୃକ୍ଷମୂଳରେ ବିଶ୍ରାମ କଲେ । ଅନ୍ୟ ବନ୍ଧୁବର୍ଗ କିଛିଦୂରରେ ଆଶ୍ରୟ ନିର୍ମାଣ ତଥା ପାନାହାର ଆୟୋଜନରେ ଲାଗିଲେ । ଏହି ସମୟରେ ହଠାତ୍ ଗୋଟାଏ ଭୀଷଣାକୃତି ମାନବ ରାଜବାହନଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ତାହାଙ୍କୁ ନମସ୍କାର କଲା । ତା’ର ବେଶଭୂଷା ମଧ୍ୟରେ ଖଣ୍ଡିଏ ମାତ୍ର କୌପୀନ, ହସ୍ତରେ କୁଠାର, ସ୍କନ୍ଧରେ ଉପବୀତ ଓ ଦେହରେ ଶସ୍ତ୍ରଘାତର କ୍ଷତଚିହ୍ନ । ଉପବୀତଧାରୀ ବ୍ରାହ୍ମଣ ତାହାଙ୍କୁ ନମସ୍କାର କରିବା ଦେଖି ରାଜବାହନ ବିସ୍ମିତ ହୋଇ ତାହାଙ୍କର ପରିଚୟ ଜିଜ୍ଞାସା କଲେ ।

 

ଆଗନ୍ତୁକ କହିଲା, “ଯୁବରାଜ, ଏ ଅରଣ୍ୟରେ ନିମ୍ନଶ୍ରେଣୀର କେତେକ ବ୍ରାହ୍ମଣ ବାସ କରନ୍ତି । ସେମାନେ ବହୁକାଳାବଧି ନିଜର ପବିତ୍ର ଷଟ୍‍କର୍ମ ତ୍ୟାଗ କରି ପାର୍ବତ୍ୟ ଅନାର୍ଯ୍ୟମାନଙ୍କ ସହ ସହର ଉପକଣ୍ଠସ୍ଥ ଗ୍ରାମମାନ ଲୁଣ୍ଠନ କରି ଜୀବିକାନିର୍ବାହ କରନ୍ତି । ସେହି ବଂଶରେ ମୋର ଜନ୍ମ । ମୋର ନାମ ମାତଙ୍ଗ ।

 

ଥରେ ଆମ୍ଭେମାନେ ଦଳବଦ୍ଧ ହୋଇ ଗୋଟାଏ ଗ୍ରାମ ଲୁଣ୍ଠନ କଲୁ । ଧନସମ୍ପତ୍ତି ସହ ଗ୍ରାମବାସୀଙ୍କୁ ବନ୍ଦୀ କରି ଫେରିଲାବେଳେ କେତେଜଣ ଅନାର୍ଯ୍ୟ ଜଣେ ବ୍ରାହ୍ମଣ ପଥିକକୁ ଆକ୍ରମଣ କରି ତା’ରି ସର୍ବସ୍ୱ ଅପହରଣ କରୁଥିବା ମୁଁ ଦେଖିଲି । ବ୍ରାହ୍ମଣ ଉପରେ ଏ ଅତ୍ୟାଚାର ଦେଖି ମୋର ଭୀଷଣ କ୍ରୋଧ ଜାତ ହେଲା । ତେଣୁ ମୁଁ ଏକାକୀ ଅନାର୍ଯ୍ୟମାନଙ୍କ ବିରୁଦ୍ଧରେ ଉଠି ବ୍ରାହ୍ମଣକୁ ରକ୍ଷା କରିବାକୁ ଚେଷ୍ଟା କଲି । କିନ୍ତୁ ଏପରି ଦୁଃସାହସିକ କାର୍ଯ୍ୟର ପ୍ରତିଫଳ ମୋତେ ସଙ୍ଗେ ସଙ୍ଗେ ଭୋଗ କରିବାକୁ ହେଲା । ଅନାର୍ଯ୍ୟମାନଙ୍କ ପ୍ରତିଆକ୍ରମଣରେ ମୁଁ ଆହତ ହୋଇ ଭୂପତିତ ହେଲି । କିଛି ସମୟ ପରେ ଆମ ଦଳର ଅନ୍ୟମାନେ ଏକଥା ଜାଣିପାରି ଅନାର୍ଯ୍ୟମାନଙ୍କୁ ଆକ୍ରମଣ କଲେ । ଏହାର ଫଳ କଅଣ ହେଲା ମୁଁ ଜାଣେ ନାହିଁ । କାରଣ ଅତିରିକ୍ତ ରକ୍ତସ୍ରାବଫଳରେ ମୁଁ ସେତେବେଳକୁ ଚେତନାଶୂନ୍ୟ ହୋଇପଡ଼ିଥିଲି ।

 

ଅଚୈତନ୍ୟ ଅବସ୍ଥାରେ ମୋତେ ଜଣାଗଲା ଯେପରି କି ମୁଁ ଯମଲୋକରେ ପ୍ରବେଶଲାଭ କରିଅଛି । ଗୋଟାଏ ଯମଦୂତ ମୋତେ ଯମଙ୍କ ସମ୍ମୁଖକୁ ନେଇଗଲା । ଯମ ମୋର ପାପପୁଣ୍ୟର ବିଚାର କରି ଦୂତକୁ ଉଦ୍ଦେଶ୍ୟ କରି କହିଲେ–“ଏ ଲୋକଟା ସଂସାରରେ ବହୁତ ପାପ କରିଅଛି । କିନ୍ତୁ ଠିକ୍ ମୃତ୍ୟୁ ପୂର୍ବରୁ ଏ ଯେଉଁ ନିସ୍ୱାର୍ଥପର ପୁଣ୍ୟ କାର୍ଯ୍ୟ କରିଛି, ତାରି ଫଳରେ ତାର ସମସ୍ତ ପାପ କ୍ଷୟ ହୋଇଯାଇଅଛି । ଆଉ ମଧ୍ୟ ଆଜି ସେ ଯେ ମୃତ ହୋଇଛି ଏହା ତାର ପ୍ରକୃତ ମରଣ ନୁହେ–ଅପମୃତ୍ୟୁ । ଥରେ ତାକୁ ସମସ୍ତ ନରକପୁରୀ ବୁଲାଇ ସଂସାର କ୍ଷେତ୍ରରେ ତା ନିଜ ମର ଦେହଭିତରେ ପୁଣି ଛାଡ଼ିଦେଇ ଆସ । ପୁନର୍ଜ୍ଜୀବିତ ହେବା ପରେ ଏ ଘଟଣାଗୁଡ଼ିକ ତାର ସ୍ମରଣ ରହିବ ଏବଂ ପ୍ରକୃତ ମରଣ ପର୍ଯ୍ୟନ୍ତ ସେ ଆଉ ପାପକାର୍ଯ୍ୟ କରିପାରିବ ନାହିଁ ।”

 

ଚିତ୍ରଗୁପ୍ତ ସଙ୍ଗେ ସଙ୍ଗେ ଯମଙ୍କ ଆଦେଶ ପାଳନ କଲେ । ହାୟ ! ନରକର ସେ ଭୀଷଣ ବୀଭତ୍ସ ଦୃଶ୍ୟଗୁଡ଼ିକ ସ୍ମରଣ କଲେ ଏବେ ସୁଦ୍ଧା ମୋର ହୃତ୍‍କମ୍ପ ଜାତ ହେଉଅଛି । କେଉଁଠାରେ ବାୟୁମଣ୍ଡଳ ଜ୍ୱଳନ୍ତ ଅଗ୍ନିଠାରୁ ବଳି ଉତ୍ତପ୍ତ, କେଉଁଠାରେ ତୁଷାରରାଶିଠାରୁ ଶୀତଳ । ଏକ ସ୍ଥାନରେ ଅସୂଚୀଭେଦ୍ୟ ଅନ୍ଧକାର ଓ ତୀବ୍ର ବିଷାକ୍ତ ଧୂମପୂର୍ଣ୍ଣ–ଅନ୍ୟ ସ୍ଥାନରେ ପୂତିଗନ୍ଧମୟ ବାୟୁ ଓ ପ୍ରଖର ଆଲୋକରେ ଶ୍ୱାସପ୍ରଶ୍ୱାସ ଗ୍ରହଣ କରିବା ଏବଂ ଚକ୍ଷୁ ଉନ୍ମୀଳନ କରିବା ଶକ୍ତି ଲୋପ ପାଉଅଛି । ଏହି ସ୍ଥାନମାନଙ୍କରେ ଯମଦୂତମାନେ ପାପୀମାନଙ୍କୁ ଆବଦ୍ଧ କରି ନିର୍ମ୍ମମ ପ୍ରହାର କରୁଅଛନ୍ତି । ଏକସ୍ଥାନରେ ତପ୍ତ ତୈଳଭାଣ୍ଡ ମଧ୍ୟରେ ସେମାନଙ୍କୁ ନିକ୍ଷେପ କରାଯାଉଥାଏ ଏବଂ ଅପର ସ୍ଥାନରେ ବିଷଧର ସର୍ପମାନଙ୍କ ଦଂଶନରେ ପାପିଗଣ ଆର୍ତ୍ତନାଦ କରିଉଠୁଥାନ୍ତି ।

 

ଏହିପରି ଅସଂଖ୍ୟ କଳ୍ପନାତୀତ ଦୃଶ୍ୟ ଦେଖୁ ଦେଖୁ ହଠାତ୍ କେତେବେଳେ ମୋର ଚେତନା ଆସିଗଲା । ମୁଁ ଉଠିବସି ଦେଖିଲି, ଯେଉଁ ବ୍ରାହ୍ମଣଙ୍କୁ ମୁଁ ଦସ୍ୟୁମାନଙ୍କ ହସ୍ତରୁ ରକ୍ଷା କରିବାକୁ ଚେଷ୍ଟା କରିଥିଲି, ସେ ମୋର ଶୁଶ୍ରୂଷା କରୁଅଛନ୍ତି ।

 

ଏହି କୃତଜ୍ଞ ବ୍ରାହ୍ମଣଙ୍କ ସେବାଫଳରେ ମୁଁ ଅତିଶୀଘ୍ର ସବଳ ହୋଇଉଠିଲି । କେବଳ ସେତିକି ନୁହେଁ, ତାଙ୍କ ସହ ବାସ କରିବା ଯୋଗୁଁ ମୋର ନୈତିକ ଜୀବନରେ ମଧ୍ୟ ବହୁତ ପରିବର୍ତ୍ତନ ଘଟିଗଲା । ଖୁବ୍ ଅଳ୍ପ ସମୟ ମଧ୍ୟରେ ମୁଁ ତାଙ୍କଠାରୁ ମାନବଜୀବନର ଲକ୍ଷ୍ୟ ଓ ମୁକ୍ତି ସମ୍ବନ୍ଧେ ବହୁତ କଥା ଶିକ୍ଷା କରି ପାରିଲି । କିନ୍ତୁ କିଛିଦିନ ପରେ ଏ ବ୍ରାହ୍ମଣ ତପସ୍ୟାସାଧନ ଉଦ୍ଦେଶ୍ୟରେ ହିମାଳୟ ପ୍ରଦେଶକୁ ଯାତ୍ରା କଲେ । ବର୍ତ୍ତମାନ ମୁଁ ମଧ୍ୟ ପାରିବାରିକ ସକଳ ବନ୍ଧନ ଛିନ୍ନକରି ଈଶ୍ୱର ଆରାଧନାରେ ଜୀବନ ଅତିବାହିତ କରିବା ପାଇଁ ଠିକ୍ କରିଅଛି ।

 

ଏ ସମସ୍ତ କଥା କହିସାରିବା ପରେ ମଧ୍ୟ ମୁଁ ଆଜି ଆପଣଙ୍କ ନିକଟକୁ କାହିଁକି ଆସିଅଛି ତାହା କହିନାହିଁ । ଗତ ରାତ୍ରିରେ ମୁଁ ଗୋଟିଏ ଅତି ଆଶ୍ଚର୍ଯ୍ୟଜନକ ସ୍ୱପ୍ନ ଦେଖିଲି । ସ୍ୱପ୍ନରେ ଦେବଦେବ ମହାଦେବ ମୋତେ ଆଦେଶ କଲେ, “ମାତଙ୍ଗ, ତୁମେ ଦଣ୍ଡକାରଣ୍ୟକୁ ଯାତ୍ରାକର । ତାହାର ଉତ୍ତର-ପଶ୍ଚିମ ସୀମାରେ ଗୋଟିଏ ସ୍ୱଚ୍ଛନୀରା ନଦୀ ପ୍ରବାହିତ । ଏହି ନଦୀର ତୀରଦେଶରେ ଗୋଟିଏ ସ୍ଫଟିକମୟ ଶିବଲିଙ୍ଗ ବିରାଜିତ । ସିଦ୍ଧସାଧକଗଣ ପ୍ରତିଦିନ ଏହି ଲିଙ୍ଗଙ୍କର ପୂଜାରାଧନା କରନ୍ତି । ସେହି ଶିବଲିଙ୍ଗର ପଶ୍ଚାଦ୍ଭାଗରେ ପାର୍ବତୀଙ୍କର ପଦଚିହ୍ନଶୋଭିତ ଖଣ୍ଡିଏ ପ୍ରସ୍ତର ନିକଟରେ ବ୍ରହ୍ମାଙ୍କର ମୁଖବିବର ତୁଲ୍ୟ ଏକ ବୃହତ୍ ଗର୍ତ୍ତ ଅଛି । ଏ ଗହ୍ୱର ନିକଟରେ ଗୋଟିଏ ପ୍ରସ୍ତରଫଳକ ପଡ଼ିରହିଛି । ଯଦି କେହି ବୀରପୁରୁଷ ଏ ପ୍ରସ୍ତର ଖଣ୍ଡକ ଉତ୍ତୋଳନ କରିପାରେ, ତେବେ ନିମ୍ନଭାଗରେ ଏକ ତାମ୍ର ଫଳକ ଦେଖାଯିବ । ଗହ୍ୱର ମଧ୍ୟ ଦେଇ ପାତାଳପୁରରେ କିପରି ପ୍ରବେଶ କରିବାକୁ ହେବ, ତତ୍ସମ୍ୱନ୍ଧେ କେତେକ ଉପଦେଶ ଏ ଫଳକ ଉପରେ ଅଙ୍କିତ ଅଛି । ଯେଉଁ କ୍ଷତ୍ରିୟ ଯୁବକ ପ୍ରସ୍ତର ଫଳକଟି ଉତ୍ତୋଳନ କରି ପାରିବାର ସମ୍ଭାବନା ଅଛି, ସେ ଆସନ୍ତା କାଲି ଏ ଅରଣ୍ୟ ମଧ୍ୟରେ ପ୍ରବେଶ କରିବେ । ତାହାଙ୍କ ସାହାଯ୍ୟରେ ତୁମେ ଏ ଅସାଧ୍ୟ ସାଧନ କରି ପାରିବ ।”

 

ଦେବଦେବଙ୍କର ଏହି ଆଦେଶ ପାଳନ କରିବା ପାଇଁ ମୁଁ ଆଜି କୃତସଙ୍କଳ୍ପ । ଭାଗ୍ୟବଶତଃ ଆପଣଙ୍କର ସାକ୍ଷାତ ପାଇଅଛି । ଆପଣ ନିଶ୍ଚୟ ସେହି କ୍ଷତ୍ରିୟ ଯୁବକ । ତେଣୁ ଆପଣ ମୋତେ ଏ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ସବିନୟ ଅନୁରୋଧ କରେ ।

 

ଏପରି ଏକ ବିସ୍ମୟକର ବ୍ୟାପାରରେ ନିଜର ଅସୀମ ସାହସର ପରିଚୟ ଦେବା ପାଇଁ ରାଜବାହନ ଆନନ୍ଦରେ ସ୍ଵୀକୃତ ହେଲେ । ତେଣୁ ଅର୍ଦ୍ଧରାତ୍ର ସମୟରେ ଉଭୟେ ଦଣ୍ଡକାରଣ୍ୟ ଅଭିମୁଖରେ ଯାତ୍ରା କରିବା କଥା ଠିକ୍ ହେଲା । ମାତଙ୍ଗ ସେଠାରୁ ବିଦାୟ ନେଲେ ।

 

ପଥଶ୍ରାନ୍ତି ଯୋଗୁ ରାତ୍ରିଭୋଜନ ପରେ ମନ୍ତ୍ରିପୁତ୍ରଗଣ ସୁଷୁପ୍ତିର କୋମଳ କ୍ରୋଡ଼ରେ ଚେତନାଶୂନ୍ୟ ହୋଇପଡ଼ିଲେ । କେବଳ ରାଜକୁମାର ଶଯ୍ୟା ଗ୍ରହଣ କରି ମଧ୍ୟ ଜାଗ୍ରତ । ଠିକ୍ ଅର୍ଦ୍ଧରାତ୍ର ସମୟରେ ସେ ବନ୍ଧୁମାନଙ୍କ ଅଜ୍ଞାତସାରରେ ଶଯ୍ୟା ତ୍ୟାଗ କରି ମାତଙ୍ଗ ସହ ମିଳିତ ହେଲେ ।

 

ମନ୍ତ୍ରିପୁତ୍ରଗଣ ପ୍ରଭାତରେ ଶଯ୍ୟାତ୍ୟାଗ କରି ଦେଖନ୍ତି ତ ରାଜକୁମାର ସେମାନଙ୍କ ସଙ୍ଗରେ ନାହାନ୍ତି । ସମସ୍ତଙ୍କ ମନ ଆଶଙ୍କା ଓ ଉଦ୍ବେଗରେ ଆନ୍ଦୋଳିତ ହେଲା । ଦିନସାରା ନିକଟବର୍ତ୍ତୀ ଅଞ୍ଚଳମାନଙ୍କରେ ଅନୁସନ୍ଧାନ କରାଗଲା । କିନ୍ତୁ କୌଣସିଠାରେ ତାଙ୍କର କୌଣସି ପ୍ରକାର ଚିହ୍ନ ସୁଦ୍ଧା ଦେଖାଗଲାନାହିଁ ।

Image

 

ନଅ

ପାତାଳ ବିଜୟ

 

ହିଂସ୍ର ଜନ୍ତୁପୂର୍ଣ୍ଣ ଅରଣ୍ୟାନୀ, କଣ୍ଟକାକୀର୍ଣ୍ଣ ବନ୍ଧୁର ପଥ, ଅସୂଚୀଭେଦ୍ୟ ଅନ୍ଧକାର–ଏ ସବୁକୁ ଅଗ୍ରାହ୍ୟ କରି ରାଜବାହନ ମାତଙ୍ଗର ଅନୁସରଣ କରିବାକୁ ଲାଗିଲେ । ସମସ୍ତ ରାତ୍ରି ପଥ ମଧ୍ୟରେ କଟିଗଲା । ଠିକ୍ ସୂର୍ଯ୍ୟୋଦୟ ପୂର୍ବରୁ ସେମାନେ ଗୋଟିଏ ସ୍ୱଚ୍ଛନୀରା ନିର୍ଝରିଣୀ ନିକଟରେ ଉପସ୍ଥିତ ହେଲେ । ନିର୍ଝରର ଝଙ୍କାର, ବନବିହଙ୍ଗାବଳୀର କାକଳି ସଙ୍ଗେ ମିଶି ବନ୍ଧୁଦ୍ୱୟଙ୍କ କର୍ଣ୍ଣରେ ଅମୃତଧାରା ବର୍ଷଣ କଲାପରି ବୋଧ ହେଲା । ଶୀତଳ ପ୍ରଭାତ ସମୀର ସଂସ୍ପର୍ଶରେ ଉଭୟେ ସତେଜ ବୋଧ କଲେ । ଅରୁଣ ରାଗରଞ୍ଜିତ ବନାନୀ ସେମାନଙ୍କ ହୃଦୟରେ ଅଭିନବ ଉତ୍ସାହ ଆନୟନ କରିବା ସଙ୍ଗେ ସଙ୍ଗେ ପଥଶ୍ରାନ୍ତିକୁ ଲଘୁ କରିଦେଲା ।

 

ଏହିଠାରୁ ମାତଙ୍ଗ ଝରଣାର ତୀରେ ତୀରେ ଅଗ୍ରସର ହୋଇ ଏକ ସ୍ଫଟିକ ଲିଙ୍ଗ ନିକଟରେ ଉପସ୍ଥିତ ହେଲେ । ଶିବଲିଙ୍ଗର ପଶ୍ଚାଦ୍‍ଭାଗରେ ପାର୍ବତୀଙ୍କର ପଦଚିହ୍ନଶୋଭିତ ଖଣ୍ଡିଏ ପ୍ରସ୍ତର । ତାହାର ଅପର ପାର୍ଶ୍ଵରେ ଏକ ସୁବୃହତ୍ ପ୍ରସ୍ତରଫଳକ ଦେଖାଗଲା ।

 

ମାତଙ୍ଗଙ୍କର ନିର୍ଦ୍ଦେଶକ୍ରମେ ରାଜବାହନ ପ୍ରଥମ ପ୍ରଚେଷ୍ଟାରେ ହିଁ ପ୍ରସ୍ତରଫଳକ ଖଣ୍ଡିକୁ ସ୍ଥାନଚ୍ୟୁତ କରିଦେଲେ ଏବଂ ତତ୍‍କ୍ଷଣାତ୍ ତନ୍ମଧ୍ୟସ୍ଥ ତାମ୍ରଫଳକ ସୂର୍ଯ୍ୟକିରଣରେ ଉଦ୍ଭାସିତ ହୋଇଉଠିଲା ।

 

ମାତଙ୍ଗ ତାମ୍ର ଫଳକରେ ଖୋଦିତ ଲିପି ପଢ଼ି ଦେଖିଲେ ବାସ୍ତବରେ ପାତାଳପଥ ସମ୍ବନ୍ଧେ ସେଥିରେ ଏକ ବିସ୍ତୃତ ବିବରଣୀ ଲିପିବଦ୍ଧ ହୋଇଅଛି । ତାର ମର୍ମ ହେଉଚି–ପାତାଳପଥ କଳ୍ପନାତୀତ ଭାବେ ବିପଦସଙ୍କୁଳ । ଏ ପଥଦେଇ ପାତାଳପୁରରେ ପ୍ରବେଶ କରିବା ପାଇଁ ଅମିତ ସାହସ ଓ ଧେର୍ଯ୍ୟ ଆବଶ୍ୟକ । ସାଧାରଣ ମାନବ ଏ ପଥ ଅତିକ୍ରମ କରି ପାରିବ ନାହିଁ ।

 

ଲିପିପାଠ ପରେ ବନ୍ଧୁଦ୍ୱୟ ପାତାଳ ବିବରମୁଖରେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଲେ । ଭୀତି ବା ଆଶଙ୍କାର କାଳିମା କାହାରି ହୃଦୟକୁ ସ୍ପର୍ଶ କଲା ନାହିଁ । ପ୍ରଫୁଲ୍ଲ ବଦନରେ ଉଭୟେ ଗହ୍ୱର ମୁଖମଧ୍ୟକୁ ଲମ୍ଫ ପ୍ରଦାନ କଲେ ।

 

ଅସୂଚୀଭେଦ୍ୟ ଅନ୍ଧକାର ମଧ୍ୟରେ ହଠାତ୍ କେଉଁଠାରୁ ଶତ ମୃତ୍ୟୁ ଯନ୍ତ୍ରଣାର ବିକଟ ଚିତ୍କାର ସେମାନଙ୍କର କର୍ଣ୍ଣ କୁହରକୁ ସ୍ତବ୍ଧ କରିଦେଲା–ଯେପରିକି ନରକର ଲକ୍ଷ ଲକ୍ଷ ଅର୍ଦ୍ଧଦଗ୍ଧ ଶରୀରର ବିକଳ କ୍ରନ୍ଦନ ଅଖଣ୍ଡ ଧାରାରେ ବହିଆସୁଅଛି । ମାତଙ୍ଗଙ୍କ ମାନସପଟରେ ପୂର୍ବଦୃଷ୍ଟ ନରକର ନିର୍ମ୍ମମ ଦୃଶ୍ୟ ସକଳ ନାଚିଗଲା । ସେ ସ୍ତମ୍ଭୀଭୂତ ହୋଇ ରାଜବାହନଙ୍କୁ ଆକର୍ଷି ଧରି ରହିଲେ । ଏଣେ ବହୁକାଳାବଧି ସୁଖସୁପ୍ତ ଶତ ଶତ ବାଦୁଡ଼ି ମନୁଷ୍ୟ ପଦଶବ୍ଦରେ ବିଚଳିତ ହୋଇପଡ଼ି ଚିତ୍କାର ସହ ଭୀଷଣ ବେଗରେ ଉଡ଼ିବାକୁ ଲାଗିଲେ ଏବଂ ଶତ୍ରୁମୁଖରେ ଦୀର୍ଘ ପକ୍ଷ ପ୍ରହାର କରି ସେମାନଙ୍କୁ ଅସ୍ଥିର କରିପକାଇଲେ । ସେ ଚିତ୍କାର–ସେ ପ୍ରହାର ଏବଂ ସେ ଶ୍ୱାସରୋଧୀ ଦୁର୍ଗନ୍ଧ ସହ୍ୟ କରି ସେଠାରେ ଅବସ୍ଥାନ କରିବା ସାଧାରଣ ମନୁଷ୍ୟ ପକ୍ଷେ ଅସମ୍ଭବ ।

 

ତଥାପି ଦୁଇ ବନ୍ଧୁ ଅଗ୍ରସର ହେଲେ–କିନ୍ତୁ ବେଶି ସମୟ ପାଇଁ ନୁହେଁ । ହଠାତ୍ ସେମାନଙ୍କ ସମ୍ମୁଖରେ ତୀବ୍ର ଧୂମୋଦ୍‍ଗାରୀ କରାଳ ଅଗ୍ନିଶିଖା ହୁ ହୁ ପ୍ରଜ୍ୱଳିତ ହେଲା ଏବଂ ନିବିଡ଼ ଧୂମରାଶି ତଥା ପ୍ରଖର ଅଗ୍ନିତେଜରେ ବନ୍ଧୁଦ୍ୱୟଙ୍କର ଚକ୍ଷୁ ସ୍ୱତଃ ମୁଦ୍ରିତ ହୋଇପଡ଼ିଲା । ମାତଙ୍ଗ ଆଉ ସହ୍ୟ କରି ପାରିଲେ ନାହିଁ । କିଂକର୍ତ୍ତବ୍ୟବିମୂଢ଼ ହୋଇ ଅଗ୍ନିଶିଖା ମଧ୍ୟରେ ନିଜର ଦେହ ବିସର୍ଜନ କରିବାକୁ ସେ ଉଦ୍ୟତ ହେଲେ । କିନ୍ତୁ ହଠାତ୍ ପୁଣି ଏକ ଅପୂର୍ବ ପରିବର୍ତ୍ତନ ଘଟିଲା । ନିକଟରେ କେଉଁଠାରୁ ଏକ ତୁଷାର-ଶୀତଳ ଝରଣା ଫୁଟିଉଠିଲା ।

 

ଏ ଘଟନାରେ ରାଜବାହନଙ୍କୁ ଏକ ବୁଦ୍ଧି ଦେଖାଗଲା । ସେ ଶୀତଳ ଜଳରେ ଅବଗାହନ କରି ସିକ୍ତ ଦେହରେ ଅଗ୍ନିଶିଖା ମଧ୍ୟ ଦେଇ ଅପର ପାର୍ଶ୍ୱକୁ ଚାଲିଗଲେ ଏବଂ ସେହି ଉପାୟ ଅବଲମ୍ବନ କରିବା ପାଇଁ ମାତଙ୍ଗଙ୍କୁ ଉପଦେଶ ଦେଲେ।

 

ପୁଣି କିଛିଦୂର ଅଗ୍ରସର ହେବାପରେ ସେମାନଙ୍କୁ ଭୀଷଣ ଅନ୍ଧକାର ପୂର୍ଣ୍ଣ ପଥମଧ୍ୟରେ ଗତି କରିବାକୁ ପଡ଼ିଲା । ତାହା ଏତେ ନିବିଡ଼ ଯେ ସେମାନେ ଚତୁଷ୍ପଦ ଜୀବ ପରି ହସ୍ତ ଓ ପଦ ସାହାଯ୍ୟରେ ଆସ୍ତେ ଆସ୍ତେ ଅଗ୍ରସର ହେବାକୁ ଲାଗିଲେ । କ୍ରମେ କ୍ରମେ ପଥ ମଧ୍ୟ ଅପ୍ରଶସ୍ତତର ହେଇପଡ଼ିଲା ଏବଂ ଏହିପରି ଭାବରେ ବହୁଦୂର ଯିବା ପରେ ସେମାନେ କ୍ରମନିମ୍ନ ପାବଚ୍ଛଶ୍ରେଣୀ ଦେଇ ନିମ୍ନ ଦେଶକୁ ଅବତରଣ କଲାପରି ବୋଧ କଲେ ।

 

କେତେ ପାବଚ୍ଛ ଯେ ଏହିପରି ଭାବରେ ସେମାନେ ଗତି କଲେ, ତାହା ଅନୁମାନର ବହିର୍ଭୂତ । ଶେଷରେ ଏକ ଅସ୍ପଷ୍ଟ ଆଲୋକରେ ସେମାନେ ପାବଚ୍ଛଗୁଡ଼ିକୁ ଦେଖିବାକୁ ପାଇଲେ । ମାତ୍ର କେତେକ ମୁହୂର୍ତ୍ତପରେ ଏ ଆଲୋକ ଏତେ ତୀବ୍ର ଓ ତେଜୀୟାନ୍ ହେଲା ଯେ ତାହା ଚକ୍ଷୁ-ପକ୍ଷେ ଅସହ୍ୟ ହୋଇପଡ଼ିଲା । ସୁତରାଂ ଉଭୟ ବନ୍ଧୁ ଚକ୍ଷୁ ଉପରେ ଦୁଇ ତିନି ସ୍ତର ବସ୍ତ୍ର ବନ୍ଧନ କରି ଅଗ୍ରସର ହେଲେ । ତଥାପି ଆଲୋକରାଶି ଚକ୍ଷୁ ମଧ୍ୟରେ ସୂଚୀବତ୍ ବିଦ୍ଧ ହେବାକୁ ଲାଗିଲା । ଉଭୟେ ଉପାୟନ୍ତର ନ ଦେଖି ସେଠାରେ କିଛି ସମୟ ଅବନତ ମୁଖରେ ବସି ରହିବାକୁ ବାଧ୍ୟ ହେଲେ ।

 

ଏହିପରି ବହୁ ସମୟାବଧି ଅସଂଖ୍ୟ ବିପଦର ସମ୍ମୁଖୀନ ହୋଇ ବନ୍ଧୁଦ୍ୱୟ ଏକ ବିସ୍ତୃତ ପ୍ରାନ୍ତରରେ ପହଞ୍ଚି ଦେଖିଲେ ମେଘାଚ୍ଛାଦିତ ଦିବସ ପରି ଚତୁର୍ଦ୍ଦିଗ ଅସ୍ପଷ୍ଟ । ନିକଟରେ ଲୋକାଳୟର କୌଣସି ସୂଚନା ନାହିଁ ।

 

ଦୀର୍ଘ ସମୟବ୍ୟାପୀ କ୍ଳାନ୍ତ ପଥ ଅନୁସରଣ କରି ମାତଙ୍ଗ ଓ ଯୁବରାଜ ଶୁଭ୍ର ସୌଧମାଳିନୀ ପାତାଳପୁରୀର ବିସ୍ତୃତ ରାଜପଥରେ ଅବତୀର୍ଣ୍ଣ ହେଲେ । ନଗର ମଧ୍ୟରେ କିଛିଦୂର ଅଗ୍ରସର ହେବା ପରେ ପଥପାର୍ଶ୍ୱସ୍ଥ ଗୋଟାଏ ବାମ୍ଫୀ ମଧ୍ୟରେ ପଦ୍ମଫୁଲଟିଏ ଫୁଟିଥିବା ସେମାନେ ଦେଖି ପାରିଲେ । ତାମ୍ରଫଳକର ନିର୍ଦ୍ଦେଶ ଅନୁସାରେ ଏହିଠାରେ ଏକ ହୋମାନୁଷ୍ଠାନ କରି ଆହୁତି ପ୍ରଦାନ କରିବାକୁ ହେବ । ହୋମ ପାଇଁ ପୂର୍ବରୁ ସକଳ ସାମଗ୍ରୀ ବାମ୍ଫୀ ନିକଟରେ ସଂରକ୍ଷିତ ହୋଇଥିଲା । କିଛି ସମୟ ବିଶ୍ରାମ କରିସାରିବା ପରେ ମାତଙ୍ଗ ସ୍ନାନାହ୍ନିକ କର୍ମ ଶେଷ କରି ହୋମାଗ୍ନି, ପ୍ରଜ୍ୱଳିତ କରିଦେଲେ ଏବଂ ରାଜବାହନ ଉନ୍ମୁକ୍ତ ଖଡ଼୍‍ଗହସ୍ତରେ ହୋମକ୍ରିୟାକୁ ନିର୍ବିଘ୍ନ କରିବା ପାଇଁ ଦଣ୍ଡାୟମାନ ହୋଇ ରହିଲେ ।

 

ହୋମ ଶେଷ ହେଲା । ଅଗ୍ନିଦେବତା ଓ ଇଷ୍ଟଦେବତା ଚରୁ ଗ୍ରହଣ କରି ପରିତୃପ୍ତ ହୋଇଥିବାରୁ ସେମାନଙ୍କ ମଧ୍ୟରେ ବିରାଜିତ ହୋଇ ଉଭୟଙ୍କୁ ବର ପ୍ରଦାନ କଲେ । ଦେବତାମାନଙ୍କର ଅନ୍ତର୍ଦ୍ଧାନ ସଙ୍ଗେ ସଙ୍ଗେ ମାତଙ୍ଗ ନିଃଶଙ୍କ ଚିତ୍ତରେ ହୋମକୁଣ୍ଡ ମଧ୍ୟକୁ ଲମ୍ଫପ୍ରଦାନ କଲେ । ଆଶ୍ଚର୍ଯ୍ୟର କଥା, ମୁହୂର୍ତ୍ତକ ମଧ୍ୟରେ ମାତଙ୍ଗଙ୍କର କଦାକାର ରୂପ ନବଯୌବନର ସୁଷମାରେ ପୂରିଗଲା ଏବଂ ମୁଖମଣ୍ଡଳରୁ ଦେବକାନ୍ତି ଫୁଟିଉଠିଲା ।

 

ଠିକ୍ ଏହି ସମୟରେ ସେମାନେ ଆଉ ଏକ ବିସ୍ମୟୋତ୍ପାଦକ ବ୍ୟାପାରର ସମ୍ମୁଖୀନ ହେଲେ । ହଠାତ୍ କେଉଁଠାରୁ ଜଣେ ଅସାମାନ୍ୟ ରୂପବତୀ ରାଜକୁମାରୀ ସଖୀବୃନ୍ଦ ସମଭିବ୍ୟାହାରରେ ସେମାନଙ୍କର ନିକଟବର୍ତ୍ତୀ ହେବା ଦେଖାଗଲା । ସେମାନଙ୍କର ସୁମଧୁର ଚରଣନୂପୁର ଧ୍ୱନିରେ ଚତୁର୍ଦ୍ଦିଗ ପ୍ରତିଧ୍ୱନିତ ହେଲା ଏବଂ ଦୀର୍ଘକୁନ୍ତଳଶୋଭୀ କୁସୁମସମ୍ଭାର ତଥା ଅଙ୍ଗରାଗର ସୌରଭରେ ବାୟୁମଣ୍ଡଳ ସୁରଭିତ ହୋଇପଡ଼ିଲା ।

 

ରାଜକୁମାରୀ ମାତଙ୍ଗଙ୍କ ପଦବନ୍ଦନା କଲେ ଏବଂ ପଦତଳରେ ଗୋଟିଏ ତେଜୋମୟ ମଣି ସମର୍ପଣ କରି ସକଳ ସରସତାର ଆଧାର ଲଜ୍ଜାବନତ ବଦନମଣ୍ଡଳରେ ସ୍ମିତ ହାସ୍ୟରେଖା ଫୁଟାଇ ଅଦୂରରେ ଦଣ୍ଡାୟମାନ ହେଲେ ।

 

ମାତଙ୍ଗ ଏବଂ ରାଜବାହନ ନିର୍ବୋଧ ଭାବରେ ଠିଆହୋଇ ଏ ସବୁ କେବଳ ଦେଖିଯାଉଥିଲେ । କିଛିକ୍ଷଣ ପରେ ମାତଙ୍ଗ ରାଜକୁମାରୀଙ୍କର ପରିଚୟ ମାଗନ୍ତେ ସେ କହିଲେ–“ଦ୍ୱିଜୋତ୍ତମ, ମୁଁ ପାତାଳପୁରର ରାଜକନ୍ୟା । ମୋର ନାମ କାଳିନ୍ଦୀ । ମୋର ପିତା ସ୍ୱୀୟ ରାକ୍ଷସବଳରେ ବଳୀୟାନ୍ ହୋଇ ସ୍ୱର୍ଗରାଜ୍ୟ ଆକ୍ରମଣ କରିବାରୁ ବିଷ୍ଣୁଚକ୍ର ତାଙ୍କପାଇଁ ଯମାଳୟ-ପଥ ପରିଷ୍କାର କରିଦେଲା । ସେହିଦିନଠାରୁ ମୁଁ ପିତୃହୀନ ହୋଇ ଏ ପାତାଳପୁରରେ ଏକାକିନୀ ବାସ କରୁଅଛି । ଦିନେ ମହର୍ଷି ନାରଦ ମୋ ପ୍ରତି ସଦୟ ହୋଇ ମୋର ଭବିଷ୍ୟତ ଜୀବନ ସମ୍ବନ୍ଧେ କହିଲେ ଯେ କେତେକ ବର୍ଷପରେ ପୃଥିବୀର ଜଣେ ମହାବୀରଙ୍କର ପାତାଳପୁରକୁ ଆଗମନ ହେବ-। ତାଙ୍କ ସହିତ ଜଣେ ମହାତେଜା ବ୍ରାହ୍ମଣ ବୀର ମଧ୍ୟ ଆଗମନ କରିବେ । ଏହି ବ୍ରାହ୍ମଣ ବୀର ଏ ପାତାଳପୁରୀର ପାଳକ ହେବେ । ଏହି ଶୁଭ ମୁହୂର୍ତ୍ତର ଅପେକ୍ଷାରେ ମୁଁ ବହୁବିନିଦ୍ର ରଜନୀ ଯାପନ କରିଅଛି । ବର୍ତ୍ତମାନ ସେ ପରମ ମୁହୂର୍ତ୍ତ ଉପସ୍ଥିତ । ପ୍ରାଣେଶ୍ୱର, ଅଧୀନାକୁ ଶ୍ରୀଚରଣ ତଳେ ଆଶ୍ରୟ ଦେଇ ଏ ଆଜନ୍ମଦୁଃଖିନୀ ବାଳିକାର ଜୀବନ ସାର୍ଥକ କରନ୍ତୁ ଏବଂ ଏ ପାତାଳପୁରର ପରିପାଳନ ଭାର ସ୍ଵହସ୍ତରେ ଗ୍ରହଣ କରି ରାଜ୍ୟରୁ ଅରାଜକତା ଦୂର କରନ୍ତୁ ।”

 

ବନ୍ଧୁ ମାତଙ୍ଗଙ୍କର ବିବାହ ତଥା ଅଭିଷେକ ଉତ୍ସବରେ କିଛି ଦିନ ତନ୍ମୟ ରହିବା ପରେ ରାଜବାହନଙ୍କର ଅନ୍ୟ ବନ୍ଧୁମାନଙ୍କ କଥା ସ୍ମରଣ ହେଲା ଏବଂ ସଙ୍ଗେ ସଙ୍ଗେ ସେ ପୃଥିବୀପୃଷ୍ଠକୁ ଫେରିଯିବା ପାଇଁ ଇଚ୍ଛାପ୍ରକାଶ କଲେ ।

 

ବିଦାୟ ସମୟରେ ମାତଙ୍ଗ କୃତଜ୍ଞତାର ଚିହ୍ନସ୍ୱରୂପ କାଳିନ୍ଦୀଙ୍କଠାରୁ ପାଇଥିବା ମଣିଟି ରାଜବାହନଙ୍କୁ ଉପହାର ଦେଲେ । ଏ ମଣିର ଶକ୍ତି ହେଉଛି ଯେ ଏହାକୁ ଧାରଣ କରିବା ବ୍ୟକ୍ତି କଦାପି କ୍ଷୁଧାତୃଷାର ବ୍ୟଥା ବୋଧ କରିବ ନାହିଁ ।

 

ରାଜବାହନ ଏକାକୀ ପାତାଳପୁରରୁ ଫେରିଲେ । କିନ୍ତୁ ସୁଡ଼ଙ୍ଗ ଦ୍ୱାରରେ ଉପସ୍ଥିତ ହେବା ମାତ୍ରେ ତାଙ୍କର ହୃତ୍‍କମ୍ପ ଜାତ ହେଲା । କାରଣ ଯେଉଁ ପଥ ଦେଇ ସେ ସାହସୀ ମାତଙ୍ଗଙ୍କ ସହ ଆସି ମଧ୍ୟ ଅକଥନୀୟ ଦୁଃଖ ଅନୁଭବ କରିଥିଲେ, ସେ ପଥରେ ବର୍ତ୍ତମାନ ଏକାକୀ ଫେରିବେ କିପରି ? ମାତ୍ର ଆଶ୍ଚର୍ଯ୍ୟର କଥା, ସେ ଅଗ୍ରସର ହୋଇ ଦେଖିଲେ–ସମ୍ମୁଖରେ ଆଉ ସେ ପ୍ରାଚୀର ନାହିଁ–ଗହ୍ୱର ନାହିଁ–ଅନ୍ଧକାର ନାହିଁ ଅଗ୍ନିଶିଖା ନାହିଁ ବା ଝରଣା ନାହିଁ । ସମସ୍ତ ପଥ ଗୋଟିଏ ପ୍ରଶସ୍ତ ଆଲୋକିତ ରାଜପଥରେ ପରିଣତ ହୋଇଯାଇଛି ।

 

ରାଜବାହନ ପୃଥିବୀପୃଷ୍ଠରେ ଅବତୀର୍ଣ୍ଣ ହୋଇ ଯେଉଁଠାରେ ବନ୍ଧୁମାନଙ୍କୁ ତ୍ୟାଗ କରି ଯାଇଥିଲେ ସେହି ସ୍ଥାନ ଉଦ୍ଦେଶ୍ୟରେ ଯାତ୍ରା କଲେ । କିନ୍ତୁ ସେଠାରେ ଆଉ ଅଛି କିଏ ? ନୀରବ ଦ୍ରୁମଲତା–ଅତ୍ୟୁଚ୍ଚ ବିନ୍ଧ୍ୟଶିଖରୀ–କିମ୍ୱା ମୂକ ବଣ୍ୟଜନ୍ତୁଗଣ ବନ୍ଧୁମାନଙ୍କ ସମ୍ବନ୍ଧେ ତାଙ୍କୁ କୌଣସି ସମ୍ବାଦ ଦେଇ ପାରିଲେ ନାହିଁ ।

Image

 

ଦଶ

Unknown

ସୋମଦତ୍ତଙ୍କ ଭ୍ରମଣ ବୃତ୍ତାନ୍ତ

 

ବିନ୍ଧ୍ୟ ପର୍ବତରେ ବନ୍ଧୁମାନଙ୍କର ସାକ୍ଷାତ ନ ପାଇ ରାଜବାହନ ସେମାନଙ୍କର ଅନ୍ୱେଷଣ କରିବାକୁ ଲାଗିଲେ । ସେ ବହୁ ଗ୍ରାମ ଓ ଜନପଦ ଅତିକ୍ରମ କରି କେତେକ ଦିନ ପରେ ଉଜ୍ଜୟିନୀ ନଗରୀର ନିକଟବର୍ତ୍ତୀ ହେଲେ; କିନ୍ତୁ କୌଣସିଠାରେ ସହଚରମାନଙ୍କର କିଛିମାତ୍ର ସମ୍ବାଦ ନ ପାଇବାରୁ ତାହାଙ୍କର ମାନସିକ ଅବସାଦ ଶାରୀରିକ କ୍ଳାନ୍ତିକି ଦ୍ୱିଗୁଣିତ କରି ପକାଇଲା । ସେ ନଗରୀର ଉପକଣ୍ଠସ୍ଥ ଏକ ଉଦ୍ୟାନରେ କିଛି ସମୟ ବିଶ୍ରାମ ନେବାପାଇଁ ତନ୍ମଧ୍ୟରେ ପ୍ରବେଶ କଲେ-। ରାଜବାହନ କିଛି କ୍ଷଣ ଅବସ୍ଥାନ କରିଛନ୍ତି, ଅକସ୍ମାତ୍ ବହୁ ଅନୁଚର ପରିବେଷ୍ଟିତ ଗୋଟିଏ ଶିବିକା ଉଦ୍ୟାନର ପ୍ରବେଶ ଦ୍ୱାରରେ ରହିଲା ଏବଂ ରାଜପରିଚ୍ଛଦ ପରିହିତ ଜଣେ ଯୁବକ ସେଥିମଧ୍ୟରୁ ବାହାରି ତାଙ୍କରି ଆଡ଼କୁ ଧାବମାନ ହେଲେ । ରାଜବାହନଙ୍କ ବିସ୍ମୟ ବିଷ୍ପାରିତ ନେତ୍ର ହଠାତ୍ ଆନନ୍ଦାଶ୍ରୁ ସିକ୍ତ ହୋଇଗଲା । ସେ ଦେଖିଲେ ସମ୍ମୁଖରେ ବନ୍ଧୁ ସୋମଦତ୍ତ–ତାହାଙ୍କର ସର୍ବକନିଷ୍ଠ ସହଚର । ସୋମଦତ୍ତ ଉତ୍‍ଫୁଲ୍ଲପ୍ରାଣରେ ତାଙ୍କ ପାଦତଳେ ନମସ୍କାର କରି ଦଣ୍ଡାୟମାନ ହେବା ମାତ୍ରେ ରାଜବାହନ ତାହାଙ୍କର ରୋମାଞ୍ଚିତ ଶରୀରକୁ ଆଲିଙ୍ଗନ କରି ସକଳ ଖେଦ ଓ ଅବସାଦ ଭୁଲିଗଲେ ।

 

ସୋମଦତ୍ତଙ୍କ ଆଦେଶରେ ଶିବିକା ଉଦ୍ୟାନ ମଧ୍ୟକୁ ଆନୀତ ହେଲା । ସେ ତାହା ମଧ୍ୟରୁ ନିଜ ସହଧର୍ମିଣୀଙ୍କୁ ଆଣି ରାଜବାହନଙ୍କ ସହିତ ପରିଚୟ କରାଇ ଦେଲେ ଏବଂ ସେ ଦୁହେଁ ପରସ୍ପରପ୍ରତି ଯଥାଯୋଗ୍ୟ ସମ୍ମାନ ଜଣାଇବା ପରେ ବନ୍ଧୁଦ୍ୱୟ ଏକ ନାଗେଶ୍ୱର ବୃକ୍ଷଚ୍ଛାୟାରେ ଉପବେଶନ କରି ମଧୁର ଆଳାପରେ ନିମଗ୍ନ ହେଲେ ।

 

ଅନ୍ୟ ସଖାମାନଙ୍କୁ ଛାଡ଼ି ସେ ସେଠାକୁ କିପରି ଆସିଲେ ଏହି ପ୍ରଶ୍ନର ଉତ୍ତରରେ ସୋମଦତ୍ତ କହିଲେ–“ଯୁବରାଜ, ଆପଣ ଆମ୍ଭମାନଙ୍କୁ ତ୍ୟାଗକରି ନିରୁଦ୍ଦିଷ୍ଟ ହୋଇଥିବା ଜାଣିପାରି ପ୍ରତ୍ୟେକ ବନ୍ଧୁ ବିଭିନ୍ନ ଦେଶରେ ଆପଣଙ୍କ ଅନ୍ୱେଷଣରେ ବାହାରିଲୁ । ଏକଥା ଆମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହେଲା ଯେ, ଆମ୍ଭେମାନେ ପ୍ରତ୍ୟେକେ ନିଜ ନିଜର କର୍ତ୍ତବ୍ୟ ଶେଷ କରି କୃତକାର୍ଯ୍ୟ ହେଉ ବା ନ ହେଉ ଉଜ୍ଜୟିନୀ ନଗରୀରେ ଅନ୍ୟମାନଙ୍କ ଅପେକ୍ଷାରେ ରହିବୁ ।

 

ମୁଁ ମୋର ନିର୍ଦ୍ଦିଷ୍ଟ ପଥରେ ବାହାରିଲି । ବହୁଦୂର ଅତିକ୍ରମ କରି ଯିବା ପରେ ସମ୍ମୁଖରେ ଗୋଟିଏ କ୍ଷୁଦ୍ର ନଦୀ ପଡ଼ିଲା । ନଦୀମଧ୍ୟରେ ଜଳପାନ କଲାବେଳେ ନଦୀଶଯ୍ୟରେ ଖଣ୍ଡେ ତେଜୀୟାନ୍ ପ୍ରସ୍ତର ମୋର ଦୃଷ୍ଟି ଆକର୍ଷଣ କଲା । ପ୍ରସ୍ତର ଖଣ୍ଡିକ ଉଠାଇ ଆଣି ଦେଖିଲି, ତାହା ଏକ ମହାର୍ଘ ହୀରକ ।

 

ହୀରକ ସହ କିଛି ଦୂର ଅଗ୍ରସର ହୋଇ ଗୋଟିଏ ପୁରାତନ ଦେବାଳୟ ନିକଟରେ ଉପସ୍ଥିତ ହେଲି । ସେଠାରେ ଜଣେ ବୃଦ୍ଧ ବ୍ରାହ୍ମଣ କେତେକ ଶିଷ୍ୟଙ୍କୁ ଅଧ୍ୟାପନା କରାଉଥିଲେ । ଅନୁସନ୍ଧାନ କରି ବୁଝିଲି ଶିଷ୍ୟବର୍ଗ ନିଃସ୍ୱ ଓ ପିତୃମାତୃହୀନ । ସେମାନେ କେବଳ ଭିକ୍ଷାଦ୍ୱାରା ନିଜର ଓ ଗୁରୁଙ୍କର ଭରଣପୋଷଣର ବ୍ୟବସ୍ଥା କରୁଥିଲେ । ଆଚାର୍ଯ୍ୟ ମହାଶୟ ମୋତେ ଦେଖି ବିଶେଷ ଆଦର କରି ଅତିଥି ଭାବରେ ସତ୍କାର କରିବାକୁ ଲାଗିଲେ ।

 

ଦେବାଳୟଠାରୁ ଅନତିଦୂରରେ କେତେଗୁଡ଼ିଏ ତମ୍ବୁ ପଡ଼ିଥିଲା । ତମ୍ୱୁଗୁଡ଼ିକ ସମ୍ବନ୍ଧେ ଜିଜ୍ଞାସା କରିବାରୁ ଆଚାର୍ଯ୍ୟ ମହାଶୟ କହିଲେ–“ଲାଟ ଦେଶର ରାଜା ମତ୍ତକାଳ ମୃଗୟା ଉଦ୍ଦେଶ୍ୟରେ ଏ ଶିବିର ପକାଇ ଅଛନ୍ତି । ସେ ବର୍ତ୍ତମାନ ଏହି ଦେଶର ରାଜକୁମାରୀ ଅସାଧାରଣ ରୂପଲାବଣ୍ୟବତୀ ବାମଲୋଚନୀଙ୍କୁ ବଳପୂର୍ବକ ଗ୍ରହଣ କରି ସ୍ୱଦେଶକୁ ଫେରୁଅଛନ୍ତି । ସେହିଠାରେ ସେମାନଙ୍କର ବିବାହୋତ୍ସବ ଅନୁଷ୍ଠିତ ହେବ । ଏହାଙ୍କ ହସ୍ତରେ ନିଜର କନ୍ୟାରତ୍ନଙ୍କୁ ସମର୍ପଣ କରିବା ପାଇଁ ଏ ଦେଶର ରାଜା ବୀରକେତୁଙ୍କର ଆଦୌ ଇଚ୍ଛା ନ ଥିଲା । ମାତ୍ର ମତ୍ତକାଳ ବାମଲୋଚନୀଙ୍କୁ ପାଇବା ପାଇଁ ସସୈନ୍ୟ ରାଜ୍ୟ ଆକ୍ରମଣ ଓ ରାଜାଧାନୀ ଅବରୁଦ୍ଧ କରିବାରୁ ଶାନ୍ତିପ୍ରିୟ ବୀରକେତୁ ଲୋକକ୍ଷୟ ଭୟରେ ନିଜ କନ୍ୟାଙ୍କୁ ତାହାଙ୍କ ହସ୍ତରେ ଅର୍ପଣ କଲେ । ଏହା ପୂର୍ବରୁ ବୀରକେତୁ ମାନପାଳ ନାମକ ଏକ ବ୍ୟକ୍ତିକୁ ନିଜ କନ୍ୟାଙ୍କୁ ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତ ହୋଇ ତାହାଙ୍କୁ ନିଜର ମନ୍ତ୍ରିପଦରେ ନିଯୁକ୍ତ କରିଥିଲେ । ବର୍ତ୍ତମାନ ଏ ଘଟଣାରେ ମାନପାଳ ଅତ୍ୟନ୍ତ କ୍ଷୁବ୍ଧ ହୋଇ ଚତୁରଙ୍ଗ ବଳ ସହ ଏ ଅରଣ୍ୟର ଅନ୍ୟ ଅଂଶରେ ଶିବିର ପକାଇ ମତ୍ତକାଳଙ୍କ ସୈନ୍ୟମାନଙ୍କ ମଧ୍ୟରେ ଭେଦରୀତି ପ୍ରୟୋଗ କରିବା ପାଇଁ ଚେଷ୍ଟା କରୁଅଛନ୍ତି ।

 

ମୁଁ ବୃଦ୍ଧ ବ୍ରାହ୍ମଣଙ୍କ ବାକ୍ୟାଳାପ ଓ କ୍ରିୟା କଳାପରେ ସନ୍ତୁଷ୍ଟ ହୋଇ ହୀରକ ଖଣ୍ଡିକ ତାହାଙ୍କୁ ପ୍ରଦାନ କରି ଶୟନ କରିବାକୁ ଗଲି । କିନ୍ତୁ କିଛି ସମୟ ପରେ ହଠାତ୍ ବାହାରର ମୁଖରୋଳରେ ମୋର ନିଦ୍ରାଭଙ୍ଗ ହେଲା । ଉଠି ଦେଖିଲି, କେତେକ ଖଡ଼୍‍ଗହସ୍ତ ପୁରୁଷ ବୃଦ୍ଧ ବ୍ରାହ୍ମଣଙ୍କୁ ବନ୍ଦୀ କରି ପ୍ରହାର କରିବାକୁ ଉଦ୍ୟତ ହେଉଛନ୍ତି । ବ୍ରାହ୍ମଣ ମୋତେ ଦେଖି ସେମାନଙ୍କୁ କହିଲେ ଯେ ପ୍ରକୃତରେ ଏହି ଅପରିଚିତ ବ୍ୟକ୍ତି ତାହାଙ୍କୁ ହୀରାଖଣ୍ଡିକ ଦାନ କରିଛନ୍ତି । ଏ କଥାରେ ମୋଠାରୁ ସମ୍ମତି-ସୂଚକ ସଙ୍କେତ ପାଇ ସୈନ୍ୟମାନେ ବ୍ରାହ୍ମଣଙ୍କୁ ତ୍ୟାଗ କରି ମୋତେ ବନ୍ଦୀ କଲେ-। ମୁଁ ଅନୁମାନ କଲି ହୀରକଟି ବୋଧହୁଏ ମତ୍ତକାଳଙ୍କର ଏବଂ ତାହା ମୁଁ ଅପହରଣ କରିନେଇଛି ଭାବି ଏମାନେ ମୋତେ ବନ୍ଦୀ କରୁଛନ୍ତି । ତେଣୁ ହୀରକ କିପରି ଭାବରେ ମୋହର ହସ୍ତଗତ ହେଲା, ତାହା ବର୍ଣ୍ଣନା କରିବାକୁ ଚେଷ୍ଟା କଲି । କିନ୍ତୁ ମୋହର ବାକ୍ୟାଳାପକୁ ପ୍ରଳାପବତ୍ କେହି ଗ୍ରହଣ କଲେ ନାହିଁ । ସେମାନେ ମୋହର ହସ୍ତପଦ ଶୃଙ୍ଖଳବଦ୍ଧ କରି ମୋତେ ଗୋଟିଏ କୁଟୀର ମଧ୍ୟରେ ଅନ୍ୟ ବନ୍ଦୀମାନଙ୍କ ସହିତ ନିକ୍ଷେପ କଲେ ।

ଏ ଘଟଣାର ବିଶେଷ ବିବରଣୀ ମୁଁ ମୋହର ସହବନ୍ଦୀଙ୍କଠାରୁ ସଂଗ୍ରହ କରିବାକୁ ଲାଗିଲି । ସେମାନେ କହିଲେ ଯେ ସେମାନେ ମାନପାଳଙ୍କ ଅନୁଚର । ମନ୍ତ୍ରୀଙ୍କ ଆଦେଶରେ ମତ୍ତକାଳଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ସୁଡ଼ଙ୍ଗପଥ ସାହାଯ୍ୟରେ ରାତ୍ରିକାଳରେ ତାହାଙ୍କ ଆବାସରେ ପ୍ରବେଶ କରିଥିଲେ । ସୁତରାଂ ତନ୍ମଧ୍ୟରୁ କେତେକ ବହୁମୂଲ୍ୟ ଧନରତ୍ନ ସଂଗ୍ରହ କରି ଅରଣ୍ୟ ମଧ୍ୟରେ ପ୍ରବେଶ କଲେ । ମାତ୍ର ସେମାନେ ଖୁବ୍ କମ୍ ସମୟ ମଧ୍ୟରେ ମତ୍ତକାଳଙ୍କ ସୈନ୍ୟମାନଙ୍କଦ୍ୱାରା ପରିବେଷ୍ଟିତ ହୋଇ ଧୃତ ହେଲେ । ଅପହୃତ ସମସ୍ତ ଧନରତ୍ନ ସେମାନଙ୍କ ନିକଟରୁ ସଂଗୃହୀତ ହେଲା । ମୁଁ ପାଇଥିବା ସର୍ବୋତ୍କୃଷ୍ଟ ହୀରକ ଖଣ୍ଡିକ କେବଳ ସେମାନଙ୍କର ହସ୍ତଗତ ହୋଇ ନଥିଲା ।

ମତ୍ତକାଳ ଜାଣି ପାରିଥିଲେ ଯେ ଏ ଷଡ଼ଯନ୍ତ୍ର ସହିତ ମାନପାଳ ସମ୍ପୃକ୍ତ । ସୁତରାଂ ମତ୍ତକାଳ ଯେ ନିଶ୍ଚୟ ଏଣିକି ଅଧିକ ସାବଧାନତା ଅବଲମ୍ବନ କରିବେ ଏବଂ ଫଳରେ ମାନପାଳଙ୍କର ରାଜକୁମାରୀଙ୍କୁ ଉଦ୍ଧାର କରିବା ଚେଷ୍ଟା ନିଷ୍ଫଳ ହେବ, ଏଥିରେ ମୋର ସନ୍ଦେହ ରହିଲା ନାହିଁ । ଏ ସମସ୍ତ ଘଟଣା ଶୁଣି ସାରିବା ପରେ ମୋହର ହୃଦୟ ମତ୍ତକାଳଙ୍କ ବିରୁଦ୍ଧରେ ବିଦ୍ରୋହୀ ହୋଇଉଠିଲା । ପିତାର ଇଚ୍ଛା ବିରୁଦ୍ଧରେ କନ୍ୟାକୁ ଅପହରଣ କରିବା ପ୍ରଥାକୁ ମୁଁ ଅନୁମୋଦନ କରି ପାରିଲି ନାହିଁ । ତେଣୁ ମତ୍ତକାଳଙ୍କୁ ପ୍ରତିରୋଧ କରିବା ପାଇଁ ଠିକ୍ କରି ଏକ କର୍ମପନ୍ଥା ସ୍ଥିର କଲି । ଏ ମଧ୍ୟରେ ସହବନ୍ଦୀମାନଙ୍କ ସହିତ ମୋର ଘନିଷ୍ଠତା ଜନ୍ମିଯାଇଥିଲା । ସେମାନେ ମଧ୍ୟ ମୋ ସହିତ ସହଯୋଗ କରିବା ପାଇଁ ସମ୍ମତ ହେଲେ ।

ପର ରାତ୍ରି ଦ୍ୱିତୀୟ ପ୍ରହରରେ ଆମ୍ଭେମାନେ ପରସ୍ପରର ଶୃଙ୍ଖଳ ଛିନ୍ନ କରି ପକାଇଲୁଁ ଏବଂ ସୁଷୁପ୍ତ ପ୍ରହରୀଗଣଙ୍କୁ ଏପରି ଭାବରେ ବନ୍ଦୀ କଲୁ ଯେ, ସେମାନେ କୌଣସି ବିପଦସଙ୍କେତ ଦେବାପାଇଁ ମଧ୍ୟ ଅବସର ପାଇଲେ ନାହିଁ । ତା ପରେ ଏହି ପ୍ରହରୀମାନଙ୍କର ଶସ୍ତ୍ର ସଂଗ୍ରହ କରି ତତ୍‍ସାହାଯ୍ୟରେ ନଗରରକ୍ଷୀମାନଙ୍କ ସମ୍ମୁଖୀନ ହେଲୁଁ । ଏମାନଙ୍କୁ ପରାସ୍ତ କରିବା ମଧ୍ୟ ବିଶେଷ ଶ୍ରମସାପେକ୍ଷ ହେଲା ନାହିଁ । ଆମ୍ଭେମାନେ ଖୁବ୍ କମ୍ ସମୟ ମଧ୍ୟରେ ଶିବିରରେ ପ୍ରବେଶ କଲୁଁ ।

ମାନପାଳ ନିଜର ଅନୁଚରମାନଙ୍କଠାରୁ ମୋର ସବିଶେଷ ପରିଚୟ ପାଇ ଓ ମୋର ଉଦ୍ଦେଶ୍ୟ ଅବଗତ ହୋଇ ମୋତେ ବିଶେଷ ସମ୍ମାନିତ କଲେ । ସେ ମୋତେ ସେନାପତି ରୂପେ ବରଣ କରି ମୋର ମନ୍ତ୍ରଣା ଅନୁସାରେ ଅଧିକ ସୈନ୍ୟ ପ୍ରେରଣ କରିବା ନିମିତ୍ତ ରାଜଧାନୀକି ସମ୍ବାଦ ପଠାଇଲେ । ପ୍ରାତଃକାଳ ପୂର୍ବରୁ ଉପସ୍ଥିତ ସୈନ୍ୟଗଣ ସଜ୍ଜିତ ହୋଇ ରହିବା ପାଇଁ ମୁଁ ଆଦେଶ କଲି ।

ବନ୍ଦୀଗଣ ପଳାୟନ କରି ମାନପାଳଙ୍କ ଶିବିରରେ ଆଶ୍ରୟ ନେଇଥିବା ସମ୍ବାଦ ପାଇ ମତ୍ତକାଳ ସସୈନ୍ୟ ଆମ୍ଭମାନଙ୍କ ଶିବିର ଆକ୍ରମଣ କଲେ । ମୋର ସୈନ୍ୟସଂଖ୍ୟା ମୁଷ୍ଟିମେୟ ହେଲେ ମଧ୍ୟ ସେମାନେ ବାସ୍ତବିକ ଅଦ୍ଭୁତ ସାହସ ଦେଖାଇଥିଲେ । ମୁଁ ରଥାରୋହଣ କରି ମତ୍ତକାଳଙ୍କ ସମ୍ମୁଖୀନ ହେଲି । ବହୁ ସମୟାବଧି ପ୍ରବଳ ଯୁଦ୍ଧ ହେଲା । ଏ ମଧ୍ୟରେ ରାଜଧାନୀର ପୁଣି କେତେକ ସୈନ୍ୟ ଆସି ଆମ୍ଭମାନଙ୍କ ସହିତ ଯୋଗ ଦେଲେ । ଶେଷରେ ମତ୍ତକାଳ ଭୂପତିତ ହେଲେ । ରାଜା ନିହତ ହେବା ଦେଖି ତାହାଙ୍କର ସୈନ୍ୟଗଣ ପୃଷ୍ଟଭଙ୍ଗ ଦେଇ ପଳାୟନ କରିବାକୁ ଲାଗିଲେ । ଆମ୍ଭେମାନେ ବିଜୟୀ ହୋଇ ବୀରଦର୍ପରେ ରାଜଧାନୀ ଅଭିମୁଖରେ ପ୍ରତ୍ୟାବର୍ତ୍ତନ କଲୁଁ-

ରାଜା ବୀରକେତୁ ଅପହୃତା କନ୍ୟାଙ୍କୁ ଫେରିପାଇ ଆନନ୍ଦରେ ବିହ୍ୱଳ ହୋଇ ପଡ଼ିଲେ । ମୋର ବୀରତ୍ୱର କାହାଣୀ ଶୁଣି ରାଜା ଓ ପାରିଷଦବର୍ଗ ମୋତେ ଯେଉଁ ସମ୍ମାନ ପ୍ରଦର୍ଶନ କଲେ, ତାହା ବାକ୍ୟାତୀତ ।

ବୀରକେତୁ ଅପୁତ୍ରକ ଥିଲେ ଏବଂ ବାର୍ଦ୍ଧକ୍ୟାବସ୍ଥା ଯୋଗୁଁ ରାଜ୍ୟପରିଚାଳନା ତାଙ୍କ ପକ୍ଷେ ଗୁରୁଭାରରେ ପରିଣତ ହୋଇଥିଲା । ସୁତରାଂ ବାମଲୋଚନୀଙ୍କୁ ବିବାହ କରି ସ୍ଵହସ୍ତରେ ଶାସନଭାର ଗ୍ରହଣ କରିବା ପାଇଁ ସେ ମୋତେ ଅନୁରୋଧ କଲେ ।

କି ଉତ୍କଣ୍ଠାର ସହିତ ମୁଁ ଏ ଅନୁରୋଧ ରକ୍ଷା କରିଥିବି, ତାହା ଆପଣ ଅନୁମାନ କରି ପାରୁଥିବେ । ଖୁବ୍ ଅଳ୍ପ ସମୟ ମଧ୍ୟରେ ବାମଲୋଚନୀଙ୍କ ସହିତ ମୋର ବିବାହ ତଥା ଯୌବରାଜ୍ୟାଭିଷେକ ଉତ୍ସବ ଅତି ଆଡ଼ମ୍ବର ସହକାରେ ସମାପ୍ତ ହେଲା; କିନ୍ତୁ ଯେତେବେଳେ ଏ ଉତ୍ସବ-ସ୍ରୋତ ଶିଥିଳ ହୋଇ ଆସିଲା, ସେତେବେଳେ ଆପଣଙ୍କ ଦର୍ଶନ ଆକାଙ୍‍କ୍ଷା ପୁଣି ମୋ ମନମଧ୍ୟରେ ଜାଗରୂକ ହେଲା । ମୁଁ ମୋର ପ୍ରଧାନ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ବିଶେଷ ବିବ୍ରତ ହୋଇ ନିକଟବର୍ତ୍ତୀ ଜଣେ ସିଦ୍ଧ-ପୁରୁଷଙ୍କର ଆଶ୍ରୟ ନେଲି । ସେ ମୋତେ ଆଶ୍ୱାସନା ଦେଇ କହିଲେ ଯେ ଅନତିବିଳମ୍ବେ ଉଜ୍ଜୟିନୀ ନଗରୀରେ ମୁଁ ଆପଣଙ୍କର ସାକ୍ଷାତ ପାଇବି । ତେଣୁ ଆଜି ମୁଁ ମୋର ପତ୍ନୀଙ୍କ ସହିତ ଏଠାକୁ ଆଗମନ କଲି । ଦୟାମୟଙ୍କ କୃପାରୁ ଆଜି ମୋହର ସକଳ ପରିଶ୍ରମ ସାର୍ଥକ ହୋଇଅଛି ।”

Image

 

ଏଗାର

ପୁଷ୍ପୋଦ୍ଭବଙ୍କ ଭ୍ରମଣବୃତ୍ତାନ୍ତ

 

ସୋମଦତ୍ତଙ୍କ ଭ୍ରମଣବୃତ୍ତାନ୍ତ ଶୁଣି ରାଜବାହନ କହିଲେ, “ବନ୍ଧୁବର, ତୁମର ସାହସିକତା ଓ ବୀରତ୍ୱପୂର୍ଣ୍ଣ କ୍ରିୟାକଳାପ ବାସ୍ତବିକ ଅତୁଳନୀୟ । ସେଥିପାଇଁ ବିଧାତା ବାମଲୋଚମନୀରୂପକ ଉପଯୁକ୍ତ ପୁରସ୍କାରଦ୍ୱାରା ତୁମ୍ଭକୁ ପୁରସ୍କୃତ କରିଅଛନ୍ତି । ବର୍ତ୍ତମାନ ଆସ, ନଗରମଧ୍ୟରେ ଆଶ୍ରୟ ଗ୍ରହଣ କରି ବିଶ୍ରାମ କରିବା ।”

 

ଠିକ୍ ଏହି ସମୟରେ ଦୂରରୁ ଜଣେ ବ୍ୟକ୍ତି କ୍ଷିପ୍ରପଦରେ ସେମାନଙ୍କ ଆଡ଼କୁ ଆଗମନ କରୁଥିବା ଦେଖାଗଲା । ରାଜବାହନ ବିସ୍ମିତ ହୋଇ ଦେଖିଲେ, ସେ ତାହାଙ୍କର ବନ୍ଧୁ ପୁଷ୍ପୋଦ୍ଭବ । ସେ ଏହାର ସୂଚନା ସୋମଦତ୍ତଙ୍କୁ ଦେବା ସଙ୍ଗେ ସଙ୍ଗେ ଉଭୟେ ଅଗ୍ରସର ହୋଇ ତାହାଙ୍କୁ ଆଲିଙ୍ଗନ କଲେ । ପ୍ରତ୍ୟେକର ହୃଦୟରେ ଆନନ୍ଦର ଲହରୀ ଉଦ୍ବେଳିତ ହୋଇଉଠିଲା । ବିଚ୍ଛେଦ ପରେ ମିଳନ ମଧୁରତର ହୋଇଥାଏ । ବାମଲୋଚନୀଙ୍କ ପରିଚୟ ପାଇ ପୁଷ୍ପୋଦ୍ଭବ ତାହାଙ୍କୁ ଯଥାଯୋଗ୍ୟ ସମ୍ମାନ ପ୍ରଦର୍ଶନ କଲେ । ତତ୍‍ପରେ ରାଜବାହନଙ୍କ ଅନୁରୋଧରେ ସେମାନେ ପୁଣି ନାଗେଶ୍ୱର ବୃକ୍ଷମୂଳକୁ ପ୍ରତ୍ୟାବର୍ତ୍ତନ କରି ଆଳାପରେ ଲିପ୍ତ ହେଲେ ।

 

ପୁଷ୍ପୋଦ୍ଭବଙ୍କ ଭ୍ରମଣବୃତ୍ତାନ୍ତ ଶୁଣିବା ପାଇଁ ରାଜକୁମାର ଆଗ୍ରହ-ପ୍ରକାଶ କରିବାରୁ ସେ କହିଲେ–“ଆପଣଙ୍କ ଅନୁସନ୍ଧାନରେ ବାହାରି ମୁଁ ବହୁ ଜନପଦ ଅତିକ୍ରମ କରିଗଲି । ଦିନେ ମଧ୍ୟାହ୍ନକାଳରେ ମୁଁ ଏକ ଗିରିପଥ ଅତିକ୍ରମ କରୁଥାଏ, ଆକାଶ ମଧ୍ୟବର୍ତ୍ତୀ ତପନର ପ୍ରଖର କିରଣ-ଜାଳରେ ବାୟୁମଣ୍ଡଳ ଉତ୍ତପ୍ତ ହୋଇପଡ଼ିଲା । ମୁଁ ଅତ୍ୟନ୍ତ କ୍ଳାନ୍ତି ବୋଧକରି ଗିରିପାଦରେ ଥିବା ଗୋଟିଏ ବୃକ୍ଷଚ୍ଛାୟାତଳେ ଆଶ୍ରୟ ଗ୍ରହଣ କଲି । ଏତିକିବେଳେ ଗିରିଶୃଙ୍ଗରୁ ଗୋଟିଏ ମନୁଷ୍ୟର ଛାୟା ମୋର ସମ୍ମୁଖରେ ପତିତ ହେଲା । ମୁଁ ଫେରି ଦେଖିଲି, ଏକ ବ୍ୟକ୍ତି ସମୁନ୍ନତ ସେହି ଗିରି ଶୃଙ୍ଗରୁ ଲମ୍ଫପ୍ରଦାନ କରି ଆତ୍ମହତ୍ୟା କରିବା ପାଇଁ ଚେଷ୍ଟିତ; କିନ୍ତୁ ହଠାତ୍ ତାହାଙ୍କୁ ଏଥିରୁ କ୍ଷାନ୍ତ କରିବାର କୌଣସି ଉପାୟ ପାଇଲି ନାହିଁ । ସେ ଲମ୍ଫପ୍ରଦାନ କଲେ । ମାତ୍ର ଭାଗ୍ୟବଶତଃ ତାହାଙ୍କର ପାଦ ଭୂମି ସ୍ପର୍ଶ କରିବା ପୂର୍ବରୁ ମୁଁ ବିଦ୍ୟୁତ୍ ବେଗରେ ଯାଇ ତାହାଙ୍କୁ ଶୂନ୍ୟେ ଶୂନ୍ୟେ ଧରି ନେଲି । ଲୋକଟି ହତଚେତନ ହୋଇ ପଡ଼ିଲେ । ବୃକ୍ଷଚ୍ଛାୟାରେ ପତ୍ରଶଯ୍ୟା କରି ମୁଁ ତାଙ୍କୁ ସେଠାରେ ଶୟନ କରାଇଦେଲି ।

କିଛି ସମୟ ପରେ ସେ ସଚେତନ ହେଲେ । ତାହାଙ୍କର ସେତେବେଳର ନୈରାଶ୍ୟପୂର୍ଣ୍ଣ କରୁଣ ଚାହାଣି ବାସ୍ତବିକ ବଡ଼ ମର୍ମସ୍ପର୍ଶୀ । ମୁଁ ତାଙ୍କୁ ଆଶ୍ୱାସନା ଦେଇ ତାହାଙ୍କର ପରିଚୟ ମାଗିଲି ଓ କି ଉଦ୍ଦେଶ୍ୟରେ ଆତ୍ମହତ୍ୟା କରୁଥିଲେ ଜାଣିବାକୁ ଇଚ୍ଛାପ୍ରକାଶ କଲି । ମାତ୍ର ତାହାଙ୍କ ଉତ୍ତରରୁ ଯେତେବେଳେ ମୁଁ ବୁଝିପାରିଲି ଯେ ସେ ସ୍ଵୟଂ ମୋର ପିତୃଦେବ, ସେତେବେଳେ ମୋ ହୃଦୟମଧ୍ୟରେ ଯୁଗପତ୍ କି ହର୍ସବିସ୍ମୟର ବାତ୍ୟା ବହିଥିଲା, ଆପଣ ଅନୁମାନ କରି ପାରୁଥିବେ ।

ରାଣୀ ବସୁମତୀଙ୍କ କଥା ଆପଣଙ୍କର ବୋଧହୁଏ ସ୍ମରଣ ଥିବ । ସେ ଆମ୍ଭମାନଙ୍କୁ ଥରେ କହିଥିଲେ ଯେ, ମୋର ପିତାଙ୍କର ନୌକା ଜଳମଗ୍ନ ହେବାରୁ ଜଣେ ପରିଚାରିକା ମୋତେ ଉଦ୍ଧାର କରି ଆଣିଥିଲେ ଏବଂ ପରେ ଦୁର୍ଭାଗ୍ୟବଶତଃ ମୁଁ ବାନରମାନଙ୍କର ହସ୍ତରେ ପଡ଼ିଲି । ସେଠାରୁ ବାମଦେବ ଋଷିଙ୍କର ଜଣେ ଶିଷ୍ୟ ମୋର ପରିଚୟ ପାଇ ମୋତେ ରକ୍ଷା କରିଥିଲେ; କିନ୍ତୁ ମୋର ପିତା ରତ୍ନୋଦ୍ଭବ ପ୍ରକୃତରେ ଜଳମଗ୍ନ ହୋଇଥିଲେ ମଧ୍ୟ କୌଣସି ପ୍ରକାରେ ମୃତ୍ୟୁମୁଖରୁ ରକ୍ଷା ପାଇଥିଲେ । ପତ୍ନୀ, ପୁତ୍ର ଓ ଅଗାଧ ସମ୍ପତ୍ତି ଆକସ୍ମିକ ଭାବରେ ହରାଇ ଜୀବନଧାରଣ କରିବା ମୃତ୍ୟୁ ଅପେକ୍ଷା କଷ୍ଟଦାୟକ । ଏ ଚିରସ୍ଥାୟୀ ଯନ୍ତ୍ରଣାରୁ ରକ୍ଷା ପାଇବା ପାଇଁ ସେ ଏହା ପୂର୍ବରୁ ଥରେ ଆତ୍ମହତ୍ୟା କରିବାକୁ ଚେଷ୍ଟିତ ହୋଇଥିଲେ । ମାତ୍ର ଜଣେ ଜ୍ୟୋତିଷୀ ତାଙ୍କୁ ଏ ଗର୍ହିତ କାର୍ଯ୍ୟରୁ ବିରତ କରାଇ ଆଶ୍ୱାସନା ଦେଇଥିଲେ ଯେ ଷୋଳବର୍ଷ ପରେ ସେ ତାହାଙ୍କର ପୁତ୍ର ଓ ପତ୍ନୀଙ୍କୁ ଫେରି ପାଇବେ । ଆଜି ସେହି ଷୋଳବର୍ଷ ପୂର୍ଣ୍ଣ ହେଲା; ଅଥଚ ସେ କାହାରି କୌଣସି ସମ୍ବାଦ ପାଇଲେ ନାହିଁ ।

ପିତା ନିଜର ଏ କରୁଣ କାହାଣୀ ବର୍ଣ୍ଣନା କଲାବେଳେ ଅନତିଦୂରରେ ଏକ ରମଣୀ କଣ୍ଠରୁ ଶୁଣାଗଲା, “ମା, ଦୀର୍ଘ ଷୋଳବର୍ଷ ମଧ୍ୟରେ ତୁମର ସମସ୍ତ ଧୈର୍ଯ୍ୟ ଚୂର୍ଣ୍ଣୀଭୂତ ହୋଇଛି ସତ; କିନ୍ତୁ ସିଦ୍ଧପୁରୁଷଙ୍କ ବାକ୍ୟ ସଫଳ ହେବାପାଇଁ ବର୍ତ୍ତମାନ ସୁଦ୍ଧା ସମୟ ଅଛି । ହତାଶ ହୁଅ ନାହିଁ, ଅପେକ୍ଷା କର ।”

ଏକଥା ଶୁଣି ପିତାଙ୍କୁ ସେଠାରେ ଅପେକ୍ଷା କରିବା ନିମିତ୍ତ କହି ମୁଁ ତୀରବେଗରେ ସେହି ଦିଗରେ ଧାବମାନ ହେଲି । ଦୂରରେ ଯାଇ ଦେଖିଲି, ସମ୍ମୁଖରେ ଭୀଷଣ ଚିତାକୁଣ୍ତ । ଜଣେ ରମଣୀ ତନ୍ମଧ୍ୟରେ ଦେହତ୍ୟାଗ କରିବା ଲାଗି ପ୍ରସ୍ତୁତ । ଅନ୍ୟ କେତେଜଣ ସଜଳନୟନା ପ୍ରୌଢ଼ା ଚତୁର୍ଦ୍ଦିଗରେ ଦଣ୍ଡାୟମାନ । ମୁଁ ବିଦ୍ୟୁତ୍ ବେଗରେ ରମଣୀଙ୍କୁ ଚିତା ସମ୍ମୁଖରୁ ଟେକିଆଣି ପିତାଙ୍କ ସମ୍ମୁଖରେ ଉପସ୍ଥିତ ହେଲି । ଏ ଘଟଣାରେ ସମସ୍ତେ ବିସ୍ମିତ ହୋଇପଡ଼ିଲେ । ସମବେତ ରମଣୀଗଣ ମୋର ଅନୁସରଣ କଲେ ।

 

ରମଣୀ ନିଜେ ବାକ୍‍ଶକ୍ତିହୀନା । ପୌଢ଼ାମାନଙ୍କ ମଧ୍ୟରୁ ଯାହାଙ୍କର କଣ୍ଠସ୍ୱର ମୁଁ ଦୂରରୁ ଶୁଣିଥିଲି ସେ ରମଣୀଙ୍କର ଇତିବୃତ୍ତ ଦେଇ କହିଲେ ଯେ ତାହାଙ୍କ ନାମ ସୁବୃତ୍ତା । ସେ କାଳଗୁପ୍ତ ନାମକ ବଣିକଙ୍କର କନ୍ୟା ଏବଂ ରତ୍ନୋଦ୍ଭବ ନାମକ ସାଧବଙ୍କର ପତ୍ନୀ ।

 

ଆଉ ବିଶେଷ ପରିଚୟ ନେବା ଆବଶ୍ୟକ ହେଲା ନାହିଁ । ଏକାବେଳକେ ମୁଁ ମୋହର ପିତାମାତାଙ୍କୁ ପାଇଅଛି । ମୁଁ ନିଜର ପରିଚୟ ଦେବା ସଙ୍ଗେ ସଙ୍ଗେ ସେମାନେ ମୋତେ କୋଳାଗ୍ରତ କରି ଆନନ୍ଦାଶ୍ରୁ ବିସର୍ଜନ କରିବାକୁ ଲାଗିଲେ ।

 

ପିତାମାତା ପ୍ରକୃତିସ୍ଥ ହେବାପରେ ମୁଁ ମୋହର ଭ୍ରମଣର ଉଦ୍ଦେଶ୍ୟ, ରାଜହଂସଙ୍କର ଓ ରାଜ୍ୟର ସମସ୍ତ କଥା ସେମାନଙ୍କୁ ଜଣାଇଲି । ଉଭୟଙ୍କ ସମ୍ମତିକ୍ରମେ ଜଣେ ମୁନିଙ୍କ ଆଶ୍ରମରେ ସେମାନେ ବାସ କରିବାର ସମସ୍ତ ବ୍ୟବସ୍ଥା କରି, ମୁଁ ମୋହର କର୍ତ୍ତବ୍ୟପଥରେ ପୁଣି ଅଗ୍ରସର ହେଲି ।

 

ମୁଁ କେତେଦିନ ଭ୍ରମଣ କରିବା ପରେ ଘନ ଅରଣ୍ୟ ମଧ୍ୟରେ ଗୋଟିଏ ପୁରାତନ ମଣ୍ଡପ ନିକଟରେ ଆସି ପହଞ୍ଚିଲି । ତାହାର ଉପରିଭାଗ ଲତାଜାଲରେ ଆଚ୍ଛନ୍ନ ଥିଲା । ମୁଁ ସେଠାରେ କିଛିକ୍ଷଣ ବିଶ୍ରାମ ନେବାପାଇଁ ଇଚ୍ଛା କଲି; କିନ୍ତୁ କାଳେ ଗୁଳ୍ମଲତା ମଧ୍ୟରେ ସରୀସୃପ ଇତ୍ୟାଦି ଥାଇ ପାରନ୍ତି, ଏହି ଆଶଙ୍କାରେ ମୋହର ଯଷ୍ଟିକା ସାହାଯ୍ୟରେ ଗୁଳ୍ମଗୁଡ଼ିକୁ ପ୍ରହାର କଲି । ଏକ ସ୍ଥାନରେ ମୋହର ଯଷ୍ଟିଟି କୌଣସି ଧାତବ ଦ୍ରବ୍ୟରେ ବାଜିବା ଭଳି ଶବ୍ଦ ହେଲା । ମୁଁ ଲତାସମୂହ ପରିଷ୍କାର କରି ଦେଖିଲି ସେଠାରେ ଗୋଟିଏ ଲୌହ ପେଟିକା ଅର୍ଦ୍ଧ ପ୍ରୋତ୍‍ଥିତ ଅବସ୍ଥାରେ ରହିଅଛି । ତୀକ୍ଷ୍ଣ ପ୍ରସ୍ତରଖଣ୍ଡ ସାହାଯ୍ୟରେ ଲୌହ ପେଟିକାକୁ ଫିଟାଇ ଦେଖିଲି ତାହା ସ୍ୱର୍ଣ୍ଣମୁଦ୍ରା ଓ ମଣିମାଣିକ୍ୟପୂର୍ଣ୍ଣ । ଏତେ ସମ୍ପତ୍ତି ମୁଁ କିପରି ବ୍ୟବହାର କରିବି, ସେହି ଚିନ୍ତା ମୋତେ ପ୍ରଥମେ ବିମୂଢ଼ କରିପକାଇଲା; କିନ୍ତୁ ପରେ ପ୍ରକୃତିସ୍ଥ ହୋଇ ସେଥିରୁ କେତେକ ମୁଦ୍ରା ଗ୍ରହଣ କରି ନିକଟବର୍ତ୍ତୀ ନଗରୀରୁ ଦୁଇଟି ଅଶ୍ୱ ଓ କେତେଗୋଟି ଥଳୀ କ୍ରୟ କରି ଆଣିଲି ଏବଂ ସମସ୍ତ ଧନରତ୍ନ ସହ ଉଜ୍ଜୟିନୀ ଅଭିମୁଖରେ ଯାତ୍ରା କଲି ।

 

ଉଜ୍ଜୟିନୀରେ ପ୍ରବେଶ କରି ମୋହର ପିତାଙ୍କର ପୁରାତନ ବନ୍ଧୁ ବୃଦ୍ଧ ଚନ୍ଦ୍ରପାଳଙ୍କ ପୁତ୍ର ବନ୍ଧୁପାଳଙ୍କ ସହିତ ମୋହର ପରିଚୟ ହେଲା । ତାହାଙ୍କ ସାହାଯ୍ୟରେ ସେଠାରେ ବାଣିଜ୍ୟ କରିବା ପାଇଁ ମାଳବ ରାଜାଙ୍କର ଅନୁମତି ପାଇଲି । କିଛି ଦିନ ପରେ ମୁଁ ଏକ ବିଶାଳ ପ୍ରସାଦ କ୍ରୟ କଲି ଏବଂ ମୁନି ଆଶ୍ରମରୁ ପିତାମାତାଙ୍କୁ ଆଣି ଏଠାରେ ବାସ କଲି ।

 

କିନ୍ତୁ ବାଣିଜ୍ୟକୁ ମୋହର ଅବସରବିନୋଦନ ଛଡ଼ା ନିଜ ବୃତ୍ତିରେ ପରିଣତ କରିବା ମୋ ପକ୍ଷରେ ସମ୍ଭବ ହେଲାନାହିଁ । ଆପଣଙ୍କ ଅନୁସନ୍ଧାନ ପାଇ ନ ଥିବାରୁ ମୋହର ମାନସିକ ପରିସ୍ଥିତ କୌଣସି ପ୍ରକାରେ ବ୍ୟବସାୟ ଅନୁକୂଳ ହୋଇ ପାରିଲା ନାହିଁ । ମୁଁ ଅନେକ ଦିନ ଯାଏଁ ବିଭିନ୍ନ ସ୍ଥାନରେ ଆପଣଙ୍କ ଉଦ୍ଦେଶ୍ୟରେ ଭ୍ରମଣ କରିବାକୁ ଲାଗିଲି । ମୋହର ଏ ଅବସ୍ଥା ଦେଖି ଦିନେ ବନ୍ଧୁପାଳ ମୋତେ କହିଲେ, “ବନ୍ଧୁ, ଏ ଅନନ୍ତ ଭୂମଣ୍ଡଳ ଅନ୍ୱେଷଣ କରି ତୁମେ ତୁମର ସହଚରଙ୍କର ସାକ୍ଷାତ ପାଇବା ସହଜ ନୁହେ; ସୁତରାଂ ତୁମେ ନିଶ୍ଚିନ୍ତ ମନରେ ବାସକର । ସହଚରଙ୍କର ସାକ୍ଷାତ୍କାରସୂଚକ ମାଙ୍ଗଳିକ ପକ୍ଷୀ ଦୃଷ୍ଟ ହେଲେ, ସେହି ସୂଚନାରୁ ତାହାଙ୍କ ସାକ୍ଷାତ୍ ପାଇବାର ସମୟ ମୁଁ ତୁମ୍ଭଙ୍କୁ ଜଣାଇଦେବି ।”

 

ବନ୍ଧୁପାଳଙ୍କର ଆଶ୍ୱାସନାପୂର୍ଣ୍ଣ ବାକ୍ୟରେ ଆସ୍ଥା ସ୍ଥାପନ କରି ମୁଁ ତେଣିକି ବହୁ ସମୟ ବନ୍ଧୁମାନଙ୍କ ସହ ଅତିବାହିତ କରିବାକୁ ଲାଗିଲି । ଇତିମଧ୍ୟରେ ଦିନେ ମୋହର ବନ୍ଧୁ ଜଣେ ଅସାମାନ୍ୟ ରୂପବତୀ ନବଯୁବତୀଙ୍କ ସହିତ ବାକ୍ୟାଳାପ କରୁଥିବାର ମୁଁ ଦେଖିପାରିଲି । ଯୁବତୀ ମୋତେ ଦେଖି ଲଜ୍ଜାବନତ ବଦନରେ ସେଠାରୁ ଅନ୍ତର ହୋଇଗଲେ । ବନ୍ଧୁଙ୍କଠାରୁ ଅବଗତ ହେଲି ଯେ ସେ ତାହାଙ୍କର ଅବିବାହିତା କନିଷ୍ଠା ଭଗିନୀ ବାଳଚନ୍ଦ୍ରିକା ।

 

ବାଳଚନ୍ଦ୍ରିକାଙ୍କୁ ଦର୍ଶନ କରିବା ମାତ୍ରେ ତାହାଙ୍କର ଅପରୂପ ଲାବଣ୍ୟରେ ମୁଁ ବିମୋହିତ ହୋଇପଡ଼ିଥିଲି । ମୋତେ ଦେଖି ବାଳଚନ୍ଦ୍ରିକା ମଧ୍ୟ ଚକିତା ହରିଣୀ ସଦୃଶ ଚଞ୍ଚଳ ନୟନରେ ମୁହୁର୍ମୁହୁଃ କଟାକ୍ଷପାତ କରି ମନ୍ଦବାୟୁ ସଞ୍ଚାଳିତ ଲତାବତ୍ ପ୍ରକମ୍ପିତ ହୋଇଉଠିଥିଲେ ଏବଂ ନାନାବିଧ ସୁନିପୁଣ ଗୁପ୍ତ ଅଙ୍ଗଭଙ୍ଗୀ ପ୍ରକାଶ କରି ମୋ ପ୍ରତି ଅନୁରାଗର ସ୍ପଷ୍ଟ ସୂଚନା ଦେଇଥିଲେ-। ବନ୍ଧୁଙ୍କଠାରୁ ଆଉ ମଧ୍ୟ ଶୁଣି ପାରିଲି ଯେ, ମୋହର ଭ୍ରମଣବୃତ୍ତାନ୍ତ, ପିତାମାତାଙ୍କ ସହିତ ଆକସ୍ମିକ ମିଳନ ତଥା ଅପର୍ଯ୍ୟାପ୍ତ ଧନରତ୍ନଲାଭ ଇତ୍ୟାଦି କଥା ବାରମ୍ବାର ଶୁଣିବା ପାଇଁ ସେ ସର୍ବଦା ଆଗ୍ରହ ପ୍ରକାଶ କରନ୍ତି ।

 

ଇତିମଧ୍ୟରେ ଦିନେ ବନ୍ଦୁପାଳ ପକ୍ଷୀରବ ଶୁଣିବା ନିମିତ୍ତ ନଗର ଉପକଣ୍ଠବର୍ତ୍ତୀ ଉଦ୍ୟାନରେ ପ୍ରବେଶ କଲେ । ମୁଁ ମଧ୍ୟ ତାହାଙ୍କ ସହିତ ଗମନ କଲି ଏବଂ ସେ ପକ୍ଷୀରବ ଶ୍ରବଣ କଲାବେଳେ ଉଦ୍ୟାନର ପ୍ରାନ୍ତଭାଗରେ ପଦଚାରଣ କରିବାକୁ ଲାଗିଲି । ସେଠାରେ ଗୋଟିଏ ସ୍ୱଚ୍ଛ ସରୋବର ନିକଟରେ ହଠାତ୍ ବିଷଣ୍ଣବଦନା ବାଳଚନ୍ଦ୍ରିକାଙ୍କୁ ଦେଖି ମୋର ବିସ୍ମୟର ସୀମା ରହିଲା ନାହିଁ । ସହସା ସାକ୍ଷାତ୍ ପାଇ ସେ ମଧ୍ୟ ବ୍ୟସ୍ତତାର ସହିତ ମୋ ପ୍ରତି ପ୍ରେମ, ଲଜ୍ଜା ଓ କୌତୁକପୂର୍ଣ୍ଣ ଲୀଳାୟିତ ଦୃଷ୍ଟିପାତ କରିବାକୁ ଲାଗିଲେ; କିନ୍ତୁ ତାଙ୍କର ବଦନମଣ୍ଡଳରେ ପ୍ରଥମେ ଯେଉଁ ବିଷଣ୍ଣତାର ଛାୟାପାତ ହୋଇଥିଲା, ତାହା ମୋହର ଅନ୍ତରରେ ଶଲ୍ୟବତ୍ ବିଦ୍ଧ ହୋଇ ରହିଲା । ମୁଁ ତାହାଙ୍କ ନିକଟବର୍ତ୍ତୀ ହୋଇ ତାହାର କାରଣ ଜିଜ୍ଞାସା କଲି ।

 

ନିର୍ଜନତା ଯୋଗୁଁ ଲଜ୍ଜା ଓ ଭୟ ପରିତ୍ୟାଗ କରି ବାଳଚନ୍ଦ୍ରିକା କହିଲେ, “ବନ୍ଧୁ, ମାଳବାଧିପତି ମାନସାର ବୃଦ୍ଧ ହୋଇପଡ଼ିବାରୁ ପୁତ୍ର ଦର୍ପସାରଙ୍କୁ ଉଜ୍ଜୟିନୀରେ ଅଭିଷିକ୍ତ କରିଅଛନ୍ତି; କିନ୍ତୁ ଦର୍ପସାର ସସାଗରା ଧରାର ଅଧୀଶ୍ୱର ହେବା ଅଭିଳାଷ ପୋଷଣ କରି ତପସ୍ୟା କରିବା ନିମିତ୍ତ ଗମନ କରିବାରୁ ଦାରୁଣ ଅତ୍ୟାଚାରୀ ଚଣ୍ଡବର୍ମା ଓ ଦାରୁବର୍ମାଙ୍କୁ ରାଜ୍ୟଶାସନାଧିକାର ପ୍ରଦାନ କରିଛନ୍ତି । ଚଣ୍ଡବର୍ମା ହିଁ ବର୍ତ୍ତମାନ ରାଜ୍ୟର ସର୍ବେସର୍ବା । ମାତୁଳ ମାନସାର ଏବଂ ଜ୍ୟେଷ୍ଠ ଭ୍ରାତା ଚଣ୍ଡବର୍ମାଙ୍କର ସକଳ ନିର୍ଦ୍ଦେଶ ଅଗ୍ରାହ୍ୟ କରି ଦାରୁବର୍ମା ପରଦାର ସଂସର୍ଗ, ପରଦ୍ରବ୍ୟାପହରଣ ପ୍ରଭୃତି ଦୁଷ୍କର୍ମରେ ସର୍ବଦା ଲିପ୍ତ । ଏକଦା ସେ କୌଣସି ପ୍ରକାରେ ମୋହର ସାକ୍ଷାତ୍‌ ପାଇ ମୋ ରୂପରେ ବିମୋହିତ ହୋଇଅଛନ୍ତି । ମୁଁ ଏଥିରେ ଅସ୍ୱୀକୃତା ହେବାରୁ ବଳପ୍ରୟୋଗ ପୂର୍ବକ ମୋତେ ଅପହରଣ କରିବା ପାଇଁ ମଧ୍ୟ ସେ ଚେଷ୍ଟିତ । ଯୌବନ, ଧନ, ପ୍ରଭୃତ୍ୱ ଏବଂ ଅବିବେକିତା ବର୍ତ୍ତମାନ ତାହାଙ୍କଠାରେ ପୂର୍ଣ୍ଣମାତ୍ରାରେ ବିଦ୍ୟମାନ । ସୁତରାଂ ଏହି ଦୁଶ୍ଚିନ୍ତା ହିଁ ମୋତେ ଦଗ୍ଧ କରୁଅଛି । ମୁଁ ମନେ ମନେ ମୋହର ହୃଦୟସର୍ବସ୍ୱ ଆପଣଙ୍କ ପଦତଳେ ସମର୍ପଣ କରିଅଛି ।

 

ବାଳଚନ୍ଦ୍ରିକାଙ୍କର ମୋ ପ୍ରତି ଆନ୍ତରିକ ଅନୁରାଗ ତଥା ମୋହର ଅଭିଳାଷ ସିଦ୍ଧିପଥରେ ପ୍ରବଳ ବାଧା ଉପସ୍ଥିତ ଦେଖି ମୁଁ ଯୁଗପତ୍ ହର୍ଷ ଓ ବିଷାଦରେ ମଗ୍ନ ହୋଇ ପଡ଼ିଲି; କିନ୍ତୁ ତାହାପରେ କିଛି ସମୟ ଚିନ୍ତା କରି ତାହାଙ୍କୁ ଆଶ୍ୱାସନା ଦେଇ କହିଲି, “ଯୁବତି, ଚିନ୍ତିତ ହୁଅନାହିଁ । ମୁଁ ପ୍ରତିଜ୍ଞା କରି କହୁଛି, ଯେକୌଣସି ଉପାୟରେ ମୁଁ ତୁମକୁ ଦୁର୍ବୃତ୍ତ ଦାରୁବର୍ମାର କବଳରୁ ରକ୍ଷା କରିବି ।”

 

ମେଘବିମୁକ୍ତ ଚନ୍ଦ୍ରମଣ୍ଡଳ ପରି ବାଳଚନ୍ଦ୍ରିକାଙ୍କ ମୁଖ ଉତ୍‍ଫୁଲ୍ଲିତ ହୋଇଉଠିଲା । ସେ କହିଲେ, “ଜ୍ୟେଷ୍ଠଭ୍ରାତାଙ୍କର ବନ୍ଧୁଭାବରେ ଆପଣ ମୋ ପ୍ରତି ସଦୟ ହେବେ ମୁଁ ଏକଥା ଜାଣେ । ତେଣୁ ଗୋପନ ଭାବରେ ସମସ୍ତ ବୃତ୍ତାନ୍ତ ଆପଣଙ୍କୁ ଜଣାଇବା ପାଇଁ ଆଜି ଏଠାକୁ ଆପଣଙ୍କର ଅନୁସରଣ କରି ଆସିଅଛି । ଭ୍ରାତା ଓ ପିତା ମୋର ଏ ଅଭିଯୋଗରେ ଆଦୌ ଆସ୍ଥା ସ୍ଥାପନ କରନ୍ତି ନାହିଁ । ସେମାନଙ୍କ ଦୃଢ଼ ଧାରଣା ଦାରୁବର୍ମା ଏପରି ଦୁଃସାହସିକ କାର୍ଯ୍ୟରେ କଦାପି ହସ୍ତକ୍ଷେପ କରିବ ନାହିଁ ।”

 

ମୁଁ ଉତ୍ତର କଲି, “ସୁନ୍ଦରୀ, ମୋତେ ବିଶ୍ୱାସ କର । ମୁଁ ଏକ ଉପାୟ ଚିନ୍ତା କରିଛି । ତଦନୁଯାୟୀ କାର୍ଯ୍ୟ କଲେ ଆମ୍ଭେମାନେ ଅବଶ୍ୟ କୃତକାର୍ଯ୍ୟ ହେବା । ଆଜିଠାରୁ ତୁମ୍ଭଙ୍କୁ କୌଣସି ଯକ୍ଷ ଆଶ୍ରୟ କଲାପରି ଛଳନା କର ଏବଂ ପୁରବାସୀମାନଙ୍କୁ କହ ଯେ, ଯଦି କେହି ପୁରୁଷ ତୁମ ସହିତ ପ୍ରେମସମ୍ପର୍କ ସ୍ଥାପନ କରିବା ପାଇଁ ଲଳାୟିତ ହୁଏ, ତେବେ ଯକ୍ଷ ନିଶ୍ଚୟ ତାହାକୁ ବଧ କରିବ । ଏକଥା ଶୁଣି ଦାରୁବର୍ମା ଯଦି ତାହାର ପାପ ଚେଷ୍ଟାରୁ କ୍ଷାନ୍ତ ହୁଏ ତେବେ ଉତ୍ତମ, ନଚେତ୍ ମୋତେ ଯକ୍ଷ ନାମରେ ଅଭିନୟ କରିବାକୁ ହେବ । ତୁମେ ଜାଣିଥିବ, ଏକ ସପ୍ତାହ ପରେ ରାଜପ୍ରାସାଦରେ ଗୋଟାଏ ମହୋତ୍ସବ ହେବ । ଏଥିରେ ଯୋଗ ଦେବା ପାଇଁ ନଗରର ସମ୍ଭ୍ରାନ୍ତ ରମଣୀ ଓ କନ୍ୟାଗଣ ଆନନ୍ତ୍ରିତ ହେଉଛନ୍ତି । ରାଣୀ ଉଦ୍ୟାନର ଏକ ଅଂଶରେ ଏଥିପାଇଁ ଏକ ସୁସଜ୍ଜିତ ମଣ୍ଡପ ନିର୍ମାଣ କରାଉଛନ୍ତି । ସେ ରାତ୍ରରେ ସେଠାରେ ପାନାହାର ଓ ଆମୋଦ ପ୍ରମୋଦର ବ୍ୟବସ୍ଥା ହେଉଅଛି । ତୁମେ ଦାରୁବର୍ମାକୁ ସୂଚନା ଦିଅ ଯେ ଏହି ରାତ୍ରିରେ ଉଦ୍ୟାନର କୌଣସି ଜନବିହୀନ ପଥରୁ ତୁମକୁ ହସ୍ତଗତ କରିବା ତାହାଙ୍କ ପକ୍ଷରେ ସହଜସାଧ୍ୟ ହେବ । ମୁଁ ସେତେବେଳେ ତୁମର ପରିଚାରିକାର ପରିଧେୟ ଧାରଣା କରି ନିକଟରେ ଥିବି । ତା ପରେ ସେ ତାହାର ଉପଯୁକ୍ତ ପୁରସ୍କାର ପାଇବ ।”

 

ବାଳଚନ୍ଦ୍ରିକା ଆଶ୍ୱସ୍ତ ହୋଇ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ମୁଁ ବନ୍ଧୁପାଳଙ୍କ ନିକଟକୁ ଆସି ଦେଖିଲି ସେ ପ୍ରଫୁଲ୍ଲ ବଦନରେ ମୋ ଆଡ଼କୁ ଆସୁଅଛନ୍ତି । ସେ କହିଲେ, “ପକ୍ଷୀମାନଙ୍କ କଥୋପକଥନରୁ ମୁଁ ବୁଝିପାରିଲି, ଏକ ମାସ ମଧ୍ୟରେ ଆପଣଙ୍କ ବନ୍ଧୁ ଏ ନଗରକୁ ଆଗମନ କରିବେ ।” ଏକଥା ଶୁଣି ମୋହର ଆନନ୍ଦର ସୀମା ରହିଲା ନାହିଁ । ତା ପରେ ଉଭୟେ ସ୍ଵଗୃହାଭିମୁଖରେ ଫେରିଲୁଁ ।

 

ବାଳଚନ୍ଦ୍ରିକା ଗୃହରେ ପ୍ରବେଶ କରି ଯକ୍ଷଦ୍ୱାରା ଆକ୍ରାନ୍ତ ହେଲାପରି ଛଳନା କରି ନାନା ପ୍ରକାର ପ୍ରଳାପ କରିବାକୁ ଲାଗିଲେ ଏବଂ ତା ମଧ୍ୟରେ ମୋହର ଉପଦେଶାନୁଯାୟୀ ଯକ୍ଷକଥା ପ୍ରକାଶ କଲେ । ଏ ଘଟଣାରେ ବନ୍ଧୁପାଳ ବିଶେଷ ବିବ୍ରତ ହୋଇ ମାନ୍ତ୍ରିକମାନଙ୍କର ଅନୁସନ୍ଧାନ କରିବାକୁ ଲାଗିଲେ । କିନ୍ତୁ ଦୁଇ ତିନି ଦିନ ଅନ୍ତେ ବାଳଚନ୍ଦ୍ରିକାଙ୍କ ଅବସ୍ଥା ସ୍ୱତଃ ପରିବର୍ତ୍ତିତ ହୁଅନ୍ତେ ତାହାଙ୍କ ପରିବାରରେ ଶାନ୍ତି ବିରାଜିତ ହେଲା ।

 

ଏ ମଧ୍ୟରେ କୌଶଳକ୍ରମେ ବାଳଚନ୍ଦ୍ରିକାଙ୍କୁ ଉଦ୍ୟାନରୁ ଅପହରଣ କରିବା ପ୍ରସ୍ତାବ ଦାରୁବର୍ମାଙ୍କୁ ସୂଚାଇ ଦିଆଗଲା ।

 

ନିର୍ଦ୍ଦିଷ୍ଟ ଦିବସରେ ବାଳଚନ୍ଦ୍ରିକା ଉତ୍ସବରେ ଯୋଗଦାନ କଲେ । ମୁଁ ପରିଚାରିକା ବେଶରେ ମଣି, ନୂପୁର, ମେଖଳା, କଙ୍କଣ, ବଳା ପ୍ରଭୃତି ଅଳଙ୍କାର ବିଭୂଷିତ ହୋଇ ତାହାଙ୍କ ସହିତ ଉଦ୍ୟାନରେ ପ୍ରବେଶ କଲି । ରାତ୍ରି ଆଗମନ ସଙ୍ଗେ ସଙ୍ଗେ ବହୁବିଧ ଆମୋଦ ପ୍ରମୋଦର ସ୍ରୋତରେ ଆଗନ୍ତୁକ ନରନାରୀବୃନ୍ଦ ଉନ୍ମତ୍ତ ହୋଇପଡ଼ିଲେ । କିନ୍ତୁ ମୁଁ ଏବଂ ବାଳଚନ୍ଦ୍ରିକା ଉଦ୍ୟାନର ଏକ ଅନ୍ଧକାରାଚ୍ଛନ୍ନ ଜନବିରଳ ସ୍ଥାନରେ ଯାଇ ଉପସ୍ଥିତ ହେଲୁ । ବିବେକଶୂନ୍ୟ ଦାରୁବର୍ମା ଆମର ଗତିବିଧି ଲକ୍ଷ୍ୟ କରୁଥାଏ । ସେ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି କାମମଦରେ ଉନ୍ମତ୍ତ ହୋଇ ବାଳଚନ୍ଦ୍ରିକାଙ୍କୁ ଆଲିଙ୍ଗନ କରିବା ପାଇଁ ହସ୍ତ ପ୍ରସାରଣ କଲା । ମୁଁ ନିର୍ଭୟ ଚିତ୍ତରେ ଦାରୁବର୍ମାକୁ ଆକ୍ରମଣ କଲି ଏବଂ ମୁଷ୍ଟି, ଜାନୁ ଓ ପଦାଘାତରେ ତାହାକୁ ନିହତ କଲି ।

 

ବାହୁଯୁଦ୍ଧ ଯୋଗୁଁ ସ୍ଥାନଭ୍ରଷ୍ଟ ଅଳଙ୍କାରଗୁଡ଼ିକ ତତ୍‍କ୍ଷଣାତ୍ ମୁଁ ଯଥାସ୍ଥାନରେ ସନ୍ନିବେଶିତ କରିପକାଇଲି ଏବଂ ସଙ୍ଗେ ସଙ୍ଗେ ଭୟଭୀତ ହରିଣୀ ପରି ଆମେ ଦୁହେଁ ଚିତ୍କାର ସହ ଜନଗହଳ ଅଞ୍ଚଳକୁ ଧାବମାନ ହେଲୁ । ଆମ୍ଭମାନଙ୍କର ଏ ଅବସ୍ଥା ଦେଖି ହଠାତ୍ ଉତ୍ସବର ସ୍ରୋତରେ ଭଟ୍ଟା ପଡ଼ିଗଲା । ସମବେତ ଜନମଣ୍ଡଳୀ ଆମ୍ଭମାନଙ୍କର ଚତୁର୍ଦ୍ଦିଗରେ ପରିବେଷ୍ଟିତ ହୋଇପଡ଼ିଲେ । ବାଳଚନ୍ଦ୍ରିକା ପ୍ରକମ୍ପିତ ଅଙ୍ଗପ୍ରତ୍ୟଙ୍ଗ ଓ ଶ୍ୱାସରୁଦ୍ଧ କଣ୍ଠରେ କହିଲେ ଯେ ଦାରୁବର୍ମା ତାହାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିବାରୁ ଯକ୍ଷ ତାହାଙ୍କୁ ହତ୍ୟା କରିଅଛି । ମୁଁ ମଧ୍ୟ ଅତିରିକ୍ତ ଭୟବିହ୍ୱଳତାର ଛଳନା କରୁଥାଏ । ଆମ୍ଭମାନଙ୍କର ଅବସ୍ଥା ଓ ହାବଭାବରୁ ଘଟଣାଟି ନିରାଟ ସତ୍ୟ ଆକାରରେ ସର୍ବସମକ୍ଷରେ ଗୃହୀତ ହେଲା ।

 

ଆମ୍ଭେମାନେ ଗୃହ ଅଭିମୁଖରେ ପ୍ରତ୍ୟାବୃତ୍ତ ହେଲୁଁ । ମୁଁ ମୋହର ଆବାସକୁ ପ୍ରଚ୍ଛନ୍ନ ଭାବରେ ପଳାୟନ କଲି । ବେଶପରିବର୍ତ୍ତନ ପରେ ଗୃହର ବହିର୍ଭାଗକୁ ଆସି ନିତାନ୍ତ ଅଜ୍ଞବତ୍ ଏ ଘଟଣା ସମ୍ବନ୍ଧେ ବହୁ ବ୍ୟକ୍ତିଙ୍କୁ ଜିଜ୍ଞାସା କରୁ କରୁ ବାଳଚନ୍ଦ୍ରିକାଙ୍କ କୁଶଳ ସମ୍ବାଦ ସଂଗ୍ରହ କରିବା ପାଇଁ ବନ୍ଧୁପାଳଙ୍କ ପ୍ରାସାଦରେ ଉପସ୍ଥିତ ହେଲି ।

 

ଉଜ୍ଜୟିନୀ ନଗରୀ ବହୁ ଦିବସାବଧି ଏ ଭୟାବହ ଘଟନାରେ ଭୀତତ୍ରସ୍ତ ହୋଇପଡ଼ିଲା । ତେଣୁ ଅନ୍ୟ କୌଣସି ଯୁବକ ବାଳଚନ୍ଦ୍ରିକାଙ୍କ ସହିତ ବିବାହପ୍ରସ୍ତାବ ଆଣିବା ତ ଦୂରର କଥା ତାହାଙ୍କ ନାମ ଉଚ୍ଚାରଣ କରିବା ମଧ୍ୟ ବିପଜ୍ଜନକ ମନେ କଲେ । ଫଳରେ ବନ୍ଧୁପାଳଙ୍କର ଆଶଙ୍କା ହେଲା ଯେ ତାହାଙ୍କ ଭଗିନୀକୁ ନିଶ୍ଚୟ ଆଜୀବନ ଅବିବାହିତା ରହିବାକୁ ହେବ । ଏହା ଶୁଣି ମୁଁ ତାହାଙ୍କୁ ସାନ୍ତ୍ୱନା ଦେଇ କହିଲି, “ବନ୍ଧୁବର, ଦୁଃଖିତ ହୁଅ ନାହିଁ, ଏହାର ପ୍ରତିକାର ମୁଁ ଜାଣେ, ମନ୍ତ୍ରଶକ୍ତିଦ୍ୱାରା ବାଳଚନ୍ଦ୍ରିକାଙ୍କଠାରୁ ଯକ୍ଷର ପ୍ରଭାବ ଦୂର କରିଦେଇ ପାରିବି ।”

 

ବନ୍ଧୁପାଳ ମୋହର ପ୍ରସ୍ତାବ ଗ୍ରହଣ କରିବାରୁ ଶୁଭ ଦିବସରେ ବାଳଚନ୍ଦ୍ରିକାଙ୍କୁ ଏକ ଗୃହରେ ଉପବେଶନ କରାଇ ସର୍ବସମକ୍ଷରେ ମୁଁ କେତେକ ଅବୋଧ୍ୟ ମନ୍ତ୍ରୋଚ୍ଚାରଣ କଲି ଏବଂ ସଙ୍ଗେ ସଙ୍ଗେ ତନ୍ତ୍ରଶାସ୍ତ୍ରୋକ୍ତ ବାହ୍ୟାଡ଼ମ୍ବରପୂର୍ଣ୍ଣ କେତେକ ଆନୁଷଙ୍ଗିକ କ୍ରିୟା ଅନୁଷ୍ଠାନ କଲି । ଆନନ୍ଦର କଥା, ମୋହର ଛଳନାପୂର୍ଣ୍ଣ ସାଧନା ଶେଷ ହେବା ପୂର୍ବରୁ ଛଳନାମୂଳକ ଯକ୍ଷ ବାଳଚନ୍ଦ୍ରିକାଙ୍କୁ ପରିତ୍ୟାଗ କରିଥିଲା ଏବଂ ସେ ମୃଦୁ ମଧୁର ହାସ୍ୟଚ୍ଛଟାରେ ପରିଜନମାନଙ୍କର ସନ୍ତୋଷବିଧାନ କରିଥିଲେ ।

 

ଏ ଘଟଣାରେ ବାଳଚନ୍ଦ୍ରିକାଙ୍କର ପିତାମାତା ତଥା ବନ୍ଧୁପାଳ ମୋ ପ୍ରତି କୃତଜ୍ଞତାରେ ଆବଦ୍ଧ ହୋଇପଡ଼ିଲେ । ମୁଁ ଯେ ତାହାଙ୍କର କନ୍ୟାକୁ ସାକ୍ଷାତ ଯକ୍ଷ କବଳରୁ ରକ୍ଷା କରିଅଛି, ଏକଥା ସେମାନେ ସର୍ବ-ସମକ୍ଷରେ ପ୍ରକାଶ କଲେ । ଏହାର କିଛି ଦିନ ପରେ ବାଳଚନ୍ଦ୍ରିକାଙ୍କ ସହିତ ମୋହର ବିବାହପ୍ରସ୍ତାବ ଉଠିଥିଲା ।

 

ବର୍ତ୍ତମାନ ଆମ୍ଭମାନଙ୍କର ବିବାହ ସୁସମ୍ପନ୍ନ ହୋଇଅଛି; କିନ୍ତୁ ଆପଣଙ୍କର ଦର୍ଶନ ନ ପାଇ ବିମଳ ପାରିବାରିକ ସୁଖଭୋଗ ମୋ ପକ୍ଷରେ ବିଷବତ୍ ବୋଧ ହେଉଥିଲା । ଆଜି ତାହା ପୂର୍ଣ୍ଣତା ଲାଭ କରିଅଛି ।”

 

ପୁଷ୍ପୋଦ୍ଭବଙ୍କ କଥା ଶ୍ରବଣ କରି ରାଜବାହନ ଓ ସୋମଦତ୍ତ ବିଶେଷ ଆନନ୍ଦିତ ହେଲେ-। ସେତେବେଳକୁ ଅସ୍ତୋନ୍ମୁଖ ତପନର ଆରକ୍ତ ରଶ୍ମିରଞ୍ଜିତ ଉଜ୍ଜୟିନୀ ନଗରୀ ନବବଧୂର ବଧୁଲି ଅଧର ପରି ରକ୍ତାଭ ହୋଇ ଉଠିଥିଲା । ନୀଡ଼ାଭିମୁଖୀ ବକପଂକ୍ତି ପତନଶୀଳ ମୁକ୍ତାମାଳ ସଦୃଶ ଦୂରବନାନୀର କୃଷ୍ଣଚ୍ଛାୟାତଳେ କେତେବେଳେ ଲୁଚି ଯାଉଥିଲେ ଏବଂ ଆଉ କେତେବେଳେ ସାଗରବକ୍ଷରେ ବାତ୍ୟାନ୍ଦୋଳିତ ଫେନଚୂଡ଼ ତରଙ୍ଗବତ୍ ଝଲସି ଉଠୁଥିଲେ । ନଗରର ଜନକୋଳାହଳ ସହ ଉଦ୍ୟାନର ବିହଗ-କାକଳି ସମ୍ମିଳିତ ହୋଇ ସଙ୍ଗୀତମନ୍ଦିରର ବହୁ ବାଦ୍ୟଯନ୍ତ୍ର ସମୁତ୍‍ଥିତ ସପ୍ତସ୍ଵର ଭଳି ଏକ ବିଚିତ୍ର ରାଗିଣୀ ସୃଷ୍ଟି କରୁଥିଲା । ଆଗତପ୍ରାୟ ବସନ୍ତର ମନ୍ଦ ମଳୟାନିଳ ବନ୍ଧୁତ୍ରୟଙ୍କ ହୃଦୟରେ ନବୀନ ଉତ୍ସାହ ଓ ପ୍ରେରଣା ବିତରଣ କରିଦେଇଗଲା ।

 

ପତ୍ନୀ ଓ ଅନୁଚରମାନଙ୍କ ସହ ସୋମଦତ୍ତ ନିଜ ରାଜ୍ୟକୁ ଫେରିଗଲେ । ଉପଯୁକ୍ତ ସମୟରେ ସେ ଉଜ୍ଜୟିନୀକୁ ଆସି ବନ୍ଧୁଦ୍ୱୟଙ୍କ ସହ ପୁନଃମିଳିତ ହେବା ସ୍ଥିର ହେଲା । ରାଜବାହନ ପୁଷ୍ପୋଦ୍ଭବଙ୍କ ସହ ବାସ କରିବା ନିମିତ୍ତ ତାହାଙ୍କ ପ୍ରାସାଦ ଅଭିମୁଖରେ ଯାତ୍ରା କଲେ ।

Image

 

ବାର

ଅବନ୍ତୀସୁନ୍ଦରୀଙ୍କର ବାସନ୍ତୀପୂଜା

 

କେତେକ ଦିବସ ମଧ୍ୟରେ ରାଜବାହନଙ୍କର ରୂପ, ଗୁଣ ଓ ପାଣ୍ଡିତ୍ୟର ପ୍ରଶଂସା ସମଗ୍ର ଉଜ୍ଜୟିନୀନଗରୀରେ ପ୍ରଚାରିତ ହୋଇଗଲା । ସେ ଜଣେ କୁଳୀନ ବ୍ରାହ୍ମଣ ଯୁବକ ରୂପେ ସର୍ବତ୍ର ପରିଚିତ ହେଲେ । ବନ୍ଧୁପାଳ ପ୍ରଭୃତି ପୁଷ୍ପୋଦ୍ଭବଙ୍କର ଘନିଷ୍ଠ ବନ୍ଧୁଗଣ କେବଳ ତାହାଙ୍କର ପ୍ରକୃତ ପରିଚୟ ପାଇଥିଲେ ।

 

କ୍ରମେ ଋତୁରାଜ ବସନ୍ତର ପୂର୍ଣ୍ଣ ରାଜତ୍ୱ ଧରାପୃଷ୍ଠରେ ପ୍ରତିଷ୍ଠିତ ହେଲା । କ୍ରମେ ଅରଣ୍ୟାନୀର ହରିତାୟମାନ ଶୋଭା–ପୁଷ୍ପିତ ଉଦ୍ୟାନର ନୟନାଭିରାମ ମାଧୁରୀ–କମଳମାଳିନୀ ସ୍ୱଚ୍ଛ ପୁଷ୍କରିଣୀର ହଂସମିଥୁନ କ୍ରୀଡ଼ା ବାୟୁ ବିକ୍ଷୋଭିତ ନଦୀବକ୍ଷର ମୃଦୁ ତରଙ୍ଗ–ଅଶୋକ, ପଲାଶ, ନାଗେଶ୍ୱର ଆଦି ପାଦପ ସକଳର ଦୋଳାୟିତ କୁସୁମସମ୍ଭାର–କୋରକିତ ଲତାକୁଞ୍ଜର ଲୀଳାୟିତ କମ୍ପନ–କୋକିଳକଣ୍ଠ ନିଃସୃତ କୁହୁତାନ–ମଧୁପାନମତ୍ତ ଭ୍ରମରର ମଧୁ ଗୁଞ୍ଜନ–ଦିବସର ସମଶୀତୋଷ୍ଣ ସୌରରଶ୍ମି–ରଜନୀର ସୁଶୀତଳ ଜୋସ୍ନାଜାଳ ଏବଂ ସର୍ବୋପରି କୁସୁମପରିମଳବାହୀ ମଳୟାନିଳର ମାଦକତା ଜଗତରେ ନନ୍ଦନକାନନର ସମ୍ପଦ ବିତରଣ କରି ଯୁବକଯୁବତୀ ହୃଦୟରେ ଭାବାନ୍ତର ଆନୟନ କଲା ।

 

ଏହି ସମୟରେ ଦିନେ ମହାରାଜା ମାନସାରଙ୍କ କନ୍ୟା ସୁକୁମାରୀ ଅବନ୍ତୀସୁନ୍ଦରୀ ଆବାଲ୍ୟସହଚରୀ ବାଳଚନ୍ଦ୍ରିକା ଓ ପୁରବାସିନୀ ଅନ୍ୟାନ୍ୟ ଯୁବତୀଗଣଙ୍କ ସହ ନଗର ପ୍ରାନ୍ତବର୍ତ୍ତୀ ମନୋହର ରାଜଉଦ୍ୟାନରେ ବାସନ୍ତୀ ପୂଜା ଅନୁଷ୍ଠାନ କରିବା ନିମିତ୍ତ ଆଗମନ କଲେ । ସେମାନେ ଗୋଟିଏ ନବମୁକୁଳିତ ରସାଳତରୁ ତଳେ ଉପବେଶନ କରି ଚନ୍ଦନ, କୁସୁମ, ହରିଦ୍ରା, ଅକ୍ଷତ ଓ ଚୀନଦେଶୀୟ ସୂକ୍ଷ୍ମ ସୁକୋମଳ ବସ୍ତ୍ର ପ୍ରଭୃତି ବହୁବିଧ ଉପକରଣ ଏବଂ ନାନାବିଧ ସୁଗନ୍ଧ ଦ୍ରବ୍ୟଦ୍ୱାରା କାମଦେବଙ୍କର ଅର୍ଚ୍ଚନା ସମାପନ କରି ପିଞ୍ଜରାବିମୁକ୍ତ ବିହଙ୍ଗ ପରି କ୍ରୀଡ଼ାକୌତୁକରେ ନିମଜ୍ଜିତ ହେଲେ ।

 

ଏତିକିବେଳେ କନ୍ଦର୍ପତୁଲ୍ୟ ରୂପବାନ୍ ରାଜବାହନ ପ୍ରିୟ ବନ୍ଧୁ ପୁଷ୍ପୋଦ୍ଭବଙ୍କ ସହିତ ପରମରୂପବତୀ ଅବନ୍ତୀସୁନ୍ଦରୀଙ୍କ ଦର୍ଶନଳାଳସା ହୃଦୟରେ ପୋଷଣ କରି ଏହି ଉଦ୍ୟାନ ନିକଟରେ ଭ୍ରମଣ କରୁଥିଲେ । ବାଳଚନ୍ଦ୍ରିକା ସେମାନଙ୍କୁ ଦେଖିପାରି ହସ୍ତସଙ୍କେତଦ୍ୱାରା ନିଃଶଙ୍କ ଚିତ୍ତରେ ନିକଟବର୍ତ୍ତୀ ହେବାପାଇଁ ସୂଚନା ଦେଲେ ।

 

ରାଜବାହନ ଅବନ୍ତୀସୁନ୍ଦରୀଙ୍କର ସମ୍ମୁଖୀନ ହେବାମାତ୍ରେ ତାହାଙ୍କର ଅସାମାନ୍ୟ ରୂପଲାବଣ୍ୟରେ ବିମୋହିତ ହୋଇଗଲେ । ଦରବିକଶିତ କମଳ ଭଳି ଅବନ୍ତୀସୁନ୍ଦରୀଙ୍କ ମୁଖମଣ୍ଡଳ-ଆକର୍ଣ୍ଣବିସ୍ତୃତ ନୟନ ଯୁଗଳ–ଅରୁଣ ରାଗନିନ୍ଦୀ ଅଧର-ସୁସଜ୍ଜିତ ଘନକୃଷ୍ଣ କେଶଦାମ-ମୃଣାଳକୋମଳ ବାହୁଲତା–ତପ୍ତକାଞ୍ଚନଗୌରକାନ୍ତି ତାହାଙ୍କର ମନ ଓ ନୟନକୁ ବନ୍ଦୀ କଲା । ସେ ରାଜକୁମାରୀଙ୍କର ଦୃଷ୍ଟିରେ କଟାକ୍ଷ–ଅଧରରେ ମୃଦୁ ମଧୁର ହାସ-ଗତିରେ ରାଜହଂସୀର ମନ୍ଥରତା–ଅଙ୍ଗ ଭଙ୍ଗୀରେ ଅନିର୍ବଚନୀୟ ସୁଷମା ଅବଲୋକନ କରି ସମ୍ପୂର୍ଣ୍ଣ ଆତ୍ମହରା ହୋଇପଡ଼ିଲେ ।

 

ଏଣେ ରାଜକୁମାରୀ ମଧ୍ୟ ରାଜବାହନଙ୍କ ଅତୁଳନୀୟ ରୂପରେ ବିମୁଗ୍ଧା ହୋଇ ମନ୍ଦବାୟୁବିକମ୍ପିତ ପୁଷ୍ପିତା ଲତାଭଳି ଚଞ୍ଚଳ ହେଲେ । ଲଜ୍ଜା ଓ ଅନୁରାଗର ଅଜ୍ଞାତ ସ୍ପର୍ଶରେ ତାହାଙ୍କର ବଦନ ସ୍ୱତଃ ଆରକ୍ତ, ଅବନତ ତଥା ସଚପଳ ହୋଇଉଠିଲା । ସେ ସଖୀମଣ୍ଡଳୀ ମଧ୍ୟରେ ବିଦ୍ୟୁତ୍ ବେଗରେ ଲୁକ୍କାୟିତ ହୋଇ ଅପାଙ୍ଗ ଦୃଷ୍ଟିରେ ରାଜବାହନଙ୍କ ମୁଖମଣ୍ଡଳରେ ପୌରୁଷର ସଙ୍କେତ–ଆଜାନୁଲମ୍ୱିତ ବାହୁଯୁଗଳରେ ବୀରତ୍ୱର ଆଭାସ–ପ୍ରଶସ୍ତ ବକ୍ଷଦେଶରେ ଅଦମ୍ୟ ସାହସର ସୂଚନା ଏବଂ ସର୍ବାଙ୍ଗରେ ରାଜଲକ୍ଷଣମାନ ପରିଦର୍ଶନ କରି ମନେ ମନେ ଉତ୍‍ଫୁଲ୍ଲ ହେବାକୁ ଲାଗିଲେ । ସେ ଯୁବକଙ୍କର ବିନୟ ନମ୍ର ନୟନଯୁଗଳରେ ସକଳ କଳାକୁଶଳତାର ସଙ୍କେତ–ସ୍ଵଚ୍ଛନ୍ଦ ଗତିରେ ଅତିମାନୁଷର ଲକ୍ଷଣ–ବନ୍ଧୁ ସହ ମିଷ୍ଟାଳାପରେ ପ୍ରତିଭାର ଆଭାସ ପାଇ ତାହାଙ୍କର ଆତ୍ମପରିଚୟ ପାଇବା ନିମିତ୍ତ ଗୋପନରେ ବାଳଚନ୍ଦ୍ରିକାଙ୍କୁ ଜିଜ୍ଞାସା କଲେ ।

 

ବାଳଚନ୍ଦ୍ରିକା ଅତ୍ୟନ୍ତ ବୁଦ୍ଧିମତୀ । ସେ ରାଜବାହନ ଓ ଅବନ୍ତୀସୁନ୍ଦରୀଙ୍କର ଭାବ ଲକ୍ଷ୍ୟ କରି ବୁଝି ପାରିଲେ ଯେ ଉଭୟଙ୍କ ମଧ୍ୟରେ ପ୍ରଥମ ଦର୍ଶନଜନିତ ଅନୁରାଗ ପ୍ରତିଷ୍ଠିତ ହୋଇଅଛି । କିନ୍ତୁ ସଖୀମାନଙ୍କ ସମକ୍ଷରେ ରାଜବାହନଙ୍କର ପ୍ରକୃତ ପରିଚୟ ଦେବା ଉଚିତ ନୁହେ । ତେଣୁ ସେ କହିଲେ, “ରାଜକୁମାରୀ, ଏ ଜଣେ ସକଳ କଳାବିଦ୍ୟାରେ ସୁନିପୁଣ ବ୍ରାହ୍ମଣ ଯୁବକ; ବେଦବିଦ୍ୟା ତଥା ଧନୁର୍ବିଦ୍ୟାରେ ତୁଲ୍ୟ ପାରଦର୍ଶୀ; ମଣି, ମନ୍ତ୍ର ଓ ଭେଷଜ ବିଦ୍ୟାରେ ଦକ୍ଷ; ସୁତରାଂ ତୁମର ପୂଜନୀୟ । ଅତଏବ ତାହାଙ୍କୁ ଯଥାଯୋଗ୍ୟ ଅର୍ଚ୍ଚନା କରିପାର ।”

 

ନିଜ ଅଭିଳାଷର ଅନୁକୂଳ ଉପଦେଶ ପାଇ ରାଜକୁମାରୀ ବ୍ରାହ୍ମଣଙ୍କର ଅର୍ଚ୍ଚନା ନିମିତ୍ତ ଅଗ୍ରସର ହେଲେ । ସେ ସଲଜ୍ଜ ଅସ୍ଫୁଟ ବାକ୍ୟରେ ରାଜବାହନଙ୍କୁ ଆହ୍ୱାନ କରି ମୃଦୁବିକମ୍ପିତ ହସ୍ତରେ ଆସନ ପ୍ରଦାନପୂର୍ବକ ସଖୀହସ୍ତରେ ଅର୍ଘ୍ୟ, ପାଦ୍ୟ, ଆଚମନ, ଗନ୍ଧ, ପୁଷ୍ପ, ଅକ୍ଷତ, କର୍ପୂର, ତାମ୍ମୁଳ ପ୍ରଭୃତି ଦ୍ରବ୍ୟଦ୍ୱାରା ତାହାଙ୍କର ଅଭ୍ୟର୍ଥନା କରିବାକୁ ଲାଗିଲେ ।

 

ରାଜକୁମାରୀଙ୍କ ଦର୍ଶନରେ ରାଜବାହନଙ୍କର ଅକସ୍ମାତ୍ ଚିତ୍ତବିକାର ଓ ଅନୁରାଗ ଜାତ ହୋଇଥିବାରୁ ସେ ଏହାର କାରଣ ନିଜର ଜାତିସ୍ମରଶକ୍ତି ବଳରେ ଚିନ୍ତା କରିବାକୁ ଲାଗିଲେ । ସେ ଜାଣି ପାରିଲେ ଯେ ଅବନ୍ତୀସୁନ୍ଦରୀ ତାହାଙ୍କର ପୂର୍ବଜନ୍ମର ପତ୍ନୀ । ପୂର୍ବଜନ୍ମରେ ଯେଉଁ ତପସ୍ୱୀଙ୍କ ଅଭିଶାପରେ ସେ ଦୁହେଁ ଅଭିଶପ୍ତ, ତାହାଙ୍କ ବାକ୍ୟ ଅନୁଯାୟୀ ଅବନ୍ତୀସୁନ୍ଦସରୀ ମଧ୍ୟ ଜାତିସ୍ମର ହେବାର କଥା । ତେଣୁ ରାଜବାହନ ରାଜକୁମାରୀଙ୍କର ସେହି ଶକ୍ତିକୁ ସଚେତ କରାଇବା ନିମିତ୍ତ ଚେଷ୍ଟିତ ହେଲେ ।

 

ଏହି ସମୟରେ ନିକଟବର୍ତ୍ତୀ ପୁଷ୍କରିଣୀରେ ଗୋଟିଏ ଅତି ସୁନ୍ଦର ରାଜହଂସ ସନ୍ତରଣ କରୁଥିବା ଦେଖି ରଜକୁମାରୀ ତାହାକୁ ଧରି ଆଣିବା ପାଇଁ ବାଳଚନ୍ଦ୍ରିକାଙ୍କୁ ପ୍ରେରଣ କଲେ । ଏହି ସୁଯୋଗରେ ରାଜବାହନ କହିଲେ, “ହେ ରାଜନନ୍ଦିନି, କ୍ରୀଡ଼ାରତ ଏ ସୁନ୍ଦର ରାଜହଂସକୁ ଧରି ଆଣିବା କେବଳ ଅନ୍ୟାୟ ନୁହେ ପାପ ହେବ ମଧ୍ୟ । ଏ ସମ୍ବନ୍ଧେ ମୁଁ ଗୋଟିଏ ଗଳ୍ପ କହୁଅଛି ଶୁଣ–

 

ପୂର୍ବକାଳରେ ଶାମ୍ବ ନାମରେ ଜଣେ ରାଜା ଥିଲେ । ତାହାଙ୍କ ରାଣୀଙ୍କ ନାମ ଯଜ୍ଞବତୀ । ଦିନେ ଉଭୟେ ସରୋବର ନିକଟରେ ବିହାର କରିବା ସମୟରେ ରକ୍ତୋତ୍ପଳ ସମୂହ ମଧ୍ୟରେ ନିଦ୍ରିତ ପ୍ରାୟ ଗୋଟିଏ ରାଜହଂସକୁ ଦେଖି ତାହାକୁ ଧରି ଆଣିଦେବା ପାଇଁ ରାଣୀ ଅନୁରୋଧ କଲେ । ପ୍ରିୟତମା ରାଣୀଙ୍କ ଅନୁରୋଧ ରକ୍ଷା କରି ଶାମ୍ବ ହଂସର ପାଦଯୁଗଳକୁ ମୃଣାଳସୂତ୍ରରେ ବନ୍ଧନ କରି ଆଣିଲେ । କିନ୍ତୁ ସେ ରାଣୀଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ‘ପ୍ରିୟେ, ଏ ହଂସକୁ ଧରିଆଣିବା ପାଇଁ ମୋତେ ଅନୁରୋଧ କରି ଠିକ୍ କରିନାହିଁ । କାରଣ ମୁଁ ଏହାକୁ ବନ୍ଧନ କରିଥିଲେ ମଧ୍ୟ ଯୋଗମଗ୍ନ ମୁନି ପରି ବର୍ତ୍ତମାନ ସୁଦ୍ଧା ଏ ନିଶ୍ଚଳ ରହିଅଛି । ଏଣୁ ମୁଁ ଏହାକୁ ବନ୍ଧନମୁକ୍ତ କରିଦେଉଅଛି ।’

 

ମୁକ୍ତ ହଂସଟି କିଛି ଦୂର ଉଡ଼ିଯାଇ କହିଲା, ‘ହେ ରାଜନ୍, ମୁଁ ଜଣେ ନୈଷ୍ଠିକ ବ୍ରହ୍ମଚାରୀ । ଏହି ପଦ୍ମବନରେ ଧ୍ୟାନମଗ୍ନ ହୋଇ ପରମାନନ୍ଦରେ ଅବସ୍ଥାନ କରୁଥିଲି । ତୁମେ ନିଜେ ଜ୍ଞାନବନ୍ତ ହୋଇ ପତ୍ନୀର ପ୍ରରୋଚନାରେ ମୋହର ଧ୍ୟାନ ଭଙ୍ଗ କରିଅଛ । ସୁତରାଂ ତୁମେ ପତ୍ନୀ ବିଚ୍ଛେଦ ଦୁଃଖ ଭୋଗ କରିବ ।’

 

ଏ କ୍ରୂର ଅଭିଶାପ ଶ୍ରବଣ କରି ଶାମ୍ବଙ୍କର ପ୍ରାଣ ବ୍ୟାକୁଳ ହୋଇ ଉଠିଲା । ପ୍ରିୟତମାର ବିଚ୍ଛେଦ ଚିନ୍ତାରେ ସେ ମର୍ମାହତ ହୋଇ ମୁନିଙ୍କ ପାଦତଳେ ଦଣ୍ଡବତ୍ ପ୍ରଣାମ କରି ସବିନୟ ପ୍ରାର୍ଥନା କଲେ–‘ମହାଭାଗ, ମୁଁ ଅଜ୍ଞାନତାବଶତଃ ଏ ଅପରାଧ କରିଅଛି । ନିଜର ଉଦାରଗୁଣରେ ମାର୍ଜନା କରନ୍ତୁ ।’

 

ଶାମ୍ବଙ୍କର କାକୁତିମିନତି ମୁନିଙ୍କର ହୃଦୟକୁ ଦୟାର୍ବ୍ର କରି ପକାଇଲା । ସେ ଉତ୍ତର କଲେ, ‘ରାଜନ୍, ମୋର ଅଭିଶାପ ବ୍ୟର୍ଥ ହେବ ନାହିଁ । କାରଣ ଏହା ତୁମର ସ୍ୱକୃତ ପାପର ପ୍ରତିଫଳ ମାତ୍ର; କିନ୍ତୁ ଏ ଜନ୍ମରେ ତୁମର ପତ୍ନୀବିଚ୍ଛେଦ ଘଟିବ ନାହିଁ । ପର ଜନ୍ମରେ ଏହି ରମଣୀ ଅନ୍ୟ ଦେହ ଧାରଣ କଲେ, ତୁମେ ଏହାଙ୍କୁ ସହଧର୍ମିଣୀ ରୂପେ ଲାଭକରିବ ଏବଂ ଦୁଇ ମୁହୂର୍ତ୍ତ ଲାଗି ମୋହର ଚରଣଦ୍ୱୟ ଆବଦ୍ଧ କରିଥିବାରୁ ଦୁଇମାସାବଧି ତୁମର ପଦ ଶୃଙ୍ଖଳାବଦ୍ଧ ହୋଇ ସ୍ତ୍ରୀବିରହ ଦୁଃଖ ଭୋଗ କରିବ । ଏହାପରେ ତୁମର ଯଶଃ ସୌରଭମୟ ଜୀବନ ଆରମ୍ଭ ହେବ । ତୁମେ ସମଗ୍ର ଆର୍ଯ୍ୟାବର୍ତ୍ତର ରାଜରାଜେଶ୍ୱର ହୋଇ ସହଧର୍ମିଣୀଙ୍କ ସହ ସୁଖରେ କାଳାତିପାତ କରିବ ।’

 

ଏହା ପରେ ରାଜା ଓ ରାଣୀ ଜାତିସ୍ମର ହେବା ପାଇଁ ବର ପ୍ରଦାନ କରି ମୁନି ସେ ସ୍ଥାନ ପରିତ୍ୟାଗ କଲେ । ସୁତରାଂ ରାଜକୁମାରୀ, ଏ ହଂସକୁ ବନ୍ଦୀ କରିବା ଉଚିତ ନୁହେଁ ।”

 

ରାଜବାହନଙ୍କ କଥା ଶ୍ରବଣ କରି ରାଜକୁମାରୀଙ୍କର ଜାତିସ୍ମରତ୍ୱ ଉଦୟ ହେଲା । ସେ ନିଜର ପୂର୍ବଜନ୍ମ ବୃତ୍ତାନ୍ତ ସ୍ମରଣ କରି ଜାଣି ପାରିଲେ ଯେ ସେ ନିଜେ ଯଜ୍ଞବତୀ ଏବଂ ବ୍ରାହ୍ମଣ ଯୁବକ ଶାମ୍ୱ ଥିଲେ । ତେଣୁ ବର୍ତ୍ତମାନ ହଂସକୁ ବନ୍ଦୀ ନ କରିବା ପାଇଁ ସେ ବାଳଚନ୍ଦ୍ରିକାଙ୍କୁ ନିର୍ଦ୍ଦେଶ ଦେଇ ରାଜବାହନଙ୍କୁ କହିଲେ, ‘‘ହେ ସୁନ୍ଦର, ପୂର୍ବକାଳରେ ରାଜା ଶାମ୍ବ, ପ୍ରିୟତମା ଯଜ୍ଞବତୀଙ୍କ ବାକ୍ୟ ରକ୍ଷା କରିବା ନିମିତ୍ତ ହଂସକୁ ବନ୍ଧନ କରିଥିଲେ । କାରଣ ଜଗତରେ ବିବେକୀ ମଧ୍ୟ ପ୍ରିୟଜନପ୍ରୀତି ଉଦ୍ଦେଶ୍ୟରେ ଅକାର୍ଯ୍ୟ କରିଥାନ୍ତି; ଜାଣି ପାରିଛି ପୂର୍ବଜନ୍ମରେ ମୁଁ ଯଜ୍ଞବତୀ ଥିଲି ଏବଂ ଆପଣ ଶାମ୍ୱ ଥିଲେ । ସେହି ପୂର୍ବ ତପସ୍ୟା ବଳରେ ଏ ଜନ୍ମରେ ମଧ୍ୟ ମୁଁ ଆପଣଙ୍କୁ ପତିଭାବରେ ପାଇ ଧନ୍ୟ ହେବି ।”

 

ଠିକ୍ ଏହି ସମୟରେ ମାଳବରାଜମହିଷୀ ପରିଜନ ପରିବେଷ୍ଟିତା ହୋଇ ଅବନ୍ତୀସୃନ୍ଦରୀଙ୍କର ବାସନ୍ତୀଲୀଳା ଦର୍ଶନ କରିବା ନିମିତ୍ତ ଉଦ୍ୟାନ ମଧ୍ୟରେ ପ୍ରବେଶ କଲେ । ବାଳଚନ୍ଦ୍ରିକା ଦୂରରୁ ଏହା ଦେଖିପାରି ହସ୍ତ ସଙ୍କେତଦ୍ୱାରା ପୁଷ୍ପୋଦ୍ଭବଙ୍କୁ ଜଣାଇଦେବାରୁ ଉଭୟ ବନ୍ଧୁ ଉପବନସ୍ଥ ଘନ ସନ୍ନିବିଷ୍ଟ ଲତାକୁଞ୍ଜ ମଧ୍ୟରେ ଲୁକ୍କାୟିତ ହୋଇଗଲେ ।

 

ରାଜମହିଷୀ କିଛିକ୍ଷଣ ଅବସ୍ଥାନ କରି ସଖୀମାନଙ୍କ ସହିତ ଅବନ୍ତୀ ସୁନ୍ଦରୀଙ୍କର କ୍ରୀଡ଼ାକୌତୁକ ଦେଖି ବିଶେଷ ପ୍ରୀତା ହୋଇଥିଲେ; କିନ୍ତୁ କନ୍ୟାର ଚୂର୍ଣ୍ଣକୁନ୍ତଳ ବିମଣ୍ତିତ ବଦନମଣ୍ଡଳରେ ଅବସାଦର ସାମାନ୍ୟ ଆଭାସ ପାଇ କ୍ରୀଡ଼ା ସାଙ୍ଗ କରି ପ୍ରସାଦକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଉପଦେଶ ଦେଲେ । । ଅଗତ୍ୟା ରାଜକୁମାରୀଙ୍କୁ ଉଦ୍ୟାନ ପରିତ୍ୟାଗ କରିବାକୁ ହେଲା । ସେ ମାତାଙ୍କର ପଶ୍ଚାତ୍‍ଗମନ କଲାବେଳେ ରାଜବାହନ ଲୁକ୍କାୟିତ ଥିବା ସ୍ଥାନର ନିକଟବର୍ତ୍ତୀ ହୁଅନ୍ତେ ସେହି ଦିଗକୁ ବିରହଦୁଃଖ ଛଳ ଛଳ ଚକ୍ଷୁ ଫେରାଇ ପରୋକ୍ଷଭାବରେ ବିଦାୟ ମାଗି କହିଲେ, “ହେ ରାଜହଂସକୁଳତିଳକ, ବିହାର କରିବା ଉଦ୍ଦେଶ୍ୟରେ ତୁମେ ଏ ଉଦ୍ୟାନରେ ପ୍ରବେଶ କରିଥିଲ; କିନ୍ତୁ ମୁଁ ଅସମୟରେ ମାତାଙ୍କ ଆଦେଶ ପାଳନ କରି ତୁମକୁ ତ୍ୟାଗ କରି ଯାଉଅଛି । ମୋର ଏ ବ୍ୟବହାର ତୁମର ଅନୁରାଗରେ ପରିବର୍ତ୍ତନ ଘଟାଇବ ନାହିଁ, ଏହି ଆଶା ପୋଷଣ କରି ରହିଲି ?”

Image

 

ତେର

ଅବନ୍ତୀସୁନ୍ଦରୀଙ୍କର ଐନ୍ଦ୍ରଜାଲିକ ବିବାହ

 

ଏ ଘଟଣା ପରେ ବହୁ ଦିବସାବଧି ରାଜବାହନ ଓ ଅବନ୍ତୀସୁନ୍ଦରୀଙ୍କ ମଧ୍ୟରେ ପୁନଃସାକ୍ଷାତର କୌଣସି ସୁଯୋଗ ମିଳିଲା ନାହିଁ । ଉଭୟେ ମର୍ମନ୍ତୁଦ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ । ରାଜବାହନ କ୍ରମେ ଏତେଦୂର ଅଧୀର ହୋଇପଡ଼ିଲେ ଯେ, ସେ ରାଜପ୍ରତିନିଧିଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଆତ୍ମପରିଚୟ ତଥା ନିଜର ଓ ଅବନ୍ତୀସୁନ୍ଦରୀଙ୍କର ପୂର୍ବଜନ୍ମବୃତ୍ତାନ୍ତ ପ୍ରକାଶ କରି ରାଜକୁମାରୀଙ୍କର ପାଣିପ୍ରାର୍ଥନା କରିବା ପାଇଁ ଆକାଙ୍‍କ୍ଷିତ ହୋଇଉଠିଲେ; କିନ୍ତୁ ପୁଷ୍ପୋଦ୍ଭବ ତାହାଙ୍କୁ ଏଥିରୁ କ୍ଷାନ୍ତ କଲେ । ଏକେ ତ ରାଜପ୍ରତିନିଧି ନିତାନ୍ତ ରୁକ୍ଷ ପ୍ରକୃତିକ ଏବଂ ଅସଚ୍ଚରିତ୍ର ବ୍ୟକ୍ତି, ଦ୍ୱିତୀୟତଃ ମାଳବ ଓ ମଗଧ ରାଜବଂଶ ମଧ୍ୟରେ ଚିରଶତ୍ରୁତା–ଏପରି ଅବସ୍ଥାରେ ରାଜବାହନଙ୍କ ପୂର୍ବଜନ୍ମ ବୃତ୍ତାନ୍ତରେ କିଏ ଅବା ଆସ୍ଥା ସ୍ଥାପନ କରିବ ? ତେଣୁ ପରିସ୍ଥିତି ସ୍ୱତଃ ଅନୁକୂଳ ହେବାଯାଏ ଅପେକ୍ଷା କରିବା ପାଇଁ ସେ ଉପଦେଶ ଦେଲେ ।

 

ଯେଉଁ ଉଦ୍ୟାନରେ ଅବନ୍ତୀସୁନ୍ଦରୀଙ୍କ ସହିତ ସାକ୍ଷାତ ହୋଇଥିଲା, ସେଠାରେ ପ୍ରତ୍ୟହ ଭ୍ରମଣ କରିବା ହିଁ ରାଜବାହନଙ୍କର ଏକମାତ୍ର ସାନ୍ତ୍ୱନା ଥିଲା । ଯେଉଁ ରସାଳ ତରୁତଳେ ରାଜକୁମାରୀ ତାହାଙ୍କର ଅର୍ଚ୍ଚନା କରିଥିଲେ ସେହିଠାରେ ପଦଚାରଣ କରିବା; ଯେଉଁ କୋମଳ ବାଲୁକା ଶଯ୍ୟାରେ ସେ ଅର୍ଦ୍ଧଶାୟିତ ଅବସ୍ଥାରେ କୁସୁମମାଳା ରଚନା କରିଥିଲେ ସେହିଠାରେ ବିଶ୍ରାମ ନେବା; ଯେଉଁ ମାଧବୀ ଲତାକୁଞ୍ଜରୁ ସେ କୁସୁମ ଚୟନ କରିଥିଲେ ତାହାର ଶୋଭା ପୁନଃ ପୁନଃ ଦର୍ଶନ କରିବା; ପ୍ରଥମ ଦର୍ଶନମାତ୍ରେ ସେ ଯେଉଁ ସଚକିତ ଅଙ୍ଗଭଙ୍ଗୀଦ୍ୱାରା ଭାବ ପ୍ରକାଶ କରିଥିଲେ, ତାହା ମାନସପଟରେ କଳ୍ପନା କରିବା ଏବଂ ତାହାଙ୍କଠାରୁ ବିଦାୟ ନେଲାବେଳେ ସେ ଯେଉଁ ମୃଦୁ ମଧୁର ଶ୍ଳେଷୋକ୍ତି ପ୍ରୟୋଗ କରିଥିଲେ, ତାହା ସ୍ମରଣ କରିବାରେ ସେ ଆନନ୍ଦ ଅନୁଭବ କରିବାକୁ ଲାଗିଲେ ସତ୍ୟ, କିନ୍ତୁ କୌଣସିଟିରେ ତୃପ୍ତିଲାଭ କରିପାରିଲେ ନାହିଁ ।

 

ଦିନେ ରାଜବାହନ ସହଚର ପୁଷ୍ପୋଦ୍ଭବଙ୍କ ସହିତ ଏହି ଉଦ୍ୟାନରେ ଭ୍ରମଣ କଲାବେଳେ ଜଣେ ତେଜୀୟାନ୍ ବ୍ରାହ୍ମଣ ସେଠାରେ ଉପସ୍ଥିତ ହେଲେ । ତାହାଙ୍କ ଅଙ୍ଗର ସଂଯତ ପରିଧେୟ, ସ୍କନ୍ଧର ଶୁଭ୍ର ଉପବୀତ, କର୍ଣ୍ଣର ମଣିମୟ ମକର-କୁଣ୍ଡଳ ଓ ନୟନର ଦୀପ୍ତିରୁ ସେ ଯେ ଜଣେ ଅସାଧାରଣ ବିଜ୍ଞ ବ୍ୟକ୍ତି ଏହା ଜଣାଯାଉଥିଲା । ରାଜବାହନ ଓ ପୁଷ୍ପୋଦ୍ଭବ ତାହାଙ୍କୁ ପ୍ରଣାମକରି ତାହାଙ୍କର ପରିଚୟ ଜିଜ୍ଞାସା କରନ୍ତେ ସେ ଆଶୀର୍ବାଦ କରି କହିଲେ, “ମୋହର ନାମ ବିଦ୍ୟେଶ୍ୱର । ମୁଁ ଇନ୍ଦ୍ରଜାଲ ବିଦ୍ୟାରେ ନିପୁଣ । ଏହି ବିଦ୍ୟା ପ୍ରଦର୍ଶନ କରି ରାଜାମାନଙ୍କର ମନୋରଞ୍ଜନ କରିବା ମୋହର ବୃତ୍ତି ।”

 

ତା ପରେ ବ୍ରାହ୍ମଣ ରାଜବାହନଙ୍କୁ ଉଦ୍ଦେଶ୍ୟ କରି ପଚାରିଲେ, “ଆପଣ ବନ୍ଧୁ ସହ ଏପରି ଏକ ମନୋରମ ଉଦ୍ୟାନରେ ଭ୍ରମଣ କଲାବେଳେ ଆପଣଙ୍କର ମୁଖମଣ୍ଡଳ ପାଣ୍ଡୁର ବର୍ଣ୍ଣ ଦେଖା ଯାଉଅଛି କାହିଁକି ?”

 

ଐନ୍ଦ୍ରଜାଲିକର ଶକ୍ତି ଓ ଚାତୁର୍ଯ୍ୟ ସାହାଯ୍ୟରେ ହୁଏତ ରାଜବାହନଙ୍କର ଉଦ୍ଦେଶ୍ୟ ସାଧନ ସହଜସାଧ୍ୟ ହୋଇପାରେ, ଏହି ଆଶାରେ ପୁଷ୍ପୋଦ୍ଭବ ନିଜ ବନ୍ଧୁଙ୍କର ପ୍ରକୃତ ପରିଚୟ ଦେଇ ଅବନ୍ତୀସୁନ୍ଦରୀଙ୍କ ସହିତ ତାହାଙ୍କର ଅନୁରାଗ ପ୍ରସଙ୍ଗ ଏବଂ ସେମାନଙ୍କର ଭବିଷ୍ୟତମିଳନରେ ଯେ ସମସ୍ତ ବାଧା ବିଦ୍ୟମାନ, ତାହା ବର୍ଣ୍ଣନା କଲେ ।

 

ଏ କଥା ଶୁଣି ବିଦ୍ୟେଶ୍ୱର ଈଷତ୍ ହାସ୍ୟ କରି ରାଜବାହନଙ୍କୁ ଉଦ୍ଦେଶ୍ୟ କରି କହିଲେ, “ପ୍ରଭୁ, ମୁଁ ଆପଣଙ୍କର ଅନୁଚର ମାତ୍ର । ମୁଁ ଉପସ୍ଥିତ ଥିଲାବେଳେ ଆପଣଙ୍କ ପକ୍ଷେ କୌଣସି କାର୍ଯ୍ୟ ଅସାଧ୍ୟ ନୁହେ । ମୁଁ ଇନ୍ଦ୍ରଜାଲ ବିଦ୍ୟାଦ୍ୱାରା ମାଳବ ରାଜା ତଥା ପୁରବାସୀମାନଙ୍କୁ ସମ୍ମୋହିତ କରି ସର୍ବସମକ୍ଷରେ ରାଜକନ୍ୟାଙ୍କ ସହିତ ଆପଣଙ୍କର ବିବାହକ୍ରିୟା ସମ୍ପନ୍ନ କରିଦେବି । ରାଜକୁମାରୀଙ୍କର କୌଣସି ସହଚରୀଦ୍ୱାରା ଯଦି ଆପଣ ଏ ବୃତ୍ତାନ୍ତ ପୂର୍ବରୁ ତାହାଙ୍କ ନିକଟକୁ ପ୍ରେରଣ କରିପାରନ୍ତି, ତେବେ ମୋହର କାର୍ଯ୍ୟ ଅତ୍ୟନ୍ତ ସହଜସାଧ୍ୟ ହୋଇ ପାରନ୍ତା ।”

 

ଐନ୍ଦ୍ରଜାଲିକର ଆଶ୍ୱାସନାପୂର୍ଣ୍ଣ ବାକ୍ୟରେ ଅତ୍ୟନ୍ତ ଆଶ୍ୱାସିତ ହୋଇ ରାଜବାହନ ଏଥିରେ ସମ୍ମତି ଜଣାଇଲେ । ସୁତରାଂ ବିଦ୍ୟେଶ୍ୱର ଗୋଟିଏ କର୍ମଯୋଜନା ପ୍ରସ୍ତୁତ କରି ପରଦିବସ ପ୍ରତ୍ୟୁଷରୁ ପ୍ରତ୍ୟେକେ ତଦନୁଯାୟୀ ପ୍ରସ୍ତୁତ ରହିବା ପାଇଁ ଉପଦେଶ ଦେଇ ବିଦାୟ ନେଲେ ।

 

ଉଭୟ ବନ୍ଧୁ ନଗର ମଧ୍ୟକୁ ଫେରି ଆସିଲେ । ସେମାନେ ପ୍ରଥମେ ବାଳଚନ୍ଦ୍ରିକାଙ୍କଦ୍ୱାରା ଏ ସମ୍ବାଦ ଏବଂ ରାଜକୁମାରୀଙ୍କ କର୍ତ୍ତବ୍ୟ ସମ୍ୱନ୍ଧେ ସ୍ପଷ୍ଟ ସୂଚନା ତାହାଙ୍କ ନିକଟକୁ ପ୍ରେରଣ କଲେ-

 

ପରଦିବସ ଅତି ପ୍ରଭାତରୁ ବିଦ୍ୟେଶ୍ୱର ବହୁମୂଲ୍ୟ ବସ୍ତ୍ର ଓ ଅଳଙ୍କାର ଭୂଷିତ ହୋଇ, ବହୁ ଶିଷ୍ୟ ଓ ପରିଜନ ପରିବେଷ୍ଟିତ ହୋଇ ରାଜଦ୍ୱାରରେ ଉପସ୍ଥିତ ହେଲେ । ଦ୍ଵାରପାଳଗଣ ଐନ୍ଦ୍ରଜାଲିକଙ୍କ ଆଗମନ ସମ୍ବାଦ ରାଜାଙ୍କ ନିକଟରେ ଦେବାମାତ୍ରେ ରାଜା ମାନସାର ରାଜପ୍ରତିନିଧି ଚଣ୍ଡବର୍ମା, ପାରିଷଦବର୍ଗ ଏବଂ ଅନ୍ତଃପୁରର ରମଣୀମାନଙ୍କ ସହିତ ସୁସଜ୍ଜିତ ନାଟ୍ୟମନ୍ଦିରକୁ ଆଗମନ କରି ବିଦ୍ୟା ପ୍ରଦର୍ଶନ କରାଇବା ନିମିତ୍ତ ବିଦ୍ୟେଶ୍ୱରଙ୍କୁ ଆଦେଶ ପ୍ରଦାନ କଲେ ।

 

ଅନୁମତି ପାଇ ବିଦ୍ୟେଶ୍ୱର ଅନୁଚରମାନଙ୍କର ସହିତ ନାଟ୍ୟ-ମନ୍ଦିରରେ ପ୍ରବେଶ କଲେ-। ପ୍ରଥମେ ବହୁବିଧ ବାଦ୍ୟ ଯନ୍ତ୍ର ସହ କେତେକ ରୂପବତୀ ଯୁବତୀ ରାଗରାଗିଣୀଯୁକ୍ତ ସଙ୍ଗୀତ ଗାନ କରି ଦର୍ଶକମାନଙ୍କର ମନୋରଞ୍ଜନ କରୁ କରୁ ଐନ୍ଦ୍ରଜାଲିକ ମଣ୍ଡଳ ମଧ୍ୟରେ ଦଣ୍ଡାୟମାନ ହୋଇ ମୟୁରପୁଚ୍ଛଯୁକ୍ତ ଚାମର ପରିଚାଳନାପୂର୍ବକ ରାଜା ମାନସାର ତଥା ଦର୍ଶକ ମଣ୍ଡଳୀର ଚକ୍ଷୁ ସମ୍ମୋହିତ କରି ପକାଇଲେ । ତାପରେ ସେ ସ୍ଥିରଭାବରେ ଅବସ୍ଥାନ କରି ଅସ୍ପଷ୍ଟ ମନ୍ତ୍ରୋଚ୍ଚାରଣ କରନ୍ତେ ସହସା ଫଣାଯୁକ୍ତ ଶତ ଶତ ସର୍ପ ତୀବ୍ର ବିଷୋଦ୍‍ଗୀରଣ କରି ମଣ୍ଡଳ ମଧ୍ୟରେ ଇତସ୍ତତଃ ବିଚରଣ କରିବାକୁ ଲାଗିଲେ । ଏ ଦୃଶ୍ୟରେ ସମଗ୍ର ନାଟ୍ୟମନ୍ଦିର ଭୀତତ୍ରସ୍ତ ଓ କୋଳାହଳପୂର୍ଣ୍ଣ ହୋଇଉଠିଲା । ଫୁତ୍କାର ସହ ସର୍ପଗୁଡ଼ିକ କ୍ରମେ ଦର୍ଶକମାନଙ୍କର ଖୁବ୍ ନିକଟବର୍ତ୍ତୀ ହେବାକୁ ଲାଗିଲେ । ଏତିକିବେଳେ କେଉଁ ଅଜ୍ଞାତ ସ୍ଥାନରୁ ଅସଂଖ୍ୟ ଗୃଧ୍ରପକ୍ଷୀ ଲମ୍ଫପ୍ରଦାନ କରିବାର ଦେଖାଗଲା ଏବଂ ପ୍ରତ୍ୟେକ ପକ୍ଷୀ ଚଞ୍ଚୁ ଫୁଟରେ ଗୋଟିଏ ଗୋଟିଏ ସର୍ପ ଧରି ଆକାଶମାର୍ଗକୁ ଉଡ଼ିଗଲେ । କ୍ଷଣକ ମଧ୍ୟରେ ବିସ୍ମୟମୁଗ୍ଧ ନାଟ୍ୟମନ୍ଦିର ନିସ୍ତବ୍ଧ ଓ ଆଶ୍ୱସ୍ତ ହୋଇପଡ଼ିଲା ।

 

ଏହାପରେ ଦ୍ୱିତୀୟ ଦୃଶ୍ୟର ଆରମ୍ଭ ହେଲା । ବିଦ୍ୟେଶ୍ୱର ଦ୍ୱିତୀୟବାର ମନ୍ତ୍ରୋଚ୍ଚାରଣ କରିବା ମାତ୍ରେ ଦର୍ଶକମାନଙ୍କ ସମକ୍ଷରେ ଏକ ପୌରାଣିକ ଘଟଣା ପ୍ରତିଭାତ ହେଲା । ଦୈତ୍ୟରାଜ ହିରଣ୍ୟକଶିପୁ ସମ୍ମୁଖରେ ନବନୀତ କୋମଳ ଶିଶୁ ପ୍ରହ୍ଲାଦ ଦଣ୍ଡାୟମାନ । ଦୈତ୍ୟର ପଦାଘାତରେ ସ୍ତମ୍ଭମଧ୍ୟରୁ ନରସିଂହରୂପୀ ଭଗବାନ୍‍ଙ୍କର ଆବିର୍ଭାବ । କରାଳ ଚକ୍ଷୁ ! ବିକଟାଳ ବଦନ ! ବିଦ୍ୟୁତ କାନ୍ତିଯୁକ୍ତ କେଶର ! ମେଘ-ମନ୍ଦ୍ର ହାସ୍ୟରୋଳ ! ଜଗତର ପ୍ରତି ରନ୍ଧ୍ର ପ୍ରକମ୍ପିତ ହୋଇଉଠିଲା । ଓଃ କି ଭୀଷଣ ଦୃଶ୍ୟ ! କି ବିଶାଳ ସେ ମୁଖବ୍ୟାଦାନ ! ଗ୍ରହପୁଞ୍ଜ ସହ ବିରାଟ ବିଶ୍ୱ ଯେପରି ତନ୍ମଧ୍ୟକୁ ଆକର୍ଷିତ ହୋଇପଡ଼ୁଛି ! ପର-ମୁହୂର୍ତ୍ତରେ ହିରଣ୍ୟ କଶିପୁର ବକ୍ଷ-ବିଦାରଣ । ଦର୍ଶକବୃନ୍ଦଙ୍କ ଚକ୍ଷୁ ସ୍ୱତଃ ମୁଦ୍ରିତ, ହୃଦୟ ସ୍ତବ୍ଧ, ପ୍ରାଣ ଆତ୍ମଜ୍ଞାନଶୂନ୍ୟ ହୋଇପଡ଼ିଲା; ଭୀତି ଓ ଭକ୍ତିର ବାତ୍ୟା ମଧ୍ୟରେ ପ୍ରତ୍ୟେକଙ୍କର ହୃଦୟ-ତନ୍ତ୍ରୀ ପରମାଣୁବତ୍ ଦିଗଦିଗନ୍ତରେ ବିକ୍ଷିପ୍ତ ହେଲାପରି ବୋଧ ହେଲା ।

 

ଏହାପରେ ବିଦ୍ୟେଶ୍ୱର ମାନସାରଙ୍କୁ ସମ୍ବୋଧନ କରି କହିଲେ, “ମହାରାଜ, ଅତୀତର ଦୁଇଟି ଭୟାବହ ଘଟଣା ପରେ ଭବିଷ୍ୟତରେ ଆପଣଙ୍କର ମଙ୍ଗଳଜନକ ଗୋଟିଏ ମନୋରମ ଦୃଶ୍ୟ ଦେଖାଇବା ଉଚିତ ମନେକରେ । ଅନୁମତି ଦେଲେ, ଆପଣଙ୍କ କନ୍ୟା ସଦୃଶ କୌଣସି ଯୁବତୀ ସହିତ ସକଳ ସୁଲକ୍ଷଣସମ୍ପନ୍ନ କୌଣସି ରାଜପୁତ୍ରଙ୍କର ଶୁଭ ବିବାହ ଦୃଶ୍ୟ ଦେଖାଇବି।”

 

ବୃଦ୍ଧ ରାଜା ହୃଦୟର ଏ ନିତ୍ୟ ଅଭିଳଷିତ ଦୃଶ୍ୟ ସନ୍ଦର୍ଶନ କରିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କଲେ ଏବଂ ଦର୍ଶକବୃନ୍ଦ ଏ ସମସ୍ତ ଘଟଣା ଯେ କେବଳ ଐନ୍ଦ୍ରଜାଲିକ ମାୟାପୂର୍ଣ୍ଣ, ଏହି ଧାରଣାର ବଶବର୍ତ୍ତୀ ହୋଇ ଅତ୍ୟନ୍ତ ଆମୋଦ ବୋଧ କରିବାକୁ ଲାଗିଲେ ।

 

ଏହି ସମୟରେ ବିଦ୍ୟେଶ୍ୱର ସକଳ ପ୍ରକାର ବୈବାହିକ ଆଚାର ଅନୁଷ୍ଠାନ କରିବାକୁ ଲାଗିଲେ । ହୋମାଗ୍ନି ସଂଯୋଜିତ ହେବାମାତ୍ରେ ମନ୍ଦିରଟି ସୁଗନ୍ଧିଯୁକ୍ତ ଧୂମପଟଳରେ ଅନ୍ଧକାରାଚ୍ଛନ୍ନ ହୋଇଗଲା । ରାଜକୁମାରୀ ନିଜ ମାତାଙ୍କ ନିକଟରେ ଉତ୍କଣ୍ଠାପୂର୍ଣ୍ଣ ହୃଦୟରେ ବାଳଚନ୍ଦ୍ରିକାଙ୍କ ସହ ଦଣ୍ଡାୟମାନ ହୋଇଥିଲେ । ଉପଯୁକ୍ତ ମୁହୂର୍ତ୍ତରେ ଲଜ୍ଜା ଓ ଭୟ ପରିତ୍ୟାଗ କରି ଗୁରୁଜନମାନଙ୍କ ସମ୍ମୁଖରେ ଛଳନାମୂଳକ ପ୍ରକୃତ ବିବାହରେ ଯୋଗ ଦେବାକୁ ହେବ, ଏହି ଚିନ୍ତାରେ ସେ ମ୍ରିୟମାଣା ହୋଇପଡ଼ିଥିଲେ । କିନ୍ତୁ ଧୂମପଟଳର ସୁଯୋଗ ପାଇ ବାଳଚନ୍ଦ୍ରିକା ତାହାଙ୍କୁ ଐନ୍ଦ୍ରିଜାଲିକର ମଣ୍ଡଳ ମଧ୍ୟକୁ ଠେଲିଦେଲେ । ଏବେ ବିଦ୍ୟେଶ୍ୱରଙ୍କ ଶିଷ୍ୟବର୍ଗମଧ୍ୟରୁ ଗୁପ୍ତବେଶଧାରୀ ରାଜବାହନ ମଧ୍ୟ ଉପସ୍ଥିତ । ସହସା ମଣ୍ଡଳ ମଧ୍ୟରେ ଦିବ୍ୟ ଆଲୋକ ଉଦ୍ଭାସିତ ହୋଇଉଠିଲା । କି ବିସ୍ମୟକର ବ୍ୟାପାର ! ଆଲୋକ ମଧ୍ୟରେ ଅଷ୍ଟାଦଶ ଦେବତା ଯଥୋପଯୁକ୍ତ ଆସନରେ ଉପବିଷ୍ଟ । ଏକ ପାର୍ଶ୍ୱରେ ବ୍ରାହ୍ମଣବୃନ୍ଦ ମନ୍ତ୍ରୋଚ୍ଚାରଣରେ ନିଯୁକ୍ତ, ମଧ୍ୟରେ ହୋମକୁଣ୍ଡଳ, ସମ୍ମୁଖରେ ଗ୍ରଥିତହସ୍ତ ଅବନ୍ତୀସୁନ୍ଦରୀ ଏବଂ ରାଜକୁମାର ବରକନ୍ୟା ବେଶରେ ସମାସୀନ ।

 

ହସ୍ତଗନ୍ଥି ପରେ ବିବାହବିଧି ସମାପ୍ତ ହେଲା । ସଙ୍ଗେ ସଙ୍ଗେ ବିଦ୍ୟେଶ୍ୱର ଦଣ୍ଡାୟମାନ ହୋଇ ଦେବତାମାନଙ୍କୁ ସମ୍ବୋଧନ କରି କହିଲେ, “ହେ ଆହୂତ ଦେବତାଗଣ, ଶୁଭ ହସ୍ତଗ୍ରନ୍ଥି ବିଧି ବାସ୍ତବରେ ଅତି ଉତ୍ତମ ଭାବରେ ସମାହିତ ହୋଇଅଛି । ଆପଣମାନେ ବର୍ତ୍ତମାନ ସ୍ୱ ସ୍ୱ ସ୍ଥାନକୁ ପ୍ରତ୍ୟାବୃତ୍ତ ହୁଅନ୍ତୁ ।”

 

ହଠାତ୍ ମନ୍ଦିରଟି ପୁଣି ଧୂମରାଶିରେ ପୂର୍ଣ୍ଣ ହୋଇଗଲା ଏବଂ ଏହି ଅବସରରେ ରାଜବାହନ ଏବଂ ଅବନ୍ତୀସୁନ୍ଦରୀ ଅଲକ୍ଷ୍ୟରେ ନିଜ ନିଜ ସ୍ଥାନକୁ ଫେରିଗଲେ ।

 

ବିସ୍ମିତ ଓ ସ୍ତମ୍ଭୀଭୂତ ଦର୍ଶକମଣ୍ଡଳୀର ସମ୍ମୋହିତ ଅବସ୍ଥା ଦୂର ହେଲା । ପ୍ରତ୍ୟେକ ବିଦ୍ୟେଶ୍ୱରଙ୍କ ଅଭୂତପୂର୍ବ ଶକ୍ତିର ବହୁ ପ୍ରଶଂସା କରିବାକୁ ଲାଗିଲେ । ରାଜା ସ୍ୱୀୟ କନ୍ୟାର ଭାବୀ ମଙ୍ଗଳବିଧାନ ସ୍ଵଚକ୍ଷୁରେ ଦେଖି ଆଶାତିରିକ୍ତ ମୁଗ୍ଧ ହୋଇଯାଇଥିଲେ । ସେ ସଙ୍ଗେ ସଙ୍ଗେ ଐନ୍ଦ୍ରଜାଲିକଙ୍କୁ ବହୁ ଧନରତ୍ନ ପୁରସ୍କାର ଦେଇ ବିଦାୟ ଦେଲେ ।

Image

 

ଚଉଦ

ବନ୍ଦୀ ରାଜବାହନ

 

ବୀରଶେଖର ଇକ୍ଷ୍ୱାକୁ ବଂଶୀୟ ରାଜା । ସେ ଉଜ୍ଜୟିନୀର ରାଜା ଦର୍ପସାରଙ୍କର ଅନ୍ତରଙ୍ଗ ବନ୍ଧୁ । ଦର୍ପସାର ପ୍ରତିଜ୍ଞା କରିଥିଲେ ଯେ ବୀରଶେଖରଙ୍କ ସହିତ ନିଜ ଭଗିନୀ ଅବନ୍ତୀସୁନ୍ଦରୀଙ୍କୁ ବିବାହ ଦେବେ । କିନ୍ତୁ କିଛିଦିନ ପରେ ସେ ହିମାଳୟରେ ତପସ୍ୟା କରିବା ନିମିତ୍ତ ଚାଲିଗଲେ । ବୀରଶେଖର ଜଣେ ବିଦ୍ୟାଧରଙ୍କର ପ୍ରପୌତ୍ର । ତାଙ୍କଠାରେ କେତେକ ଦୈବୀ ଶକ୍ତି ଥିଲା । ତାହାରି ବଳରେ ସେ ଜାଣି ପାରିଥିଲେ ଯେ ଦର୍ପସାର ସମଗ୍ର ଆର୍ଯ୍ୟାବର୍ତ୍ତର ଅଧୀଶ୍ୱର ହେବା ନିମନ୍ତେ ଯେଉଁ ତପସ୍ୟା କରୁଛନ୍ତି ତାହା ସମ୍ପୂର୍ଣ୍ଣ ହେବା ବହୁ ସମୟସାପେକ୍ଷ । ତେଣୁ ତାହାଙ୍କର ବିବାହ ଯଥାଶୀଘ୍ର ସମ୍ପନ୍ନ କରିଦେବା ପାଇଁ ସେ ଦର୍ପସାରଙ୍କୁ ଅନୁରୋଧ କଲେ । ଏଥିରେ ସ୍ୱୀକୃତ ହୋଇ ଦର୍ପସାର ନିଜର ପ୍ରତିନିଧି ଚଣ୍ଡବର୍ମାଙ୍କ ନିକଟକୁ ଗୋଟିଏ ଆଦେଶପତ୍ର ପ୍ରେରଣ କଲେ ।

 

ଚଣ୍ଡବର୍ମା ଆଦେଶପତ୍ର ପାଇ ବୀରଶେଖରଙ୍କୁ ବିଶେଷ ଆଦର ସହକାରେ ଗ୍ରହଣ କଲେ । ବୃଦ୍ଧ ରାଜାରାଣୀ ମଧ୍ୟ ତାହାଙ୍କଠାରେ ଅତ୍ୟନ୍ତ ପ୍ରୀତ ହୋଇ ନିଜ କନ୍ୟା ସହିତ ବିବାହପ୍ରସ୍ତାବରେ ସମ୍ମତି ଜଣାଇଲେ । କିନ୍ତୁ ଅବନ୍ତୀସୁନ୍ଦରୀ ଏଥିରେ ମର୍ମାହତ ହୋଇ ଘୋର ଅମତ ପ୍ରକାଶ କଲେ । ତାହାଙ୍କ ନିକଟରେ ସକଳ ପ୍ରକାର ଯୁକ୍ତି ଓ ଭୀତି ପ୍ରଦର୍ଶନ ନିଷ୍ଫଳ ହେଲା । ଏହାର କାରଣ କେହି ଅନୁମାନ କରି ପାରିଲେ ନାହିଁ । ଶେଷରେ ତାହାଙ୍କ ଇଚ୍ଛା ବିରୁଦ୍ଧରେ ମଧ୍ୟ ବିବାହ ଦେବା ନିମିତ୍ତ ଚଣ୍ଡବର୍ମା ନିଷ୍ପତ୍ତି କଲେ । ଏ ଘଟଣାରେ ବୀରଶେଖର ପ୍ରଥମେ ସନ୍ଦେହ କଲେ ଯେ ରାଜକୁମାରୀ ହୁଏତ ଅନ୍ୟ କାହା ସହିତ ଗୁପ୍ତ ପ୍ରଣୟରେ ଆସକ୍ତା ଥିବେ । ପରେ ଐନ୍ଦ୍ରଜାଲିକ ବିବାହ ଘଟଣା ଅବଗତ ହେବାମାତ୍ରେ ସେ ସ୍ପଷ୍ଟ ବୁଝିପାରିଲେ ଯେ ଛଳନାପୂର୍ଣ୍ଣ ଐନ୍ଦ୍ରଜାଲିକ କ୍ରୀଡ଼ା ମଧ୍ୟରେ ପ୍ରଚ୍ଛନ୍ନ ବେଶଧାରୀ କୌଣସି ରାଜପୁତ୍ର ବା ବୀରପୁରୁଷ ସହିତ ତାହାଙ୍କର ପ୍ରକୃତ ବିବାହ ହୋଇଯାଇଛି । ସେ ନିଜର ଶକ୍ତିବଳରେ ଚିନ୍ତା କରି ଦେଖିଲେ, ପୁଷ୍ପୋଦ୍ଭବଙ୍କ ବନ୍ଧୁ ବ୍ରାହ୍ମଣ ଯୁବକ ହିଁ ସେହି ବ୍ୟକ୍ତି । ସେ ଏହାର ପ୍ରତିଶୋଧ ନେବା ପାଇଁ ବଦ୍ଧପରିକର ହେଲେ । ସେହି ଦିନ ରାତ୍ରିକାଳରେ ସେ ପୁଷ୍ପୋଦ୍ଭବଙ୍କ ପ୍ରାସାଦ ମଧ୍ୟରେ ଗୁପ୍ତ ଭାବରେ ପ୍ରବେଶ କରି ଏକ ରୌପ୍ୟ ଶୃଙ୍ଖଳଦ୍ୱାରା ରାଜବାହନଙ୍କ ପଦ ଦୁଇଟିକୁ ଆବଦ୍ଧ କରିଦେଲେ । ଏହି ଶୃଙ୍ଖଳାର ଏକ ବିଚିତ୍ର ଗୁଣ ଥିଲା । ଏ ଶୃଙ୍ଖଳଦ୍ୱାରା ଆବଦ୍ଧ ବ୍ୟକ୍ତିକୁ ଜଗତର କୌଣସି ଶକ୍ତି ମୁକ୍ତ କରି ପାରିବ ନାହିଁ । ବୀରଶେଖର ଏକ ବିଶେଷ ଘଟଣାରେ ତାହା ପାଇଥିଲେ ଏବଂ ସେ ଜାଣିଥିଲେ ଯେ ଜଣେ ଗନ୍ଧର୍ବ କନ୍ୟା କୌଣସି ତପସ୍ୱୀଙ୍କ ଅଭିଶାପରେ ଏ ଶୃଙ୍ଖଳରେ ପରିଣତ ହୋଇଛି । ଆଉ ମଧ୍ୟ ତାହାଙ୍କର ଧାରଣା ଥିଲା ଯେ ଏ ଅଭିଶାପ ନିଶ୍ଚୟ ଦୀର୍ଘକାଳ ସ୍ଥାୟୀ ହେବ । ସୁତରାଂ ରାଜବାହନ ଯେ ବହୁକାଳାବଧି ଏହି ଭାବରେ ବନ୍ଦୀ ହୋଇ ଅକର୍ମଣ୍ୟ ତଥା ଜନସାଧାରଣଙ୍କର ଉପହାସର ପାତ୍ର ହେବେ, ଏଥିରେ ତାହାଙ୍କର ସନ୍ଦେହ ରହିଲା ନାହିଁ ।

 

ପର ଦିବସ ପ୍ରଭାତରେ ବୀରଶେଖର ଚଣ୍ଡବର୍ମାଙ୍କ ନିକଟକୁ ଯାଇ ଗତ ରାତ୍ରିରେ ସେ ଏକ ବିଚିତ୍ର ସ୍ୱପ୍ନ ଦେଖିଥିବା କଥା କହିଲେ । ସ୍ୱପ୍ନରୁ ତାହାଙ୍କର ଅନୁମାନ ହେଲା, ଅବନ୍ତୀସୁନ୍ଦରୀ ଗୁପ୍ତ ଭାବରେ ଅଥଚ ରାଜଦରବାର ସମ୍ମୁଖରେ କୌଣସି ଜଣେ ଅଜ୍ଞାତ ବ୍ୟକ୍ତିକୁ ବିବାହ କରିଛନ୍ତି-। ସେ ବ୍ୟକ୍ତି ବର୍ତ୍ତମାନ ରାଜଧାନୀର କୌଣସି ସ୍ଥାନରେ ଅବସ୍ଥାନ କରୁଅଛନ୍ତି । ତାହାର ପାଦ ଦୁଇଟି ଏକ ରୌପ୍ୟ ଶୃଙ୍ଖଳଦ୍ୱାରା ଆବଦ୍ଧ ହୋଇପଡ଼ିଛି । ଏ କଥା ଶୁଣି ଐନ୍ଦ୍ରଜାଲିକ ବିବାହ କଥା ଚଣ୍ଡବର୍ମାଙ୍କ ମାନସପଟରେ ବିଦ୍ୟୁତ୍ ରେଖା ଭଳି ଖେଳିଗଲା । ବର୍ତ୍ତମାନ ସେ ବୁଝି ପାରିଲେ ଐନ୍ଦ୍ରଜାଲିକ ବିବାହ ଛଳନାମୂଳକ ନୁହେ, ସତ୍ୟ ଘଟଣା। । ତେଣୁ ସେହି ମୁହୂର୍ତ୍ତରେ ରୌପ୍ୟ ଶୃଙ୍ଖଳଦ୍ୱାରା ଆବଦ୍ଧ ଯୁବକର ତଥ୍ୟ ସଂଗ୍ରହ କରିବା ପାଇଁ ସେ ନଗର ମଧ୍ୟକୁ ଗୁପ୍ତଚର ପ୍ରେରଣ କଲେ ।

 

ପୁଷ୍ପୋଦ୍ଭବଙ୍କ ବ୍ରାହ୍ମଣବନ୍ଧୁ ଗତ ରାତ୍ରିରୁ ଏକ ବିଚିତ୍ର ରୌପ୍ୟ ଶୃଙ୍ଖଳଦ୍ୱାରା ଆବଦ୍ଧ ହୋଇପଡ଼ିଥିବା କଥା ସେତେବେଳକୁ ସହରରେ ରାଷ୍ଟ୍ର ହୋଇଯାଇଥିଲା । ଦୂତଗଣ ଅତି ଅନାୟାସରେ ଏ ସମ୍ବାଦ ନେଇ ଚଣ୍ଡବର୍ମାଙ୍କ ନିକଟକୁ ଫେରିଲେ । ଦୂତମୁଖରୁ ପ୍ରକୃତ ସମ୍ବାଦ ପାଇ ଏବଂ ଏ ଷଡ଼ଯନ୍ତ୍ରମୂଳକ ଐନ୍ଦ୍ରିଜାଲିକ ବିବାହକାଳୀନ ସମସ୍ତ ଘଟଣା ସ୍ମରଣ କରି ଚଣ୍ତବର୍ମା ପ୍ରଚଣ୍ଡ ହୋଇଉଠିଲେ । ସେ ସଙ୍ଗେ ସଙ୍ଗେ ଘୋଷଣା କଲେ ଯେ ଷଡ଼ଯନ୍ତ୍ରକାରୀକୁ ପ୍ରାଣଦଣ୍ଡ ଦିଆଯିବ ଓ ପୁଷ୍ପୋଦ୍ଭବଙ୍କ ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରି ତାହାଙ୍କୁ ରାଜ୍ୟରୁ ନିର୍ବାସିତ କରାଯିବ । ଚଣ୍ଡବର୍ମାଙ୍କ ପ୍ରତିଜ୍ଞା କଥା ଶୁଣି ବାଳଚନ୍ଦ୍ରିକା ନିଜ ଗୃହକୁ ଦୌଡ଼ିଯାଇ ଉଭୟ ବନ୍ଧୁଙ୍କୁ ସମସ୍ତ ବ୍ୟାପାର ଜଣାଇଦେଲେ । ଏ କଥା ଶୁଣି ରାଜବାହନ କହିଲେ, “ବନ୍ଧୁ ପୁଷ୍ପୋଦ୍ଭବ, ତୁମେ ଯଥାଶୀଘ୍ର ଏ ସ୍ଥାନ ପରିତ୍ୟାଗ କରି କୌଣସି ନିରାପଦ ସ୍ଥାନକୁ ଚାଲିଯାଅ । ମୁଁ ଜାଣେ ଚଣ୍ଡବର୍ମା ସମସ୍ତ ପ୍ରତିଜ୍ଞା ସତ୍ତ୍ୱେ ମୋହର କୌଣସି କ୍ଷତି କରି ପାରିବ ନାହିଁ ଏବଂ ଦୁଇମାସ ପରେ ମୁଁ ଏ ବନ୍ଧନରୁ ମୁକ୍ତ ହେବି । ତୁମେ ମୋ ସମ୍ବନ୍ଧେ କୌଣସି ଚିନ୍ତା କର ନାହିଁ ।”

 

ପୁଷ୍ପୋଦ୍ଭବ ବନ୍ଧୁ ଓ ପତ୍ନୀଙ୍କଠାରୁ ବିଦାୟ ନେଇ କେତେକ ଧନରତ୍ନ ସହ ଅନତିବିଳମ୍ବେ ରାଜଧାନୀ ପରିତ୍ୟାଗ କରି ପଳାୟନ କଲେ ଏବଂ ବାଳଚନ୍ଦ୍ରିକା ରାଜପ୍ରାସାଦକୁ ଫେରିଆସି ରାଜକୁମାରୀଙ୍କୁ ଏ ଆକସ୍ମିକ ବିପଦରେ ଧୈର୍ଯ୍ୟ ଧରିବା ନିମିତ୍ତ ସାନ୍ତ୍ୱନା ଦେବାକୁ ଲାଗିଲେ । ଏହାର କିଛିକ୍ଷଣ ପରେ ଚଣ୍ଡବର୍ମାଙ୍କ ଅନୁଚରଗଣ ରାଜବାହନଙ୍କୁ ବନ୍ଦୀ କରି ଘେନିଗଲେ । ସେମାନେ ତାହାଙ୍କୁ ଜଣାଇ ଦେଲେ ଯେ ଚଣ୍ଡବର୍ମା ତାହାଙ୍କର ପ୍ରାଣଦଣ୍ଡର ଆଦେଶ କରିଅଛନ୍ତି । ପରଦିବସ ପ୍ରଭାତକାଳରେ ସେ ଆଦେଶ କାର୍ଯ୍ୟରେ ପରିଣତ ହେବ । ଏହା ପରେ ଅନୁଚରଗଣ ପୁଷ୍ପୋଦ୍ଭବଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତି କରି ତାହାଙ୍କର ଅନୁସନ୍ଧାନ କରିବାକୁ ଲାଗିଲେ ।

 

ଏ ଦୁର୍ଘଟଣାରେ ବିଶେଷ ପରିମାଣରେ ବିଚଳିତ ହୋଇପଡ଼ିଥିଲେ ଅବନ୍ତୀସୁନ୍ଦରୀଙ୍କ ପିତାମାତା । ସେମାନେ ନିଜ କନ୍ୟାଠାରୁ ଆମୂଳଚୂଳ ପ୍ରକୃତ ବୃତ୍ତାନ୍ତ ଶୁଣି ରାଜବାହନଙ୍କ ଜୀବନରକ୍ଷା କରିବା ପାଇଁ ଯତ୍‍ପରୋନାସ୍ତି ଚେଷ୍ଟା କରିବାକୁ ଲାଗିଲେ । ସେମାନେ ଚଣ୍ତବର୍ମାଙ୍କ ନିକଟକୁ ସମ୍ବାଦ ଦେଲେ ଯେ ବନ୍ଦୀ ଯୁବକକୁ ଯେକୌଣସି କାରଣରୁ ହେଉ ପ୍ରାଣଦଣ୍ଡ ଦେବାକୁ ହେବ ନାହିଁ । ସେମାନେ ତାହାଙ୍କର ଏକମାତ୍ର କନ୍ୟାର ବୈଧବ୍ୟ ଅବସ୍ଥା ଦର୍ଶନ କରିବା ପୂର୍ବରୁ ଆତ୍ମହତ୍ୟା କରିବା ପାଇଁ କୃତସଙ୍କଳ୍ପ ହେଲେ ।

 

ଏପରି ଏକ ଅନତିକ୍ରମଣୀୟ ବାଧାର ସମ୍ମୁଖୀନ ହୋଇ ଚଣ୍ଡବର୍ମା ବାଧ୍ୟତଃ ନିଜ ପ୍ରତିଜ୍ଞାରୁ ବିରତ ହେଲେ । ସେ ଯୁବକକୁ ଏକ କାଷ୍ଠପିଞ୍ଜରା ମଧ୍ୟରେ ଆବଦ୍ଧ କରି ରଖିବା ନିମିତ୍ତ ଆଦେଶ କଲେ ଏବଂ ପାନାହାର ନିଷେଧ କରିଦେଲେ । ସେ ମନେ ମନେ ନିଶ୍ଚୟ କଲେ ଯେ ପାନାହାର ଅଭାବରୁ ଯୁବକ ସ୍ୱତଃ ମୃତ୍ୟୁମୁଖରେ ପତିତ ହେବ ।

 

ଚଣ୍ଡବର୍ମା ଏକ ପତ୍ରରେ ଏ ସମସ୍ତ ଘଟଣା ବିବୃତ୍ତ କରି ଓ ତାହାଙ୍କ ଆଦେଶ ପ୍ରାର୍ଥନା କରି ଦର୍ପସାରଙ୍କ ନିକଟକୁ ଦୂତ ପ୍ରେରଣ କଲେ । ଏହା ପରେ ଅନେକ ଦିବସ ଗତ ହୋଇଗଲା । ଅଥଚ ପାନାହାରର ଅଭାବରେ ମଧ୍ୟ ବନ୍ଦୀଠାରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ । ସେ ପୂର୍ବପରି ସତେଜ, ସବଳ ଓ ସହାସ୍ୟ ମୁଖରେ ଦିନାତିପାତ କରୁଥିବା ଦେଖି ଚଣ୍ତବର୍ମା ବିସ୍ମିତ ହୋଇପଡ଼ିଲେ । ରାଜବାହନ ପାତାଳପୁରରୁ ଯେଉଁ ମଣିଟି ଉପହାର ପାଇଥିଲେ, ତାହାକୁ ନିଜର କେଶମଧ୍ୟରେ ଲୁକ୍କାୟିତ ରଖିଥିଲେ । ଏହି ମଣିର ପ୍ରଭାବରେ ସେ କ୍ଷୁଧାତୃଷାର ବାଧା ଅନୁଭବ କରୁ ନଥିଲେ ।

 

ଇତିମଧ୍ୟରେ ଚଣ୍ଡବର୍ମା ଅଙ୍ଗଦେଶ ବିରୁଦ୍ଧରେ ଯୁଦ୍ଧଘୋଷଣା କଲେ । ଅଙ୍ଗରାଜ ସିଂହଘୋଷ ନିଜ କନ୍ୟା ଅମ୍ବାଳିକାଙ୍କୁ ଚଣ୍ଡବର୍ମାଙ୍କ ସହିତ ବିବାହ ଦେବାପାଇଁ ସ୍ଵୀକୃତ ହେଲେ ନାହିଁ-। ସୁତରାଂ ଚଣ୍ଡବର୍ମା ଅଙ୍ଗ ଅଧିକାର କରି ବଳପୂର୍ବକ ଅମ୍ବାଳିକାଙ୍କୁ ବିହାହ କରିବା ପାଇଁ ସସୈନ୍ୟ ଯୁଦ୍ଧଯାତ୍ରା କଲେ । ଅଙ୍ଗ ରାଜଧାନୀ ଚମ୍ପାନଗରୀ ଅବରୁଦ୍ଧ ହେଲା । ଏହା ପୂର୍ବରୁ ସିଂହଘୋଷ ନିଜର ମିତ୍ର ରାଜ୍ୟମାନଙ୍କୁ ସାହାଯ୍ୟ ପ୍ରାର୍ଥନା କରି ଦୃତ ପ୍ରେରଣ କରିଥିଲେ । ସେ ଇଚ୍ଛା କରିଥିଲେ ସୁଦୃଢ଼ ଚମ୍ପାନଗରୀ ମଧ୍ୟରେ ମିତ୍ର ପକ୍ଷମାନଙ୍କର ଆଗମନ ପର୍ଯ୍ୟନ୍ତ ନିରାପଦରେ ଅପେକ୍ଷା କରି ପାରିଥାନ୍ତେ । କିନ୍ତୁ ଏପରି ଅବରୁଦ୍ଧ ହୋଇ ରହିବା ଅପମାନଜନକ ମନେକରି ସେ ଦୁର୍ଗ ବାହାରେ ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ଫଳତଃ ସେ ଅତି ଅନାୟାସରେ ପରାସ୍ତ ଏବଂ ବନ୍ଦୀ ହେଲେ । ଚଣ୍ଡବର୍ମା ନଗର ମଧ୍ୟରେ ପ୍ରବେଶ କରି ରାଜପ୍ରାସାଦ ଅଧିକାର କରିବା ସଙ୍ଗେ ସଙ୍ଗେ ପରଦିନ ଅମ୍ବାଳିକାଙ୍କ ସହିତ ତାହାଙ୍କର ବିବାହର ଆୟୋଜନ କରିବାକୁ ଲାଗିଲେ ।

 

ସେହିଦିନ ଦୂତ ଦର୍ପସାରଙ୍କ ଉତ୍ତର ସହ ପ୍ରତ୍ୟାଗତ ହେଲା । ସେ ପତ୍ରରେ ଆଦେଶ କରିଥିଲେ, “ଜଣେ ଅଜ୍ଞାତ-କୁଳଶୀଳ ବ୍ୟକ୍ତି ଉଜ୍ଜୟିନୀ ପ୍ରାସାଦରେ ଷଡ଼ଯନ୍ତ୍ରର ସୂତ୍ରପାତ କରିପାରିବା ଅତ୍ୟନ୍ତ କ୍ଷୋଭର କଥା । ସେ ଧୃତ ହେବା ମାତ୍ରେ ତାହାକୁ ପ୍ରାଣଦଣ୍ଡ ଦେବା ଉଚିତ ଥିଲା । ବୃଦ୍ଧ ପିତାମାତାଙ୍କର ଭିତ୍ତିହୀନ ପ୍ରତିବାଦ ପ୍ରତି ଭ୍ରୂକ୍ଷେପ ନ କରି ଯୁବକକୁ ହସ୍ତୀ ପଦତଳେ ନିଷ୍ପେଷିତ କରି ହତ୍ୟା କର । ଲଜ୍ଜାହୀନା ପାପିଷ୍ଠା ଅବନ୍ତୀସୁନ୍ଦରୀ ଓ କନିଷ୍ଠ ଭ୍ରାତ କୀର୍ତ୍ତିସାରଙ୍କୁ ବନ୍ଦୀଶାଳାରେ ନିକ୍ଷେପ କର; ନଚେତ୍ କୀର୍ତ୍ତିସାର ମୂର୍ଖ ପିତାମାତାଙ୍କର ଓ ଦୁଶ୍ଚରିତ୍ରା ଭଗିନୀର ପକ୍ଷପାତୀ ହୋଇ ଅନର୍ଥ ସୃଷ୍ଟି କରିପାରେ ।”

 

ଚଣ୍ଡବର୍ମା ନିଜ ସଙ୍ଗରେ ରାଜବାହନଙ୍କୁ ନେଇ ଆସିଥିଲେ । କାଷ୍ଠପିଞ୍ଜରା ମଧ୍ୟରେ ତାହାଙ୍କୁ ଶାନ୍ତଶିଷ୍ଟ ଓ ହୃଷ୍ଟପୁଷ୍ଟ ଦେଖି ତାହାଙ୍କର ଅଧିକ ଗାତ୍ରଦାହ ହେଉଥାଏ । ସେ ଦର୍ପସାରଙ୍କ ପତ୍ର ପାଇବା ପରଦିନ ରାଜବାହନଙ୍କ ପ୍ରାଣଦଣ୍ଡର ଆଦେଶ କଲେ । ପ୍ରାଣଦଣ୍ଡାଜ୍ଞାରେ ସେ ସୂଚନା ଦେଲେ ଯେ ପ୍ରଭାତକାଳରେ ତାହାଙ୍କର ବିବାହକାର୍ଯ୍ୟ ସମ୍ପନ୍ନ ହେବା ପୂର୍ବରୁ ଦୋଷୀକୁ ଏକ ଗର୍ତ୍ତ ମଧ୍ୟରେ ଆକଣ୍ଠ ପ୍ରୋତ୍‍ଥିତ ଅବସ୍ଥାରେ ରଖିବାକୁ ହେବ । ସେ ସ୍ୱୟଂ ହସ୍ତୀପୃଷ୍ଠରେ ଆରୋହଣ କରି ହସ୍ତୀ ପଦତଳେ ତାହାର ମସ୍ତକକୁ ନିଷ୍ପେଷିତ କରିବେ ।

 

ପରଦିବସ ପ୍ରଭାତରେ ରାଜବାହନଙ୍କୁ କାଷ୍ଠପିଞ୍ଜରା ମଧ୍ୟରୁ ବହିଷ୍କୃତ କରି ବଧ୍ୟଭୂମିର ଗର୍ତ୍ତ ନିକଟକୁ ନିଆଗଲା । ନିକଟରେ ଏକ ସୁସଜ୍ଜିତ ହସ୍ତୀ ଦଣ୍ଡାୟମାନ ହୋଇଥାଏ । ଠିକ୍ ଏହି ସମୟରେ ତାହାଙ୍କର ରୌପ୍ୟ ଶୃଙ୍ଖଳ ସ୍ୱତଃ ଛିନ୍ନ ହୋଇ ଭୂତଳରେ ପତିତ ହୋଇଗଲା ଏବଂ ସେଠାରେ ଗୋଟିଏ ଜ୍ୟୋତିର୍ମୟୀ ନାରୀମୂର୍ତ୍ତି ତାହାଙ୍କ ସମକ୍ଷରେ ପ୍ରତିଭାତ ହେଲା । ଅନ୍ୟମାନଙ୍କର ଅଜ୍ଞାତ, ଅଦୃଷ୍ଟ ଏବଂ ଅଶ୍ରୁତ ଭାବରେ ନାରୀମୂର୍ତ୍ତି ବିନୀତ କୋମଳ କଣ୍ଠରେ ରାଜବାହନଙ୍କୁ କହିଲା, “ହେ ରାଜକୁମାର, ମୋହର ଆତ୍ମକାହାଣୀ ଶୁଣିବା ହୁଅନ୍ତୁ । ମୁଁ ଗନ୍ଧର୍ବରାଜ ସୋମରଶ୍ମିଙ୍କ କନ୍ୟା । ମୋହର ନାମ ସୁରତମଞ୍ଜରୀ । ଏକଦା ମୁଁ ହିମାଳୟର ମନ୍ଦୋଦକ ହ୍ରଦ ଉପରେ ଆକାଶମାର୍ଗରେ ଗତି କରୁଥିଲି । ଏତିକିବେଳେ ଦୁଇଟି ରାଜହଂସ କମଳ ଭ୍ରମରେ ମୋହର ମୁଖର ନିକଟବର୍ତ୍ତୀ ହୁଅନ୍ତେ ମୁଁ ସେମାନଙ୍କୁ ତାଡ଼ନା କରିବାକୁ ଚେଷ୍ଟାକରିବାରୁ ମୋହର ସ୍ୱର୍ଣ୍ଣକଙ୍କଣ ସ୍ଖଳିତ ହୋଇପଡ଼ିଲା । ସେତେବେଳେ ମାର୍କଣ୍ଡେୟ ଋଷି ସେହି ହ୍ରଦକୂଳରେ ସାନ୍ଧ୍ୟୋପାସନା କରୁଥିଲେ । ଦୁର୍ଭାଗ୍ୟବଶତଃ କଙ୍କଣଟି ତାହାଙ୍କ ଉପରେ ପଡ଼ିଲା । ନିତ୍ୟକର୍ମରେ ବିଘ୍ନ ଜାତ ହେବାରୁ ଋଷି କ୍ରୁଦ୍ଧ ହୋଇ ଅଭିଶାପ ଦେଲେ ଯେ ଯେଉଁ ବ୍ୟକ୍ତି ତାହାଙ୍କ ଉପାସନାରେ ବାଧା ଦେଲା, ସେ ଏକ ରୌପ୍ୟ ଶୃଙ୍ଖଳରେ ପରିଣତ ହେଉ । ଏ ଘଟଣା ଜାଣିପାରି ମୁଁ ଋଷିଙ୍କ ପାଦତଳେ ପଡ଼ି କ୍ଷମାପ୍ରାର୍ଥନା କଲି । ମୋହର ପ୍ରାର୍ଥନାରେ ପ୍ରୀତ ହୋଇ ଋଷି ଆଦେଶ କଲେ ଯେ ତାହାଙ୍କ ଅଭିଶାପ ଦୁଇ ମାସ ପାଇଁ ମାତ୍ର ସ୍ଥାୟୀ ହେବ ଏବଂ ଅଭିଶପ୍ତାବସ୍ଥାରେ ମୋହର ଚୈତନ୍ୟ ଲୁପ୍ତ ହେବନାହିଁ । ମୁଁ ଶୃଙ୍ଖଳ ଆକାରରେ ସେଠାରେ ପଡ଼ିରହିଥିବା ଅବସ୍ଥାରେ ଯୁବରାଜ ବୀରଶେଖର ମୋତେ ଉଠାଇ ଆଣିଲେ । ସେ ଜଣେ ବିଦ୍ୟାଧରଙ୍କର ପ୍ରପୌତ୍ର । ସେ ଅବନ୍ତୀସୁନ୍ଦରୀଙ୍କ ପାଣିଗ୍ରହଣ କରିବା ପାଇଁ ଦର୍ପସାରଙ୍କ ଅନୁମତି ପାଇଥିଲେ । କିନ୍ତୁ ଅବନ୍ତୀସୁନ୍ଦରୀ ଏଥିରେ ଅମତ ପ୍ରକାଶ କରିବାରୁ ସେ ପ୍ରତିହିଂସା ସାଧନ କରିବା ଉଦ୍ଦେଶ୍ୟରେ ଗୁପ୍ତ ଭାବରେ ପୁଷ୍ପୋଦ୍ଭବଙ୍କ ପ୍ରାସାଦରେ ପ୍ରବେଶ କରି ଶୃଙ୍ଖଳଦ୍ୱାରା ଆପଣଙ୍କୁ ଆବଦ୍ଧ କଲେ । ଏହାପରେ ଯାହା ଘଟିଛି ଆପଣ ଜାଣନ୍ତି । ଯାହାହେଉ ଆଜି ମୋହର ଅଭିଶାପର ଅବସାନ ହୋଇଛି । ମୁଁ ମୋହର ନିଜ ଶରୀର ଫେରି ପାଇଅଛି । ମୋ ଯୋଗୁଁ ଏ ଦୁଇମାସ ଆପଣଙ୍କୁ ପରାଧୀନତା ଭୋଗ କରିବାକୁ ହୋଇଛି । ବର୍ତ୍ତମାନ ଦୟାପୂର୍ବକ କହନ୍ତୁ, ମୁଁ ଆପଣଙ୍କ ପାଇଁ କଅଣ କରିପାରେ ?”

 

ରାଜବାହନ ଜାଣନ୍ତି, ସେ ନିଜର ପୂର୍ବଜନ୍ମାର୍ଜିତ ଫଳକୁ ବର୍ତ୍ତମାନ ସୁଖଦୁଃଖ ଭାବରେ ଭୋଗ କରୁଅଛନ୍ତି । ତେଣୁ କେବଳ ତାହାଙ୍କର ଶୃଙ୍ଖଳମୁକ୍ତି ସମ୍ବାଦ ଅବନ୍ତୀସୁନ୍ଦରୀଙ୍କୁ ଜଣାଇ ଦେବା ନିମିତ୍ତ ସେ ସୁରତମଞ୍ଜରୀଙ୍କୁ ଆଦେଶ କଲେ ।

 

ଏହି ସମୟରେ ସହସା ଏକ ଭୀଷଣ କୋଳାହଳ ନଗର ମଧ୍ୟରୁ ଶୁଣାଗଲା ଏବଂ ନାଗରିକଗଣ ଇତସ୍ତତଃ ପଳାୟନ କରୁଥିବା ଦେଖାଗଲା । ଭୀତତ୍ରସ୍ତ ଜନତାମୁଖରୁ ଶୁଣାଗଲା ଯେ ଚଣ୍ଡବର୍ମା ବିବାହ କରିବା ପାଇଁ ବରବେଶରେ ଭୂଷିତ ହେଲାବେଳେ ଜଣେ ଦସ୍ୟୁ ପ୍ରାସାଦ ମଧ୍ୟରେ ପ୍ରବେଶ କରି ତାହାଙ୍କୁ ହତ୍ୟା କରିଅଛି । ଏ ସମ୍ବାଦ ପାଇ ରାଜବାହନଙ୍କ ପ୍ରହରୀଗଣ ତାହାଙ୍କୁ ପରିତ୍ୟାଗ କରି ପ୍ରାସାଦ ଅଭିମୁଖରେ ଧାବିତ ହେଲେ । ଏହି ଅବସରରେ ରାଜବାହନ ଲମ୍ଫପ୍ରଦାନପୂର୍ବକ ନିକଟସ୍ଥ ହସ୍ତୀପୃଷ୍ଠରେ ଆରୋହଣ କରି ଏକ ଧକ୍କାରେ ମାହୁନ୍ତକୁ ଭୂପତିତ କଲେ । ସେ ସ୍ଵହସ୍ତରେ ଅଙ୍କୁଶ ଧରି ମହାବେଗରେ ହସ୍ତୀକୁ ରାଜବାଟୀ ମଧ୍ୟକୁ ଚଳାଇଲେ । ସେ ସମ୍ମୁଖରେ ଦେଖିଲେ ଜଣେ ଯୁବକ କୃପାଣହସ୍ତରେ ଦଳେ ସୈନ୍ୟଙ୍କୁ ଛାଗଗୋଷ୍ଠୀ ପରି ବିତାଡ଼ିତ କରି ଆଣୁଛି । ସେ ହସ୍ତୀକୁ ତାହାଙ୍କର ନିକଟବର୍ତ୍ତୀ କରି ତଦୁପରି ଆରୋହଣ କରିବା ନିମିତ୍ତ ଆହ୍ୱାନ କରି କହିଲେ, “ହେ ବୀର ଯୁବକ, ମୋତେ ତୁମର ବନ୍ଧୁ ମନେକରି ଏ ଗଜାରୋହଣ କର-। ଆମେ ଦୁହେଁ ନିମିଷକ ମଧ୍ୟରେ ଏ ଶତ୍ରୁସାଗରକୁ ନିଃଶେଷ କରିଦେଇ ପାରିବା ।”

 

ଏକାକୀ ବହୁ ସମୟ ବ୍ୟାପୀ ଚତୁର୍ଦ୍ଦିଗସ୍ଥ ଶତ୍ରୁମାନଙ୍କୁ ପ୍ରତିହତ କରି ଯୁବକ କ୍ରମେ କ୍ଳାନ୍ତ ହୋଇପଡ଼ିଥିଲେ । ତେଣୁ ସେ ଆନନ୍ଦିତ ମନରେ ହସ୍ତୀପୃଷ୍ଠରେ ଆରୋହଣ କରନ୍ତେ ରାଜବାହନ ବିସ୍ମୟବିସ୍ଫାରିତ ନେତ୍ରରେ ଦେଖିଲେ ଯେ ସେହି ମହାବିକ୍ରମଶାଳୀ ଯୁବକ ତାହାଙ୍କର ବନ୍ଧୁ ଅପହାର ବର୍ମା ! ରାଜବାହନଙ୍କ ଅନ୍ତରରେ ଆନନ୍ଦର ତରଙ୍କ ଉଦ୍ବେଳିତ ହୋଇଉଠିଲା । ଅପହାର ବର୍ମା ରାଜବାହନଙ୍କୁ ପାଇ ଶତଗୁଣ ଉତ୍ସାହିତ ହୋଇଉଠିଲେ; କିନ୍ତୁ କେହି ବାକ୍ୟବ୍ୟୟ କରିବାର ସମୟ ପାଇଲେ ନାହିଁ । ଉଭୟ ହସ୍ତୀପୃଷ୍ଠରେ ସଜ୍ଜିତ ଥିବା ଧନୁ, ଶର, ଚକ୍ର, କଣପ, କର୍ପଣ, କୁମ୍ଭ, ପଟ୍ଟିଶ, ମୂଷଳ ଏବଂ ତୋମର ପ୍ରଭୃତି ଚଣ୍ଡବର୍ମାଙ୍କର ଅସ୍ତ୍ରଶସ୍ତ୍ର ସକଳ ଗ୍ରହଣ କରି ନିପୁଣତାର ସହିତ ଶତ୍ରୁମାନଙ୍କ ଉପରେ ନିକ୍ଷେପ କଲେ । ଅଳ୍ପ ସମୟ ମଧ୍ୟରେ ଶତ୍ରୁସୈନ୍ୟଗଣ ପୃଷ୍ଟଭଙ୍ଗ ଦେବାକୁ ଆରମ୍ଭ କଲେ । ଏହି ଅବସରରେ ଶତ୍ରୁସୈନ୍ୟର ପୃଷ୍ଠଦେଶରୁ ଅନ୍ୟ ଏକ ଯୁବକଙ୍କ ନେତୃତ୍ୱରେ ପରିଚାଳିତ ସୈନ୍ୟଦଳ ଆକ୍ରମଣ କରୁଥିବା ଦେଖାଗଲା । ସୁତରାଂ ସେମାନେ କୌଣସି ଦିଗରେ ପଳାୟନ କରିବାର ଉପାୟ ନ ପାଇ ସମୂଳେ ନିପାତ ହେଲେ ।

 

ଖଣ୍ଡଯୁଦ୍ଧ ଶେଷ ହୁଅନ୍ତେ ରାଜବାହନ ହସ୍ତୀ ପୃଷ୍ଠୋପରି ଅସ୍ତ୍ର ତ୍ୟାଗ କରି ଅପହାରବର୍ମାଙ୍କୁ ଏହି ଯୁବକଙ୍କର ପରିଚୟ ଜିଜ୍ଞାସା କଲେ । ଠିକ୍ ସେହି ମୁହୂର୍ତ୍ତରେ ଯୁବକ ନିଜ ହସ୍ତୀକୁ ସେମାନଙ୍କର ନିକଟବର୍ତ୍ତୀ କରି ଉଭୟ ବନ୍ଧୁଙ୍କୁ ପ୍ରଣାମ କଲେ । ସେ ଅପହାରବର୍ମାଙ୍କୁ ଉଦ୍ଦେଶ୍ୟ କରି କହିଲେ, “ଆପଣଙ୍କ ଆଦେଶ ଅନୁଯାୟୀ ସମସ୍ତ କାର୍ଯ୍ୟ କରିଅଛି । ଆପଣ ମୋ ନିକଟରୁ ଏକାକୀ ଚମ୍ପା ଅଭିମୁଖେ ଧାବମାନ ହେବାପରେ ମୁଁ ଦଳେ ସୈନ୍ୟଙ୍କର ନେତୃତ୍ୱ ଗ୍ରହଣ କରି ନଗର ମଧ୍ୟରେ ପ୍ରବେଶ କଲି । ଶତ୍ରୁ ବର୍ତ୍ତମାନ ସମୂଳୋତ୍ପାଟିତ ହୋଇଅଛି ।”

 

ରାଜବାହନଙ୍କୁ ନିଜର ଅଭିନ୍ନହୃଦୟ ବନ୍ଧୁ ଧନମିତ୍ରଙ୍କର ପରିଚୟ ଦେଇସାରି ଅପହାରବର୍ମା କହିଲେ–“ବନ୍ଧୁ ଧନମିତ୍ର, ତୁମେ ବର୍ତ୍ତମାନ ଯାଇ ରାଜା ସିଂହବର୍ମାଙ୍କୁ ମୁକ୍ତ କରିଦିଅ-।”

 

ଏହାପରେ ରାଜବାହନ ଏବଂ ଅପହାରବର୍ମା ବିଶ୍ରାମ କରିବା ଉଦ୍ଦେଶ୍ୟରେ ଗଙ୍ଗାକୂଳକୁ ଆଗମନ କଲେ । ଏକ ବିଶାଳ ବଟବୃକ୍ଷର ଘନଚ୍ଛାୟା ତଳେ ହସ୍ତୀପୃଷ୍ଠରୁ ଅବତରଣ କରି ସୁବିସ୍ତୃତ ତୂଳିତଳ୍ପତୁଲ୍ୟ ସୁକୋମଳ ବାଲୁକାରାଶି ଉପରେ ଉପବେଶନ କରନ୍ତେ ଗଙ୍ଗାତରଙ୍ଗସ୍ପର୍ଶୀ ଶୀତଳ ବାୟୁପ୍ରବାହ ସେମାନଙ୍କର ସମସ୍ତ ଗ୍ଳାନି ଏବଂ ଅବସାଦ ମୁହୂର୍ତ୍ତକ ମଧ୍ୟରେ ଅପହରଣ କରିନେଲା । ସେମାନେ ବିଶ୍ରାମ କରି ସେଦିନର ଆକ୍ରମଣ ଓ ପ୍ରତିଆକ୍ରମଣ କଥା ଆଲୋଚନା କରିବାକୁ ଲାଗିଲେ । ଏହି ସମୟରେ ଧନମିତ୍ର କେତେକ ଯୋଦ୍ଧୃବେଶ ପରିହିତ ପୁରୁଷଙ୍କ ସହ ସେମାନଙ୍କର ନିକଟବର୍ତ୍ତୀ ହେଉଥିବା ସେମାନେ ଦେଖି ପାରିଲେ । ରାଜବାହନ ଦଣ୍ଡାୟମାନ ହୋଇ ଦେଖିଲେ, ସେମାନେ ତାହାଙ୍କର ବନ୍ଧୁ ଉପହାରବର୍ମା, ଅର୍ଥପାଳ, ବ୍ରମତି, ମନ୍ତ୍ରଗୁପ୍ତ, ବିଶ୍ରୁତ ଏବଂ ମିଥିଳାରାଜ ପ୍ରହାରବର୍ମା, କାଶୀରାଜ କାମପାଳ ଓ ଅଙ୍ଗରାଜ ସିଂହବର୍ମା । କି ଅଭାବନୀୟ ଅପୂର୍ବ ମିଳନ!

Image

 

ପନ୍ଦର

ଅପହାର ବର୍ମାଙ୍କ କଥା

 

ସିଂହବର୍ମାଙ୍କ ଆହ୍ୱାନକ୍ରମେ ରାଜବାହନ ଚମ୍ପାନଗରୀରେ କିଛିକାଳ ଆଶ୍ରୟ ନେବା ଉଚିତ ମନେ କଲେ । ସେ ଉଜ୍ଜୟିନୀକୁ ଫେରିଗଲେ ଦର୍ପସାର ଯେ ତାହାଙ୍କୁ ଶାନ୍ତିରେ ବାସ କରାଇଦେବେ ନାହିଁ, ଏଥିରେ ସନ୍ଦେହ ନଥିଲା । ସୁତରାଂ ଅବନ୍ତୀସୁନ୍ଦରୀଙ୍କୁ ଯଥାଶୀଘ୍ର ଚମ୍ପାନଗରୀକୁ ଆନୟନ କରିବାର ବ୍ୟବସ୍ଥା କରାଗଲ । ତାହାଙ୍କର ପିତାମାତା ପୁତ୍ର ଦର୍ପସାରଙ୍କ ପ୍ରତିହିଂସା ପ୍ରବୃତ୍ତି ସ୍ମରଣ କରି ଏ ପ୍ରସ୍ତାବରେ ସ୍ୱୀକୃତ ହେଲେ । କିଛିଦିନ ପରେ ପୁଷ୍ପୋଦ୍ଭବ ମଧ୍ୟ ବାଳଚନ୍ଦ୍ରିକାଙ୍କ ସହ ଚମ୍ପାନଗରୀରେ ବସତି ସ୍ଥାପନ କଲେ ।

 

ଦିନେ ରାଜବାହନ ପ୍ରାସାଦୋଦ୍ୟାନରେ ବନ୍ଧୁମାନଙ୍କ ସହ ଆଳାପ କରିବାବେଳେ ଅପହାର ବର୍ମାଙ୍କ ଭ୍ରମଣବୃତ୍ତାନ୍ତ ଶ୍ରବଣ କରିବା ପାଇଁ ଆଗ୍ରହ ପ୍ରକାଶ କରିବାରୁ ସେ କହିଲେ–

 

“ରାଜକୁମାର, ମୁଁ ଅଙ୍ଗଦେଶରେ ଆପଣଙ୍କ ଅନୁସନ୍ଧାନ କରିବା ନିମିତ୍ତ କ୍ଷିପ୍ରଗତିରେ ଚମ୍ପାନଗରୀ ଅଭିମୁଖରେ ଯାତ୍ରା କଲି । ପଥମଧ୍ୟରେ ମୁଁ ବହୁ ସ୍ଥାନରେ ମହର୍ଷି ମରୀଚିଙ୍କ ଦିବ୍ୟଜ୍ଞାନ ସମ୍ବନ୍ଧେ ଲୋକମୁଖରେ ପ୍ରଶଂସା ଶୁଣିବାକୁ ପାଇଲି । ଏ ମହାତ୍ମା ଚମ୍ପାନଗରୀ ସନ୍ନିକଟ ଘନ ଅରଣ୍ୟରେ ତପଃସାଧନ କରୁଥିଲେ । ମୁଁ ତାହାଙ୍କଠାରୁ ଆପଣଙ୍କ ସମ୍ବାଦ ପାଇବା ଆଶା କରି ଉକ୍ତ ଅରଣ୍ୟରେ ପ୍ରବେଶ କଲି ।

 

ଏକ ଆଶ୍ରମର ନିକଟବର୍ତ୍ତୀ ହୋଇ ଦେଖିଲି ଗୋଟିଏ ତରୁଣ ରସାଳତରୁ ତଳେ ଜଣେ ବିଷାଦ ମଳିନ ତପସ୍ୱୀ କୃଷ୍ଣାଜିନ ଉପରେ ଉପବିଷ୍ଟ । ମୁଁ ତାହାଙ୍କର ପଦ ବନ୍ଦନା କଲି । ସେ ମୋତେ, ପରିଚିତ ବ୍ୟକ୍ତି ଭଳି ସମ୍ଭାଷଣ କଲେ । ତାହାପରେ ମୁଁ ପଚାରିଲି, “ମହାତ୍ମା ମରୀଚି କେଉଁଠାରେ ଅଛନ୍ତି କହି ପାରିବେ କି ? ମୁଁ ତାହାଙ୍କ ନିକଟରୁ ମୋର ନିରୁଦ୍ଧିଷ୍ଟ ବନ୍ଧୁଙ୍କ ସମ୍ବନ୍ଧେ କେତେକ କଥା ଜାଣିବାକୁ ଇଚ୍ଛା କରେ ।”

 

ତପସ୍ୱୀ ଦୀର୍ଘ ଉଷ୍ଣ ନିଃଶ୍ୱାସ ପରିତ୍ୟାଗ କରି କହିଲେ, “ଏହି ଆଶ୍ରମରେ ସେହି ନାମକ ଜଣେ ମହର୍ଷି ଥିଲେ; କିନ୍ତୁ ଚମ୍ପାନଗରୀର ସର୍ବୋତ୍ତମ ବେଶ୍ୟା କାମମଞ୍ଜରୀ ତାହାଙ୍କର ସେହି ଦିବ୍ୟ ବ୍ୟକ୍ତିତ୍ୱକୁ ଅପହରଣ କରି ତତ୍‍ପରିବର୍ତ୍ତେ ତାହାଙ୍କୁ ମହା ବୈରାଗ୍ୟ ଓ ମନସ୍ତାପ ଦେଇ ଯାଇଛି ।” ଏହା ଶୁଣି ମୁଁ ବିସ୍ମିତ ହୋଇ ଘଟଣାଟି ଆମୂଳଚୂଳ ବର୍ଣ୍ଣନା କରିବା ପାଇଁ ଋଷିଙ୍କୁ ପ୍ରାର୍ଥନା କଲି ।

 

ସେ କ୍ଷଣକାଳ ନୀରବ ରହି କହିଲେ, “ଏକଦା ପୂର୍ବକଥିତ କାମମଞ୍ଜରୀ ବିଷୟତୃଷ୍ଣା ପରିତ୍ୟାଗପୂର୍ବକ ଲୋତକପୂର୍ଣ୍ଣ ନୟନରେ ମରୀଚିଙ୍କ ଆଶ୍ରମରେ ପ୍ରବେଶ କରି ତାହାଙ୍କ ପଦତଳେ ନମସ୍କାର କଲା । କିଛି ସମୟ ପରେ ତାହାର ମାତା ଓ ଆତ୍ମୀୟଗଣ ତାହାର ଅନୁସରଣ କରି ସେ ସ୍ଥାନରେ ଉପସ୍ଥିତ ହେଲେ । ଋଷି ତାହାର ଆଗମନର କାରଣ ପଚାରନ୍ତେ କାମମଞ୍ଜରୀ କହିଲା, “ଭଗବନ୍, ଐହିକ ସୁଖଭୋଗ କ୍ଷଣସ୍ଥାୟୀ ସୁତରାଂ ପାରତ୍ରିକ ସୁଖ କାମନା କରି ମୁଁ ଆଜି ଆପଣଙ୍କର ଶରଣାପନ୍ନ ହୋଇଛି ।”

 

ତାହାପରେ କାମଞ୍ଜରୀର ବୃଦ୍ଧା ମାତା ଭୂତଳରେ ଦଣ୍ଡବତ୍ ପ୍ରଣାମ କରି କୃତାଞ୍ଜଳିପୁଟରେ କହିଲା, “ମହର୍ଷେ, ମୋହର ପ୍ରାର୍ଥନା ଗ୍ରହଣ କରିବା ହେଉନ୍ତୁ । ବେଶ୍ୟାର ଜନନୀ ଭାବରେ ସକଳ ପ୍ରକାର ନିନ୍ଦନୀୟ କର୍ମ ମୋହର କର୍ତ୍ତବ୍ୟ ହେଲେ ମଧ୍ୟ ମୁଁ ତାହା ପାଳନ କରିଅଛି । ଏ କନ୍ୟାର ଜନ୍ମାବଧି କୁଳାଚାର ଅନୁଯାୟୀ ତାହାର ଅଙ୍ଗ ସଂସ୍କାର କରି ଶାରୀରିକ କ୍ଷମତା, ଦୈହିକ ସୌଷ୍ଠବ, କାନ୍ତି ଓ ମେଧାକୁ ନୃତ୍ୟୋପଯୋଗୀ କରିବାରେ ସକଳ ପ୍ରକାର ଯତ୍ନ କରିଅଛି । ତାହାପରେ ଅଙ୍ଗଶାସ୍ତ୍ର ସହିତ କାମଶାସ୍ତ୍ର ଏବଂ ନୃତ୍ୟ, ଗୀତ, ବାଦ୍ୟ, ଅଭିନୟ, ଚିତ୍ରବିଦ୍ୟା, ରନ୍ଧନ ପ୍ରଣାଳୀ, ଗନ୍ଧଦ୍ରବ୍ୟ ପ୍ରସ୍ତୁତ ପ୍ରକ୍ରିୟା, ପୁଷ୍ପରଚନା, ଅଳଙ୍କାର ଓ ବେଶ-ବିନ୍ୟାସ, ହାସପରିହାସ, ବାକ୍‍ଚାତୁରୀ ଇତ୍ୟାଦି ସମସ୍ତ କଳାବିଦ୍ୟା ଶିକ୍ଷା-ଦେଇଅଛି । ତତ୍ ସହିତ ବ୍ୟାକରଣ, ଜ୍ୟୋତିଷ, ଦର୍ଶନ ଇତ୍ୟାଦି ବିଷୟରେ ମଧ୍ୟ ତାହାର ସମ୍ୟକ୍ ଜ୍ଞାନ ଲାଭ ହୋଇଅଛି । ବେଶ୍ୟାର ଅନ୍ୟ ଯେଉଁ ସମସ୍ତ ପ୍ରଶଂସନୀୟ ଗୁଣ ଥିବା ଉଚିତ, ସେ ସମସ୍ତରେ ତାହାର ପାରଦର୍ଶିତା ଆନୟନ କରିବା ପାଇଁ ମୁଁ ଯତ୍ନବାନ୍ ହୋଇଅଛି ଏବଂ ଜୀବନରେ ନିଜ ବୃତ୍ତିରେ ସେ ଯେପରି ସୁଖ୍ୟାତି ଲାଭ କରିବ ସେଥିନିମିତ୍ତ ସକଳ ସୁବ୍ୟବସ୍ଥା କରିସାରିଛି । କୁଳାଚାର ଅନୁଯାୟୀ ବେଶ୍ୟା ନାୟକ ପ୍ରତି ଉଦଯୋଗୀ ହେବ, ମାତ୍ର ତାହା ପ୍ରତି ଆସକ୍ତ ହେବାକୁ ହେବନାହିଁ; କିନ୍ତୁ ଏ ନିୟମ ଥିବା ସତ୍ତ୍ୱେ ମୋର କନ୍ୟା ତାହା ଲଙ୍ଘନ କରି ବିଦେଶାଗତ ଜଣେ ଦରିଦ୍ର ବ୍ରାହ୍ମଣ ଯୁବକ ପ୍ରତି ଆସକ୍ତା ହୋଇ ଅନ୍ୟାନ୍ୟ ଧନାଢ଼୍ୟ ନାୟକମାନଙ୍କୁ ପ୍ରତ୍ୟାଖ୍ୟାନ କରିଅଛି । ଏଣେ ତାହାର ପରିବାର ଯେ କ୍ରମେ କ୍ରମେ ଦାରିଦ୍ର୍ୟର କଷାଘାତରେ ପ୍ରପୀଡ଼ିତ, ସେଥିପ୍ରତି ତାହାର ଦୃଷ୍ଟି ନାହିଁ । ଏ ସମ୍ବନ୍ଧେ ମୁଁ ତାହାକୁ ସଚେତ କରାଇବା ପାଇଁ ଚେଷ୍ଟିତ ହେବାରୁ ସେ ଆଜି ବନବାସ କରିବା ନିମିତ୍ତ ପ୍ରତିଜ୍ଞା କରି ଗୃହ ତ୍ୟାଗ କରିଅଛି । ସେ ଯଦି ଏଥିରୁ ବିରତ ନ ହୁଏ, ମୁଁ ସପରିବାର ଅନାହାର-ବ୍ରତ ଅବଲମ୍ବନ କରି ଏଠାରେ ପ୍ରାଣତ୍ୟାଗ କରିବି ।”

 

ଏ କଥା ଶୁଣି ମହର୍ଷି ସଦୟହୃଦୟରେ କାମମଞ୍ଜରୀକୁ ଉପଦେଶ ଦେଇ କହିଲେ, “ହେ ବାଳିକେ, ବନବାସ ଘୋର ଦୁଃଖର ଆକର । କଠୋର ତପସ୍ୟା ସାଧନଦ୍ୱାରା ମୁକ୍ତିଲାଭ ଅଥବା ସ୍ୱର୍ଗପ୍ରାପ୍ତି ହୋଇପାରେ । ଏ ଦୁଇଟି ମଧ୍ୟରୁ ମୁକ୍ତି ତତ୍‍ଜ୍ଞାନସାଧ୍ୟ, ଫଳତଃ ଅତ୍ୟନ୍ତ ଦୁଷ୍କର; କିନ୍ତୁ ସ୍ୱର୍ଗ କୌଳିକ ଧର୍ମାନୁଷ୍ଠାନକାରୀ ସକଳ ବ୍ୟକ୍ତିଙ୍କର ସୁଲଭ । ଅତଏବ ତୁମ ଶକ୍ତିର ଅତୀତ ସେହି ମୁକ୍ତିର ଅଭିଳାଷ ପରିତ୍ୟାଗ କରି ମାତାଙ୍କ ଆଦେଶ ଓ ଉପଦେଶ ଅନୁଯାୟୀ ସ୍ୱଧର୍ମ ଆଚରଣ କର ।”

ଏହାର ଉତ୍ତରରେ କାମମଞ୍ଜରୀ କହିଲା, “ପ୍ରଭୁ, ମୋର ଦୃଢ଼ ପ୍ରତିଜ୍ଞା, ମୁଁ ଆପଣଙ୍କର ଚରଣରେ ସ୍ଥାନ ନ ପାଇଲେ ଅଗ୍ନିଦେବତାଙ୍କ କୋଳ ଆଶ୍ରୟ କରିବି । ବେଶ୍ୟାନିବାସ ମୁଁ ଚିରକାଳ ପାଇଁ ତ୍ୟାଗ କରିଛି ।”

ପରିବାରର ଦୁରବସ୍ଥା ବିବେଚନା କରି ଓ କାମମଞ୍ଜରୀର ଦୃଢ଼ତାବ୍ୟଞ୍ଜକ ବାକ୍ୟ ଶୁଣି ମହର୍ଷି ବୃଦ୍ଧାକୁ କହିଲେ, “ତୁମ୍ଭେ ବର୍ତ୍ତମାନ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କରି କିଛିଦିନ ଅପେକ୍ଷା କର । ମୋହର ପ୍ରବୋଧବାକ୍ୟ ଶ୍ରବଣ କରି ଏବଂ ବନବାସଜନିତ ଘୋର କଷ୍ଟ ଅନୁଭବ କରି ତୁମର କନ୍ୟା ଅଳ୍ପଦିନ ମଧ୍ୟରେ ସ୍ୱତଃ ଏ ପଥ ପରିତ୍ୟାଗ କରିବ ।”

ଆତ୍ମୀୟଗଣ ପ୍ରତ୍ୟାବର୍ତ୍ତନ କରିବା ପରେ କାମମଞ୍ଜରୀ ଗୈରିକ ବସନ ପରିଧାନ କରି ଭକ୍ତି ସହକାରେ ମୁନିଙ୍କ ପଦସେବାରେ ନିଜକୁ ନିୟୋଜିତ କଲା । ସେ ନିଜର ଅଙ୍ଗସଂସ୍କାର ପ୍ରତି ଅମନୋଯୋଗୀ ହୋଇ ଆଶ୍ରମର ଉଦ୍ୟାନରେ ବୃକ୍ଷପାଳନ, ଜଳସେଚନ, ପୃଷ୍ପଚୟନ, ଶିବପୂଜା ନିମିତ୍ତ ଗନ୍ଧ, ମାଲ୍ୟନିର୍ମାଣ, ପୂଜା ସମୟରେ ଧୂପଦୀପ ପ୍ରଜ୍ୱଳନ, ନୃତ୍ୟ ଓ ଗାନ ଏବଂ ନିର୍ଜନ ସ୍ଥାନରେ ଧର୍ମ, ଅର୍ଥ ଓ କାମ ସମ୍ବନ୍ଧରେ ଆଲୋଚନାରେ ନିୟମିତ ଭାବରେ ନିଜର ସମୟ ଅତିବାହିତ କରିବାକୁ ଲାଗିଲା । ସେ ନିର୍ଲିପ୍ତଭାବରେ ଜୀବନ ନିର୍ବାହ କରି ଉତ୍ତମ ବ୍ୟବହାର, ଧର୍ମଚିନ୍ତା ଏବଂ ଆତ୍ମତତ୍ତ୍ୱ ଆଲୋଚନାଦ୍ୱାରା ଋଷିଙ୍କୁ ନିଜପ୍ରତି ଆକୃଷ୍ଟ କଲା । କ୍ରମେ ଋଷି ତାହା ପ୍ରତି ଅନୁରକ୍ତ ହୋଇଛନ୍ତି ଏହା ବୁଝିପାରି ଦିନେ କାମମଞ୍ଜରୀ ନିର୍ଜନ ସ୍ଥାନରେ ଋଷିଙ୍କୁ କହିଲା, “ମାନବ ନିତାନ୍ତ ଅନ୍ଧ । ଧର୍ମ ସହିତ ଅର୍ଥ ଓ କାମକୁ ଏକ ମାନଦଣ୍ଡରେ ତୁଳିବା ତାହାର ନିତାନ୍ତ ମୂର୍ଖତା ।” ଏ କଥା କହିଲାବେଳେ ତାହାର ଅଧରରେ ଅତି ଅସ୍ପଷ୍ଟ ହାସ୍ୟରେଖା ଫୁଟିଉଠିଲା ।

ତପସ୍ୱୀ କହିଲେ, “ବାଳିକେ, କହ ଦେଖି, ଧର୍ମ କେଉଁ ଅଂଶରେ ଅର୍ଥ ଓ କାମଠାରୁ ଉଚ୍ଚତର ।”

ଉତ୍ତମ ସୁଯୋଗ ପାଇ କାମମଞ୍ଜରୀ ସଲଜ୍ଜ ଚାହାଣିରେ ଧୀରେ ଧୀରେ କହିଲା, “ଜଣେ ସ୍ତ୍ରୀବ୍ୟକ୍ତିର ଧାରଣାରୁ କ’ଣ ଆପଣ ଧର୍ମ, ଅର୍ଥ, କାମର ଉଚ୍ଚାବଚତା ବିଚାର କରିବେ ? ଦାସୀ ପ୍ରତି ଏହା ଅନୁଗ୍ରହ ବ୍ୟତୀତ ଆଉ କଣ ହୋଇପାରେ ? ତେବେ ଯାହାହେଉ, ମୁଁ ଜାଣେ ଧର୍ମ ସହିତ କାମ ଓ ଅର୍ଥ ତୁଳନୀୟ ନୁହନ୍ତି । ଏ କଥା ଅବଶ୍ୟ ସତ୍ୟ ଯେ ମାନବ ଧର୍ମ, ଅର୍ଥ ଓ କାମର ଅପେକ୍ଷା ନ କରି ନିବୃତ୍ତି ମାର୍ଗରେ ପ୍ରକୃତ ସୁଖଲାଭ କରିପାରେ; କିନ୍ତୁ ତାହା ସମାଧିଦ୍ୱାରା ହିଁ ଲବ୍ଧ ହୋଇଥାଏ । ମାତ୍ର ଅର୍ଥ ଓ କାମ ପରି ଧର୍ମ ବାହାରର କୌଣସି କାରଣର ଅଧୀନ ନୁହେ । ଆଉ ମଧ୍ୟ ତତ୍ତ୍ୱଜ୍ଞାନପରିପୁଷ୍ଟ ଧର୍ମକୁ ଯେକୌଣସିଭାବେ ଅନୁଷ୍ଠିତ ଅର୍ଥ ଓ କାମଚର୍ଚ୍ଚା ନଷ୍ଟ କରିପାରେ ନାହିଁ, ଯଦି ଅବା ତାହା ହ୍ରାସ ପାଏ, ତାହାର ପରିପୂରଣ ଅତି ଅନାୟାସସାଧ୍ୟ । ସେତେବେଳେ ଅର୍ଥ ଓ କାମଚର୍ଚ୍ଚାଜନିତ ଦୋଷକୁ ସେହି ଧର୍ମ ବିନଷ୍ଟ କରି ଅଶେଷ ମଙ୍ଗଳ ସାଧନ କରେ । ପୁରାଣମାନଙ୍କରେ ଏହାର ଭୂରି ଭୂରି ପ୍ରମାଣ ଅଛି । ଜ୍ଞାନୀ ଦେବଗଣ ସମୁଦ୍ରମନ୍ଥନ ସମୟରେ ଅସୁରମାନଙ୍କୁ ପ୍ରବଞ୍ଚନା କରି ନ ଥିଲେ କି ? ଆକାଶ ଯେପରି ଧୂଳିଦ୍ୱାରା ମଳିନ ହୋଇ ନ ପାରେ, ସେହିପରି ତତ୍ତ୍ୱଜ୍ଞ ଧାର୍ମିକର ପବିତ୍ର ଚିତ୍ତରେ ପାପ ସ୍ଥାୟୀ ହୋଇପାରେ ନାହିଁ । ଅତଏବ ମୁଁ ମନେ କରେ ଧର୍ମର ଶତାଂଶରୁ ଏକାଂଶ ସହିତ ଅର୍ଥ ଏବଂ କାମ ତୁଳନୀୟ ନୁହନ୍ତି ।”

ଏହା ଶୁଣି ଋଷି ଉତ୍ତରୋତ୍ତର ଅନୁରକ୍ତ ହୋଇ କହିଲେ, “ହେ ବିଳାସିନି, ତୁମେ ଠିକ୍ ବୁଝିଛ । ବିଷୟ ସମ୍ଭୋଗଦ୍ୱାରା ତତ୍ତ୍ୱଜ୍ଞର ଧର୍ମ ବିନଷ୍ଟ ହୁଏ ନାହିଁ । ମୁଁ ଆଜନ୍ମ ବ୍ରହ୍ମଚାରୀ । ସୁତରାଂ କାମ ଓ ଅର୍ଥ ସମ୍ବନ୍ଧେ ମୋହର କୌଣସି ଧାରଣା ନାହିଁ । ତାହାର ଲକ୍ଷଣ, କାରଣ ଓ ଫଳ ସମ୍ବନ୍ଧେ ମୁଁ ଜାଣିବାକୁ ଇଚ୍ଛା କରେ ।”

କାମମଞ୍ଜରୀ ଉତ୍ତର କଲା–‘‘ପ୍ରଥମତଃ ଯାହାର ଉପାର୍ଜ୍ଜନ, ଅଭିବୃଦ୍ଧି ଓ ସଂରକ୍ଷଣ ବ୍ୟାପାର ରହିଛି, ତାହାକୁ ଅର୍ଥ କୁହାଯାଏ । କୃଷି, ପଶୁପାଳନ, ବାଣିଜ୍ୟ, ସନ୍ଧି, ବିଗ୍ରହ ଓ ଯାଜନାଦି ଅର୍ଥର କାରଣ । ସତ୍‍ପାତ୍ରରେ ଦାନ କରିବାରେ ହିଁ ଅର୍ଥର ସାଫଲ୍ୟ । ଦ୍ୱିତୀୟତଃ ବିଷୟାସକ୍ତ ସ୍ତ୍ରୀପୁରୁଷଙ୍କର ସହବାସକୁ କାମ କୁହାଯାଏ । ଜଗତରେ ଯାହା କିଛି ସୁନ୍ଦର ଓ ଉଦ୍ଦିପକ ବସ୍ତୁ ବିଦ୍ୟମାନ ସେ ସବୁ କାମର ପରିପୋଷକ । ଏହାର ସ୍ମରଣ ପ୍ରୀତିପଦ, ଆହ୍ଲାଦଦାୟକ ଏବଂ ଅଭିମାନଜନକ । ପ୍ରତ୍ୟକ୍ଷ ସର୍ବୋତ୍କୃଷ୍ଟ ସୁଖଲାଭ ଏହାର ଫଳ । ଏହା ଲାଭ କରିବାକୁ ପ୍ରାସାଦବାସୀ ମଧ୍ୟ ଘୋର ତପସ୍ୟା, ପ୍ରଚୁର ଦାନ, ଭୟଙ୍କର ଯୁଦ୍ଧ କିମ୍ୱା ସାଗର ଲଙ୍ଘନ ପ୍ରଭୃତି ଗୁରୁତର କାର୍ଯ୍ୟରେ ନିଜକୁ ନିୟୋଜିତ କରେ ।”

 

ମରୀଚି ଏକଥା ଶ୍ରବଣ କରନ୍ତେ ବ୍ରହ୍ମଚର୍ଯ୍ୟ ନିୟମ ଲଙ୍ଘନ କରି କାମମଞ୍ଜରୀ ପ୍ରତି ଆସକ୍ତ ହୋଇ ପଡ଼ିଲେ । କ୍ରମେ ବେଶ୍ୟା ତାହାଙ୍କୁ ସମ୍ପୂର୍ଣ୍ଣରୂପେ ନିଜର ଆୟତ୍ତାଧୀନ କରିପକାଇଲା । ତପସ୍ୱୀ ପୂଜାରାଧନା ତ୍ୟାଗ କରି କାମମଞ୍ଜରୀକୁ ହୃଦୟର ଏକମାତ୍ର ଆରାଧ୍ୟ ମନେ କଲେ । କିଛିଦିନ ପରେ ବେଶ୍ୟା ତାହାଙ୍କୁ ଚମ୍ପା ନଗରୀକୁ ଆନୟନ କଲା । ସେ ଏକ ଶୋଭାଯାତ୍ରାରେ ତପସ୍ୱୀଙ୍କୁ ମହାସମାରୋହରେ ନଗର ମଧ୍ୟରେ ନେଇ ନିଜ ଗୃହରେ ପ୍ରବେଶ କଲା ।

 

ମରୀଚି ବେଶ୍ୟାଗୃହରେ ସ୍ନାନ ସାରି ବିଳାସୀ ବ୍ୟକ୍ତିଙ୍କ ପରି ସୂକ୍ଷ୍ମ ପରିଧେୟ, ସୁବାସ ଦ୍ରବ୍ୟ ଓ ପୁଷ୍ପମାଳାରେ ଭୂଷିତ ହେଲେ । ସେଦିନ ନଗରରେ ମଦନୋତ୍ସବ ହେଉଥାଏ । କାମମଞ୍ଜରୀ ଉକ୍ତ ଉତ୍ସବରେ ମରୀଚିଙ୍କ ସହ ଯୋଗଦାନ କଲା ।

 

ଏକ ଉଦ୍ୟାନରେ ବହୁ ତରୁଣୀଙ୍କ ସହ ସ୍ୱୟଂ ମହାରାଜା ମଦନୋତ୍ସବରେ ଯୋଗଦାନ କରିଥିଲେ । କାମମଞ୍ଜରୀ ତପସ୍ୱୀଙ୍କ ହସ୍ତ ଧରି ସେଠାରେ ଉପସ୍ଥିତ ହୋଇ ସହାସ୍ୟ ବଦନରେ ରାଜାଙ୍କୁ ପ୍ରଣାମ କଲା । ରାଜା ଈଷତ୍ ହାସ୍ୟ କରି ବେଶ୍ୟା ଏବଂ ତପସ୍ୱୀଙ୍କୁ ଉପବେଶନ କରିବା ପାଇଁ ଆଦେଶ କଲେ ।

 

ଏହି ସମୟରେ ଜଣେ ସୁନ୍ଦରୀ ତରୁଣୀ କୃତାଞ୍ଜଳିପୁଟରେ ରାଜାଙ୍କୁ ଜଣାଇଲା, “ଦେବ, କାମମଞ୍ଜରୀ ମୋତେ ଜୟ କରିଅଛନ୍ତି । ତେଣୁ ଆଜିଠାରୁ ମୁଁ ତାହାଙ୍କର ଦାସୀ ହୋଇ ରହିବି ।” ଏ କଥା ଶୁଣି ସମବେତ ଜନତା ମଧ୍ୟରୁ ବିଶେଷ କରତାଳି ଧ୍ୱନି ଶୁଣାଗଲା । ରାଜା କାମମଞ୍ଜରୀର ଚତୁରତାରେ ସନ୍ତୁଷ୍ଟ ହୋଇ ତାହାକୁ ପ୍ରଚୁର ଧନରତ୍ନ ଉପହାର ଦେଲେ । ନଗରୀର ଶ୍ରେଷ୍ଠ ଗଣିକାବୃନ୍ଦ ଓ ପୁରବାସିଗଣ କାମମଞ୍ଜରୀକୁ ବହୁ ପ୍ରଶଂସା କଲେ ।

 

ଏହାପରେ କାମମଞ୍ଜରୀ ସ୍ଵଗୃହକୁ ପ୍ରତ୍ୟାବୃତ୍ତ ହେବା ନିମିତ୍ତ ଉଦ୍ୟତା ହୋଇ କୃତାଞ୍ଜଳିପୁଟରେ ମରୀଚିଙ୍କୁ ଜଣାଇଲା, “ଭଗବାନ୍, ଆଜି ମୋର ଉଦ୍ଦେଶ୍ୟ ସାଧିତ ହୋଇଅଛି । ଆପଣ ତପସ୍ୱୀ, ବର୍ତ୍ତମାନ ନିଜର ପଥ ଅନୁସରଣ କରନ୍ତୁ ।”

 

ଏହା ଶୁଣିବା ମାତ୍ରେ ତପସ୍ୱୀ ମସ୍ତକରେ ବଜ୍ରପାତ ହେଲା ଭଳି ବୋଧ କଲେ । ଗଣିକା ପ୍ରତି ସେ ଏତେଦୂର ଆସକ୍ତ ହୋଇ ପଡ଼ିଥିଲେ ଯେ ତାହାର ବାକ୍ୟ ଶ୍ରବଣରେ କିଂକର୍ତ୍ତବ୍ୟବିମୂଢ଼ ହୋଇ ଅନୁନୟ କରି କହିବାକୁ ଲାଗିଲେ, “ପ୍ରିୟେ, ତୁମର ଏ କି କଠୋର ବ୍ୟବହାର ! ମୋ ପ୍ରତି ଉଦାସୀନତା କାହିଁକି ? ତୁମର ସେ ଅନୁରାଗ କେଉଁଆଡ଼େ ଲୋପ ହେଲା ?”

 

କାମମଞ୍ଜରୀ ଉତ୍ତର କଲା, “ଭଗବନ୍, ଯେଉଁ ସୁନ୍ଦରୀ ରାଜାଙ୍କ ନିକଟରେ ପରାଜୟ ସ୍ୱୀକାର କଲା ତା ସହିତ ବିବାହ କରି ମୁଁ ଆପଣଙ୍କୁ ବଶୀଭୂତ କରିବା ପାଇଁ ପଣ କରିଥିଲି । ଆପଣଙ୍କ ଅନୁଗ୍ରହରୁ ଆଜି ମୁଁ ସେଥିରେ କୃତକାର୍ଯ୍ୟ ହୋଇଅଛି ।”

 

ବେଶ୍ୟାଦ୍ୱାରା ପ୍ରତାରିତ ହୋଇ ତପସ୍ୱୀଙ୍କର ପୁଣି ଜ୍ଞାନୋଦୟ ହେଲା । ସେ ଦୁଷ୍କର୍ମରୁ ନିବୃତ୍ତ ହୋଇ ଅନୁତାପାନଳରେ ଦଗ୍ଧ ହେବାକୁ ଲାଗିଲେ । ବେଶ୍ୟା ପ୍ରତି ଅନୁରାଗ ଦୂରୀଭୂତ ହୁଅନ୍ତେ ତାହା ସ୍ଥାନରେ ହୃଦୟରେ ମହା ବୈରାଗ୍ୟ ଜାତ ହେଲା । ମୁଁ ହିଁ ସେହି ପ୍ରତାରିତ, ଅନୁତପ୍ତ ଋଷି ମରୀଚି !”

 

ଏହା କହିସାରି ଭାବାବେଶରେ ମୁନି କିଛିକାଳ ନିସ୍ତବ୍ଧ ହୋଇପଡ଼ିଲେ । ତାପରେ ସେ ମୋହର ପରିଚୟ ଜିଜ୍ଞାସା କଲେ । ମୁଁ ପରିଚୟ ଦେବା ପରେ ସେ ପୁଣି କିଛିକାଳ ନୀରବ ରହି କହିଲେ, “ଯୁବକ, ତୁମଦ୍ୱାରା ଏ ପାପପ୍ଳାବିତ ଦେଶର ବହୁ ଉପକାର ହେବ ବୋଲି ସୂଚନା ପାଉଛି-। ତୁମେ ତୁମ ବନ୍ଧୁଙ୍କ ସହିତ କେବେ ମିଳିତ ହେବ ତାହା ଉପଯୁକ୍ତ ସମୟରେ ମୁଁ ଜଣାଇବି-। ତାହା ପୂର୍ବରୁ ତୁମ ସମ୍ମୁଖରେ ବହୁ ଗୁରୁତର କର୍ତ୍ତବ୍ୟ ଅଛି । ସେ ଗୁରୁକର୍ତ୍ତବ୍ୟ ସାଧନ କରିବାରେ ତୁମକୁ ସାହାଯ୍ୟ କରିବା ପାଇଁ ମୁଁ ମୋହର ଆତ୍ମକାହାଣୀ ବର୍ଣ୍ଣନା କଲି । ତୁମେ ଏ ଅସାଧ୍ୟ ସାଧନ କରି ପାରିବ ?”

 

ଏକଥା ଶୁଣି ମୁଁ ଉତ୍କଣ୍ଠାର ସହିତ ଉତ୍ତର କଲି, “ମହର୍ଷେ, ଅନୁଗ୍ରହ କରି ମୋହର କର୍ତ୍ତବ୍ୟ ସମ୍ବନ୍ଧେ ସୂଚନା ଦିଅନ୍ତୁ । ମୁଁ ପ୍ରାଣପଣ କରି ତାହା ନିଶ୍ଚୟ ସାଧନ କରିବି ।”

 

ମହର୍ଷି କହିଲେ, “ଦୁରାତ୍ମା ଖଳପ୍ରକୃତିର ଲୋକଙ୍କୁ ଉପଯୁକ୍ତ ଦଣ୍ଡ ଦେଇ ସାଧୁମାନଙ୍କୁ ସାହାଯ୍ୟ କରିବା ହିଁ ତୁମର କର୍ତ୍ତବ୍ୟ ହେବ । ଚମ୍ପାନଗରୀରେ ଅସାଧୁ, ଆଳସ୍ୟପରାୟଣ ଏବଂ ବିପଥଗାମୀ ବ୍ୟକ୍ତିଙ୍କ ଦୌରାତ୍ମ୍ୟ କ୍ରମେ ଅତି ଅସହ୍ୟ ହୋଇ ଉଠୁଛି । ତୁମେ ସୁଶିକ୍ଷିତ ବୁଦ୍ଧିମାନ୍ ଯୁବକ । ଏମାନଙ୍କୁ ଉପଯୁକ୍ତ ଶାସ୍ତି ଓ ଶିକ୍ଷା ଦେଇ ସତ୍‍ମାର୍ଗଚାରୀ କରାଇବା ଭାର ତୁମେ ଗ୍ରହଣ କର ।”

 

ମରୀଚ ଯେଉଁ ଚକ୍ରାନ୍ତଦ୍ୱାରା ପ୍ରତାରିତ ହେଲେ, “ତାହା ଶ୍ରବଣ କରି ମୁଁ ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇପଡ଼ିଥିଲି । ଚମ୍ପାନଗରୀର ରାକ୍ଷସୀଲୀଳା ମୋହର ରକ୍ତକୁ ଉତ୍ତେଜିତ କରିଦେଇଥିଲା । ମୁଁ ତତ୍‍କ୍ଷଣାତ୍ ଏ କାର୍ଯ୍ୟରେ ହସ୍ତକ୍ଷେପ କରିବା ନିମିତ୍ତ ଋଷିଙ୍କ ସମ୍ମୁଖରେ ପ୍ରତିଜ୍ଞା କଲି ।”

 

ଋଷିଙ୍କ ଆଦେଶରେ ମୁଁ ଆଶ୍ରମରେ ରାତ୍ରିଯାପନ କଲି । ବିଶ୍ରାମ କାଳରେ ସେ ମୋତେ ବହୁମୂଲ୍ୟ ଉପଦେଶମାନ ପ୍ରଦାନ କଲେ । ପ୍ରଭାତରୁ ମୁଁ ବିଦାୟ ଗ୍ରହଣ କରି ଚମ୍ପା ଅଭିମୁଖରେ ଯାତ୍ରା କଲି ।

 

କିଛିଦୂର ଅଗ୍ରସର ହେବାପରେ ମୋହର ଯାତ୍ରାପଥରେ ଗୋଟିଏ ବୌଦ୍ଧ ଆଶ୍ରମ ପଡ଼ିଲା । ତାହାର ନିକଟରେ ଏକ ଅଶୋକବୃକ୍ଷ ତଳେ ଜଣେ କଦାକାର ମଳିନ ବର୍ଣ୍ଣ ଅସ୍ଥିର ଚିତ୍ତ ବୌଦ୍ଧଭିକ୍ଷୁ ଲୋତକପୂର୍ଣ୍ଣ ନୟନରେ ଉପବେଶନ କରିଥିବା ଦେଖି ମୁଁ ତାହାଙ୍କର ନିକଟବର୍ତ୍ତୀ ହୋଇ ଜିଜ୍ଞାସା କଲି, “ମହାଶୟ, ତପସ୍ୟା ଏବଂ କ୍ରନ୍ଦନ କଦାପି ସହଗାମୀ ହୋଇ ନ ପାରନ୍ତି । ଯଦି ଗୋପନୀୟ ହୋଇ ନ ଥାଏ ଆପଣଙ୍କର ଶୋକର କାରଣ ପ୍ରକାଶ କରିବେ କି ?”

 

ଭିକ୍ଷୁ ଲୋତକ ସମ୍ବରଣ କରି କହିଲେ, “ମହାଶୟ, ଚମ୍ପାନଗରୀର ପ୍ରସିଦ୍ଧ ବଣିକ ନିଧିପାଳିତଙ୍କର ମୁଁ ଜ୍ୟେଷ୍ଠପୁତ୍ର । ମୋହର ନାମ ବସୁପାଳିତ; କିନ୍ତୁ ମୋହର କୁତ୍ସିତ ରୂପ ଯୋଗୁଁ ମୁଁ ସାଧାରଣତଃ ‘ବିରୂପକ’ ନାମରେ ପରିଚିତ । ସେହି ନଗରୀରେ ଅର୍ଥପତି ନାମକ ଜଣେ ଯୁବକ ଅଛନ୍ତି । ତାହାଙ୍କର ଯଥେଷ୍ଟ ବିଭବ ନ ଥିଲେ ମଧ୍ୟ ସେ ନୃତ୍ୟଗୀତାଦି କଳାବିଦ୍ୟାରେ ପାରଦର୍ଶୀ ଏବଂ ଦୟାଦାକ୍ଷିଣ୍ୟାଦି ସଦ୍‍ଗୁଣସମ୍ପନ୍ନା ଅଟନ୍ତି । ତାହାଙ୍କର ରୂପଶ୍ରୀ ଅତ୍ୟନ୍ତ ମନୋହର । ତେଣୁ ଲୋକେ ତାହାଙ୍କୁ ‘ରୂପବାନ୍’ ନାମ ଦେଇଅଛନ୍ତି ।

 

“କେତେକ ଖଳପ୍ରକୃତିର ଲୋକ ଆମ୍ଭ ଦୁହିଁଙ୍କ ମଧ୍ୟରେ ଅନର୍ଥ ସୃଷ୍ଟି କରିବା ଲାଳସାରେ ତାହାଙ୍କର ରୂପଗୁଣର ପ୍ରଶଂସା ମୋ ସମ୍ମୁଖରେ ଏବଂ ମୋହର କୁତ୍ସିତତାର ନିନ୍ଦା ତାହାଙ୍କ ନିକଟରେ କରିବାକୁ ଲାଗିଲେ । ଦିନେ ଏକ ଉତ୍ସବସଭାରେ ଏହି ଦୁର୍ବୃତ୍ତଗଣ ନାନା ଭାବରେ ଆମ୍ଭ ଦୁହିଁଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି କରି କହିଲେ ଯେ, କୌଣସି ବ୍ୟକ୍ତିର ରୂପ କିମ୍ୱା ବିଭବ ପୁରୁଷକାରର ପରିଚାୟକ ନୁହେଁ । ସର୍ବଶ୍ରେଷ୍ଠ ବେଶ୍ୟା ଯାହାଙ୍କର ଯୌବନ ପ୍ରାର୍ଥନା କରେ, ତାହାଙ୍କୁ ହିଁ ପୁରୁଷଶ୍ରେଷ୍ଠ କୁହାଯାଏ ।

 

“ଏହିଭଳି ନାନା ଖଳ ପ୍ରରୋଚନାର ବଶବର୍ତ୍ତୀ ହୋଇ ଶେଷରେ ଅର୍ଥପତି ଓ ମୋ ଭିତରେ ନିଷ୍ପତ୍ତି ହେଲା ଯେ ଆମ୍ଭେ ଉଭୟେ ବେଶ୍ୟା କାମମଞ୍ଜରୀ ନିକଟରେ ନିଜ ନିଜର ପୌରୁଷ ପରୀକ୍ଷା କରିବୁ । ସେ ଯାହାର ପ୍ରଣୟପ୍ରାର୍ଥିନୀ ହେବ, ତାହାର ଶ୍ରେଷ୍ଠତ୍ୱ ପ୍ରମାଣିତ ହେବ-

 

“ଏହି ଘଟଣାର ଅଳ୍ପଦିନ ମଧ୍ୟରେ ଏ ବିବାଦର ନିଷ୍ପତ୍ତି ହୋଇଗଲା; କାରଣ ମୁଁ ଦୂତ ପ୍ରେରଣ କରିବା ମାତ୍ରେ କାମମଞ୍ଜରୀ ମୋହର ପ୍ରଣୟପ୍ରାର୍ଥିନୀ ହେଲା । ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ୍ ମନେକରି କ୍ରମେ କ୍ରମେ ମୋହର ସକଳ ସମ୍ପତ୍ତି ଏପରି କି ବାସଗୃହ ପର୍ଯ୍ୟନ୍ତ ତାହାକୁ ଉପହାର ଦେବାରେ ବ୍ୟୟ କରିଦେଲି । କିନ୍ତୁ ଫଳରେ ସର୍ବତ୍ର ଉପହସିତ ହେବା ହିଁ ମୋ ଭାଗ୍ୟରେ ସାର ହେଲା । ମୋହର ସର୍ବସ୍ୱ ଅପହରଣ କରିସାରିବା ମାତ୍ରେ ରାକ୍ଷସୀ କାମମଞ୍ଜରୀ ମୋତେ ଭଗ୍ନ କ୍ରୀଡ଼ନକ ତୁଲ୍ୟ ତ୍ୟାଗ କରି ଗୃହରୁ ଅନ୍ତର କରିଦେଲା ।

 

“ମୋହର ପତନ ସଙ୍ଗେ ସଙ୍ଗେ ଅର୍ଥପତିର ଅଭ୍ୟୁଦୟ ହେଲା; କାମମଞ୍ଜରୀ ନିଜର ପ୍ରେମ ଓ ମୋହର ଅର୍ଥ ତାହାକୁ ସମର୍ପଣ କଲା । ସେ ବିଜୟ ଉନ୍ମାଦରେ ଉନ୍ନତ୍ତ ହେଲା । ମୁଁ ସର୍ବତ୍ର ଘୃଣିତ ହେଲି । ଏ ମରଣାନ୍ତକ ଅପମାନ ସହ୍ୟ କରି ନ ପାରି ମୁଁ ଏ ବିହାରରେ ଆଶ୍ରୟ ନେଲି । ଜଣେ ବୌଦ୍ଧ ସନ୍ନ୍ୟାସୀ ମୋତେ ଉପଦେଶ ଦେଲେ ଯେ କେବଳ ସାଧନାଦ୍ୱାରା ନିର୍ବାଣପ୍ରାପ୍ତି ହୋଇଥାଏ । ସୁତରାଂ ସେହି ପଥ ଅନୁସରଣ କରି କ୍ଷଧାତୃଷାରେ ମୋତେ ବହୁ ଯାତନା ଭୋଗ କରିବାକୁ ହେଲା । ମୁଁ ବୈଶ୍ୟ ଜାତିସମ୍ଭୂତ; ମୋହର ପୂର୍ବପୁରୁଷଗଣ ସ୍ମୃତିଶ୍ରୁତିବିହିତ ପଥ ଅନୁସରଣ କରିଯାଇଛନ୍ତି । ତେଣୁ ଏ ଧର୍ମରେ ଈଶ୍ୱରଙ୍କଠାରେ ଅବିଶ୍ୱାସ ଏବଂ ସ୍ମୃତିଶ୍ରୁତିର ନିନ୍ଦା ଶ୍ରବଣ କରି କେତେକ ଦିବସ ପରେ ମୋହର ଆତ୍ମଗ୍ଳାନି ଜାତ ହେଲା । ନିଜର ଧର୍ମ ତ୍ୟାଗ କରି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ମୁଁ ଅନୁତପ୍ତ ହେଲି । ତାହା ଫଳରେ ମୁଁ ବର୍ତ୍ତମାନ ସ୍ୱକୃତ ସକଳପ୍ରକାର ଦୁଷ୍କର୍ମ ପାଇଁ ଅନୁତପ୍ତ ହୋଇ ନିର୍ଜନରେ ବସି ଲୋତକ ବିସର୍ଜନ କରୁଅଛି ।”

 

ବିରୂପକର କରୁଣ କାହାଣୀ ଶ୍ରବଣ କରି ମୋ ହୃଦୟ ବିଗଳିତ ହୋଇପଡ଼ିଲା । ମୁଁ କହିଲି, “ମହାଶୟ, ଏ ସ୍ଥାନରେ ଆଉ କିଛି ଦିନ ବାସ କରନ୍ତୁ । ଆପଣ ନିଜର ସମସ୍ତ ସମ୍ପତ୍ତି ଅଳ୍ପକାଳ ମଧ୍ୟରେ ଯେପରି ଫେରି ପାଇବେ, ମୁଁ ତାହାର ଯତ୍ନ କରିବି ।”

 

ମହର୍ଷି ମରୀଚି ମୋତେ ଯେଉଁ ଗୁରୁଭାର ସମର୍ପଣ କଲେ ତାହା ଦୁଃସାଧ୍ୟ । ନିର୍ଦ୍ଦୟ ଦସ୍ୟୁ ତଥା ଚରିତ୍ରହୀନ ବର୍ବର ବ୍ୟକ୍ତିମାନଙ୍କୁ ଶାସନ କରିବା କି ବିଷମ ବ୍ୟାପାର ତାହା ସହଜେ ଅନୁମେୟ । ଯାହାହେଉ ମୁଁ ପ୍ରଥମେ ଅର୍ଥପତିକୁ ଉପଯୁକ୍ତ ଶାସ୍ତି ଦେବା ନିମିତ୍ତ ସଂକଳ୍ପ କଲି । କାରଣ ମୋହର ସ୍ପଷ୍ଟ ଧାରଣା ହେଲା, ଅର୍ଥପତି ଓ କାମମଞ୍ଜରୀଙ୍କ ମନ୍ତ୍ରଣା ଏବଂ ଷଡ଼ଯନ୍ତ୍ର ଅନୁଯାୟୀ ଖଳ ବ୍ୟକ୍ତିମାନଙ୍କ ମଧ୍ୟସ୍ଥତାରେ ଏ ସମସ୍ତ ଘଟିଅଛି ।

 

ମୁଁ ଚମ୍ପାନଗରୀ ମଧ୍ୟରେ ପ୍ରବେଶ କରି ପ୍ରଥମେ ସକଳପ୍ରକାର ଖଳ, ଚରିତ୍ରହୀନ, ଦସ୍ୟୁ, ବେଶ୍ୟାସକ୍ତ, ମଦ୍ୟପ ବ୍ୟକ୍ତିଙ୍କ ସହ ସଦ୍ଭାବ ସ୍ଥାପନ କରିବାକୁ ଲାଗିଲି । ସେମାନଙ୍କ ସହବାସରେ ଅଳ୍ପଦିନ ମଧ୍ୟରେ ଦ୍ୟୂତକ୍ରୀଡ଼ା ଓ ଦସ୍ୟୁବୃତ୍ତିରେ ମୋହର ଉତ୍ତମ ବ୍ୟୁତ୍ପତ୍ତି ଜନ୍ମିଲା । ମୁଁ ଏ ଉଭୟ ଉପାୟରେ ବହୁ ଅର୍ଥ ସଂଗ୍ରହ କଲି ଏବଂ ସହଚରମାନଙ୍କ ସହାନୁଭୂତି ଓ ଆବଶ୍ୟକ ସମୟରେ ସାହାଯ୍ୟ ପାଇବା ପାଇଁ ଉକ୍ତ ଅର୍ଥକୁ ଉଦାର ଭାବରେ ସେମାନଙ୍କୁ ଦାନ କଲି । ମୋହର ନୂତନ ସହଚରମାନଙ୍କ ମଧ୍ୟରେ ବିମର୍ତ୍ତକ ନାମକ ଏକ ଦ୍ୟୂତକ୍ରୀଡ଼ାନିପୁଣ ବ୍ୟକ୍ତିଙ୍କ ସହ ମୋହର ଅତି ଆତ୍ମୀୟତା ପ୍ରତିଷ୍ଠିତ ହେଲା । ଏକ ଦ୍ୟୂତସଭାରେ ସେ ସର୍ବସ୍ୱାନ୍ତ ହେବା ଅବସ୍ଥାରେ ମୁଁ ତାହାଙ୍କୁ ସାହାଯ୍ୟ କରିବାରୁ ସେ ମୋ ପ୍ରତି ବିଶେଷ କୃତଜ୍ଞ ହୋଇ ତାହାଙ୍କ ଗୃହରେ ମୋହର ବାସ କରିବା ନିମିତ୍ତ ସକଳ ବ୍ୟବସ୍ଥା କରିଦେଲେ । ତାହାଙ୍କଠାରୁ ନଗରୀର ସମସ୍ତ ସମ୍ବାଦ ମଧ୍ୟ ମୁଁ ସହଜରେ ପାଇ ପାରିଲି । ନଗରୀରେ କିଏ କିପରି ବ୍ୟକ୍ତି, କାହାର କିପରି ବିଭବ ଇତ୍ୟାଦି କୌଣସି କଥା ମୋତେ ଅବିଦିତ ରହିଲା ନାହିଁ ।

 

ଏକଦା ରାତ୍ରିକାଳରେ ମୁଁ ଏକ କୃପଣ ଧନୀ ଗୃହରେ ଚୋରି କରିବା ଉଦ୍ଦେଶ୍ୟରେ ବାହାରିଲି । କୃଷ୍ଣ ବସନରେ ମୋହର ତୈଳଜର୍ଜରିତ ଶରୀରକୁ ଆବୃତ କରି କଟିଦେଶରେ ଅସି, ହସ୍ତରେ ମୁଷଳ, ଉଦୂଖଳ, ବଂଶୀ, କାଷ୍ଠପୁରୁଷ, ଯୋଗଚୂର୍ଣ୍ଣ, ଯୋଗବର୍ତ୍ତିକା, ରଜ୍ଜୁ ଓ କୃଷ୍ଣବସ୍ତ୍ରାଚ୍ଛାଦିତ ଆଲୋକ ଇତ୍ୟାଦି ଉପକରଣ ଧରି ଘନ ଅନ୍ଧକାର ମଧ୍ୟରେ ଅଗ୍ରସର ହେଲି । ଏ ଅଭିଯାନରେ ମୁଁ ବିଶେଷ କୃତକାର୍ଯ୍ୟ ହେଲି । ସିନ୍ଧିକାଟି ଗୃହମଧ୍ୟରେ ପ୍ରବେଶ କରି ଅପରିମିତ ମୂଲ୍ୟବାନ ଧନରତ୍ନ ସହ ଅନାୟାସରେ ମୁଁ ପୁଣି ରାଜପଥକୁ ଫେରି ଆସିଲି ।

 

ଅତି ସାବଧାନତା ସହକାରେ ରାଜପଥରେ କିଛି ଦୂର ଯାଇଛି, ହଠାତ୍ ଜଣେ ସୁବେଶା ଯୁବତୀ ବିପରୀତ ଦିଗରୁ କ୍ଷିପ୍ର ଗତିରେ ଆସୁଥିବା ଦେଖି ମୁଁ ବିସ୍ମିତ ହୋଇପଡ଼ିଲି । ତାହାର ମଣିମୁକ୍ତା ଖଚିତ ଅଳଙ୍କାର ଘନଅନ୍ଧାର ମଧ୍ୟରୁ ଚକ୍ ଚକ୍ ଦେଖାଯାଉଥିଲା । ସେ ମୋହର ନିକଟବର୍ତ୍ତୀ ହୁଅନ୍ତେ ମୁଁ ତାହାର ପରିଚୟ ଏବଂ ଉଦ୍ଦେଶ୍ୟ ଜିଜ୍ଞାସା କଲି ।

 

ଯୁବତୀ ମୋହର ଭୟଙ୍କର ରୂପ ଦେଖି ମୋତେ ପ୍ରତାରଣା କରିବାକୁ ସାହସ କଲା ନାହିଁ । ସେ ଭୀତତ୍ରସ୍ତା ହୋଇ ଅସ୍ପଷ୍ଟ ଭାବରେ କହିଲା, “ମୁଁ ଏ ନଗରର କୁବେର ଦତ୍ତଙ୍କ କନ୍ୟା । ମୋହର ନାମ କୁଳପାଳିକା । ପିତା ମୋହର ବାଲ୍ୟାବସ୍ଥାରେ ଧନମିତ୍ର ନାମକ ବଣିକ ପୁତ୍ରଙ୍କ ସହିତ ମୋହର ବିବାହ ଦେବା ପାଇଁ ବାଗ୍‍ଦାନ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ନିଜ ପିତାଙ୍କ ମୃତ୍ୟୁ ପରେ ଧନମିତ୍ର ଅତିରିକ୍ତ ଦାନ କରି ନିଃସ୍ୱ ହୋଇପଡ଼ିଲେ । ବର୍ତ୍ତମାନ ମୁଁ ବୟଃପ୍ରାପ୍ତ ହେବାରୁ ସେ ମୋହର ପାଣି ପ୍ରାର୍ଥନା କରନ୍ତେ ପିତା ତାହା ପ୍ରତ୍ୟାଖ୍ୟାନ କରି ଅର୍ଥପତି ନାମକ ଜଣେ ଚରିତ୍ରହୀନ ବିଭବଶାଳୀ ଯୁବକ ସହିତ ଆସନ୍ତା କାଲି ମୋହର ବିବାହ ଦେବା ନିମିତ୍ତ ନିଶ୍ଚୟ କରିଅଛନ୍ତି । ଏ ରାତ୍ରି ପ୍ରଭାତ ହେଲେ ମୋହର ଅବଶ୍ୟ ଅମଙ୍ଗଳ ଘଟିବ । ସୁତରାଂ ମୁଁ ପିତୃଗୃହ ତ୍ୟାଗ କରି ମୋହର ପ୍ରିୟତମଙ୍କ ସଙ୍କେତ ଅନୁଯାୟୀ ତାହାଙ୍କ ସହିତ ମିଳିତ ହେବାକୁ ଯାଉଛି । ଏହାଦ୍ୱାରା ମୁଁ ମୋହର ସତୀତ୍ୱ ରକ୍ଷା ସଙ୍ଗେ ସଙ୍ଗେ ପିତାଙ୍କର ସତ୍ୟ ରକ୍ଷା କରିପାରିବି, ଏହି ଆଶାରେ ସମାଜକୁ ଭ୍ରୂକ୍ଷେପ ନ କରି ଆତ୍ମୀୟମାନଙ୍କୁ ତ୍ୟାଗ କରିଛି । ଆପଣ ବୋଧହୁଏ ଜଣେ ଦସ୍ୟୁ । ମୁଁ ପ୍ରାର୍ଥନା କରୁଛି, ମୋହର ସମସ୍ତ ଅଳଙ୍କାର ଗ୍ରହଣ କରି, ମୋତେ ମୋ ପଥରେ ଗତି କରିବାକୁ ଦିଅନ୍ତୁ ।”

 

ଅର୍ଥପତିର ନାମ ଶୁଣି ମୋହର ଚକ୍ଷୁ ବିଷ୍ପାରିତ ହୋଇପଡ଼ିଲା । ପ୍ରତିହିଂସା ସାଧନର ସହଜ ଉପାୟ ମୁଁ ଏଠାରେ ପାଇଲି । ସରଳା ଯୁବତୀର ଧୈର୍ଯ୍ୟ ଓ ସାହସରେ ମୁଁ ବିଶେଷ ପ୍ରୀତ ହୋଇ ତାହାକୁ ଆଶ୍ୱାସନା ଦେଇ କହିଲି, “ସତୀ, ଆସ, ମୁଁ ତୁମକୁ ତୁମର ପ୍ରିୟତମଙ୍କ ବାସଭବନକୁ ନେଇଯିବି । ତୁମେ ଭୀତ ହୁଅ ନାହିଁ । ମୋତେ ବିଶ୍ୱାସ କର । ତୁମକୁ ନଗର ତ୍ୟାଗକରି ପଳାୟନ କରିବାକୁ ହେବ ନାହିଁ । ଧନମିତ୍ରଙ୍କ ସହିତ ତୁମର ବିବାହ ଦେବା ପାଇଁ ତୁମ ପିତାଙ୍କୁ ସ୍ୱୀକୃତ କରାଇବା ଭାର ମୁଁ ନେଉଛି । ମୁଁ ଏହା ସମ୍ପୂର୍ଣ୍ଣ ଗୋପନୀୟ ରଖି ସକଳ ସୁବ୍ୟବସ୍ଥା କରିବି ।” ଏହା କହି ମୁଁ ଦୁଇ ପାଦ ଅଗ୍ରସର ହୋଇଛି, ହଠାତ୍ ଦଳେ ଆଲୋକଧାରୀ ନଗରରକ୍ଷୀ ସେ ଦିଗରେ ଆସୁଥିବାର ସୂଚନା ପାଇଲି ଏବଂ ସେମାନଙ୍କଠାରୁ ରକ୍ଷା ପାଇବା ପାଇଁ ହଠାତ୍ ଗୋଟିଏ ଉପାୟ କଲି । ମୁଁ ଅତି ଚଞ୍ଚଳ ଭାବରେ ଯୁବତୀଙ୍କୁ କହିଲି, “ଦେଖ ରକ୍ଷିଗଣ ଆସୁଅଛନ୍ତି-। ଆମେ ଉଭୟେ ଧରା ପଡ଼ିବା । ତୁମେ ଛଳନା କର ଯେ ମୁଁ ତୁମର ପତି । ମୋତେ ସର୍ପାଘାତ ହୋଇଛି । ମୁଁ ଅଚେତ ହୋଇ ପଡ଼ିଯାଉଛି । ସେମାନେ ନିକଟବର୍ତ୍ତୀ ହେଲେ, ଆମ୍ଭେମାନେ ବିଦେଶୀ ବୋଲି କହି ତୁମେ ମନ୍ତ୍ରୌଷଧ ପ୍ରାର୍ଥନା କର ।”

 

ସଙ୍ଗେ ସଙ୍ଗେ ବିଷବିକାରଗ୍ରସ୍ତ ବ୍ୟକ୍ତି ପରି ମୁଁ ପଡ଼ିଗଲି । ଯୁବତୀ ମୋ ନିକଟରେ ଉପବେଶନ କରି ଅଶ୍ରୁପୂର୍ଣ୍ଣ ନୟନରେ କ୍ରନ୍ଦନ କରିବାକୁ ଲାଗିଲା । ନଗରରକ୍ଷିଗଣ ନିକଟକୁ ଆସନ୍ତେ ସେ ମୋହର ଉପଦେଶ ଅନୁଯାୟୀ ସମସ୍ତ କଥା କହିଗଲା । ରକ୍ଷିଗଣ ଯୁବତୀର ଆକସ୍ମିକ ବିପଦରେ ସମବେଦନା ପ୍ରକାଶ କରିବାକୁ ଲାଗିଲେ । ସେମାନଙ୍କ ମଧ୍ୟରୁ ଜଣେ ବିଷଚିକିତ୍ସା ଜାଣିଥିଲେ । ସେ ମୋହର ଚତୁର୍ଦ୍ଦିଗରେ ମଣ୍ଡଳାକାରରେ ଭ୍ରମଣ କରି ମୁଦ୍ରା ସହ ମନ୍ତ୍ର ପାଠ କରିବାକୁ ଲାଗିଲେ । କିନ୍ତୁ କୌଣସିପ୍ରକାରେ କୃତକାର୍ଯ୍ୟ ହୋଇ ନ ପାରି କହିଲେ, “କାଳସର୍ପର ଦଂଶନ–ସୁତରାଂ ଅସାଧ୍ୟ । ଦେଖ, ଶରୀର ନିସ୍ତେଜ, ନାଟିକା ଗତିହୀନ, ଦୃଷ୍ଟିଶକ୍ତି ଲୋପ, ଦେହର ଉତ୍ତାପ ବିନଷ୍ଟ–ସୁତରାଂ ଅସମ୍ଭବ ଏବଂ କ୍ରନ୍ଦନ ନିରର୍ଥକ । ପ୍ରଭାତରେ ଦାହକ୍ରିୟାର ବ୍ୟବସ୍ଥା କରିବାକୁ ହେବ ।” ରକ୍ଷିଗଣ ସ୍ଥାନ ତ୍ୟାଗ କରି ଚାଲିଗଲେ । ସେମାନେ ଏକ ଗଳି ଭିତରେ ପ୍ରବେଶ କରିବାରୁ ମୁଁ ଉଠି ଯୁବତୀଙ୍କ ସହ ଧନମିତ୍ରଙ୍କ ଗୃହ ଅଭିମୁଖରେ ଯାତ୍ରା କଲି-। ଧନମିତ୍ର ନିଜ ପ୍ରିୟତମାଙ୍କ ସହିତ ମୋତେ ଦେଖି ଆଶ୍ଚର୍ଯ୍ୟାନ୍ୱିତ ହୋଇପଡ଼ିଲେ । ମୁଁ ମୋହର ପରିଚୟ ଦେଇ କହିଲି, “ମହାଶୟ, ମୁଁ ଜଣେ ଦସ୍ୟୁ । ତଥାପି ଯୁବତୀଙ୍କର ସତ୍‍ସାହସରେ ଅତ୍ୟନ୍ତ ପ୍ରୀତ ହୋଇ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ଅର୍ଦ୍ଧପଥରୁ ତାହାଙ୍କର ସହଯାତ୍ରୀ ହୋଇଅଛି । ଆପଣ ଏପରି ରମଣୀରତ୍ନକୁ ପତ୍ନୀଭାବରେ ପାଇ ନିଜକୁ ନିଶ୍ଚୟ ଗୌରବାନ୍ୱିତ ମନେ କରିବେ । ଏହି ତାହାଙ୍କର ଅଳଙ୍କାର ପେଟିକା ଗ୍ରହଣ କରନ୍ତୁ ।

 

ଧନମିତ୍ର ମୋହର ପରସ୍ପର ବିରୋଧୀ ବେଶଭୂଷା, ଆକୃତି ପ୍ରକୃତି ଏବଂ ବାକ୍ୟାଳାପରେ ଅତ୍ୟଧିକ ବିସ୍ମିତ ହୋଇପଡ଼ିଲେ । କିନ୍ତୁ ମୋହର ନିଃସ୍ୱାର୍ଥ ପରୋପକାର ପାଇଁ ତାହାଙ୍କର ହୃଦୟ ମୋଠାରେ କୃତଜ୍ଞତାରେ ପୂର୍ଣ୍ଣ ହୋଇପଡ଼ିଲା । ସେ ମୋତେ ଅଶେଷ ଧନ୍ୟବାଦ ଅର୍ପଣ କରିବାକୁ ଲାଗିଲେ ।

 

ତାହାପରେ ମୁଁ ଧନମିତ୍ରଙ୍କୁ ପଚାରିଲି, “ଆଚ୍ଛା, ବର୍ତ୍ତମାନ ଆପଣ କଅଣ କରିବେ ବୋଲି ଭାବୁଛନ୍ତି ?”

 

ଧନମିତ୍ର କହିଲେ, “ପିତାମାତାଙ୍କ ବିନାନୁମତିରେ ଏ ଯୁବତୀଙ୍କୁ ବିବାହ କରି ଏ ନଗରୀରେ ଜୀବନ ଧାରଣ କରିବା ଅସମ୍ଭବ । ତେଣୁ ତାଙ୍କ ସହିତ ଏହି ରାତ୍ରିରେ ଏ ଦେଶ ତ୍ୟାଗ କରିବାକୁ ଇଚ୍ଛା କରିଅଛି ।”

 

ମୁଁ କହିଲି, “ବାସ୍ତବ କଥା । କିନ୍ତୁ ସୁଚତୁର ବ୍ୟକ୍ତି ପକ୍ଷେ ସ୍ୱଦେଶ ଓ ବିଦେଶ ମଧ୍ୟରେ ପାର୍ଥକ୍ୟ ଅତି ଅଳ୍ପ । ସୁକୋମଳାଙ୍ଗୀ ବାଳିକାସହ ରାତ୍ରିକାଳୀନ ଗିରିପଥ ଅତିକ୍ରମ କରି ଦେଶତ୍ୟାଗ କରିବା ଅପେକ୍ଷା ନିଜ ବୁଦ୍ଧିର ପରିଚୟ ଦେଇ କାର୍ଯ୍ୟ ସାଧନ କରିବା ଶ୍ରେୟସ୍କର । ମୁଁ ଏକ କର୍ମ-ଯୋଜନା ଚିନ୍ତା କରିଅଛି, ଯଦ୍ଦ୍ୱାରା ଯୁବତୀ ନିଜ ପିତାଙ୍କ ଗୃହକୁ ପ୍ରତ୍ୟାବୃତ୍ତା ହେଲେ ମଧ୍ୟ ଅର୍ଥପତିଙ୍କ ସହିତ ତାହାଙ୍କର ବିବାହ ହୋଇ ପାରିବ ନାହିଁ । ଅଥଚ କିଛି ଦିନ ପରେ କୁବେରଦତ୍ତ ବାଧ୍ୟ ହୋଇ ତୁମ ସହିତ ନିଜ କନ୍ୟାର ବିବାହ ଦେବେ ।”

 

ମୋ ପ୍ରସ୍ତାବରେ ସନ୍ଦିଗ୍ଧ ହୋଇ ଧନମିତ୍ର ପଚାରିଲେ–“ଆମ୍ଭମାନଙ୍କ ପ୍ରତି ଆପଣଙ୍କ ଦୟା ଅସୀମ ଏଥିରେ ସନ୍ଦେହ ନାହିଁ; କିନ୍ତୁ କାହିଁକି ଯେ ଏ ବ୍ୟାପାରରେ ଆପଣ ନିଜକୁ ଲିପ୍ତ କରୁଛନ୍ତି ମୁଁ ଅନୁମାନ କରିପାରୁ ନାହିଁ । ଅର୍ଥପତିଙ୍କ ପ୍ରତି ଆପଣଙ୍କର କିଛି ଆକ୍ରୋଶ ଅଛି ନା କେବଳ ସତ୍‍ସାହସର ପରିଚୟ ଦେବା ଆପଣଙ୍କର ଏକମାତ୍ର ଉଦ୍ଦେଶ୍ୟ ?”

 

ମୁଁ କହିଲି, “ଉଭୟ ! କିନ୍ତୁ ବର୍ତ୍ତମାନ ସମସ୍ତ କଥା ପ୍ରକାଶ୍ୟ ନୁହେ । ଅର୍ଥପତିର କାର୍ଯ୍ୟରେ ବାଧା ଦେବା ଏ ମୁହୂର୍ତ୍ତରେ ମୋର ପ୍ରଧାନ ଲକ୍ଷ୍ୟ । ସମୟ ଅତୀତ ହେଉଛି । ମୋର ପ୍ରସ୍ତାବ ହେଉଛି, ଆସ ଆମେ ସଙ୍ଗେ ସଙ୍ଗେ କୁବେରଦତ୍ତଙ୍କ ଗୃହ ଲୁଣ୍ଠନ କରି ଆଣିବା–ଏହା ଫଳରେ କାଲିର ବିବାହ ପ୍ରସ୍ତାବ ସ୍ଥଗିତ ହେବ–ସମୟ ପାଇ ଆମେ ଅନ୍ୟ ବ୍ୟବସ୍ଥା କରିବା ।”

 

ଧନମିତ୍ର ଏ ପ୍ରସ୍ତାବରେ ସମ୍ମତ ହୁଅନ୍ତେ ଉଭୟେ କାର୍ଯ୍ୟସାଧନ ଉଦ୍ଦେଶ୍ୟରେ ବହିର୍ଗତ ହେଲୁଁ । ଯୁବତୀଙ୍କଠାରୁ ତାହାଙ୍କ ପିତାଙ୍କ ବାସଭବନର ସମସ୍ତ ବିବରଣ ସଂଗ୍ରହ କରି ଏବଂ ପରେ ତାହାଙ୍କ ପିତୃଭବନରେ ଯଥା ସ୍ଥାନରେ ଉପସ୍ଥିତ କରାଇ ଆମ୍ଭେମାନେ ଗୃହର ସମସ୍ତ ଧନରତ୍ନ ହସ୍ତଗତ କରିବାକୁ ଲାଗିଲୁ । ଶେଷରେ ଗୃହମଧ୍ୟରେ ମୃଣୟପାତ୍ର ମାତ୍ର ଅବଶିଷ୍ଟ ରହିଲା । ସମସ୍ତ ସମ୍ପତ୍ତି ଏକ ନିରାପଦ ସ୍ଥାନରେ ଗୋପନରେ ରଖି ଆମ୍ଭେମାନେ ପ୍ରଭାତ ପୂର୍ବରୁ ଫେରିଆସିଲୁ ।

 

ପର ଦିବସ ଦ୍ୱିପ୍ରହର ସମୟରେ ମୁଁ ନଗର ମଧ୍ୟରେ ଭ୍ରମଣ କରି ଗତରାତ୍ରିର ଚୋରି ସମ୍ବନ୍ଧେ ବହୁ ଜନରବ ଶୁଣିପାରିଲି । କୁବେର ଦତ୍ତ ସର୍ବସ୍ୱାନ୍ତ ହେବାମାତ୍ରେ ବିବାହୋତ୍ସବ ବିଡ଼ମ୍ବନାରେ ପରିଣତ ହେଲା । ଭାବୀ ଶଶୁରଙ୍କର ବିପଦ ଦେଖି ଅର୍ଥପତି ତାହାଙ୍କ ନିକଟକୁ ଏକ ସହସ୍ର ସ୍ୱର୍ଣ୍ଣମୁଦ୍ରା ସାହାଯ୍ୟ ପଠାଇ କୁଳପାଳିକାଙ୍କ ପରିଣୟ ପ୍ରସ୍ତାବ ଏକ ମାସ କାଳ ସ୍ଥଗିତ ରଖିବା ପାଇଁ ସମ୍ବାଦ ପ୍ରେରଣ କଲେ । ଏହା ଫଳରେ ଅର୍ଥପତିର ସର୍ବନାଶ ସାଧନ କରିବା ପାଇଁ ଆମକୁ ପୂର୍ଣ୍ଣ ଏକ ମାସ ସମୟ ମିଳିଲା ।

 

ବହୁ କଳ୍ପନା ଜଳ୍ପନା ପରେ ମୁଁ ଗୋଟିଏ ଯୋଜନା ପ୍ରସ୍ତୁତ କରି ଧନମିତ୍ରଙ୍କୁ ଜଣାଇଲି । ତାହା ହେଉଛି, ଧନମିତ୍ର ଗୋଟିଏ ଚର୍ମନିର୍ମିତ ଥଳୀ ସହ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଜଣାଇବେ, “ହେ ମହାରାଜ, ଏ ଦାସର ନିବେଦନ ଗ୍ରହଣ କରିବା ହୁଅନ୍ତୁ । ମୋହର ପିତା ବସୁପାଳିତ ଏ ନଗରୀର ସର୍ବଶ୍ରେଷ୍ଠ ବିଭବଶାଳୀ ବଣିକ ଥିଲେ । ମୋହର ନାମ ଧନମିତ୍ର । ପିତାଙ୍କ ମୃତ୍ୟୁ ପରେ ବହୁ ଦାନକରି ମୁଁ ନିଃସ୍ୱ ହୋଇ ସର୍ବସାଧାରଣଙ୍କ ଅବଜ୍ଞାର ପାତ୍ର ହୋଇଅଛି-। ମୋର ବିଭବ ଥିବା ସମୟରେ କୁବେରଦତ୍ତ ତାହାଙ୍କର କନ୍ୟା କୁଳପାଳିକାକୁ ମୋ ସହିତ ବିବାହ ଦେବାପାଇଁ ବାଗ୍‍ଦାନ କରିଥିଲେ । କିନ୍ତୁ ଇତିମଧ୍ୟରେ ସେ ତାହାଙ୍କର ମତ ପରିବର୍ତ୍ତନ କରି ଅର୍ଥପତିଙ୍କ ସହିତ କନ୍ୟାର ବିବାହ ଦେବା ସ୍ଥିର କଲେ । ଏ ଘଟଣା ମୋ ପକ୍ଷରେ ଏପରି ଦୁଃସହ ହୋଇପଡ଼ିଲା ଯେ ଆତ୍ମହତ୍ୟାବ୍ୟତୀତ ଏ ମର୍ମନ୍ତୁଦ ଯନ୍ତ୍ରଣାରୁ ନିଷ୍କୃତି ପାଇବାର ଅନ୍ୟ ଉପାୟ ଦେଖିଲି ନାହିଁ । ଏହି ଦୁଶ୍ଚିନ୍ତାଗ୍ରସ୍ତ ହୋଇ ମୁଁ ଦିନେ ବନ ମଧ୍ୟରେ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟିତ ହେଲାବେଳେ ଅକସ୍ମାତ୍ ଏକ ସନ୍ନ୍ୟାସୀ ଆବିର୍ଭୂତ ହୋଇ ଆତ୍ମହତ୍ୟା ରୂପକ କାପୁରୁଷୋଚିତ କାର୍ଯ୍ୟ ନିମିତ୍ତ ମୋତେ ତିରସ୍କାର କରି କହିଲେ, “ବତ୍ସ, ଆତ୍ମହତ୍ୟାଠାରୁ ଗୁରୁତର ପାପ ଆଉ ନାହିଁ । ଧନ ଉପାର୍ଜନର ବହୁ ଉପାୟ ଅଛି; କିନ୍ତୁ ଛିନ୍ନ କଣ୍ଠକୁ ପୁନଃସଂଯୋଜିତ କରି ପ୍ରାଣଲାଭ କରିବାର ଗୋଟିଏ ମଧ୍ୟ ଉପାୟ ନାହିଁ । ସୁତରାଂ ଆତ୍ମହତ୍ୟା କର ନାହିଁ । ମୁଁ ମନ୍ତ୍ରସିଦ୍ଧ କରି ପ୍ରତିଦିନ ଏକଲକ୍ଷ ସ୍ୱର୍ଣ୍ଣମୁଦ୍ରା ପ୍ରସବିନୀ ଏହି ଚର୍ମଥଳୀ ନିର୍ମାଣ କରିଅଛି । ଏହାର ଅନୁଗ୍ରହରୁ ମୁଁ କାମରୂପ ପ୍ରଦେଶର ଅଧିବାସୀମାନଙ୍କୁ ପରିତୃପ୍ତ କରି ବହୁକାଳାବଧି ସେଠାରେ ବାସ କରିଅଛି-। ବର୍ତ୍ତମାନ ମୋର ବାର୍ଦ୍ଧକ୍ୟ ଉପସ୍ଥିତ । ତୁମେ ଏ ଥଳୀଟି ଗ୍ରହଣ କରି ସୁଖରେ କାଳଯାପନ କର । କିନ୍ତୁ ତୁମେ ଏହାକୁ ବ୍ୟବହାର କରିବା ପୂର୍ବରୁ ଅନ୍ୟାୟ ଉପାର୍ଜିତ ଯେଉଁ ଧନ ଯେଉଁ ବ୍ୟକ୍ତିମାନଙ୍କଠାରୁ ଲାଭ କରିଥିବ, ତାହା ସେମାନଙ୍କୁ ପ୍ରତ୍ୟର୍ପଣ କରିବାକୁ ହେବ ଏବଂ ନ୍ୟାୟସଙ୍ଗତ ଉପାୟରେ ଲବ୍ଧ ଧନ ଦେବାର୍ପଣ ଏବଂ ବ୍ରାହ୍ମଣମାନଙ୍କୁ ଦାନ କରିଦେବାକୁ ହେବ । ତାହାପରେ ଏହାକୁ ଏକ ପବିତ୍ରସ୍ଥାନରେ ରଖି ପୂଜା କଲେ ପ୍ରତିଦିନ ପ୍ରଭାତକାଳରେ ଏଥିରୁ ଏକଲକ୍ଷ ସ୍ୱର୍ଣ୍ଣମୁଦ୍ରା ଲାଭ ହେବ । ଏହା କହି ସନ୍ନ୍ୟାସୀ ମୋ ହସ୍ତରେ ଥଳୀଟି ପ୍ରଦାନ କରି ଏକ ପ୍ରସ୍ତର ଗର୍ତ୍ତ ମଧ୍ୟରେ ପ୍ରବେଶ କରି ଅଦୃଶ୍ୟ ହୋଇଗଲେ । ମହାରାଜାଙ୍କ ଅଜ୍ଞାତରେ ଏପରି ଏକ ଦୈବୀଶକ୍ତିସମ୍ପନ୍ନ ଥଳୀ ବ୍ୟବହାର କରିବା ମୋ ଭଳି ଏକ ପ୍ରଜାପକ୍ଷରେ ସମୀଚୀନ ବା ନିରାପଦ ନୁହେଁ । ତେଣୁ ମୋର ନିବେଦନ ଏହିକି ଯେ, ଏ ସମ୍ବନ୍ଧେ ମହାରାଜ ସମୁଚିତ ଆଦେଶ ପ୍ରଦାନ କଲେ ତଦନୁଯାୟୀ ମୁଁ କାର୍ଯ୍ୟକରିବି ।”

 

ତାହାପରେ ମୁଁ ଧନମିତ୍ରଙ୍କୁ କହିଲି–‘‘ଏ କଥା ଶୁଣି ରାଜା ନିଶ୍ଚୟ ଅନୁମତି ପ୍ରଦାନ କରିବେ । କାରଣ ସେ ଲୋଭପରବଶ ହୋଇ ଥଳୀ ଗ୍ରହଣ କରିବାକୁ ଇଚ୍ଛୁକ ହେଲେ ତାହାଙ୍କୁ ପ୍ରଥମେ ରାଜ୍ୟତ୍ୟାଗ କରିବାକୁ ହେବ । ରାଜାଦେଶ ପାଇବା ମାତ୍ରେ ତୁମେ ଏହାର ସୁରକ୍ଷା ନିମିତ୍ତ ଉପଯୁକ୍ତ ପ୍ରହରୀ ପ୍ରାର୍ଥନା କରିବ । ରାଜା ଏଥିରେ ସ୍ୱୀକୃତ ହେବେ ନିଶ୍ଚୟ । ତଦନନ୍ତର ତୁମେ ସ୍ୱଗୃହକୁ ପ୍ରତ୍ୟାବର୍ତ୍ତନ କରି ସକଳ ସମ୍ପତ୍ତି ଦାନ କରିଦେବ ଏବଂ ସନ୍ନ୍ୟାସୀଙ୍କ ଆଦେଶ ଅନୁଯାୟୀ ପୂଜାନୁଷ୍ଠାନ କରିବ ।”

 

ମୋହର ପ୍ରସ୍ତାବରେ ସମ୍ମତ ହୋଇ ଧନମିତ୍ର ଥଳୀ ସହ ରାଜଦରବାରରେ ଉପସ୍ଥିତ ହେଲେ । ରାଜା ଥଳୀର ମାହାତ୍ମ୍ୟ ଶୁଣି ଅତିଶୟ ଆନନ୍ଦିତ ହୋଇ ତାହା ନିଃଶଙ୍କ ମନରେ ବ୍ୟବହାର କରିବା ପାଇଁ ଅନୁମତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାହାର ସୁରକ୍ଷା ନିମନ୍ତେ କେତେକ ପ୍ରହରୀଙ୍କୁ ଆଦେଶ କଲେ । ଧନମିତ୍ର ଗୃହକୁ ପ୍ରତ୍ୟାବର୍ତ୍ତନ କରି ବିଧିପୂର୍ବକ ପୂଜାନୁଷ୍ଠାନ ପରେ ଥଳୀଟିକୁ ଗୋଟିଏ କୋଠରୀରେ ଅତି ଯତ୍ନ ସହକାରେ ରଖିଲେ ଏବଂ ଦ୍ୱାରଦେଶରେ ପ୍ରହରୀଗଣ ଜାଗ୍ରତ ରହିଲେ; ମାତ୍ର ସେମାନଙ୍କର ସାରାରାତ୍ରି ଉଜାଗର ସତ୍ତ୍ୱେ ପଶ୍ଚାତ୍ ଭାଗରୁ ଗୁପ୍ତ ପଥରେ ମୁଁ କୋଠରୀ ମଧ୍ୟରେ ପ୍ରବେଶ କରି ଚୌର୍ଯ୍ୟଲବ୍ଧ ସ୍ୱର୍ଣ୍ଣମୁଦ୍ରାଦ୍ୱାରା ଥଳୀ ପୂର୍ଣ୍ଣ କରିବା ବିଶେଷ କଷ୍ଟକର ହେଲା ନାହିଁ ।

 

ଅତି ପ୍ରଭାତରୁ ଧନମିତ୍ର ଥଳୀ ସହ ଅତି ଉଲ୍ଲାସମନରେ ରାଜପଥକୁ ଆସି ସର୍ବସାଧାରଣଙ୍କୁ ଏ ବିସ୍ମୟକର ବ୍ୟାପାର ପ୍ରଦର୍ଶିତ କଲେ । ନଗରବାସୀ ସ୍ତବ୍ଧ ହୋଇଗଲେ । ଧନମିତ୍ରଙ୍କର ଏ ଅଲୌକିକ ଶକ୍ତି ଦର୍ଶନ କରି କୁବେରଦତ୍ତଙ୍କର ବର୍ତ୍ତମାନ ପୂର୍ବ ବାଗ୍‍ଦାନ କଥା ସ୍ମରଣ ହୋଇପଡ଼ିଲା ଏବଂ ସେ ଧନମିତ୍ରଙ୍କ ସହିତ ନିଜ କନ୍ୟାର ବିବାହ ଦେବାକୁ ଲାଳାୟିତ ହେଲେ । ସୁତରାଂ ଅର୍ଥପତି କ୍ରୋଧାନ୍ଧ ହୋଇ କୁବେରଦତ୍ତଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ଉଦ୍ୟତ ହେଲେ । ଏହି ସୁଯୋଗରେ ମୁଁ ମୋହର ବନ୍ଧୁ ବିମର୍ତ୍ତକଙ୍କୁ ଅର୍ଥପତି ସହିତ ସଖ୍ୟ ସ୍ଥାପନ କରିବା ପାଇଁ ନିଯୁକ୍ତି କରିଦେଲି । ଖୁବ୍ ଅଳ୍ପ ସମୟରେ ସେ ଦୁହିଁଙ୍କ ମଧ୍ୟରେ ଅତି ଘନିଷ୍ଠତା ଆସିଗଲା ।

 

ଇତିମଧ୍ୟରେ ଆଉ ଏକ ଗୁରୁତର ଘଟଣା ଘଟିଲା । ଦିନେ କାମମଞ୍ଜରୀର କନିଷ୍ଠା ଭଗିନୀ ରାଗମଞ୍ଜରୀ ଏକ ସଭାରେ ନୃତ୍ୟ କଲାବେଳେ ବନ୍ଧୁ ଧନମିତ୍ରଙ୍କ ସହିତ ମୁଁ ସେଠାରେ ଉପସ୍ଥିତ ଥିଲି । ରାଗମଞ୍ଜରୀ ସଭାରେ ନୃତ୍ୟ ଆରମ୍ଭ କରିବା ମାତ୍ରେ ମୋହର ଅନ୍ତରରେ ଏକ ଅଭିନବ ନୃତ୍ୟର ଆରମ୍ଭ ହେଲା । ନୀଳୋତ୍ପଳ ସଦୃଶ ତାହାର ନୟନଯୁଗଳର କଟାକ୍ଷ, ଆଷାଢ଼ ମେଘକୋଳରେ ବିଦ୍ୟୁତ୍ ଚମକ ପରି ତାହାର ଅଙ୍ଗଲତାର ଲୀଳାବିଳାସ ଏବଂ ଚମ୍ପକ କଳିକାତୁଲ୍ୟ ଅଙ୍ଗୁଳିପଂକ୍ତିର ସାବଲୀଳ ମୁଦ୍ରାପ୍ରକାଶ ମୋହର ପ୍ରତି ତନ୍ତ୍ରୀରେ ପଞ୍ଚଶର ବିଦ୍ଧ କରିବାକୁ ଲାଗିଲା । ମୁଁ ମନେ ମନେ ମୋହର ହୃଦୟସର୍ବସ୍ୱ ତାହାକୁ ଅର୍ପଣ କରିପକାଇଲି ।

 

ନୃତ୍ୟଶେଷରେ ରାଗମଞ୍ଜରୀ ଧନରତ୍ନ ପୁରସ୍କାରସ୍ୱରୂପ ଲାଭ କରି ସଭା ତ୍ୟାଗ କଲାବେଳେ ମୋ ପ୍ରତି ଯେଉଁ ଅପାଙ୍ଗ ଦୃଷ୍ଟି ନିକ୍ଷେପ କରିଗଲା, ତାହା ନାରୀହୃଦୟର ଅନ୍ତରତମ ଭାବ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମୋହର ପ୍ରାଣକୁ ଅର୍ଦ୍ଧଦଗ୍ଧ କରିଦେଲା । ମୁଁ ସଭା ତ୍ୟାଗ କରିଆସି ତାହାକୁ ଲାଭ କରିବା ପାଇଁ ଉନ୍ମତ୍ତ ହୋଇପଡ଼ିଲି ।

 

କାମଶାସ୍ତ୍ରନିପୁଣ ଧନମିତ୍ର ମୋହର ମାନସିକ ଅବସ୍ଥା ବେଶ୍ ଅନୁମାନ କରି ପାରିଥିଲେ । ନିର୍ଜନ ସ୍ଥାନକୁ ଆସିବା ପରେ ସେ କହିଲେ, “ବନ୍ଧୁ, ତୁମଭଳି ବ୍ୟକ୍ତି ରାଗମଞ୍ଜରୀ ପ୍ରତି ଆକୃଷ୍ଟ ହେବା ବୋଧହୁଏ ତାହାର ଭାଗ୍ୟର ଲିଖନ । ସେ ବେଶ୍ୟାକନ୍ୟା ହେଲେମଧ୍ୟ, ବହୁ ଧନୀବ୍ୟକ୍ତିଙ୍କୁ ପ୍ରତ୍ୟାଖ୍ୟାନ କରି ଉପଯୁକ୍ତ ଗୁଣୀ ବ୍ୟକ୍ତିର ପାଣିଗ୍ରହଣ କରିବା ନିମିତ୍ତ ବର୍ତ୍ତମାନ ସୁଦ୍ଧା କୁମାରୀବ୍ରତ ଅବଲମ୍ବନ କରିଅଛି । ଯୋଗ୍ୟ ସହିତ ଯୋଗ୍ୟର ଯୋଜନା ବୋଧହୁଏ ବିଧାତାର ଇଚ୍ଛା । ରାଗ ତାହାର ମନର ଗୋପନ କଥା ନୟନର ଭାଷାରେ ସ୍ପଷ୍ଟ ପ୍ରକାଶ କରିଦେଇଛି ।

 

ପର ଦିବସ ମୁଁ ଅନୁସନ୍ଧାନ କରି ବୁଝିଲି ଯେ, ଯେତେ ଶୀଘ୍ର ସମ୍ଭବ ରାଗମଞ୍ଜରୀକୁ ବିବାହ ଦେଇଦେବା ତାହାର ପିତାମାତାଙ୍କର ଇଚ୍ଛା; କିନ୍ତୁ ଏ ପ୍ରସଙ୍ଗ ଉତ୍‌ଥାପନ କଲେ ମୋ ଭଳି ଜୀବିକାହୀନ ଅଜ୍ଞାତକୁଳଶୀଳ ବ୍ୟକ୍ତି ପ୍ରତି ସେମାନେ ଆକୃଷ୍ଟ ହେବା ଭଳି କୌଣସି ଅନୁକୂଳ କାରଣ ମୁଁ ଖୋଜି ପାଇଲି ନାହିଁ ।

 

ମାତ୍ର ରାଗମଞ୍ଜରୀ ପ୍ରତି ମୁଁ କ୍ରମେ ଏପରି ଆସକ୍ତ ହୋଇପଡ଼ିଲି ଯେ ତାହାରି ଚିନ୍ତା ଛଡ଼ା ମୋ ମନରେ ଆଉ କିଛି ସ୍ଥାନ ପାଇଲା ନାହିଁ । ଶେଷରେ ବହୁଚିନ୍ତା ପରେ ମୁଁ ଏକ ଉପାୟ ସ୍ଥିର କଲି । ଏଥିନିମିତ୍ତ କାମମଞ୍ଜରୀ ଓ ଅର୍ଥପତିଙ୍କ ମଧ୍ୟରେ ପୂର୍ବ ସ୍ନେହସମ୍ପର୍କ ପ୍ରତିଷ୍ଠା କରିବା ସର୍ବପ୍ରଥମ ଓ ପ୍ରଧାନ ଆବଶ୍ୟକ ହେଲା । ଏହା ମୋ ପକ୍ଷେ ଦୁରୂହ ବ୍ୟାପାର ହେଲେ ମଧ୍ୟ ବନ୍ଧୁ ବିମର୍ତ୍ତକଙ୍କ ସାହାଯ୍ୟରେ ଅକ୍ଳେଶରେ ସାଧିତ ହୋଇ ପାରିଲା । କାରଣ କୁବେରଦତ୍ତଙ୍କ କନ୍ୟାକୁ ହରାଇବା ଯୋଗୁ ଅର୍ଥପତି କାମମଞ୍ଜରୀ ପ୍ରତି ଅଳ୍ପ ପ୍ରୟାସରେ ପୁଣି ଆସକ୍ତ ହୋଇ ତାହାକୁ ବିବାହ କରିବା ପାଇଁ ସ୍ଵୀକୃତ ହୋଇପଡ଼ିଲେ ।

 

ମୋର ଯୋଜନା ଏହିପରି କ୍ରମେ ଦୃଢ଼ତର ହୋଇ ସାରିବା ପରେ ଦିନେ ମୁଁ କାମମଞ୍ଜରୀ ନିକଟକୁ ଏକ ଦୂତୀଦ୍ୱାରା କହି ପଠାଇଲି ଯେ ମୁଁ ରାଗମଞ୍ଜରୀ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇପଡ଼ିଛି । ମୁଁ ତାହାକୁ ବିବାହ କରି ଧର୍ମପତ୍ନୀ ଭାବରେ ଗ୍ରହଣ କରିବାକୁ ପ୍ରସ୍ତୁତ । ମୁଁ ଉଚ୍ଚକୁଳସମ୍ଭୂତ ଭଦ୍ରସନ୍ତାନ । କେତେକ ଗୁରୁତର କାରଣବଶତଃ ବର୍ତ୍ତମାନ ଦୁଇ ବର୍ଷ ଯାଏଁ ମୋହର ଆଭିଜାତ୍ୟ ପ୍ରକାଶ ନ କରିବା ନିମିତ୍ତ ମୁଁ ପ୍ରତିଜ୍ଞାବଦ୍ଧ । ଏପରି ଅବସ୍ଥାରେ ଯଦି ସେ ମୋ ସହିତ ରାଗମଞ୍ଜରୀର ବିବାହ ଦିଅନ୍ତି, ତେବେ ମୁଁ କୌଶଳକ୍ରମେ ଧନମିତ୍ରଙ୍କ ମନ୍ତ୍ରସିଦ୍ଧ ଥଳୀଟି ତାହାଙ୍କୁ ଆଣିଦେବି ।

 

ଆଶ୍ଚର୍ଯ୍ୟର କଥା, କାମମଞ୍ଜରୀ ଏ ପ୍ରସ୍ତାବରେ ଅତି ସହଜରେ ସମ୍ମତା ହୋଇଗଲା । ତେଣୁ ମୁଁ ମୋହର ବନ୍ଧୁଙ୍କ ନିକଟରୁ ଥଳୀଟି ଆଣି ଗୋପନରେ କାମମଞ୍ଜରୀକୁ ଅର୍ପଣ କରିଦେଲି-। ଏଠାରେ କହି ରଖିବା ବାହୁଲ୍ୟ ଯେ, ରାଗମଞ୍ଜରୀ ମୋ ପ୍ରତି ଅତ୍ୟନ୍ତ ଅନୁରକ୍ତା ଥିଲା; ସୁତରାଂ ଅନତିବିଳମ୍ବେ ତାହା ସହିତ ମୋହର ବିବାହ ସମ୍ପନ୍ନ ହୋଇଗଲା ।

 

ଏହାପରେ ମୋହର ଉଭୟ ବନ୍ଧୁ ଧନମିତ୍ର ଓ ବିମର୍ତ୍ତକଙ୍କ ମଧ୍ୟରେ ପୁରବାସିଗଣଙ୍କ ଗୋଚର ନିମିତ୍ତ ଗୋଟିଏ ଛଳନାମୂଳକ କଳହ ଲଗାଇବା ଆବଶ୍ୟକ ହେଲା । ମୋର ଉପଦେଶ ଅନୁଯାୟୀ ଉଭୟ ବନ୍ଧୁ ଅତି ଦକ୍ଷତାର ସହ ସର୍ବସମକ୍ଷରେ ଏହା ସମାଧାନ କରି ପାରିଥିଲେ । ବିମର୍ତ୍ତକ ଅର୍ଥପତିର ମିତ୍ରଭାବରେ ତାହାର ପକ୍ଷ ଧରି ଧନମିତ୍ରଙ୍କୁ ନାନାଭାବରେ ତିରସ୍କାର କରି କହିଲେ, “ରେ କୁଳାଙ୍ଗାର, କୁବେରଦତ୍ତକୁ ଧନଦ୍ୱାରା ବଶୀଭୂତ କରି ତୁ ତାହାଙ୍କର କନ୍ୟାକୁ ବିବାହ କରିବା ନିମିତ୍ତ ଚେଷ୍ଟିତ ହେବା ଫଳରେ ମୋର ବନ୍ଧୁ ଅର୍ଥପତିଙ୍କର ଚିର ଶତ୍ରୁ ହୋଇଛୁ । ଥଳୀଦ୍ୱାରା ଅନାୟାସଲବ୍ଧ ଧନ ତୋହର ଏ ଅହଂକାରର କାରଣ ହୋଇଛି । ଆଚ୍ଛା ଦେଖାଯାଉ, ତୋହର ଏ ଗର୍ବ ଆଉ କେତେଦିନ ସ୍ଥାୟୀ ହେବ !”

 

ଏ ଘଟଣା ପରେ ମୋହର ସଙ୍କେତ ଅନୁଯାୟୀ ବିମର୍ତ୍ତକ ଉଜ୍ଜୟିନୀ ନଗରୀକୁ ପଳାୟନ କଲେ । ଏଣେ ସଙ୍ଗେ ସଙ୍ଗେ ବନ୍ଧୁ ଧନମିତ୍ର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ଜଣାଇଲେ ଯେ, ତାହାଙ୍କର ମନ୍ତ୍ରସିଦ୍ଧ ଥଳୀଟି ହଠାତ୍ ଅପହୃତ ହୋଇଛି ଏବଂ ଏଥିପାଇଁ ସେ ଅର୍ଥପତିଙ୍କ ବନ୍ଧୁ ବିମର୍ତ୍ତକକୁ ସନ୍ଦେହ କରନ୍ତି । ଏହାର କାରଣ ସ୍ୱରୂପ ସେ ପୂର୍ବଦିନର କଳହ ଏବଂ ଅକସ୍ମାତ୍ ବିମର୍ତ୍ତକର ନଗରତ୍ୟାଗ କଥା ଅଭିଯୋଗ ସହିତ ଉପସ୍ଥାପିତ କଲେ । ତେଣୁ ରାଜା ଅର୍ଥପତିଙ୍କୁ ଡକାଇ ବିମର୍ତ୍ତକକୁ ଯଥାଶୀଘ୍ର ଦରବାରରେ ଉପସ୍ଥିତ କରାଇବା ପାଇଁ ଆଦେଶ ଦେଲେ ।

 

ଅର୍ଥପତି ଏ ବିଷମ ପରିସ୍ଥିତିରେ ପଡ଼ି ବିମର୍ତ୍ତକର ବହୁ ଅନୁସନ୍ଧାନ କଲେ; କିନ୍ତୁ ସମସ୍ତ ଚେଷ୍ଟା ବୃଥା ହେଲା । ଫଳତଃ, ରାଜା ଅଧିକ କ୍ରୁଦ୍ଧ ହୋଇ ଅର୍ଥପତି ଉଦ୍ଦେଶ୍ୟପୂର୍ବକ ବିମର୍ତ୍ତକକୁ ଗୁପ୍ତସ୍ଥାନରେ ରଖିଥିବା ଅନୁମାନ କରି ତାହାଙ୍କୁ ବନ୍ଦୀ କଲେ ।

 

ଏ ଘଟଣାର କିଛି ଦିନ ପରେ କାମମଞ୍ଜରୀ ମନ୍ତ୍ରସିଦ୍ଧ ଥଳୀର ଶକ୍ତି ପରୀକ୍ଷା କରି ଦୈନିକ ଲକ୍ଷସଂଖ୍ୟକ ସ୍ୱର୍ଣ୍ଣମୁଦ୍ରା ପାଇବା ପାଇଁ ଉତ୍କଣ୍ଠିତା ହୋଇଉଠିଲା । ସୁତରାଂ ଧନମିତ୍ରଙ୍କ ପରି ସେ ମଧ୍ୟ ଥଳୀର ନିୟନ ସକଳ ପାଳନ କରିବାକୁ ଲାଗିଲା । ପ୍ରଥମତଃ ସେ ବନ୍ଧୁ ବିରୂପକଙ୍କଠାରୁ ଅପହୃତ ସମସ୍ତ ଧନରତ୍ନ ତାହାଙ୍କୁ ପ୍ରତ୍ୟର୍ପଣ କଲା । ସମସ୍ତ ସମ୍ପତ୍ତି ପାଇ ବିରୂପକ ବୌଦ୍ଧଭିକ୍ଷୁର ବେଶ ତ୍ୟାଗ କରି ସ୍ଵଧର୍ମ ଅବଲମ୍ବନ କଲେ ।

 

କାମମଞ୍ଜରୀ ଅତି ଉଦାର ଭାବରେ ନିଜର ସକଳ ସମ୍ପତ୍ତି ଦୀନଦରିଦ୍ରମାନଙ୍କୁ ବିତରଣ କରିବାରୁ ଶେଷରେ ଚୁଲ୍ଲୀ ମାତ୍ର ଅବଶିଷ୍ଟ ରହିଲା । ଲୋକେ ତାହାର ଏ ଦାନ ଦେଖି ବିସ୍ମିତ ହେବାକୁ ଲାଗିଲେ; କିନ୍ତୁ ଏଣେ ଧନମିତ୍ର ରାଜଦରବାରରେ ଜଣାଇଦେଲେ ଯେ କାମମଞ୍ଜରୀର ଏ ସର୍ବସ୍ୱଦାନ ଯୋଗୁଁ ମନ୍ତ୍ରସିଦ୍ଧ ଥଳୀଟି ବର୍ତ୍ତମାନ ତାହା ନିକଟରେ ଥିବାର ସନ୍ଦେହ ହୁଏ ।

 

ରାଜା ସଙ୍ଗେ ସଙ୍ଗେ କାମମଞ୍ଜରୀ ଓ ତାହାର ମାତାକୁ ଡକାଇଲେ । ଏତିକିବେଳେ ମୁଁ ସେମାନଙ୍କୁ କହିଲି, “ତୁମେ ତୁମର ସର୍ବସ୍ୱ ବିତରଣ କରିବା ଫଳରେ ମନ୍ତ୍ରସିଦ୍ଧ ଥଳୀ କଥା ପ୍ରକାଶ ପାଇଛି । ଏ ସମ୍ପର୍କରେ ରାଜା ତୁମ୍ଭମାନଙ୍କୁ ଡକାଇଛନ୍ତି । ଏ ଥଳୀ ମୁଁ ତୁମ୍ଭମାନଙ୍କୁ ଦେଇଥିବା କଥା ଯଦି ତୁମ୍ଭେମାନେ ପ୍ରକାଶ କର, ତେବେ ମୋହର ନିଶ୍ଚୟ ପ୍ରାଣଦଣ୍ଡ ଆଦେଶ ହେବ । ତୁମ୍ଭେମାନେ ବର୍ତ୍ତମାନ ନିଃସ୍ୱ ହୋଇସାରିଛ । ଶେଷରେ ତୁମ୍ଭର ଭଗିନୀ ମଧ୍ୟ ବୈଧବ୍ୟ ଦୁଃଖ ଭୋଗ କରିବ ।”

 

ଏ କଥା ଶୁଣି କାମମଞ୍ଜରୀ ଓ ତାହାର ମାତା ଅତ୍ୟନ୍ତ ବ୍ୟଥିତା ହୋଇପଡ଼ିଲେ । ସେମାନେ ଏ ବିପଦରୁ କିପରି ଉଦ୍ଧାର ପାଇବେ, ସେଥିପାଇଁ ବହୁ ଚିନ୍ତା କରାଗଲା । ଶେଷରେ ଅର୍ଥପତି ନାମରେ ଏ ଦୋଷ ଆରୋପ କରିବା ହିଁ ଏକମାତ୍ର ଉପାୟ ଦେଖି ସେମାନେ ରାଜାଙ୍କ ସମକ୍ଷରେ ଉପସ୍ଥିତ ହୋଇ ତାହା ପ୍ରକାଶ କଲେ । ଫଳତଃ ରାଜା ଥଳୀଟି ସେମାନଙ୍କଠାରୁ ନେଇ ଧନମିତ୍ରଙ୍କୁ ଦାନ କରିବା ସଙ୍ଗେ ସଙ୍ଗେ ଅର୍ଥପତି, କାମମଞ୍ଜରୀ ଓ ତାହାର ମାତାକୁ ରାଜ୍ୟରୁ ନିର୍ବାସିତ କରିଦେଲେ ।

 

ଧନମିତ୍ର ଥଳୀଟି ପାଇ ଜଣେ ତୀର୍ଥଯାତ୍ରୀଙ୍କୁ ତାହା ଦାନ କରିଦେଲେ । ଶୁଭ ଦିବସରେ କୁବେରଦତ୍ତଙ୍କ କନ୍ୟା କୁଳପାଳିକାଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହେଲା ।

 

ବର୍ତ୍ତମାନ ମୁଁ ପୂର୍ଣ୍ଣମନୋରଥ ହୋଇ ରାଗମଞ୍ଜରୀ ସହିତ ଅତି ଆନନ୍ଦରେ କାଳଯାପନ କରିବାକୁ ଲାଗିଲି । ଧନରତ୍ନର ଅଭାବ ମୋର ନ ଥିଲା । ନଗରର ଲୋଭୀ ବଣିକମାନଙ୍କ ଭଣ୍ଡାର ଲୁଣ୍ଠନ କରି ମୁଁ ମୋର ଗୃହ ପୂର୍ଣ୍ଣ କରିଥିଲି । ମୋର ଦୌରାତ୍ମ୍ୟରେ କେତେକ ବିଭବଶାଳୀ ବ୍ୟକ୍ତି ଭିକ୍ଷାପାତ୍ରସର୍ବସ୍ୱ ହୋଇ ମୋ ଦ୍ୱାରସ୍ଥ ହେଲେ । ମୁଁ ସେହିମାନଙ୍କ ଧନ ପ୍ରତ୍ୟର୍ପଣଦ୍ୱାରା ସେମାନଙ୍କ ସନ୍ତୋଷ ବିଧାନ କରୁଥିଲି ।

 

ମାନବ ସକଳ କାର୍ଯ୍ୟରେ ଦକ୍ଷତା ଅର୍ଜ୍ଜନ କଲେ ମଧ୍ୟ କର୍ମଫଳକୁ ଅତିକ୍ରମ କରିବା ତାହାର ଶକ୍ତିର ଅତୀତ । ମୁଁ ଋଷି ମରୀଚିଙ୍କ ଆଦେଶ କେତେକାଂଶରେ ପାଳନ କରିଥିବାରୁ ତାହାଙ୍କୁ ସାକ୍ଷାତ୍ କରିବା ଇଚ୍ଛା ହୃଦୟରେ ବଳବତୀ ହୋଇ ଆସିଲାବେଳେ ହଠାତ୍ ଦିନେ ମୋ ଦୁଷ୍କର୍ମର ଫଳ ମୋତେ ଭୋଗିବାକୁ ହେଲା ।

 

ଅତ୍ୟନ୍ତ ଲଜ୍ଜା ସହକାରେ ମୁଁ ଏ କଥା ପ୍ରକାଶ କରିବାକୁ ବାଧ୍ୟ ହେଉଛି ଯେ, ଏକ ରାତ୍ରିରେ ଅତିରିକ୍ତ ମଦ୍ୟପାନ ଫଳରେ ମୁଁ ଉନ୍ମତ୍ତ ହୋଇପଡ଼ିଲି ଏବଂ ପାଗଳ ଭଳି ଚିତ୍କାର କରି କହିଲି, “ମୁଁ ଏହି ରାତ୍ରି ମଧ୍ୟରେ ସମସ୍ତ ନଗରୀ ଲୁଣ୍ଠନ କରି ମୋହର ଗୃହ ପୂର୍ଣ୍ଣ କରିଦେବି ।” ମୋହର ପ୍ରଳାପ ଶୁଣି ରାଗମଞ୍ଜରୀ ପ୍ରମାଦ ଗଣିବାକୁ ଲାଗିଲା ଏବଂ ମୁଁ ଖଡ଼୍‍ଗହସ୍ତରେ ଗୃହରୁ ବହିର୍ଗତ ହେଲାବେଳେ କାକୁତିପୂର୍ଣ୍ଣ ବାକ୍ୟରେ ମୋହର ପଥରୋଧ କରିବାକୁ ଚେଷ୍ଟା କଲା; କିନ୍ତୁ ମତ୍ତହସ୍ତୀର ଗତି କଦଳୀବୃକ୍ଷଦ୍ୱାରା ରୁଦ୍ଧ ହେବା ହାସ୍ୟାସ୍ପଦ ମାତ୍ର । ଏକ ପଦାଘାତରେ ପ୍ରିୟତମାକୁ ଭୂତଳଶାୟୀ କରି ମୁଁ ନଗରୀମଧ୍ୟକୁ ଧାବମାନ ହେଲି । ତେବେ ସୁଦ୍ଧା ରାଗମଞ୍ଜରୀ ସଙ୍ଗେ ସଙ୍ଗେ ପୁନରୁତ୍‍ଥିତା ହୋଇ ଧାତ୍ରୀ ଶୃଗାଳିକାକୁ ମୋହର ଅନୁସରଣ କରିବା ପାଇଁ ଆଦେଶ କଲା ।

 

ମୁଁ କିଛିଦୂର ଅଗ୍ରସର ହେବାପରେ ହଠାତ୍ ଦଳେ ନଗରରକ୍ଷୀ ମୋହର ଅବସ୍ଥା ଲକ୍ଷ୍ୟ କରି ମୋତେ ବନ୍ଦୀ କରିବାକୁ ଚେଷ୍ଟା କଲେ । ସୁତରାଂ ଗୋଟାଏ ଖଣ୍ଡଯୁଦ୍ଧର ସୃଷ୍ଟି ହେଲା ଏବଂ ମୁଁ ଦୁଇ ତିନିଜଣ ରକ୍ଷୀଙ୍କୁ ହତ୍ୟାକରି ସାରିବା ପରେ କ୍ଳାନ୍ତ ହୋଇପଡ଼ିଯିବାରୁ ରକ୍ଷୀଗଣ ମୋହର ହସ୍ତପଦ ଶୃଙ୍ଖଳିତ କରିପକାଇଲେ । ଏହା ଫଳରେ ମୋହର ମତ୍ତତା ଦୂରୀଭୂତ ହୋଇ ଚୈତନ୍ୟୋଦୟ ହେଲା ।

 

ଏତିକିବେଳେ ଶୃଗାଳିକା ଆତଙ୍କିତ ହୋଇ ମୋ ନିକଟକୁ ଦୌଡ଼ିଆସିଲା । ମୁଁ ମୋହର ଅବସ୍ଥା ଓ ପରିସ୍ଥିତି ଲକ୍ଷ୍ୟ କରି କର୍ତ୍ତବ୍ୟ ନିର୍ଦ୍ଧାରଣ କରିବାକୁ ଲାଗିଲି । ମୋହର ପାପକର୍ମଦ୍ୱାରା ବର୍ତ୍ତମାନ ସୁକୁମାରୀ ରାଗମଞ୍ଜରୀ ଓ ପରମବନ୍ଧୁ ଧନମିତ୍ର ମଧ୍ୟ ନିନ୍ଦିତ ଓ ରାଜାଙ୍କଦ୍ୱାରା ଦଣ୍ଡିତ ହେବେ, ଏହା ମୋ ମନରେ ବିଶେଷ ଅନୁତାପ ଆଣି ଦେଲା । ତେଣୁ ଏ ବିପଦରୁ ନିଜକୁ ଓ ସେମାନଙ୍କୁ ରକ୍ଷା କରିବା ପାଇଁ ଉପାୟ ସ୍ଥିର କରି ଭର୍ତ୍ସନାପୂର୍ଣ୍ଣ ସ୍ୱରରେ ଚିତ୍କାର କରି ଶୃଗାଳିକାକୁ କହିଲି, “ଦୂର ହୁଅ ପାପିଷ୍ଠା ! ତୁ ପୁଣି ଏଠାରେ ? ତୋହରି ଯୋଗୁଁ ଧନମିତ୍ର ମୋହର ବିରୋଧୀ ଏବଂ ବିବାହିତା ପତ୍ନୀ ମୋ ପ୍ରତି ବିମୁଖ ହୋଇଛି । ଶୀଘ୍ର ଏଠାରୁ ଦୂର ହୁଅ ! ମୁଁ ମୋହର ପ୍ରତିଶୋଧ ନେଇ ସାରିଛି । ରାଗମଞ୍ଜରୀର ସୁରକ୍ଷିତ ରତ୍ନରାଜି ଆଉ ଯଥାସ୍ଥାନରେ ନାହିଁ । ବର୍ତ୍ତମାନ ମୁଁ ନିଶ୍ଚିନ୍ତରେ ମରିପାରେ ।”

 

ଶୃଗାଳିକା ଅତ୍ୟନ୍ତ ଚତୁରା । ସେ ମୋହର ଛଳନାମୂଳକ ପ୍ରଳାପ ବାକ୍ୟରୁ ବୁଝି ପାରିଲା ଯେ ମୁଁ ତାହାକୁ କିଛି କହିବାକୁ ଇଚ୍ଛୁକ । ସେ କ୍ରନ୍ଦନ କରୁ କରୁ ନଗରରକ୍ଷୀଙ୍କୁ ବିନୀତ ଭାବରେ ଅନୁରୋଧ କରି କହିଲା, “ମହାଶୟ, ପ୍ରକୃତରେ ମୋ କନ୍ୟାର ସମସ୍ତ ରତ୍ନ ଅପହୃତ ହୋଇଛି । ଅନୁମତି ଦେଲେ ମୁଁ ବନ୍ଦୀ ସହିତ ଦୁଇପଦ କଥାବାର୍ତ୍ତା କରି ରତ୍ନଗୁଡ଼ିକର ସମ୍ବାଦ ସଂଗ୍ରହ କରିବାର ସୁଯୋଗ ପାଆନ୍ତି ।”

 

ରମଣୀର ବିକଳ ପ୍ରାର୍ଥନା ରକ୍ଷୀମାନଙ୍କର କଠୋର ହୃଦୟକୁ ମଧ୍ୟ ବିଗଳିତ କରିଦେଲା-। ସେମାନଙ୍କର ଅନୁମତି ପାଇ ଶୃଗାଳିକା ମୋହର ନିକଟବର୍ତ୍ତୀ ହେବାମାତ୍ରେ ମୁଁ କେତେକ ବୃଥା ପ୍ରଳାପ କରିବା ସଙ୍ଗେ ସଙ୍ଗେ ମୋତେ ଏ ବିପଦରୁ ଉଦ୍ଧାର କରିବା ପାଇଁ ସେ କି ଉପାୟ ଅବଲମ୍ବନ କରିବ, ମନ୍ତ୍ର ଭଳି ତାହାର କାନପାଖରେ କହିଦେଲି । ସେ ସମ୍ମତି ଜଣାଇ ମୋ ନିକଟରୁ ଚାଲିଗଲା ଏବଂ ରକ୍ଷୀମାନଙ୍କର ଉଦାରତା ପାଇଁ କୃତଜ୍ଞତା ଜଣାଇ ଗୃହ ଅଭିମୁଖରେ ପ୍ରତ୍ୟାବୃତ୍ତ ହେଲା ।

 

ରକ୍ଷୀ ସେନାପତିଙ୍କ ଆଦେଶରେ ମୁଁ ବନ୍ଦୀ ହେଲି । କାରାଗାରର ଅଧ୍ୟକ୍ଷ ଜଣେ ଯୁବକ, ନାମ କାନ୍ତକ । ସେ ତାହାର ପିତାଙ୍କ ମୃତ୍ୟୁପରେ ଯୌବନର ପ୍ରାରମ୍ଭରେ ପିତୃପଦ ଲାଭ କରି ମହା ଅଭିମାନୀ, ରୂପଗର୍ବୀ ଓ ଯୌବନ ମଦମତ୍ତ ହୋଇ ପଡ଼ିଥିଲା । ପରଦିନ ପ୍ରଭାତରେ ସେ ମୋ ସମ୍ମୁଖକୁ ଆସି ମୋତେ ନାନା ପ୍ରକାର ତିରସ୍କାର କରି କହିଲା ଯେ, ଯଦି ମୁଁ ଧନମିତ୍ରର ଚର୍ମଥଳୀ ଓ ନଗରବାସୀମାନଙ୍କର ଅପହୃତ ସକଳ ସମ୍ପତ୍ତି ପ୍ରତ୍ୟର୍ପଣ ନ କରେ, ତେବେ ମୋତେ ଅଷ୍ଟାଦଶ ପ୍ରକାର ଦଣ୍ଡ ଭୋଗ କରି ଶେଷରେ ମୃତ୍ୟୁମୁଖରେ ପତିତ ହେବାକୁ ହେବ ।

 

ମୁଁ ଜାଣେ, ବନ୍ଦୀପ୍ରତି ଏପରି ବ୍ୟବହାର କାରାଗାର ଅଧ୍ୟକ୍ଷର କ୍ଷମତା ଓ କର୍ତ୍ତବ୍ୟର ବହିର୍ଭୂତ । ତେଣୁ ମୁଁ ତାହାକୁ ଉପଯୁକ୍ତ ପ୍ରତ୍ୟୁତ୍ତର ଦେବାକୁ ପଶ୍ଚାତ୍-ପଦ ହେଲି ନାହିଁ । କାନ୍ତକ ସେଦିନ ନିରୁତ୍ତର ହୋଇଗଲା ସତ୍ୟ, ମାତ୍ର ଏ ମନାନ୍ତର ଆମ ଦୁହିଁଙ୍କ ମଧ୍ୟରେ ଉତ୍ତରୋତ୍ତର ବୃଦ୍ଧି ପାଇବାକୁ ଲାଗିଲା ।

 

ଦିନେ କାନ୍ତକ ମୋ ପ୍ରତି ଅତିରିକ୍ତ ବିରକ୍ତ ହୋଇ ମୋତେ ପ୍ରହାର କରିବା ନିମିତ୍ତ ଭୃତ୍ୟମାନଙ୍କୁ ଆଦେଶ କଲା । ଏ ଦଣ୍ଡ ଏବଂ ଅପମାନ ମୁଁ ନୀରବରେ ସେଦିନ ସହ୍ୟ କଲି; କିନ୍ତୁ ଫଳତଃ ମୋ ହୃଦୟ ମଧ୍ୟରେ ପ୍ରତିହିଂସାବହ୍ନି ପ୍ରଜ୍ୱଳିତ ହେଲା । ଏହାର ପ୍ରତିଶୋଧ ନେବାପାଇଁ ମୁଁ ବଦ୍ଧପରିକର ହେଲି ।

 

ଏ କାରାବାସରେ ମୁଁ ମୋହର ପୂର୍ବପରିଚିତ ଅନେକ ବନ୍ଧୁଙ୍କର ଦେଖା ପାଇଲି । ପ୍ରହାରର ବ୍ୟଥା ଉପଶମ ହେବା ପରେ ସେମାନଙ୍କ ସହିତ ଆଳାପ କରି ମୋହର ସମୟ ଅତି ଆନନ୍ଦରେ ଅତିବାହିତ ହେଲା । ସୁତରାଂ ଏ କାରାବାସକୁ ମୋର କର୍ମକ୍ଳାନ୍ତ ଜୀବନରେ ଏକ ଆମୋଦପ୍ରଦ ପରିବର୍ତ୍ତନ ଭାବରେ ଗ୍ରହଣ କରିନେଲି । କିଛିଦିନ ମଧ୍ୟରେ କାରାଗାରର ଦ୍ଵାରପାଳ ଓ ରକ୍ଷୀମାନଙ୍କ ସହିତ ମଧ୍ୟ ମୋର ଘନିଷ୍ଠତା ସ୍ଥାପିତ ହେଲା ।

 

ଖୁବ୍ କମ୍ ସମୟପାଇଁ ଏ ବନ୍ଦୀଜୀବନ ମୋତେ ଉପଭୋଗ କରିବାକୁ ହେବ ବୋଲି ଆଶା କରିଥିଲି । କାରଣ ଶୃଗାଳିକାଦ୍ୱାରା ଧନମିତ୍ରଙ୍କ ନିକଟକୁ ମୁଁ କହିପଠାଇଥିଲି ଯେ ସେ ମୋ ନିମିତ୍ତ ରାଜାଙ୍କ ନିକଟରେ କ୍ଷମାପ୍ରାର୍ଥନା କରି ମୋର ମୁକ୍ତିଭିକ୍ଷା କରିବେ । କିନ୍ତୁ କୌଣସି ବନ୍ଦୀ କଦାପି ଅଧିକ ଦିବସ କାରାଗାରରେ ବାସ କରିବା ପାଇଁ ଇଚ୍ଛା କରିବା ଆପଣ ଶୁଣିଛନ୍ତି କି ? ଆପଣ ଶୁଣିଲେ ବିସ୍ମିତ ହେବେ ଯେ ମୁଁ ଏହା କରିଥିଲି ।

 

ଶୃଗାଳିକା ଥରେ ବନ୍ଦିଶାଳାରେ ମୋ ସହିତ ସାକ୍ଷାତ କରି କେତେକ ଗୁପ୍ତ ସମ୍ବାଦ ଦେବା ପରେ କାରାବାସ ତ୍ୟାଗ କରିବା ପାଇଁ ମୋର ଆଉ ଆଗ୍ରହ ହେଲା ନାହିଁ । ମୋ ପ୍ରତି କାନ୍ତକ ଯେଉଁ ଅତ୍ୟାଚାର କରିଥିଲା, ଶୃଗାଳିକା ସେ ସମ୍ବାଦ ପାଇଥିଲା । ସୁତରାଂ ମୁଁ ଯେ ଏହାର ପ୍ରତିଶୋଧ ନେବାକୁ ଇଚ୍ଛା କରୁଥିବି, ଏ କଥା ସେ ଅନୁମାନ କରିପାରି କୌଣସି ଆକସ୍ମିକ ଘଟଣାରେ ଏ ଗର୍ବୀ ଯୁବକକୁ ଉପଯୁକ୍ତ ପ୍ରତିଫଳ ଦେବାପାଇଁ ମନସ୍ଥ କରି ଗୋଟାଏ ଚକ୍ରାନ୍ତ କରୁଥାଏ ।

 

ରାଜକୁମାରୀ ଅମ୍ବାଳିକାଙ୍କ ପରିଚାରିକା ମାଙ୍ଗଳିକା ସହିତ ଶୃଗାଳିକାର ଅତ୍ୟନ୍ତ ଆତ୍ମୀୟତା ଥିଲା । ତେଣୁ ରାଜକୁମାରୀ ଶୃଗାଳିକାକୁ ମଧ୍ୟ ଆଦର କରୁଥିଲେ ଓ ତାହାଠାରୁ ଗଳ୍ପ ଶୁଣିବାକୁ ସୁଖ ପାଉଥିଲେ । ନଗରୀର ସମସ୍ତ ସମ୍ବାଦ ତାହା ମୁଖରୁ ହିଁ ରାଜକୁମାରୀଙ୍କ ଶ୍ରୁତିଗୋଚର ହୁଏ । ସମୟ ସମୟରେ ରାଜକୁମାରୀ ଅଟ୍ଟାଳିକା ଉପରେ ଉପବେଶନ କରି ରାଜପଥଗାମୀ ବ୍ୟକ୍ତିମାନଙ୍କ ସମ୍ୱନ୍ଧେ ଶୃଗାଳିକାକୁ ବହୁବିଧ ପ୍ରଶ୍ନ ପଚାରନ୍ତି । ରାଜପଥର ଏହି ଅଂଶ ଅଟ୍ଟାଳିକାର ଠିକ୍ ନିମ୍ନଦେଶରେ ଅବସ୍ଥିତ । କାରାଗାରରକ୍ଷକ କାନ୍ତକ ପ୍ରତିଦିନ ଏହି ପଥ ଦେଇ ଯାତାୟାତ କରେ ।

 

ଦିନେ ପ୍ରଭାତକାଳରେ ଶୃଗାଳିକା ରାଜକୁମାରୀଙ୍କର ବେଶ ରଚନା କରିବାକୁ ଯାଇ କେଶଦାମ ମଧ୍ୟରୁ ମଳିନ ପୁଷ୍ପଗୁଚ୍ଛଟିଏ ବାହାର କରି ବାତାୟନ ପଥ ଦେଇ ରାଜପଥକୁ ନିକ୍ଷେପ କଲା । ଅକସ୍ମାତ୍ ଏତିକି ବେଳେ କାନ୍ତକ ସେ ପଥ ଦେଇ ଯାଉଥିଲା । ଉକ୍ତ ପୁଷ୍ପଗୁଚ୍ଛ ତାହାର ସମ୍ମୁଖରେ ପତିତ ହୁଅନ୍ତେ କାନ୍ତକ ଉପରକୁ ଚାହିଁ ଦେଖିଲା ବାତାୟନ ପଥରେ ରାଜକୁମାରୀ । ତାହାଙ୍କ ମୁଖପଦ୍ମରେ ବାଳରବିର କନକକିରଣ ପରି ହାସ୍ୟରେଖା ଫୁଟିଉଠିଛି । ଅବଶ୍ୟ ସେଇ ମୁହୂର୍ତ୍ତରେ ଶୃଗାଳିକାର ଏକ ଚତୁର ବାକ୍ୟରେ ରାଜକୁମାରୀ ସ୍ମିତ ହାସ୍ୟ କରିଥିଲେ; କିନ୍ତୁ ଆତ୍ମଗର୍ବୀ କାନ୍ତକ ଏହାକୁ ତାହା ପ୍ରତି ଉଦ୍ଦିଷ୍ଟ ମନେ କଲା ଏବଂ ତନ୍ମଧ୍ୟରେ ରାଜକୁମାରୀଙ୍କର ଅଭିଳାଷ ଓ ଅନୁଗ୍ରହର ସୂଚନା ଗ୍ରହଣ କରି ଆତ୍ମପ୍ରସାଦ ଲାଭ କରିବାକୁ ଲାଗିଲା ।

 

ଏହା ସହିତ ଆଉ ଗୋଟିଏ କଥା ମଧ୍ୟ ଘଟିଲା । ମୋର ସ୍ତ୍ରୀ ଶୃଗାଳିକାର ପାଳିତା କନ୍ୟା ଭାବରେ ରାଜକୁମାରୀଙ୍କ ନିକଟରେ ପରିଚିତା ହୋଇ ତାହାଙ୍କର ସ୍ନେହ ଓ ଆଦର ଲାଭ କରିଥିଲା । ସେହି ଦିବସ ସନ୍ଧ୍ୟାରେ ରାଜକୁମାରୀ କେତେକ ରତ୍ନାଳଙ୍କାର ଓ ନିଜ ପ୍ରତିକୃତି ଶୃଗାଳିକା ହସ୍ତରେ ମୋ ସ୍ତ୍ରୀ ନିକଟକୁ ଉପହାର ସ୍ୱରୂପ ପ୍ରେରଣ କଲେ । ଶୃଗାଳିକା ଏ ସବୁ ପାଇବା ମାତ୍ରେ ଏକ ଷଡ଼ଯନ୍ତ୍ରର କଳ୍ପନା କରି ଉକ୍ତ ଉପହାର ସହ କାନ୍ତକ ନିକଟରେ ଉପସ୍ଥିତ ହେଲା । କାନ୍ତକ ରାଜକୁମାରୀଙ୍କ ପ୍ରତିକୃତି ତଥା ମୂଲ୍ୟବାନ ଉପହାର ପାଇ ନିଜକୁ କୃତକୃତ୍ୟ ମନେ କଲା । ସେ ଶୃଗାଳିକାକୁ ଅତିରିକ୍ତ ସମାଦର କରିବା ସଙ୍ଗେ ସଙ୍ଗେ ପ୍ରତିକୃତିଟିକୁ ବାରମ୍ବାର ଚୁମ୍ବନ କରି ତନ୍ମୟ ହୋଇ ପଡ଼ିବାକୁ ଲାଗିଲା । ସେ ନିଶ୍ଚିତ ଭାବେ ମନେ କଲା ଯେ ରାଜକୁମାରୀ ତାହା ପ୍ରତି ଆକୃଷ୍ଟା ହୋଇ ଏ ସମସ୍ତ ଉପହାର ପ୍ରେରଣ କରିଅଛନ୍ତି । ଶୃଗାଳିକା ମଧ୍ୟ ପୁଷ୍ପଗୁଚ୍ଛ କଥା ସ୍ମରଣ କରାଇଦେଇ ତାହାର ଏ ବିଶ୍ୱାସକୁ ଅଧିକ ବଦ୍ଧମୂଳ କରି କହିଲା, “ଯୁବକ, ତୁମର ଅଭାବନୀୟ ଭାଗ୍ୟୋଦୟ ହୋଇଛି । ତୁମର ରୂପ, ପୌରୁଷ ଓ ବ୍ୟବହାରରେ ରାଜକୁମାରୀ ଆତ୍ମହରା ହୋଇପଡ଼ିଛନ୍ତି । ସୁତରାଂ ଅଙ୍ଗଦେଶର ରାଜସିଂହାସନ ତୁମର ହସ୍ତଗତ ହେବାକୁ ଯାଉଛି । ରାଜକୁମାରୀ ତୁମପ୍ରତି ଏପରି ଆକୃଷ୍ଟ ହୋଇପଡ଼ିଛନ୍ତି ଯେ ଏହି ରାତ୍ରିରେ ତୁମ ସହିତ ଆଳାପ କରିବା ପାଇଁ ଇଚ୍ଛାପ୍ରକାଶ କରି ମୋତେ ପ୍ରେରଣ କରିଅଛନ୍ତି । ତୁମେ କୌଣସିମତେ ରାଜୋଦ୍ୟାନରେ ପ୍ରବେଶ କଲେ ସେ ପ୍ରାସାଦରୁ ଅବତରଣ କରି ତୁମକୁ ଅଭ୍ୟର୍ଥନା କରିବେ । ଏ ଅବସ୍ଥାରେ ଉଦ୍ୟାନରେ ପ୍ରବେଶ କରିବା ହିଁ ଏକମାତ୍ର କଷ୍ଟକର ବ୍ୟାପାର ହୋଇପାରେ; କିନ୍ତୁ ଏଥିପାଇଁ ଆମ୍ଭେମାନେ ଆଗରୁ ଉପାୟ ସ୍ଥିର କରିଅଛୁଁ । ଯେଉଁ ବନ୍ଦୀକୁ ତୁମେ ବନ୍ଦିଶାଳାରେ ବେତ୍ର ପ୍ରହାର କରିଥିଲ, ସୁଡ଼ଙ୍ଗପଥ ନିର୍ମାଣରେ ସେ ଅତ୍ୟନ୍ତ ଧୁରନ୍ଧର । ତୁମେ ତାହାକୁ ଉଦ୍ୟାନ ପ୍ରାଚୀରରେ ଗୋଟାଏ ସୁଡ଼ଙ୍ଗପଥ ନିର୍ମାଣକାର୍ଯ୍ୟରେ ନିଯୁକ୍ତ କଲେ ସମସ୍ତ କାର୍ଯ୍ୟ ସହଜସାଧ୍ୟ ହୋଇଯିବ ।”

 

ଆତ୍ମାଭିମାନ, ରାଜକୁମାରୀ ଓ ରାଜ୍ୟଲାଭ ଆଶା କାନ୍ତକକୁ ଅନ୍ଧ କରିପକାଇଥିଲା । ସେ ଶୃଗାଳିକାର ବୁଦ୍ଧି ଓ ବିଚକ୍ଷଣତାକୁ ଶତ ଧନ୍ୟବାଦ ଦେଇ ଏ ପ୍ରସ୍ତାବରେ ସମ୍ମତ ହେଲା । ତେଣୁ ସେହି ରାତ୍ରିରେ ଉଭୟେ କାରାଗାରରେ ପ୍ରବେଶ କଲେ । ଶୃଗାଳିକା ପ୍ରଥମେ ମୋର ମତ ଗ୍ରହଣ କରିବା ପାଇଁ ମୋ କକ୍ଷମଧ୍ୟରେ ପ୍ରବେଶ କରି ଏ ଚକ୍ରାନ୍ତର ସୂଚନା ଦେଇ ସାରିବା ପରେ କାନ୍ତକ ସହିତ ମୋ ନିକଟକୁ ଆସିଲା । କାନ୍ତକ ଆମ୍ଭମାନଙ୍କ ସମ୍ମୁଖରେ ପ୍ରତିଜ୍ଞାକରି କହିଲା ଯେ ଏ ଉପକାର ପାଇଁ ସେ ମୋତେ ମୁକ୍ତି ପ୍ରଦାନ କରିବ । ତେଣୁ ମୁଁ ଏଥିରେ ସମ୍ମତ ହେବା ସଙ୍ଗେ ସଙ୍ଗେ କୃତ୍ରିମ କୃତଜ୍ଞତା ପ୍ରକାଶ କରିବାକୁ ଲାଗିଲି ।

 

କାନ୍ତକର ଆଦେଶରେ ମୋର ଶୃଙ୍ଖଳ ମୁକ୍ତ କରିଦିଆଗଲା ଏବଂ ଏ ଶ୍ରମସାଧ୍ୟ କାର୍ଯ୍ୟ ସାଧନ କରିବା ନିମିତ୍ତ ମୋତେ ପୂର୍ଣ୍ଣ ଗ୍ରାସ ଭୋଜନ ଦିଆଗଲା ।

 

ଗାଢ଼ ଅନ୍ଧକାର ଭେଦ କରି ମୁଁ ଓ କାନ୍ତକ ରାଜୋଦ୍ୟାନର ନିକଟବର୍ତ୍ତୀ ହେଲୁ । ରାଜକୁମାରୀଙ୍କର ପ୍ରାସାଦର ଖୁବ୍ ସମୀପବର୍ତ୍ତୀ ସ୍ଥାନରେ ସର୍ପଚକ୍ରୀ ଯନ୍ତ୍ର ସାହାଯ୍ୟରେ ଅତି ଅଳ୍ପ ସମୟ ମଧ୍ୟରେ ମୁଁ ଗୋଟାଏ ପଥ କାଟିଦେଲି ଏବଂ ପ୍ରଥମେ ତାହା ଭିତର ଦେଇ କଷ୍ଟେମଷ୍ଟେ ଉଦ୍ୟାନ ମଧ୍ୟକୁ ପ୍ରବେଶ କରି କାନ୍ତକକୁ ଅପେକ୍ଷା କଲି । କାନ୍ତକର ଦେହ ମୋ ଅପେକ୍ଷା କୃଶ; ତେଣୁ ତାହାର ମସ୍ତକ ଓ ସ୍କନ୍ଧ ସୁଡ଼ଙ୍ଗ ମଧ୍ୟରୁ ବାହାରିବା ମାତ୍ରେ ସର୍ପଚକ୍ରୀ ସାହାଯ୍ୟରେ ଏପରି ଏକ ଆଘାତ କଲି ଯେ ସେହି ପ୍ରହାରରେ ସେ ଇହଲୀଳା ସମ୍ବରଣ କଲା । ମୁଁ ତାହାକୁ ସୁଡ଼ଙ୍ଗ ମଧ୍ୟରୁ ଟାଣିଆଣି ତା ହାତରେ ଚକ୍ରୀଟିକୁ ଧରାଇଦେଇ ସେଠାରୁ ପଳାୟନ କଲି ।

 

ବନ୍ଦିଶାଳାରେ ଶୁଣିଥିଲି ଯେ ଧନମିତ୍ରଙ୍କ ବନ୍ଧୁ ପ୍ରଧାନ ନଗରରକ୍ଷୀ ସିଂହଘୋଷ ରାଜାଙ୍କର କୁଦୃଷ୍ଟିରେ ପଡ଼ିଥିଲେ । କାନ୍ତକର ମୃତ୍ୟୁ ସୁଯୋଗରେ ମୁଁ ତାହାଙ୍କର କିଛି ଉପକାର କରିବା ମାନସରେ ତାହାଙ୍କର ବାସଭବନରେ ଉପସ୍ଥିତ ହୋଇ କହିଲି, “ବନ୍ଧୁ, କାନ୍ତକର ହତ୍ୟାକୁ ତୁମେ ଅବଲମ୍ବନ କରି ନିଜର ଭାଗ୍ୟ ପରିବର୍ତ୍ତନ କରିପାର । ଯଦି ପ୍ରଭାତରୁ ରାଜାଙ୍କୁ ଜଣାଇଦେବ ଯେ ତୁମେ ଗତ ରାତ୍ରିରେ ନଗର ଭ୍ରମଣ ସମୟରେ ଗୋଟାଏ ଲୋକ ପ୍ରାସାଦ ପ୍ରାଚୀର ଭେଦ କରୁଥିବା ଦେଖି ତାହାର ଅନୁସରଣ କଲ ଏବଂ ପଶ୍ଚାତ୍ ଭାଗରୁ ଆକ୍ରମଣ କରି ହତ୍ୟା କଲ; ତା ହାତରେ ଗୋଟାଏ ସର୍ପଚକ୍ରୀ ଯନ୍ତ୍ର ଓ ପରିଚ୍ଛଦ ମଧ୍ୟରେ ରାଜକୁମାରୀଙ୍କ ପ୍ରତିକୃତି ଥିଲା, ତେବେ ରାଜା ସଙ୍ଗେ ସଙ୍ଗେ ତୁମ କଥାର ସତ୍ୟାସତ୍ୟ ପରୀକ୍ଷା କରି ତୁମ ପ୍ରତି ନିଶ୍ଚୟ ପ୍ରୀତ ହେବେ ।

 

ସିଂହଘୋଷ ଏଥିରେ ସମ୍ମତହୋଇ ମୋର ଉପଦେଶ ଅନୁଯାୟୀ ଅତି ପ୍ରତ୍ୟୁଷରୁ ରାଜାଙ୍କ ନିକଟରେ ସମସ୍ତ କଥା ବର୍ଣ୍ଣନା କଲେ । ରାଜା ବୁଝି ପାରିଲେ ଯେ କାନ୍ତକ ନିଶ୍ଚୟ ଦସ୍ୟୁଭାବରେ ରାଜକୁମାରୀଙ୍କ ପ୍ରାସାଦରେ ପ୍ରବେଶ କରୁଥିଲା । ତେଣୁ ସେ ସିଂହଘୋଷ ପ୍ରତି ସନ୍ତୁଷ୍ଟ ହୋଇ ଉପଯୁକ୍ତ ପୁରସ୍କାର ପ୍ରଦାନ କଲେ ।

 

ଏଥି ମଧ୍ୟରେ ଋଷି ମରୀଚିଙ୍କ ସାକ୍ଷାତ୍‍ଲାଭ କରି ମୋ କାର୍ଯ୍ୟାବଳୀର ବିବରଣ ଦେବା ନିମିତ୍ତ ମୁଁ ଓ ଧନମିତ୍ର ଅରଣ୍ୟ ମଧ୍ୟରେ ପ୍ରବେଶ କଲୁ । ସମସ୍ତ କଥା ଶୁଣି ସେ ମୋ ପ୍ରତି ପ୍ରୀତ ହୋଇ ସ୍ୱୀକାର କଲେ ଯେ ତାହାଙ୍କର ଉଦ୍ଦେଶ୍ୟ ଉପଯୁକ୍ତ ଭାବରେ ପ୍ରତିପାଳିତ ହୋଇଅଛି । ସଙ୍ଗେ ସଙ୍ଗେ ସେ ଆପଣଙ୍କ ତଥ୍ୟ ମଧ୍ୟ ପ୍ରକାଶ କଲେ ଓ ମୁଁ ଯେତେବେଳେ ଶୁଣିଲି ଯେ, ଉଜ୍ଜୟିନୀର ରାଜପ୍ରତିନିଧି ଚଣ୍ଡବର୍ମା ଅଙ୍ଗଦେଶ ଆକ୍ରମଣ କରି ରାଜକୁମାରୀଙ୍କୁ ଅପହରଣ କରିବାକୁ ଆସୁଅଛନ୍ତି ଏବଂ ଆପଣ ତାହାଙ୍କ ସହିତ ଅଛନ୍ତି, ସେତେବେଳେ ମୋର ବିସ୍ମୟର ସୀମା ରହିଲା ନାହିଁ । କାରଣ ମୋର ବାନ୍ଧବୀ ଭାବରେ ମୋତେ ଅଙ୍ଗରାଜକୁମାରୀଙ୍କ ପକ୍ଷରେ ଯୁଦ୍ଧ କରିବାକୁ ହେବ ଏବଂ ଫଳରେ ଆପଣଙ୍କ ବିରୁଦ୍ଧରେ ଦଣ୍ଡାୟମାନ ହେବାକୁ ବାଧ୍ୟ ହେବି; କିନ୍ତୁ ଆପଣ ଯେ କାଷ୍ଠପିଞ୍ଜରା ମଧ୍ୟରେ ବନ୍ଦୀ ଭାବରେ ଆବଦ୍ଧ, ଏହା ମୁଁ ଅନୁମାନ କରିବି କିପରି ?

 

ଯାହା ହେଉ, ଆପଣ ଜାଣନ୍ତି ପରେ ଏହା କି ଆକାର–ଧାରଣ କଲା । ନଗର ଅଧିକାର ପରେ ସିଂହବର୍ମାଙ୍କ ମିତ୍ରସୈନ୍ୟଗଣ ଅତିଶୀଘ୍ର ଆସି ଯେପରି ତାହାଙ୍କ ପକ୍ଷରେ ଯୋଗ ଦିଅନ୍ତି, ତାହାର ବ୍ୟବସ୍ଥା କରିବା ପାଇଁ ମୁଁ ଧନମିତ୍ରଙ୍କୁ ପ୍ରେରଣ କଲି । ଏଣେ ଶୁଣି ପାରିଲି ଯେ ଚଣ୍ଡବର୍ମା ସିଂହବର୍ମାଙ୍କ ମିତ୍ର ସୈନ୍ୟମାନଙ୍କ ବିରୁଦ୍ଧରେ ଯୁଦ୍ଧଘୋଷଣା ପୂର୍ବରୁ ରାଜକୁମାରୀଙ୍କୁ ଅତି ଚଞ୍ଚଳ ବିବାହ କରିନେବାର ଯୋଗାଡ଼ କରୁଅଛନ୍ତି । ସୁତରାଂ ମୁଁ ଏକ ବ୍ରାହ୍ମଣବେଶରେ ବିବାହମଣ୍ଡପ ମଧ୍ୟକୁ ପ୍ରବେଶ କଲି । ଯେତେବେଳେ ହୋମାଗ୍ନି ସମ୍ମୁଖରେ ଚଣ୍ଡବର୍ମା ଅମ୍ବାଳିକାଙ୍କ ପାଣିପଲ୍ଲବ ଗ୍ରହଣ କରିବାକୁ ଉଦ୍ୟତ, ଠିକ୍ ସେହି ମୁହୂର୍ତ୍ତରେ ଜଣେ ପ୍ରହରୀ ହସ୍ତରୁ ମୁଁ ଗୋଟାଏ ଖଡ଼୍‍ଗ ଟାଣି ଆଣି ଏକ ପ୍ରହାରରେ ଚଣ୍ଡବର୍ମାର ମସ୍ତକ ତାହାର ସ୍କନ୍ଧରୁ ଛିନ୍ନ କରିଦେଲି । ଏ ଘଟନାରେ ସମବେତ ଜନତା କିଛି ସମୟ ପାଇଁ ତଟସ୍ଥ ଓ ଚକିତ ହୋଇପଡ଼ିଲେ ଏବଂ ଏହି ସୁଯୋଗରେ ମୁଁ ଅମ୍ବାଳିକାଙ୍କ ସହିତ ଧନମିତ୍ରଙ୍କ ବାସଭବନ ଉଦ୍ଦେଶ୍ୟରେ ଧାବମାନ ହେଲି ।

 

ରାଜକୁମାରୀଙ୍କୁ ଏକ ସୁରକ୍ଷିତ ନିରାପଦ ସ୍ଥାନରେ ଉପସ୍ଥିତ କରାଇ ମୁଁ ପୁଣି ରାଜପଥ ମଧ୍ୟକୁ ବହିର୍ଗତ ହେଲି ଏବଂ ମାଳବ ସୈନ୍ୟସମୁଦ୍ର ମଧ୍ୟରେ ସିଂହଦ୍ଵାରର ନିକଟବର୍ତ୍ତୀ ହେଉ ହେଉ ନୂତନ ମେଘଗର୍ଜନ ଭଳି ଆପଣଙ୍କ ଗମ୍ଭୀର ସ୍ୱର ଶୁଣିବାକୁ ପାଇଲି ।

Image

 

ଷୋହଳ

Unknown

ଉପହାର ବର୍ମାଙ୍କ କଥା

 

ରାଜବାହନ ଓ ତାହାଙ୍କର ବନ୍ଧୁଗଣ ଅପହାର ବର୍ମାଙ୍କ ବିବୃତି ଅତି ଆଗ୍ରହ ସହକାରେ ଶୁଣୁଥିଲେ । କଥା ଶେଷରେ ତାହାଙ୍କର ଅଭୂତପୂର୍ବ ବିକ୍ରମ, ଅଦମ୍ୟ ସାହସ, ଅନନ୍ୟସୁଲଭ ପ୍ରତ୍ୟୁତ୍ପନ୍ନମତିତ୍ୱ ଏବଂ ଅତୁଳନୀୟ ଦକ୍ଷତା ଯୋଗୁ ଯେ ସେ ଦୁର୍ଦ୍ଧର୍ଷ ପାପାଚାରୀମାନଙ୍କୁ ଉପଯୁକ୍ତ ଦଣ୍ଡ ଦେଇ ନିଜର କର୍ତ୍ତବ୍ୟ ସୁସମ୍ପନ୍ନ କରି ପାରିଥିଲେ, ଏ କଥା ସମସ୍ତେ ଏକମୁଖରେ ଘୋଷଣା କରିବାକୁ ଲାଗିଲେ ।

 

ଏହାପରେ ରାଜବାହନ ସହଚର ଉପହାର ବର୍ମାଙ୍କୁ ଉଦ୍ଦେଶ୍ୟ କରି କହିଲେ, “ବର୍ତ୍ତମାନ ଅପହାର ବର୍ମାଙ୍କ ଯମଜ ଭ୍ରାତା କି ପ୍ରକାର କୌତୂହଳାବହ ଘଟଣାବଳୀର ସମ୍ମୁଖୀନ ହୋଇଥିଲେ ତାହା ବର୍ଣ୍ଣନା କରନ୍ତୁ । ଯମଜଭ୍ରାତାମାନଙ୍କ ମଧ୍ୟରେ ବିକ୍ରମ ଓ ବିଚକ୍ଷଣତାର ତାରତମ୍ୟ କ୍ୱଚିତ୍ ପରିଲକ୍ଷିତ ହୋଇଥାଏ । ସୁତରାଂ ତାହାଙ୍କର ବିବୃତି ଯେ ନିଶ୍ଚୟ ବିସ୍ମୟୋତ୍ପାଦକ ହେବ, ଏଥିରେ ସନ୍ଦେହ ନାହିଁ ।”

 

ଉପହାର ବର୍ମା ଏହିପରି ଭାବରେ ଅନୁରୁଦ୍ଧ ହୁଅନ୍ତେ, ନିଜର କଥା ଆରମ୍ଭ କରିବାକୁ ଯାଇ କହିଲେ–ରାଜକୁମାର, ମୁଁ ବହୁପଥ ଅତିକ୍ରମ କରି ବିଦେହ ରାଜ୍ୟରେ ଉପସ୍ଥିତ ହେଲି । ଏହାର ରାଜଧାନୀ ମିଥିଳା ଅଭିମୁଖରେ ଯାତ୍ରା କଲାବେଳେ ବନମଧ୍ୟରେ ଗୋଟିଏ କାଳୀମନ୍ଦିରର ସମ୍ମୁଖୀନ ହୋଇ ମୁଁ ସେଠାରେ କିଛି ସମୟ ବିଶ୍ରାମ କରିବା ଲାଳସାରେ ମନ୍ଦିରମଧ୍ୟରେ ପ୍ରବେଶ କଲି ।

 

ମନ୍ଦିର ନିକଟରେ ଜଣେ ବୃଦ୍ଧା ସନ୍ନ୍ୟାସିନୀ ବାସ କରୁଥିଲେ । ସେ ମୋତେ ଦେଖି ବହୁ ଆଦର ସହକାରେ ତାହାଙ୍କ ଆଶ୍ରମକୁ ଆମନ୍ତ୍ରଣ କଲେ । ଏତିକିବେଳେ ମୁଁ ବୋଧ କଲି ଯେପରି କି ବୃଦ୍ଧା ମୋର ଆପାଦମସ୍ତକ ତନ୍ନ ତନ୍ନ କରି ନିରୀକ୍ଷଣ କରୁଛନ୍ତି ଏବଂ ମଧ୍ୟେ ମଧ୍ୟେ ଦୃଷ୍ଟି ଫେରାଇ ନେଇ କୌଣସି ଅତୀତ ସ୍ମୃତିର ଯନ୍ତ୍ରଣା ମର୍ମେ ମର୍ମେ ଅନୁଭବ କରି ଅସ୍ଥିର ହୋଇଉଠୁଛନ୍ତି । ବ୍ୟଥା ଗୋପନ କରିବା ନିମନ୍ତେ ବହୁ ପ୍ରୟାସ କରି ମଧ୍ୟ ଶେଷରେ ବୃଦ୍ଧାଙ୍କର ଚକ୍ଷୁ ସଜଳ ହୋଇଉଠିଲା । ତାହାଙ୍କର ଏ ଭାବ ଦେଖି ମୁଁ ସବିନୟ ଏହାର କାରଣ ପଚାରିଲି । ବିକ୍ଷୁବ୍ଧ କଣ୍ଠରେ ବୃଦ୍ଧା କହିଲେ–“ହେ ଯୁବକ, ବହୁ ବର୍ଷ ଆଗେ ମୁଁ ଓ ମୋର କନ୍ୟା ବିଦେହ ରାଜପରିବାରରେ ପରିଚାରିକା ଥିଲୁ । ରାଣୀ ପ୍ରିୟମ୍ବଦାଙ୍କର ଯମଜପୁତ୍ର ଦୁଇଟିଙ୍କର ଲାଳନପାଳନ ଭାର ଆମ ଦୁହିଁଙ୍କ ଉପରେ ନ୍ୟସ୍ତ ଥିଲା । ଏକ ସମୟରେ ରାଜା ପ୍ରହାରବର୍ମା ମଗଧରାଜ ରାଜହଂସଙ୍କଦ୍ଵାରା ଏକ ମହୋତ୍ସବରେ ଯୋଗଦାନ କରିବାପାଇଁ ନିମନ୍ତ୍ରିତ ହୁଅନ୍ତେ ସେ ରାଣୀ ପ୍ରିୟମ୍ବଦା, ଯମଜପୁତ୍ର ଓ ସୈନ୍ୟସାମନ୍ତଙ୍କ ସହ ମଗଧ ଅଭିମୁଖରେ ଯାତ୍ରା କଲେ । ଦୁର୍ଭାଗ୍ୟର କଥା, ଆମ୍ଭମାନଙ୍କର ସେଠାରେ ଅବସ୍ଥାନ କରିବା ସମୟରେ ମାଳବରାଜା ମାନସାର ମଗଧ ଆକ୍ରମଣ କରି ରାଜହଂସଙ୍କୁ ପରାସ୍ତ କଲେ । ଯୁଦ୍ଧାବସାନରେ ରାଜହଂସଙ୍କର ଅବସ୍ଥା କଣ ହେଲା ମୁଁ ଜାଣେ ନାହିଁ, କିନ୍ତୁ ରାଜା ପ୍ରହାରବର୍ମା ବହୁ ସମୟ ଯାଏ ସମ୍ମୁଖସମରରେ ଯୋଗଦାନ କରି ଶେଷରେ ଆତ୍ମରକ୍ଷା ଓ ରାଜ୍ୟରକ୍ଷାପାଇଁ ଅନୁଚରମାନଙ୍କ ସହ ପଳାୟନ କରିବାକୁ ବାଧ୍ୟ ହେଲେ । ପଥ ମଧ୍ୟରେ କେତେକ ଅରଣ୍ୟବାସୀ ଆମ୍ଭମାନଙ୍କର ପଥରୋଧ କରିବା ଯୋଗୁ ଆମ୍ଭେମାନେ ଇତସ୍ତତଃ ହୋଇପଡ଼ିଲୁ । ଫଳରେ ମୁଁ ଓ ମୋର କନ୍ୟା ଶିଶୁ ରାଜକୁମାର ଦୁହିଁଙ୍କ ସହ ଅନ୍ୟମାନଙ୍କଠାରୁ ବିଚ୍ଛିନ୍ନ ହୋଇପଡ଼ିଲୁ ଏବଂ ପରେ ସେମାନଙ୍କ ସହ ମିଳିତ ହେବାପାଇଁ ବହୁ ଚେଷ୍ଟା କରି ମଧ୍ୟ ଅତିରିକ୍ତ ଶ୍ରାନ୍ତିବଶତଃ କୌଣସିମତେ କୃତକାର୍ଯ୍ୟ ହୋଇ ପାରିଲୁ ନାହିଁ । ଏହିପରି ଭାବରେ ଆମ୍ଭେ ଦୁହେଁ ଅରଣ୍ୟପଥ ଅନୁସରଣ କରି ଗଲାବେଳେ ହଠାତ୍ ଏକ ବ୍ୟାଘ୍ର କୌଣସି ଏକ ଜୀବ ଉପରକୁ ଲମ୍ଫ ଦେବା ଦେଖି ମୁଁ ଭୟରେ ହତଚେତନ ହୋଇ ଶିଶୁ ସହ ପଡ଼ିଗଲି । ସଚେତ ହେବା ପରେ ଦେଖିଲି ଶିଶୁଟି ମୋ କୋଳରେ ଆଉ ନାହିଁ । ଜଣେ ଗୋପାଳ ମୋତେ ଚୈତନ୍ୟହୀନ ଅବସ୍ଥାରେ ଦେଖି ତାହାର କୁଟୀରକୁ ନେଇଆସିଥିଲା ଏବଂ ସସ୍ତ୍ରୀକ ବହୁ ଦିବସାବଧି ସେବା କରି ମୋର ଜୀବନରକ୍ଷା କରିଥିଲା । କିଛି ଦିନ ପରେ ମୁଁ ମିଥିଳା ଯାତ୍ରା କରି ଶିଶୁପୁତ୍ରର ଦୁଃସମ୍ବାଦ ରାଜଦମ୍ପତିଙ୍କୁ ଦେବାକୁ କଳ୍ପନା କଲାବେଳେ ହଠାତ୍ ଦିନେ ମୋର କନ୍ୟା ଜଣେ ଯୁବକ ସହିତ ମୋ ନିକଟରେ ଉପସ୍ଥିତ ହେଲା । କନ୍ୟାଠାରୁ ଶୁଣିଲି ଯୁବକ ଜଣେ ବିଦେହ ଅଧିବାସୀ–ଆମ୍ଭମାନଙ୍କ ଭଳି ରାଜାଙ୍କ ଦଳରୁ ବିଚ୍ଛିନ୍ନ ହୋଇପଡ଼ିଥିଲେ । ସେ ମୋର କନ୍ୟାକୁ ରାକ୍ଷସ ପ୍ରକୃତିକ ଅରଣ୍ୟବାସୀଙ୍କ କବଳରୁ ବହୁ କଷ୍ଟରେ ରକ୍ଷାକରି ପାରିଥିଲେ ମଧ୍ୟ କନ୍ୟାଦ୍ୱାରା ପାଳିତ ରାଜକୁମାର ସେମାନଙ୍କଦ୍ୱାରା ଅପହୃତ ହୋଇଥିଲେ ।

 

ବର୍ତ୍ତମାନ ମିଥିଳାକୁ ଫେରିଯାଇ ରାଜଦମ୍ପତିଙ୍କ ସମ୍ମୁଖରେ ଏ ମର୍ମନ୍ତୁଦ ଘଟନା ବର୍ଣ୍ଣନା କରିବା ବ୍ୟତୀତ ଆମ୍ଭମାନଙ୍କର ଅନ୍ୟକୌଣସି କର୍ତ୍ତବ୍ୟ ନ ଥିଲା; କିନ୍ତୁ ପଥମଧ୍ୟରେ ଶୁଣିବାକୁ ପାଇଲୁ ଯେ ସ୍ୱୟଂ ରାଜା ନିଜର ଭ୍ରାତୁଷ୍ପୁତ୍ର ବିକଟବର୍ମା ସିଂହାସନ ଅପହରଣ କରି ରାଜା ଓ ରାଣୀଙ୍କୁ ବନ୍ଦୀ କରିବା ସଙ୍ଗେ ସଙ୍ଗେ ତାହାଙ୍କର ସମର୍ଥକମାନଙ୍କୁ ଅତି କ୍ରୂରଭାବେ ଦମନ କରିଛନ୍ତି-। ଏ କଥା ଶୁଣି ମୋର ଧୈର୍ଯ୍ୟ ଭାଙ୍ଗି ପଡ଼ିଲା । ରାଜା ରାଣୀଙ୍କର ଏ ଦୁଃସମୟରେ ମୁଁ ପୁଣି ଏହି ନିର୍ମମ ସମ୍ବାଦ କିପରି ଭାବରେ ତାହାଙ୍କର କର୍ଣ୍ଣଗୋଚର କରାଇବି, ସେ କଥା ଭାବିପାରିଲି ନାହିଁ । ମାତ୍ର ଯାହାହେଉ, ଏ ହୃଦୟଦାହୀ ସତ୍ୟ ପିତାମାତା ଭାବରେ ସେମାନେ ଅବଶ୍ୟ ଅବଗତ ହେବା ଉଚିତ ମନେ କରି କୌଣସିମତେ ତାହା ବନ୍ଦୀ ରାଜାରାଣୀଙ୍କ ନିକଟକୁ ପ୍ରେରଣ କରିସାରି ସାଂସାରିକ ବିଷୟତୃଷ୍ଣା ପରିତ୍ୟାଗ କଲି । ମୁଁ ବର୍ତ୍ତମାନ ଏଠାରେ ଜଗଦମ୍ବାଙ୍କ ପୂଜାର୍ଚ୍ଚନାରେ ନିଜକୁ ନିୟୋଜିତ କରିଅଛି ଏବଂ ମୋର କନ୍ୟା ପୁଣି ରାଜ ପରିବାରରେ ପରିଚାରିକା କାର୍ଯ୍ୟରେ ନିଯୁକ୍ତ ହୋଇଅଛି । ହେ ଯୁବକ, ମୁଁ ତୁମକୁ ଦେଖିବା ମାତ୍ରେ ହଠାତ୍ ମୋର ପୂର୍ବସ୍ମୃତି ଜାଗରିତ ହୋଇଉଠିଲା । ମୋହର ରାଜକୁମାର ଜୀବିତ ଥିଲେ ଆଜି ଠିକ୍ ତୁମରି ବୟସରେ ପଦାର୍ପଣ କରି ତୁମରି ଭଳି ରୂପଶ୍ରୀ ବିମଣ୍ତିତ ହୋଇଥାନ୍ତେ । ଏ ସମସ୍ତ କଥା ସ୍ମରଣ କରି ମୋର ହୃଦୟରେ କୋହ ଜାତ ହେଉଅଛି ।”

 

ବୃଦ୍ଧାର ଅକୃତ୍ରିମ ବାତ୍ସଲ୍ୟଭାବ ମୋର ହୃଦୟକୁ ଆଲୋଡ଼ିତ କରି ପକାଇଲା । ତେଣୁ ଅରଣ୍ୟ ମଧ୍ୟରେ ସେ ତାହାଙ୍କର ଏହି କରୁଣ କାହାଣୀ ଜଣେ ବ୍ରାହ୍ମଣଙ୍କ ନିକଟରେ ବର୍ଣ୍ଣନା କରିଥିବା କଥା ତାହାଙ୍କୁ ସ୍ମରଣ କରାଇଦେଇ ଆନନ୍ଦଗଦ୍‍ଗଦ କଣ୍ଠରେ କହିଲି, “ଉକ୍ତ ବ୍ରାହ୍ମଣ ତୁମର ସେହି ପାଳିତ ସନ୍ତାନକୁ ଉଦ୍ଧାର କରି ରାଜହଂସଙ୍କ ହସ୍ତରେ ଅର୍ପଣ କରିଥିଲେ । ମା, ମୁଁ ତୁମର ସେହି ପାଳିତ ସନ୍ତାନ ।”

 

ଏ କଥା କହିବା ସଙ୍ଗେ ସଙ୍ଗେ ମୁଁ ବୃଦ୍ଧାର ବକ୍ଷରେ ମସ୍ତକ ନ୍ୟସ୍ତ କରି ଆନନ୍ଦାଶ୍ରୁ ବିସର୍ଜନ କରିବାକୁ ଲାଗିଲି ଏବଂ ସେ ଏପରି ଅତିରିକ୍ତ ଆନନ୍ଦରେ ବିହ୍ୱଳ ହୋଇପଡ଼ିଲେ ଯେ ହଠାତ୍ ତାହାଙ୍କର ହୃତ୍‍କ୍ରିୟା ବନ୍ଦ ହୋଇଯିବାର ଉପକ୍ରମ ଦେଖାଗଲା । କିଛି ସମୟ ପରେ ବୃଦ୍ଧା ପ୍ରକୃତିସ୍ଥା ହୁଅନ୍ତେ, ମୁଁ ମୋର ବୃଦ୍ଧ ପିତାମାତାଙ୍କୁ ଓ ଅପହୃତ ରାଜ୍ୟ ଉଦ୍ଧାର କରିବା ପ୍ରତିଜ୍ଞା ପ୍ରକାଶ କଲି ।

 

ସେ ସମୟକୁ ବିକଟବର୍ମା ଯେ ନିଜ ରାଜ୍ୟରେ ସୁପ୍ରତିଷ୍ଠିତ ହୋଇ ସାରିଥିବ ଏବଂ ପ୍ରଜାମାନେ ଏତେ ଦିନ ପରେ କୌଣସି ଅପର ପକ୍ଷକୁ ସମର୍ଥନ କରିବା ଯେ ସମ୍ଭବ ନୁହେ, ଏଥିରେ ମୋର କୌଣସି ସନ୍ଦେହ ନ ଥିଲା । ସୁତରାଂ ଧୀରସ୍ଥିର ଭାବରେ ଏକ ଅଭ୍ରାନ୍ତ ଯୋଜନା ପ୍ରସ୍ତୁତ କରି କ୍ରମେ ଅଗ୍ରସର ହେବା ଛଡ଼ା ମୋ ସମ୍ମୁଖରେ ଅନ୍ୟ କୌଣସି ଉପାୟ ନ ଥିଲା; କାରଣ ଥରେ ଚେଷ୍ଟା କରି ବିଫଳମନୋରଥ ହେବା ଅର୍ଥ ନିଜର ଓ ପିତାମାତାଙ୍କର ମୃତ୍ୟୁକୁ ବରଣ କରି ଆଣିବା ।

 

ଯାହାହେଉ ନାନା କଳ୍ପନାର ବଶବର୍ତ୍ତୀ ହୋଇ ମୁଁ ସେଠାରେ ବୃଦ୍ଧା ସହିତ ବାସ କଲି । ଦିବାରାତ୍ରି ବହୁବିଧ ଚିନ୍ତାରେ ମୋର ସମୟ ଅତିବାହିତ ହେବାକୁ ଲାଗିଲା । ଶେଷରେ ମୁଁ ସିଦ୍ଧାନ୍ତ କଲି ଯେ ଉଦ୍ଦେଶ୍ୟ ସିଦ୍ଧ କରିବାକୁ ହେଲେ ରାଜ ପ୍ରାସାଦ ଅନ୍ତର୍ଗତ ବ୍ୟକ୍ତିମାନଙ୍କ ସହିତ ମୋତେ ବନ୍ଧୁତା ସ୍ଥାପନ କରିବାକୁ ହେବ ଏବଂ ବିକଟବର୍ମାଙ୍କର ଅତି ବିଶ୍ୱସ୍ତ ବ୍ୟକ୍ତିଙ୍କ ସାହାଯ୍ୟରେ ଲକ୍ଷ୍ୟ ସାଧନ କରିବାକୁ ହେବ ।

 

ଏହି ଉଦ୍ଦେଶ୍ୟରେ ଦିନେ ନିଜର କନ୍ୟା ପୁଷ୍କରିକାକୁ ଡକାଇ ଆଣିବା ପାଇଁ ମୁଁ ବୃଦ୍ଧାକୁ କହିଲି । ପୁଷ୍କରିକା ଆଶ୍ରମକୁ ଆସନ୍ତେ ମୋତେ ଦେଖି ଓ ମୋର ପରିଚୟ ପାଇ ସାତିଶୟ ଆନନ୍ଦିତା ହେଲା । ସେ ମୋର ଉଦ୍ଦେଶ୍ୟ ଅବଗତ ହୋଇ ମୋତେ ସକଳ ପ୍ରକାର ସାହାଯ୍ୟ କରିବା ପାଇଁ ମଧ୍ୟ ସ୍ୱୀକୃତା ହେଲା । ତାହାଠାରୁ ପ୍ରଥମେ ଅନ୍ତଃପୁରର ପରିସ୍ଥିତି ସମ୍ବନ୍ଧେ ଜାଣିବାକୁ ଇଚ୍ଛା ପ୍ରକାଶ କରି ବୁଝିପାରିଲି ଯେ ପଟ୍ଟମହିଷୀ କଳ୍ପସୁନ୍ଦରୀ ଓ ରାଜା ବିକଟବର୍ମାଙ୍କ ମଧ୍ୟରେ ଦାମ୍ପତ୍ୟ ବନ୍ଧନ ଆଦୌ ନ ଥିଲା । କଳ୍ପସୁନ୍ଦରୀ କାମରୂପ ରାଜ୍ୟର କନ୍ୟା । ସେ ଅତ୍ୟନ୍ତ ରୂପସୀ ଥିଲେ । ବାଲ୍ୟାବସ୍ଥାରେ ପ୍ରହାରବର୍ମାଙ୍କ ଯମଜ ସନ୍ତାନ ମଧ୍ୟରୁ ଜଣକ ସହିତ ତାହାଙ୍କର ବିବାହ ପ୍ରସ୍ତାବ ହୋଇଥିଲା; କିନ୍ତୁ ସେ ବୟଃପ୍ରାପ୍ତ ହେବା ବହୁ ପୂର୍ବରୁ ପ୍ରହାରବର୍ମା ରାଜ୍ୟରୁ ବିତାଡ଼ିତ ହୋଇଥିଲେ ଏବଂ ଉଭୟ ସନ୍ତାନ ନିରୁଦ୍ଦିଷ୍ଟ ହୋଇପଡ଼ିଥିଲେ । ସୁତରାଂ କଳ୍ପସୁନ୍ଦରୀଙ୍କ ପିତା ତାହାଙ୍କୁ ବିକଟବର୍ମାଙ୍କ ସହିତ ବିବାହ ଦେଇଥିଲେ ।

 

କିନ୍ତୁ ଏ ବିବାହ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । କାରଣ ଉନ୍ନତମନା ରାଜକୁମାରୀ ବିକଟବର୍ମାଙ୍କ କଦର୍ଯ୍ୟ ରୂପ, ପଶୁତୁଲ୍ୟ ପ୍ରକୃତି, ନିକୃଷ୍ଟ ସ୍ୱଭାବରେ ଆଦୌ ତୃପ୍ତ ହୋଇ ପାରି ନଥିଲେ । ସେ ବିକଟବର୍ମାଙ୍କ ସମ୍ବନ୍ଧେ ଯେଉଁ ଧାରଣା ପୋଷଣ କଲେ, ତାହା ତାହାଙ୍କୁ ଯଥାଶୀଘ୍ର ଜଣାଇ ଦେବାପାଇଁ ମଧ୍ୟ ପଶ୍ଚାତ୍‍ପଦ ହେଲେ ନାହିଁ । ବିକଟବର୍ମା କେବଳ ନିଜ ରୂପର ନିନ୍ଦା ଶୁଣି ବିଶେଷ କ୍ଷୁବ୍ଧ ହୋଇଥିଲେ; କାରଣ ଗୁଣର ନିନ୍ଦା ବା ପ୍ରଶଂସା ତାହାଙ୍କ ନିକଟରେ ନିତାନ୍ତ ନିରର୍ଥକ ଥିଲା ।

 

ରାଜା ଓ ରାଣୀଙ୍କ ପରିଚାରକମାନଙ୍କ ନିକଟରେ କୌଣସି କଥା ଗୁପ୍ତ ରହେ ନାହିଁ । ରାଜଦମ୍ପତିଙ୍କର ପରସ୍ପର ପ୍ରତି ଏ ମନୋଭାବ କ୍ରମେ ପ୍ରଚାରିତ ହେବାକୁ ଲାଗିଲା । ବିକଟବର୍ମା ବଡ଼ରାଣୀଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରି ନିଜେ ଅନ୍ୟ ରାଣୀମାନଙ୍କ ସହିତ ଲିପ୍ତ ରହିଲେ । ଫଳରେ କଳ୍ପସୁନ୍ଦରୀ ଅନ୍ତଃପୁର ମଧ୍ୟରେ ଏକପ୍ରକାର ନିର୍ବାସିତା ହୋଇ ସକଳ କ୍ଷେତ୍ରରେ ନିଜର ଅଧିକାର ହରାଇ ବସିଲେ ।

 

ଏହିଠାରେ ହିଁ ମୁଁ ମୋର ସୁଯୋଗ ଖୋଜି ପାଇଲି । କଳ୍ପସୁରୀଙ୍କ ସହଯୋଗୀ ଭାବରେ ଦଣ୍ଡାୟମାନ ହୋଇ ଅନ୍ୟାୟର ପ୍ରତିଶୋଧ ନେବାପାଇଁ ମୁଁ କୃତସଂକଳ୍ପ ହେଲି । ବାଲ୍ୟାବସ୍ଥାରେ ମୁଁ ଯଦି ଅପହୃତ ହୋଇ ନଥାନ୍ତି, ତେବେ ନିଶ୍ଚୟ କଳ୍ପସୁନ୍ଦରୀ ମୋର ପତ୍ନୀ ହୋଇଥାନ୍ତେ । ସୌଭାଗ୍ୟର କଥା ଯେ ବୃଦ୍ଧାର କନ୍ୟା ପୁଷ୍ପରିକା ତାହାଙ୍କର ଏକମାତ୍ର ଅନ୍ତରଙ୍ଗ ସହଚରୀ ଥିଲା ।

 

ମୁଁ ଶୁଣିଲି ଗତ କେତେ ଦିନ ହେଲା କଳ୍ପସୁନ୍ଦରୀଙ୍କ ପ୍ରତି ବିକଟବର୍ମାଙ୍କର ଅତ୍ୟାଚାରର ମାତ୍ରା ବଢ଼ିଥିଲା । ମଦ୍ୟପାନ କରି ସେ ବହୁବାର ରାଣୀଙ୍କୁ ତାଚ୍ଛଲ୍ୟ ଭାବରେ ଭର୍ତ୍ସାନା କରିଥିଲେ । ତାହାଙ୍କର ଶେଷ ବିବାହିତା ରାଣୀ ନିତାନ୍ତ ନୀଚକୁଳସମ୍ଭୂତା ଓ କ୍ରୂରଚରିତ୍ରା । କଳ୍ପସୁନ୍ଦରୀଙ୍କୁ ନିର୍ଯ୍ୟାତନା ଦେବାରେ ହିଁ ତାହାଙ୍କର ଆନନ୍ଦ । ସୁତରାଂ କୌଣସିମତେ ଏ ଦୁଷ୍ଟା ରମଣୀର ଗର୍ବ ଖର୍ବ କରିପାରିଲେ, ମୁଁ ନିଶ୍ଚୟ କଳ୍ପସୁନ୍ଦରୀଙ୍କୁ ସାହାଯ୍ୟ ଦେଇ ପାରିବି ଏ ଆଶା ମୋର ବଦ୍ଧମୂଳ ହେଲା । ନିଜର ସ୍ୱାମୀ ଯେତେ କ୍ରୂର ଏବଂ ହୀନ ହେଉ ନା କାହିଁକି ପତ୍ନୀ କଦାପି ତାହାର ମୃତ୍ୟୁ ଚିନ୍ତା କରି ପାରିବ ନାହିଁ । ତେଣୁ ବିକଟବର୍ମାକୁ ମୁଁ କିପରି ଭାବରେ ହତ୍ୟା କରିବାକୁ ଯାଉଛି, ତାହା ହଠାତ୍ ପ୍ରକାଶ କଲି ନାହିଁ ।

 

ବିକଟବର୍ମାଙ୍କ ରୂପ ଯେ ଅତ୍ୟନ୍ତ କଦାକାର ଥିଲା ତାହା ଆଗରୁ କହିଛି । ଅଥଚ ବଡ଼ ରାଣୀଙ୍କର ଏହି ରୂପନିନ୍ଦା ହିଁ ତାହାଙ୍କ ପ୍ରତି ବିଶେଷ ଯନ୍ତ୍ରଣାଦାୟକ ଥିଲା । ନିର୍ଲ୍ଲଜ୍ଜପ୍ରକୃତି ବିକଟବର୍ମାର ଏହି ଦୁର୍ବଳତାକୁ ଆଶ୍ରୟ କରି ମୁଁ ମୋର ପ୍ରତିହିଂସା ପ୍ରଣୋଦିତ ଯୋଜନାର ସୂତ୍ରପାତ କଲି । ନିଜ ପତି ସୁଦର୍ଶନ, ରୂପବାନ୍ ଏବଂ ତଦନୁପାତରେ ଗୁଣବାନ୍ ହେବାପାଇଁ ନାରୀ ନିଜର ସର୍ବସ୍ୱ ତ୍ୟାଗ କରିପାରେ; ତତ୍‍ସହିତ ପତିର ଅକ୍ଷୁର୍ଣ୍ଣ ପ୍ରେମଲାଭ ନିମିତ୍ତ ମଧ୍ୟ ଅସାଧ୍ୟ ସାଧନ କରିପାରେ–ବିଶେଷତଃ ଯେଉଁଠାରେ ସପତ୍ନୀ ବିବାଦ ବିଦ୍ୟମାନ । ସୁତରାଂ କିପରି ଭାବରେ କୁତ୍ସିତରୂପ ଖଳପ୍ରକୃତି ବିକଟବର୍ମାକୁ ଆପାତତଃ ରୂପବାନ୍, ସତ୍‍ସ୍ୱଭାବ ସମ୍ପନ୍ନ ପତ୍ନୀ ପରାୟଣ ପତିରୂପେ ଓ ସୁଶାସକ ରାଜା ରୂପେ ପରିବର୍ତ୍ତନ କରି ଦିଆଯାଇପାରେ, ସେହି କଥା ମୁଁ ଚିନ୍ତା କରିବାକୁ ଲାଗିଲି । ଏହାର ପ୍ରାଥମିକ ପ୍ରକ୍ରିୟା ନିଜେ କଳ୍ପସୁନ୍ଦରୀଙ୍କୁ କରିବାକୁ ହେବ । ହୁଏତ ଏହା ଅତି କଠିନ ହୋଇପାରେ । ଲାଞ୍ଛିତା ଅବହେଳିତା ନାରୀ ପ୍ରଥମେ ପ୍ରେମ ସୋହାଗରେ କଠୋର-ପ୍ରକୃତିକ ପତିକୁ ଆକୃଷ୍ଟ କରାଇବା ଆବଶ୍ୟକ ହେବ ଏବଂ ପତିର ବିଶେଷ ବିଶ୍ୱାସଭାଜନ ହୋଇ କୌଣସି ବାଜୀକରଣ ଶକ୍ତି ସାହାଯ୍ୟରେ ରୂପ ଓ ଗୁଣ ପରିବର୍ତ୍ତନ ସକାଶେ ସ୍ୱୀକୃତ କରାଇବାକୁ ହେବ ।

 

ଦୁରାତ୍ମା ବ୍ୟକ୍ତିଗଣ ସାଧାରଣତଃ ବିଶେଷ ସନ୍ଦେହୀ । ସେମାନେ କୌଣସି ଅଜ୍ଞାତ ବାଜିକରର ବଶତା ସ୍ୱୀକାର କରିବା ଅସମ୍ଭବ । ତେଣୁ କୌଣସି ଖ୍ୟାତନାମା ବାଜିକର ବା ମାନ୍ତ୍ରିକ ସାହାଯ୍ୟରେ ଏହା ସମ୍ପନ୍ନ କରାଇନେବା ମୋତେ ସହଜସାଧ୍ୟ ବୋଧ ହେଲା ନାହିଁ । ବିକଟବର୍ମା ଏପରି ନିଃସହାୟ ମୃତ୍ୟୁ ଅପେକ୍ଷା ନିଜର କୁତ୍ସିତ ରୂପକୁ ବରଂ ଶ୍ରେୟସ୍କର ମନେକରିବ । ତେଣୁ ଏ କ୍ଷେତ୍ରରେ ମୁଁ ନିଜକୁ ସମ୍ପୂର୍ଣ୍ଣ ଗୋପନ ରଖିବାକୁ ହେବ । ମୋର ପ୍ରକୃତ ଉଦ୍ଦେଶ୍ୟ ଓ କାର୍ଯ୍ୟବିଧି ବୃଦ୍ଧା ଓ ତାହାର କନ୍ୟା ବ୍ୟତୀତ ଆଉ କେହି ଜାଣିବେ ନାହିଁ । ରାଣୀଙ୍କ ମନରେ ବିଶ୍ୱାସ ଆଣିବାକୁ ହେବ ଯେ ତାହାଙ୍କଠାରେ ମଧ୍ୟ ସକଳ ବାଜୀକରଣ ଶକ୍ତି ବିଦ୍ୟମାନ । ରାଣୀ ନିଜେ ଏହା ସାଧନ କରୁଥିବାରୁ ବିକଟବର୍ମା କେବଳ ରାଣୀଙ୍କ ସମକ୍ଷରେ ନିଜର ସମସ୍ତ ଗୁପ୍ତଚିନ୍ତା ପ୍ରକାଶ କରିବ ଏବଂ ଅଗ୍ନି ସମ୍ମୁଖରେ ନିଜର ସମସ୍ତ ମନ୍ଦ ସ୍ୱଭାବ ତ୍ୟାଗ କରିବାକୁ ପ୍ରତିଜ୍ଞାବଦ୍ଧ ହେବ । ଏହା ପରେ ରାଣୀ କେବଳ କେତୋଟି ମନ୍ତ୍ରୋଚ୍ଚାରଣ କରିବା ମାତ୍ରେ ସ୍ୱତଃ ସମସ୍ତ ପରିବର୍ତ୍ତନ ଘଟିଯିବ ।

 

ଏହି କଳ୍ପନା କରି ମୁଁ ମୋର କର୍ତ୍ତବ୍ୟପଥରେ ଅଗ୍ରସର ହେଲି । ଏ କ୍ଷେତ୍ରରେ ମୁଁ ନିଜକୁ ସମ୍ପୂର୍ଣ୍ଣ ଗୋପନ ରଖିବା ବିଶେଷ ଆବଶ୍ୟକ ହେଲା । କାରଣ ସମସ୍ତ କ୍ରିୟା ସୁସମାହିତ ହେବା ପର୍ଯ୍ୟନ୍ତ ରାଣୀ ମୋର ଏ ଦୁରଭିସନ୍ଧିର ଗନ୍ଧ କୌଣସିମତେ ଜାଣିବା ଉଚିତ ନୁହେଁ । ପରେ ସେ ହୁଏତ ନିଶ୍ଚୟ ସବୁ କଥା ଜାଣିପାରିବେ; ମାତ୍ର ସେତେବେଳକୁ ଅନ୍ୟ ଉପାୟ ନ ଥିବ ।

 

ମୋଟ ଉପରେ ପୁଷ୍କରିକାର ସହୃଦୟତା ଓ ସାହାଯ୍ୟ ବିନା ମୁଁ ଏ କାର୍ଯ୍ୟରେ କଦାପି କୃତକାର୍ଯ୍ୟ ହୋଇ ପାରି ନଥାନ୍ତି । ପ୍ରଥମେ ଗୁରୁତର କାର୍ଯ୍ୟ ରାଣୀଙ୍କ ମନରେ ବିଶ୍ୱାସ ଜନ୍ମାଇବା । ପତିଙ୍କର ପରିବର୍ତ୍ତନ ନିମନ୍ତେ ମନ୍ତ୍ରଶକ୍ତିର ଆଶ୍ରୟ ନେବାପାଇଁ ପ୍ରବର୍ତ୍ତାଇବା ଓ ତାହାଙ୍କୁ ପରାମର୍ଶ ଦେଇ କୌଶଳରେ ଏଥିପାଇଁ ବିକଟବର୍ମାଙ୍କୁ ସମ୍ମତ କରାଇବା ଭାର ତାହାରି ଉପରେ ହିଁ ନିର୍ଭର କଲା । ଏଥିନିମିତ୍ତ ସେ ବହୁ ଦିବସ ଅପେକ୍ଷା କରି ଏକ ଘଟଣାବିଶେଷର ଆଶ୍ରୟ ନେବାକୁ ହୋଇଥିଲା । ଦିନେ ନୂଆ ରାଣୀର ଅତି କ୍ରୂର ବ୍ୟବହାରରେ କଳ୍ପସୁନ୍ଦରୀ ବିଶେଷ ମର୍ମାହତ ହୁଅନ୍ତେ; ପୃଷ୍ପରିକା ତାହାଙ୍କୁ ଜଣାଇଲା ଯେ ଏଥିରେ ପ୍ରତିଶୋଧ ନେବାର ଉପଯୁକ୍ତ ବ୍ୟବସ୍ଥା ସେ ଜାଣେ । ପ୍ରତିହିଂସାସାଧନ ଉଦ୍ଦେଶ୍ୟରେ କଳ୍ପସୁନ୍ଦରୀ ସ୍ୱୀକୃତା ହୁଅନ୍ତେ ପୁଷ୍କରିକା କ୍ଷୋଭପ୍ରକାଶ କରି କହିଲା ଯେ ତାହାର ଉପାୟ ଅବ୍ୟର୍ଥ ହେଲେ ମଧ୍ୟ ଅତି ଆୟାସସାଧ୍ୟ । ତଥାପି ରାଣୀ ପ୍ରତିଜ୍ଞା କରି କହିଲେ, “ଅପମାନର ପ୍ରତିଶୋଧ ନେବା ପାଇଁ ମୁଁ ଆଜି ଅତି ଦୁଃସାଧ୍ୟ କର୍ମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ।”

 

ପ୍ରତିଶ୍ରୁତି ପାଇ ପୁଷ୍କରିକା ରାଣୀଙ୍କ ସମ୍ମୁଖରେ ମୋର ପ୍ରସ୍ତାବ ପ୍ରକାଶ କଲା । ଘୃଣିତ ପତି ପ୍ରତି ଯେ ପୁଣି ଆସକ୍ତି ପ୍ରକାଶ କରିବାକୁ ହେବ, ଏଥିରେ କଳ୍ପସୁନ୍ଦରୀ ଦୁଃଖିତା ହେଲେ ମଧ୍ୟ ନୀରବ ରହିଲେ । ପୁଷ୍କରିକା ରାଣୀଙ୍କୁ ବୁଝାଇବାକୁ ଯାଇ କହିଲା, “ମୋର ମା ସନ୍ନ୍ୟାସିନୀ ଭାବରେ ନିର୍ଜନ ସ୍ଥାନରେ ବସ ବାସ କରନ୍ତି । ଜଣେ ବାଜିକରଠାରୁ ସେ ଏକ ମନ୍ତ୍ର ଗ୍ରହଣ କରିଛନ୍ତି, ଯାହା କି ବିଶ୍ୱାସର ସହିତ ଜପ କଲେ ଅତି ହୀନଚରିତ୍ର କଦାକାର ବ୍ୟକ୍ତି ମଧ୍ୟ ସତ୍‍ସ୍ୱଭାବଯୁକ୍ତ ଓ ସୁଶ୍ରୀସମ୍ପନ୍ନ ହୁଏ । କିନ୍ତୁ ଯାହା ପ୍ରତି ଏ ମନ୍ତ୍ର ପ୍ରୟୋଗ କରାଯାଏ ସେ ଏ ପରିବର୍ତ୍ତନକୁ ଅଖଣ୍ଡ ବିଶ୍ୱାସର ସହିତ ସମ୍ପୂର୍ଣ୍ଣ ଇଚ୍ଛା କରିବାକୁ ହେବ । ଏହା ହିଁ ସାଧନାରେ ଅସାଧ୍ୟତମ କାର୍ଯ୍ୟ ।”

 

ଏ ବିଚିତ୍ର କଥା ଶୁଣି କିଛି ସମୟ ନୀରବ ରହିବା ପରେ ରାଣୀ ଉଚ୍ଛୃଙ୍ଖଳିତ ଭାବେ କହିଉଠିଲେ, “ସଖୀ ପୁଷ୍କରିକା, ଏହା ଯେତେ ଅସାଧ୍ୟ ହେଉ ନା କାହିଁକି, ମୁଁ ସାଧନ କରିବି ନିଶ୍ଚୟ-। ଦୟା କରି ତୁମ୍ଭ ମା’ଙ୍କ ନିକଟକୁ ମୋତେ ନେଇଯାଅ । ମୁଁ ଏ ମନ୍ତ୍ର ତଥା ଆନୁଷଙ୍ଗିକ ବିଧାନମାନ ଯଥାଶ୍ରୀଘ୍ର ଶିକ୍ଷା କରିଆସିବି ।”

 

ରାଣୀ କାଳୀମନ୍ଦିରକୁ ଗୋପନରେ ବିଜେ କରିବା ନିମିତ୍ତ ସମୟ ଠିକ୍ କରାଗଲା । ଏଣେ ମୁଁ ବୃଦ୍ଧାକୁ କେତେକ ମନ୍ତ୍ର ଶିକ୍ଷା ଦେଲି ଏବଂ ବିଧିବିଧାନ ସମ୍ବନ୍ଧେ ସେ ରାଣୀଙ୍କୁ କି ଉପଦେଶ ଦେବ, ତାହା ଉଭୟେ ସ୍ଥିର କଲୁ ।

 

ପୁଷ୍କରିକା ସହିତ ରାଣୀ ବିଜେ କଲେ । ମନ୍ଦିରର ଏପରି ଗୋଟିଏ ସ୍ଥାନରେ ମୁଁ ଲୁଚି ରହିଲି ଯେପରିକି ସମସ୍ତ ଆଳାପ ଶୁଣିବା ସଙ୍ଗେ ସଙ୍ଗେ ଆବଶ୍ୟକ ହେଲେ ବୃଦ୍ଧାକାନରେ ପଦେଅଧେ ସାମୟିକ ସୂଚନା ଦେଇ ପାରିବି । କଳ୍ପସୁନ୍ଦରୀଙ୍କୁ ଦେଖିବାକୁ ପାଇ ମୋହର ପ୍ରାଣରେ ଭାବର ଆବେଗ ଉଚ୍ଛ୍ୱସିତ ହେଲା । ମୋର ଜୀବନ ସାଧାରଣଭାବେ ଗତି କରିଥିଲେ ସେ ମୋର ସହଧର୍ମିଣୀ ହୋଇଥାନ୍ତେ । ତେଣୁ ତାହାଙ୍କର ଯୌବନ ଢଳ ଢଳ ଅନିନ୍ଦ୍ୟ ରୂପଶ୍ରୀ ଦେଖି ମୋର ହୃଦୟ ଆକୃଷ୍ଟ ହେଲା ।

 

ବହୁ ସମୟାବଧି ଆଳାପ ଚାଲିଲା । ରାଣୀ ମନ୍ତ୍ର ସହିତ ଯେଉଁ ବିଧିରେ ତାହା କରିବାକୁ ହେବ, ସେ ସମସ୍ତ ଶିକ୍ଷା କଲେ । ଏଥିପାଇଁ ଏହି ବିଶେଷ ବିଧି ରହିଲା କି ରୂପ ଓ ସ୍ୱଭାବର ସମ୍ପୂର୍ଣ୍ଣ ପରିବର୍ତ୍ତନ ପାଇଁ ବିକଟବର୍ମା ନିଜର ଇଚ୍ଛା ଜଣାଇବେ ଏବଂ ହୋମାଗ୍ନି, ସମ୍ମୁଖରେ ନିଜର ସକଳ ଗୁପ୍ତ ଚିନ୍ତା ଓ କଳ୍ପନା ଅକୁଣ୍ଠିତ ଚିତ୍ତରେ ପ୍ରକାଶ କରିବେ । ସେ ସମ୍ବନ୍ଧେ ଅବଶ୍ୟ ମନ୍ତ୍ରୀମାନଙ୍କର ପରାମର୍ଶ ନେବେ ଏବଂ ସେମାନେ ଏଥିରେ ସ୍ଵୀକୃତ ହେଲେ ସର୍ବସାଧାରଣଙ୍କୁ ଏକ ଶୁଭ ଦିବସରେ ଭୂରିଭୋଜନ ପ୍ରଦାନ କରି ଘୋଷଣା କରିବେ । ଯେ ବାଜୀକରଣ ଶକ୍ତି ସାହାଯ୍ୟରେ ରାଜା ନିଜର ରୂପ ଓ ଚରିତ୍ରରେ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହେବାକୁ ଯାଉଛନ୍ତି ।

 

ଏହା ମଧ୍ୟ ସ୍ଥିର କରାଗଲା ଯେ ଉଦ୍ୟାନର ମଧ୍ୟଭାଗରେ ଏକ ଯଜ୍ଞଶାଳା ନିର୍ମିତ ହେବ-। ତନ୍ମଧ୍ୟରେ ଏକ ଅତି ଗଭୀର ଓ ପ୍ରଶସ୍ତ ଯଜ୍ଞକୁଣ୍ଡ ନିର୍ମିତ ହେବ । ଏହାର ପାର୍ଶ୍ୱରେ ବହୁ ପରିମାଣରେ ଚନ୍ଦନକାଠ ଏବଂ ଉପଯୁକ୍ତ ପରିମାଣ କର୍ପୂର, ଅନ୍ୟାନ୍ୟ ସୁଗନ୍ଧ ଦ୍ରବ୍ୟ ଓ ବହୁ ମୂଲ୍ୟବାନ୍ ରାଜପରିଚ୍ଛଦ ରଖାଯିବ । ଯଜ୍ଞଶାଳା ମଧ୍ୟକୁ ରାଜା ଓ ରାଣୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କ ପ୍ରବେଶ ନିଷେଧ କରାଯିବ ।

 

ଆଳାପ ଶେଷ କରି କଳ୍ପସୁନ୍ଦରୀ ସ୍ୱପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କଲା ପରେ ଏ ଯୋଜନାର ଫଳାଫଳ ସମ୍ବନ୍ଧେ ମୁଁ ଉତ୍କଣ୍ଠାର ସହିତ ଦିନ ଯାପନ କରିବାକୁ ଲାଗିଲି । ଦିନ ପରେ ଦିନ ଅତୀତ ହେବାକୁ ଲାଗିଲା । ପୁଷ୍କରିକାଠାରୁ କୌଣସି ସମ୍ବାଦ ନ ପାଇ ମୁଁ ନିତାନ୍ତ ଚିନ୍ତିତ ହୋଇପଡ଼ିଲି । ଯାହାହେଉ ଶେଷରେ ତାହାର ଅକ୍ଳାନ୍ତ ଚେଷ୍ଟା ଓ ନିଶ୍ଚିତ ଫଳଲାଭ ସମ୍ବନ୍ଧେ ବାରମ୍ବାର ପ୍ରବର୍ତ୍ତନା ଫଳରେ କଳ୍ପସୁନ୍ଦରୀ ଭୟ ଓ ସନ୍ଦେହ ଦୂର କରି ବିକଟବର୍ମାକୁ ଏ ପ୍ରସ୍ତାବରେ ସ୍ଵୀକୃତ କରାଇ ପାରିଲେ ।

 

କିଛିଦିନ ପରେ ବିକଟବର୍ମା ନିଜର ଉଦ୍ଦେଶ୍ୟ ରାଜ୍ୟରେ ଘୋଷଣା କଲେ । ଏହା ଫଳରେ ଅବଶ୍ୟ ରାଜ୍ୟସାରା ବିସ୍ମୟ ପ୍ରକାଶିତ ହେଲା; କିନ୍ତୁ ଅମାତ୍ୟଗଣ ଏହା ଅନୁମୋଦନ କରିନେବା ଯୋଗୁଁ ସାଧାରଣଙ୍କର ମଧ୍ୟ ଆସ୍ଥା ପ୍ରତିଷ୍ଠିତ ହେଲା । ନୂଆ ରାଣୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଯଜ୍ଞ ଦିବସର ଭୂରିଭୋଜନ ଅପେକ୍ଷାରେ ଉଦ୍‍ଗ୍ରୀବ ହୋଇ ରହିଲେ ।

 

ଯୋଜନା ଅନୁଯାୟୀ ସମସ୍ତ କ୍ରିୟାକଳାପ ଅଗ୍ରଗତି କରିବାକୁ ଲାଗିଲା । ପ୍ରାସାଦୋଦ୍ୟାନରେ ସ୍ଥାନ ନିର୍ବାଚିତ ହୋଇ ଏକ ବିଶାଳ ଯଜ୍ଞଶାଳା ନିର୍ମିତ ହେଲା । ଉପଯୁକ୍ତ ସମୟରେ ମୁଁ ସନ୍ତରଣଦ୍ୱାରା ପରିଖା ପାର ହୋଇ ରଜ୍ଜୁ ସାହାଯ୍ୟରେ ଉଦ୍ୟାନ ପ୍ରାଚୀର ଅତିକ୍ରମ କଲି ଏବଂ ଏକ ଘନ ବୃକ୍ଷଶାଖାରେ ଆଶ୍ରୟ ନେଇ ସମସ୍ତ କ୍ରିୟାକଳାପ ଅବଲୋକନ କରିବାକୁ ଲାଗିଲି ।

 

ନିର୍ଦ୍ଦିଷ୍ଟ ଦିବସରେ ଶୁଭ ମୁହୂର୍ତ୍ତରେ ଏକାକିନୀ ରାଣୀ ଯଜ୍ଞଶାଳାରେ ପ୍ରବେଶ କଲେ । ସେ ସ୍ଵହସ୍ତରେ ଯଜ୍ଞକୁଣ୍ଡରେ ଅଗ୍ନିସଂଯୋଗ କରି ଚତୁର୍ଦ୍ଦିଗରେ ପୁଷ୍ପ ଓ ସୁଗନ୍ଧ ଦ୍ରବ୍ୟ ବୃଷ୍ଟି କଲେ । ଏହାର ବହୁ ସମୟ ପୂର୍ବରୁ ମୁଁ ଚନ୍ଦନକାଷ୍ଠ ମଧ୍ୟରେ ଲୁକ୍କାୟିତ ରହିଥିଲି । ସମସ୍ତ ପ୍ରାରମ୍ଭିକ କ୍ରିୟା ସମାପ୍ତ ହୁଅନ୍ତେ ରାଣୀ ଗୋଟିଏ ରୌପ୍ୟ ଘଣ୍ଟି ବଜାଇଲେ । ବିକଟବର୍ମାଙ୍କ ପ୍ରବେଶ ପାଇଁ ଏହା ସଙ୍କେତ ରୂପେ ନର୍ଦ୍ଦିଷ୍ଟ କରାଯାଇଥିଲା ।

 

ଯଜ୍ଞଶାଳାର ବାହାରେ ବିକଟବର୍ମା ରତ୍ନାସନରେ ଉପବେଶନ କରିଥିଲେ ଏବଂ ମନ୍ତ୍ରୀ, ସଭାସଦ, ଅନ୍ୟାନ୍ୟ ରାଣୀ ଓ ପରିଚାରିକାଗଣ ଅର୍ଦ୍ଧବୃତ୍ତାକାରରେ ସମବେତ ହୋଇଥିଲେ । ସଙ୍କେତ ପାଇ ବିକଟବର୍ମା ଯଜ୍ଞଶାଳା ମଧ୍ୟରେ ପ୍ରବେଶ କଲେ । ସେ ପ୍ରଥମେ ସନ୍ଦିଗ୍ଧ ଚିତ୍ତରେ ଚତୁର୍ଦ୍ଦିଗ ନିରୀକ୍ଷଣ କରି ହୋମାଗ୍ନି ନିକଟକୁ ଅଗ୍ରସର ହେଲେ । ସଙ୍ଗେ ସଙ୍ଗେ କଳ୍ପସୁନ୍ଦରୀ ତାହାଙ୍କ ସମ୍ମୁଖକୁ ଯାଇ ଦୀପାବଳୀ ହସ୍ତରେ ବନ୍ଦାପନା କରି ମୃଦୁ ମଧୁର ସ୍ୱରରେ ମନ୍ତ୍ରପାଠ କରିବାକୁ ଲାଗିଲେ । ଏହାପରେ ସ୍ୱୀୟ ପରବର୍ତ୍ତନ ପାଇଁ ଐକାନ୍ତିକ ଇଚ୍ଛା ଏବଂ ହୃଦୟର ଗୋପନ ଚିନ୍ତା ସକଳ ପ୍ରକାଶ କରିବା ନିମିତ୍ତ ସେ ସ୍ୱାମୀଙ୍କୁ ଅନୁରୋଧ କଲେ ।

 

ବିକଟବର୍ମା କୁଣ୍ଠା ସହକାରେ ପରିବର୍ତ୍ତନ ପାଇଁ ଇଚ୍ଛା ପ୍ରକାଶ କରିସାରି କହିଲେ, “ହେ ପ୍ରିୟତମେ, ମୋର ଗୁପ୍ତ ଚିନ୍ତା ମଧ୍ୟରେ ପ୍ରଥମ ଓ ପ୍ରଧାନ ହେଉଛି ମୋର ପିତୃବ୍ୟ ପ୍ରହାରବର୍ମାଙ୍କୁ ବିଷ ପ୍ରୟୋଗ କରିବା । ମୋର ଗୁପ୍ତଚରଗଣ ଆସନ୍ତା କାଲି ତାହାଙ୍କୁ ବିଷମିଶ୍ରିତ ଖାଦ୍ୟ ଦେବା ପାଇଁ ଆଦିଷ୍ଟ ହୋଇଛନ୍ତି । ସେ ରୋଗଶଯ୍ୟାରେ ମୃତ୍ୟୁମୁଖରେ ପତିତ ହେଲେ ବୋଲି ପ୍ରଚାର କରାଯିବା ନିମିତ୍ତ ବ୍ୟବସ୍ଥା ହୋଇସାରିଛି । ଦ୍ୱିତୀୟ ଗୋପନ କଥା ହେଉଛି ମୋର କନିଷ୍ଠ ଭ୍ରାତା ବିଶୋକବର୍ମାକୁ ମୁଁ ଘୃଣାକରେ ଏବଂ ହତ୍ୟା କରିବାକୁ ଇଚ୍ଛା କରେ । ତାହାକୁ ଆଦେଶ କରିଛି ଯେ ସେ ପନ୍ଦରପୁର ବିଦ୍ରୋହ ଦମନ କରିବା ପାଇଁ କେତେକ ସୈନ୍ୟ ସହ ଯାତ୍ରା କରିବ । ସେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ନ ପାରିବା ଭଳି ମୁଁ ଆୟୋଜନ କରିଛି । ମୋର ତୃତୀୟ ଚିନ୍ତା ହେଉଛି ଯବନ ବଣିକ ଗଣତିଠାରୁ ଅତି ମୂଲ୍ୟବାନ୍ ହୀରକ ହାରଟି ଆତ୍ମସାତ୍ କରିବା । ସେ ତାହା ବିକ୍ରୟ କରିବା ନିମିତ୍ତ ମୋ ନିକଟକୁ ଆଣିଥିଲା । ଅତି ଅଳ୍ପ ମୂଲ୍ୟରେ ତାହା ହସ୍ତଗତ କରିବା ନିମିତ୍ତ ମୁଁ ମୋର ବିଶ୍ୱସ୍ତ ବଣିକ ସ୍ୱାର୍ଥବାନ୍ ଓ ଜଣେ ପାଞ୍ଚାଳ ସ୍ୱର୍ଣ୍ଣକାରକୁ ନିଯୁକ୍ତ କରିଛି । ମୋର ଶେଷ ଗୁପ୍ତ କଥା ହେଉଛି, ସେନାପତି ଶତାହଳୀକୁ ବିଶାଳ ସେନାନୀ ସହ କୁରୁଦେଶକୁ ପ୍ରେରଣ କରି ରାଜା ଅନନ୍ତଶିରଙ୍କୁ ତାହାଙ୍କ ରାଜ୍ୟର ଅନ୍ତର୍ବିବାଦରେ ସାହାଯ୍ୟ କରିବା ବାହାନାରେ ହତ୍ୟା କରି କୁରୁରାଜ୍ୟକୁ ମୋର ଅଧୀନସ୍ଥ କରିବା । ହେ ହୃଦୟେଶ୍ୱରୀ, ଏ ଚାରିଗୋଟି ଅତି ଗୋପନ କଥା ମୋର ହୃଦୟ-ପେଟିକା ମଧ୍ୟରେ ସୁରକ୍ଷିତ ଥିଲା ।”

 

ରାଣୀ ଗୁପ୍ତ ଆଦେଶମାନ ଶୁଣି ତ୍ରସ୍ତ ହୋଇପଡ଼ିଲେ ମଧ୍ୟ ଦମ୍ଭ ଧରି କହିଲେ, “ପ୍ରାଣେଶ୍ୱର, କିଛିକ୍ଷଣ ପରେ ତୁମର ହୃଦୟ ନିଶ୍ଚୟ ପରିବର୍ତ୍ତିତ ହୋଇଯିବ ଏବଂ ତୁମେ ଅବଶ୍ୟ ଏ ହୀନ ଆଦେଶମାନ ପ୍ରତ୍ୟାହାର କରିନେବ । ବର୍ତ୍ତମାନ ମୋ ନିକଟରେ ବସି ମନ୍ତ୍ର ଶ୍ରବଣ କର-।”

 

ଏହି ସନ୍ଧିକ୍ଷଣରୁ ମୋହର କର୍ତ୍ତବ୍ୟ ଆରମ୍ଭ ହେଲା । ମୁଁ ଲୁକ୍କାୟିତ ସ୍ଥାନରୁ ଏକ କ୍ଷୁଦ୍ରପିଚିକାରୀ ସାହାଯ୍ୟରେ ଏକ ପ୍ରକାର ସମ୍ମୋହନ ଚୂର୍ଣ୍ଣ ଉଡ଼ାଇବାକୁ ଲାଗିଲି । ତାହାର ପ୍ରଭାବରେ ରାଣୀ କ୍ରମେ କ୍ରମେ ତନ୍ଦ୍ରାକ୍ରାନ୍ତା ହୋଇପଡ଼ିବାରୁ ତାହାଙ୍କ ସ୍ୱର ଅସ୍ପଷ୍ଟ ହୋଇପଡ଼ିଲା ଏବଂ କିଛିକ୍ଷଣ ପରେ ସେ ସମ୍ପୂର୍ଣ୍ଣ ନିଦ୍ରାଭିଭୂତା ହୋଇ ଢଳିପଡ଼ିଲେ । ଏ ସମସ୍ତ ମନ୍ତ୍ରଶକ୍ତିର ପ୍ରଭାବ ଭାବି ରାଜା କୌଣସିପ୍ରକାର ବିବ୍ରତ ହେଲେନାହିଁ । ପର ମୁହୂର୍ତ୍ତରେ ସେ ମଧ୍ୟ ସୁସୁପ୍ତିର କ୍ରୋଡ଼ରେ ଆଶ୍ରୟ ନେଲେ । ଏଇ ମୁହୂର୍ତ୍ତରେ ମୁଁ ହଠାତ୍ ମୋର ଗୁପ୍ତ ସ୍ଥାନରୁ ଲମ୍ଫଦେଇ ଲୌହମୁଷ୍ଟିରେ ରାଜାଙ୍କର ଗଳାକୁ ଚିପିଧରିଲି । ସଙ୍ଗେ ସଙ୍ଗେ ତାହାଙ୍କର ପ୍ରାଣବାୟୁ ଉଡ଼ିଗଲା । ତେଣୁ ସଜୋରେ ମୃତଦେହକୁ ହୁତାଶନ ମଧ୍ୟକୁ ନିକ୍ଷେପ କରି କେତେକ ଭାଣ୍ଡ ଘୃତ, କର୍ପୂର, ଧୂପ ଓ ଚନ୍ଦନକାଷ୍ଠ ସହି ଆହୁତି ପ୍ରଦାନ କଲି । ଅଳ୍ପ ସମୟ ମଧ୍ୟରେ ଦୁରାତ୍ମାର ପାପ ଶରୀର ଭସ୍ମୀଭୂତ ହୋଇଗଲା ।

 

ଶତ୍ରୁର ଉଚ୍ଛେଦ ସାଧନ କରିସାରି ମୁଁ ମହାର୍ଘ ରାଜପରିଚ୍ଛଦରେ ବିଭୂଷିତ ହୋଇ ରାଣୀଙ୍କ ନିକଟରେ ବସି ଶୁଶ୍ରୂଷା କରିବାକୁ ଲାଗିଲି । କିଛି କ୍ଷଣପରେ ସେ ଚକ୍ଷୁରୁନ୍ମୀଳନ କରି ମୋତେ ଚାହିଁବା ମାତ୍ରେ ମୁଖମଣ୍ଡଳ ବିସ୍ମୟ ବିଷ୍ଫାରିତ ହୋଇପଡ଼ିଲା । ବିକଟବର୍ମା ସ୍ଥାନରେ ଏକ ସୁଦର୍ଶନ ତରୁଣ ଦେଖି ତାହାଙ୍କ ମୁଖରୁ ପ୍ରଥମ ବାକ୍ୟ ଫୁଟି ଉଠିଲା, “ଧନ୍ୟ ଦେବତାଗଣ ଧନ୍ୟ ! ପ୍ରାଣେଶ୍ୱରଙ୍କର ଅଭୂତପୂର୍ବ ପରିବର୍ତ୍ତନରେ ମୋର ଦୁଃଖନିଶାର ଅବସାନ ହୋଇଛି । ସ୍ୱାମୀଙ୍କର କଦାକାର ରୂପ ଆଉ ମୋର ଦୃଷ୍ଟିପଥାରୂଢ଼ ହେବ ନାହିଁ । ମୋର କି ଭାଗ୍ୟ ! କି ଆନନ୍ଦ !!”

 

ପ୍ରାଣପୂର୍ଣ୍ଣ ଉଲ୍ଲାସ ସହକାରେ ରାଣୀ ମୋର ହାତ ଧରି ସଙ୍ଗେ ସଙ୍ଗେ ସଭାସଦମାନଙ୍କ ସମ୍ମୁଖରେ ଆସି ଦଣ୍ଡାୟମାନା ହେଲେ । ମୋତେ ଦେଖିବାକୁ ପାଇ ଜନତା ମଧ୍ୟରେ ହର୍ଷବିସ୍ମୟର ତରଙ୍ଗ ଖେଳିଗଲା । ସମବେତ ପ୍ରଜାବର୍ଗ ନିର୍ବାକ୍, ନିସ୍ତବ୍ଧ । ମୁଁ ମଧ୍ୟ ନୀରବ; କିନ୍ତୁ ସହାସ ବଦନରେ ସବୁରି କଲ୍ୟାଣ କାମନା କଲା ଭଳି ଭଙ୍ଗୀ ପ୍ରକାଶ କରି ଦଣ୍ଡାୟମାନ ହେଲି । ସଭା ଭଙ୍ଗ ହେଲା । ଏ ଅଭୂତପୂର୍ବ ଘଟଣା ବିଦ୍ୟୁତ୍ ବେଗରେ ଚତୁର୍ଦ୍ଦିଗରେ ରାଷ୍ଟ୍ର ହୋଇଗଲା । ସର୍ବତ୍ର ପ୍ରଜାବର୍ଗ ଆନନ୍ଦ କୋଳାହଳ କରିବାକୁ ଲାଗିଲେ । ସେ ରାତ୍ରିସାରା ନଗରର ଦ୍ୱାରେ ଦ୍ୱାରେ ତୋରଣ ସହ ଆଲୋକମାଳା ପ୍ରଜ୍ୱଳିତ ହେଲା । ପୁରବାସିଗଣ ନୃତ୍ୟଗୀତରେ ଉନ୍ମତ୍ତ ହେଲେ ।

 

କିନ୍ତୁ ପୁରବାସୀଙ୍କର ଏ ଆନନ୍ଦୋତ୍ସବ କେବଳ ଏ ବିଶେଷ ଘଟଣା ସମ୍ପର୍କରେ ନୁହେଁ, ଆମ୍ଭ ଦୁହିଁଙ୍କର ବିବାହ ସମ୍ପର୍କରେ ମଧ୍ୟ । କାରଣ ମୁଁ ରାଣୀଙ୍କୁ ବୁଝାଇ ଦେଲି ଯେ ଏପରି ସର୍ବତୋଭାବେ ପରିବର୍ତ୍ତନ ପରେ ମୁଁ ତାହାଙ୍କର ସ୍ୱାମୀ ହେଲେ ମଧ୍ୟ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତିରେ ପରିଣତ ହୋଇଯାଇଛି । ସୁତରାଂ ପୁନଃ ପାଣିଗ୍ରହଣ ନିତାନ୍ତ ଆବଶ୍ୟକ । ରାଣୀ ଏଥିରେ ସ୍ୱୀକୃତା ହେଲେ । ସେହି ସନ୍ଧ୍ୟାରେ ପ୍ରାସାଦର ବିବାହମଣ୍ଡପରେ ସଭାସଦ, ସାମନ୍ତ ଓ ପ୍ରଧାନମାନଙ୍କ ସମ୍ମୁଖରେ ଆମ୍ଭ ଦୁହିଁଙ୍କର ଶୁଭବିବାହ ସମ୍ପନ୍ନ ହେଲା । ଏହିପରି ଭାବରେ ମୁଁ ମୋର ପତ୍ନୀଙ୍କୁ ଲାଭ କଲି ।

 

ପରଦିନ ଅତି ପ୍ରତ୍ୟୁଷରୁ ମୁଁ ରାଜପରିଚ୍ଛଦରେ ବିଭୂଷିତ ହୋଇ ଦରବାର କକ୍ଷରେ ସିଂହାସନାରୋହଣ କଲି ଏବଂ ସମବେତ ମନ୍ତ୍ରୀ ଓ ସାମନ୍ତମାନଙ୍କୁ ସମ୍ବୋଧନ କରି କହିଲି, “ଭଦ୍ର ମହୋଦୟବୃନ୍ଦ, ପରାତ୍ପରଙ୍କ ଅଶେଷ ଦୟାରୁ ମୁଁ ମୋହର ଶାରୀରିକ ଓ ଚାରିତ୍ରିକ ପରିବର୍ତ୍ତନ ଲାଭ କରିଅଛି । ବର୍ତ୍ତମାନ ମୋର ପୂଜ୍ୟପାଦ ପିତୃବ୍ୟ ପ୍ରହାରବର୍ମା ଓ ମାତୃସମା ରାଣୀ ପ୍ରିୟମ୍ବଦା ଦେବୀଙ୍କୁ ଏହି କକ୍ଷମଧ୍ୟକୁ ଆନୟନ କର । ବହୁକାଳ ହେଲା ମୁଁ ଅତି ଅନ୍ୟାୟ ଭାବରେ ତାହାଙ୍କୁ ସିଂହାସନଚ୍ୟୁତ କରି ରଖିଛି । ନ୍ୟାୟତଃ ଏ ରାଜ୍ୟ ତାହାଙ୍କର । ମୁଁ ବର୍ତ୍ତମାନ ତାହା ପ୍ରତ୍ୟର୍ପଣ କରିବି । ସେ ସ୍ୱେଚ୍ଛାରେ ମୋତେ ତାହାଙ୍କର ଯେଉଁ କର୍ମରେ ନିଯୁକ୍ତ କରିବେ, ମୁଁ ସେଥିରେ ନିଯୁକ୍ତ ହେବି ।”

 

ଏହା ପରେ ମୁଁ ମୋର କନିଷ୍ଠଭ୍ରାତା ବିଶୋକବର୍ମାଙ୍କୁ ଆହ୍ୱାନ କରି କହିଲି, “ଭାଇ, ପନ୍ଦରପୁର ବିଦ୍ରୋହ ଦମନ କରିବା ପାଇଁ ତୁମେ ବର୍ତ୍ତମାନ ଯାତ୍ରା କରିବା ଅନାବଶ୍ୟକ । ସେଠାର ଅଧିବାସିଗଣ ଦୁର୍ଭିକ୍ଷପୀଡ଼ିତ । ସେମାନଙ୍କୁ ବର୍ତ୍ତମାନ ଦଣ୍ଡ ଦେବା ସମୟ ନୁହେଁ, ବରଂ ସେଠାକୁ କିଛି ଶସ୍ୟ ପ୍ରେରଣ କରି ସେମାନଙ୍କ ମନରେ ଶାନ୍ତି ଆନୟନ କରିବା ଉଚିତ । ତେଣୁ ତୁମେ ଶସ୍ୟ ସଂଗ୍ରହ କରି ସେଠାକୁ ପ୍ରେରଣ କରିବା ଭାର ଗ୍ରହଣ କର ।”

 

ତାପରେ ବିଶ୍ୱସ୍ତ ମଧ୍ୟସ୍ଥ ବଣିକ ଓ ପାଞ୍ଚାଳ ସ୍ୱର୍ଣ୍ଣକାରକୁ ଆହ୍ୱାନ କରି କହିଲି ଯେ, “ଯବନ ବଣିକର ହୀରକ ହାରର ଉପଯୁକ୍ତ ମୂଲ୍ୟ ସେମାନେ ତାହାକୁ ଦେଇଦିଅନ୍ତୁ ।”

 

ସର୍ବଶେଷରେ ସେନାପତି ଶତାହଳୀଙ୍କୁ ଡାକି କହିଲି, “ସେନାପତେ, କୁରୁଦେଶ ଗଣ୍ଡଗୋଳରେ ଆମେ ହସ୍ତକ୍ଷେପ କରିବା ଉଚିତ ନୁହେଁ । ଅନନ୍ତଶିରଙ୍କର ଏକମାତ୍ର ଦୋଷ ହେଉଛି ରାଜ୍ୟଚ୍ୟୁତ ପ୍ରହାରବର୍ମାଙ୍କ ପ୍ରତି ଅନୁରକ୍ତି ପ୍ରକାଶ । ଆମେ ଉପହାରବର୍ମାଙ୍କ ପ୍ରତି ଯେତେବେଳେ ଆମର ମତ ପରିବର୍ତ୍ତନ କରିଦେଇଛୁ, ଅନନ୍ତଶିରଙ୍କୁ ଶତ୍ରୁ ଦୃଷ୍ଟିରେ ବ୍ୟବହାର କରିବାରେ ଆଉ କୌଣସି ଯୁକ୍ତି ନାହିଁ । ବିଶେଷତଃ ପିତୃବ୍ୟ ନିଜେ ସିଂହାସନରେ ଅଧିରୂଢ଼ ହେଉଥିବାରୁ ସେ ଏଣିକି ସେ ସମ୍ବନ୍ଧେ ନୀତି ନିର୍ଣ୍ଣୟ କରିବେ ।”

 

ବନ୍ଧୁଗଣ, ମୋର ଘୋଷଣା ଶ୍ରବଣ କରି ସମବେତ ଜନତା ହୃଦୟରେ ସନ୍ଦେହର ଛାୟାପାତ ସୁଦ୍ଧା ହେଲା ନାହିଁ ଯେ ମୁଁ ବିକଟବର୍ମା ନୁହେଁ । ସେମାନଙ୍କ ଶାସକର ଯେ ଏପରି ଅଭାବନୀୟ ପରବର୍ତ୍ତନ ହେଲା, ଏଥିପାଇଁ ସକଳମୁଖରେ ଆନନ୍ଦଧ୍ୱନି ସହିତ ମୋ ରୂପ ଓ ଗୁଣର ପ୍ରଶଂସା ଉଛୁଳିଉଠିଲା ।

 

ମୋର ପିତାମାତାଙ୍କୁ ମୋ ସମ୍ମୁଖକୁ ଅଣାଗଲା । ସେମାନଙ୍କର ମୁକ୍ତି ସେମାନେ ଆଉ ଜୀବଦ୍ଦଶାରେ କଳ୍ପନା କରି ନ ଥିଲେ । ସୁତରାଂ ଅତ୍ୟାଚାରୀ ଶାସକର ସ୍ଵଭାବରେ ପରିବର୍ତ୍ତନ ଓ ସେମାନଙ୍କର ମୁକ୍ତିସମ୍ବାଦ ଉଭୟଙ୍କୁ ସମାନ ଭାବରେ ବିସ୍ମୟାଭିଭୂତ କରିଥିଲା ।

 

କିନ୍ତୁ ସେ ଯାହାହେଉ, ପିତାମାତାଙ୍କୁ ଦର୍ଶନ କରି ମୋର ହୃଦୟର ଭାବ ଅସମ୍ଭାଳ ହୋଇପଡ଼ିଲା । ମୁଁ ଯେତେବେଳେ ବିକଟବର୍ମା ଭାବରେ ସେମାନଙ୍କୁ ରାଜପ୍ରାସାଦରେ ଅଭ୍ୟର୍ଥନା କରିବାକୁ ଗଲି, ସେତେବେଳେ ବାସ୍ତବ କଥାକୁ ପ୍ରକାଶ କରିଦେବା ନିମିତ୍ତ ମୋର ପ୍ରାଣ ଉଦ୍ବେଳିତ ହୋଇଉଠିଲା; କିନ୍ତୁ ଆତ୍ମପ୍ରକାଶ ପାଇଁ ତଦବଧି ଉପଯୁକ୍ତ ସମୟ ହୋଇନାହିଁ ଭାବି ବହୁ କଷ୍ଟରେ ଆତ୍ମସଂଯମ କଲି ।

 

ପିତା ଉପଯୁକ୍ତ ଭାବରେ ପୁଣି ସିଂହାସନରେ ଅଧିଷ୍ଠିତ ହେଲେ । ରାଜ୍ୟରେ ପୂର୍ବ ଶାନ୍ତି ଓ ସୌଭାଗ୍ୟ ରାଜତ୍ୱ କଲା । କଳ୍ପସୁନ୍ଦରୀ ସପତ୍ନୀମାନଙ୍କ ନିର୍ଯାତନାରୁ ରକ୍ଷା ପାଇ ମୋ ପ୍ରତି ଏପରି ପ୍ରେମାସକ୍ତ ହୋଇପଡ଼ିଲେ ଯେ ପ୍ରହାରବର୍ମା ରାଜା ହେବାଫଳରେ ନିଜେ ରାଜରାଣୀର ଅଧିକାର ହରାଇ ମଧ୍ୟ ନିଜକୁ ଅଧିକ ସୁଖୀ ଓ ସୌଭାଗ୍ୟବତୀ ମନେକଲେ ।

କେତେକ ସପ୍ତାହ ପରେ ମୁଁ ବୋଧକଲି ଯେ ବର୍ତ୍ତମାନ ସତ୍ୟ କଥା ପ୍ରକାଶ କଲେ କଳ୍ପସୁନ୍ଦରୀ ତାହା ଅମ୍ଳାନବଦନରେ ସହ୍ୟ କରିଯିବ । ତେଣୁ ଦିନେ ଉପଯୁକ୍ତ ସମୟରେ ସମସ୍ତ ସତ୍ୟକଥା–ତାହାଙ୍କୁ ଲାଭ କରିବାପାଇଁ ମୁଁ ଯେଉଁସବୁ ଦୁଃସାଧ୍ୟ କର୍ମ ସମ୍ପାଦନ କଲି–ବର୍ଣ୍ଣନା କରି ରାଜା ପ୍ରହାରବର୍ମା ଓ ରାଣୀଙ୍କ ସହିତ ମୋର ସମ୍ପର୍କ ପ୍ରକାଶ କଲି । ସେ ପ୍ରଥମେ ବିଶେଷ ଅସ୍ଥିର ଏବଂ ସନ୍ଦିଗ୍ଧ ହୋଇପଡ଼ିଲେ ମଧ୍ୟ କିଛି ସମୟ ପରେ ସମସ୍ତ କଥାର ସ୍ପଷ୍ଟ ଧାରଣା କରି ମୋର କୋଳକୁ ଆଉଜି ପଡ଼ି କହିଲେ, “ପ୍ରାଣେଶ୍ୱର, ମୁଁ ଆପଣଙ୍କର ପୂର୍ବଜନ୍ମର କନ୍ୟା । ତେଣୁ ତାହା କିଏ ଅନ୍ୟଥା କରିପାରେ । ସମସ୍ତ ପୂର୍ବ କଥା ସ୍ୱପ୍ନ ପରି ଅତୀତ ହୋଇଛି–ତାହା ଅତୀତଗର୍ଭରେ ହିଁ ଲୀନ ହେଉ ।”

ଏହାର କିଛି ଦିନ ପରେ ମୁଁ ରାଜା ଓ ରାଣୀଙ୍କ ପାଦତଳେ ପଡ଼ି ସମସ୍ତ ରହସ୍ୟ ପ୍ରକାଶ କଲି । ତାହାଙ୍କର ଉଭୟ ସନ୍ତାନ ନିରାପଦରେ ଥିବା ଶୁଣି ପରାତ୍ପରଙ୍କ ଅଶେଷ କରୁଣା ନିମିତ୍ତ ଉଭୟେ ସଜଳ ନୟନରେ ମଙ୍ଗଳମୟଙ୍କ ଉଦ୍ଦେଶ୍ୟରେ ମସ୍ତକ ଅବନତ କଲେ ।

ପ୍ରଜାସାଧାରଣଙ୍କ ମନରେ କୌଣସିପ୍ରକାର ସନ୍ଦେହ ପ୍ରତି ଅବକାଶ ନ ଦେବା ପାଇଁ ମୋର ପିତା ମୋତେ ପୋଷ୍ୟପୁତ୍ର ଭାବରେ ଗ୍ରହଣ କରିନେଲେ ଏବଂ ପରଦିବସ ମୁଁ ଯୁବରାଜ ଭାବରେ ଅଭିଷିକ୍ତ ହେଲି ।

ଏହି ଅବସରରେ ମୋର ପିତା ସମ୍ବାଦ ପାଇଲେ ଯେ ଚଣ୍ଡବର୍ମା ଚମ୍ପାନଗରୀ ଆକ୍ରମଣ କରିଛନ୍ତି ଏବଂ ସେହି କାରଣରୁ ସିଂହବର୍ମା ସାହାଯ୍ୟ ପ୍ରାର୍ଥନା କରିଛନ୍ତି ।

ପରଦିବସ ଆମ୍ଭେମାନେ ସସୈନ୍ୟ ଚମ୍ପା ଅଭିମୁଖରେ ଯାତ୍ରା କଲୁ । କିନ୍ତୁ ନଗରୀର ପ୍ରବେଶଦ୍ୱାରରେ ପହଞ୍ଚିବା ପୂର୍ବରୁ ଆମ୍ଭେମାନେ ଚଣ୍ଡବର୍ମାଙ୍କ ମୃତ୍ୟୁସମ୍ବାଦ ପାଇଲୁ । ତାହାପରେ ଆପଣମାନଙ୍କ ସାକ୍ଷାତ ପାଇ, ହେ ଯୁବରାଜ ଓ ସଖାଗଣ, ମୋର ହୃଦୟ ଆନନ୍ଦରେ ଉତ୍‌ଫୁଲ୍ଲ ହୋଇଉଠିଲା ।

Image

 

ସତର

ଅର୍ଥପାଳଙ୍କ କଥା

 

ଉପହାରବର୍ମାଙ୍କ କଥା ଶେଷରେ ରାଜବାହନ କହିଲେ, “ବନ୍ଧୁ ଉପହାର, ମାନବପ୍ରକୃତି ପର୍ଯ୍ୟାଲୋଚନା କରି ତାହାକୁ ଉଦ୍ଦେଶ୍ୟ ଅନୁଯାୟୀ କୃତିତ୍ୱ ସହକାରେ ବିନିଯୋଗ କରିବାରେ ତୁମେ ତୁମର ସହୋଦରଙ୍କୁ ବଳି ଯାଇଅଛ । ଗୋପନ ଷଡ଼ଯନ୍ତ୍ର ଓ କୌଶଳପୂର୍ଣ୍ଣ ଯୋଜନା ରଚନା କରିବାରେ ଖୁବ୍ କମ୍ ବ୍ୟକ୍ତି ତୁମର ସମକକ୍ଷ ହୋଇ ପାରନ୍ତି । ମୁଁ ଏବଂ ସଖାଗଣ ତୁମର ଆଳାପରେ ପରିତୃପ୍ତ ହେବା ସଙ୍ଗେ ସଙ୍ଗେ ତୁମର ଗୌରବବିମଣ୍ତିତ ସାହସିକ କ୍ରିୟାକଳାପ ପାଇଁ ଆନ୍ତରିକ ସମ୍ଭାଷଣ ଜ୍ଞାପନ କରୁଅଛୁ । ବର୍ତ୍ତମାନ ହେ ବନ୍ଧୁଗଣ ଆସ, ସଖା ଅର୍ଥପାଳଙ୍କ କଥା ଶ୍ରବଣ କରିବା ।”

 

ଅର୍ଥପାଳ କହିଲେ, “ଯୁବରାଜ, ଆପଣଙ୍କର ଅନ୍ୱେଷଣରେ ମୁଁ ବହୁ ଦେଶ ଭ୍ରମଣ କରି ଶେଷରେ ପବିତ୍ର କାଶୀକ୍ଷେତ୍ରରେ ଉପସ୍ଥିତ ହେଲି । ଗଙ୍ଗାନଦୀରେ ସ୍ନାନ ଏବଂ ମୁକ୍ତେଶ୍ୱରଦେବଙ୍କ ଅର୍ଚ୍ଚନା କରିସାରିବା ପରେ ନଗରୀର ଦକ୍ଷିଣଦ୍ୱାର ଦେଇ ବହିର୍ଗତ ହେଲି । ପଥମଧ୍ୟରେ ପ୍ରାକୃତିକ ଶୋଭା ଦର୍ଶନ କରି ଅଗ୍ରସର ହେଲାବେଳେ ପଥପାର୍ଶ୍ୱରେ ଜଣେ ବଳିଷ୍ଠ ଯୁବକ ଅତି ବିକଳଭାବରେ କ୍ରନ୍ଦନ କରୁଥିବାର ଦେଖିଲି । ଏ ଘଟଣାରେ ମୁଁ ବିଶେଷ ବିସ୍ମିତ ହୋଇ ଯୁବକ ନିକଟକୁ ଯାଇ ତାହାର କ୍ରନ୍ଦନର କାରଣ ପଚାରିଲି ।

 

ଯୁବକ କହିଲା, “ମହାଶୟ, ଆପଣ ନିଶ୍ଚୟ ଜଣେ ନବାଗତ ହୋଇଥିବେ, ନଚେତ୍ ଆପଣ ମୋତେ ଚିହ୍ନି ପାରିଥାନ୍ତେ ଯେ ମୁଁ ପୂର୍ଣ୍ଣଭଦ୍ର । ଏ ଦେଶର ଶାସକ ସିଂହଘୋଷଙ୍କର ଭଗିନୀପତି କାମପାଳଙ୍କ ମୁଁ ଅନ୍ତରଙ୍ଗ ବନ୍ଧୁ । ହାୟ, ମିଥ୍ୟା ରାଜଦ୍ରୋହ ଅପରାଧରେ ଆଜି ତାହାଙ୍କର ପ୍ରାଣଦଣ୍ଡ ହେବ ! ତାହାଙ୍କୁ ରକ୍ଷା କରିବା ପାଇଁ ମୁଁ ଅସମର୍ଥ !”

 

ମୁଁ ଉତ୍ତର କଲି, “କିନ୍ତୁ ଆପଣ କ୍ରନ୍ଦନରତ ହୋଇ ବନ୍ଧୁଙ୍କୁ ପ୍ରାଣଦଣ୍ଡରୁ ରକ୍ଷା କରିପାରିବାର କି କୌଣସି ସମ୍ଭାବନା ଅଛି ? କ୍ରନ୍ଦନ କରି ଲାଭ କଅଣ ? କାମପାଳଙ୍କ ସମ୍ବନ୍ଧେ ଆପଣ ଆଉ ବିଶେଷ କିଛି ଜାଣିଥିଲେ କହନ୍ତୁ । ସମ୍ଭବ ହେଲେ କୌଣସି ବନ୍ଧୁ, ସାହାଯ୍ୟରେ ରାଜାଙ୍କ ନିକଟରେ ତାହାଙ୍କର ଜୀବନଭିକ୍ଷା କରିବା ।”

 

“ମହାଶୟ, ରାଜଦରବାରର ବନ୍ଧୁଗଣ କେବଳ ସମ୍ପଦର ସାଥୀ । ରାଜା ସିଂହଘୋଷ ଅପ୍ରାପ୍ତବୟସ୍କ ଥିବା ସମୟରେ କାମପାଳ ଏ ରାଜ୍ୟର କଠୋର ନ୍ୟାୟପରାୟଣ ରାଜପ୍ରତିନିଧି ଥିଲେ । ତେଣୁ ପାରିଷଦମାନଙ୍କ ମଧ୍ୟରେ ତାହାଙ୍କର ଏପରି କୌଣସି ବନ୍ଧୁ ନାହାନ୍ତି ଯେ ବର୍ତ୍ତମାନ ତାହାଙ୍କ ପକ୍ଷ ସମର୍ଥନ କରିବାକୁ ଅଗ୍ରସର ହୋଇ ନିଜ ଜୀବନକୁ ବିପଦାପନ୍ନ କରିବ । ଆହା କି ନ୍ୟାୟପରାୟଣ ଥିଲେ ସେ ! ରାଜହଂସଙ୍କ ମନ୍ତ୍ରୀ ଧର୍ମପାଳଙ୍କ ପୁତ୍ର ବ୍ୟତୀତ ଏପରି ନ୍ୟାୟବିଚାର ଅନ୍ୟ କାହାଠାରୁ ଆଶା କରିବା ବୃଥା ସିନା !”

 

“ଏ କଣ କହୁଛ ? ରାଜହଂସଙ୍କ ମନ୍ତ୍ରୀ ଧର୍ମପାଳଙ୍କ ପୁତ୍ର–କାମପାଳ–ମୋର ପିତା !! ଯୁବକ, ମୋ ପିତାଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କର ।”

 

“କାମପାଳ ତୁମର ବାପା ? ତୁମ୍ଭେ ତାହାଙ୍କ ପୁତ୍ର ? ତେବେ ତୁମେ ଆଜିଯାଏ କେଉଁଠାରେ ଥିଲ ? କିନ୍ତୁ ଏ ସବୁ ଆଲୋଚନାର ଏ ସମୟ ନୁହେଁ । ତୁମ ପିତାଙ୍କର ବିଚକ୍ଷଣତାର ଶତାଂଶରୁ ଏକ ଅଂଶ ଯଦି ତୁମଠାରେ ଥାଏ, ତେବେ ତୁମେ ଜୀବନରେ ନିଶ୍ଚୟ ଯଶସ୍ୱୀ ହୋଇ ପାରିବ । ଆଚ୍ଛା, ବର୍ତ୍ତମାନ ତୁମେ କିଛି ଉପାୟ କରି ପାରିବ ନାହିଁ ?”

 

“ନିଶ୍ଚୟ ! ରାଜହଂସଙ୍କ ପୁତ୍ର ରାଜବାହନଙ୍କ ସହିତ ଆକସ୍ମିକ ବିପଦର ପ୍ରତିକାର ପାଇଁ ମୁଁ ଯଥେଷ୍ଟ ଉପାୟ ଶିକ୍ଷା କରିଛି । ସେହିଠାରେ ମୁଁ ଆଜିଯାଏଁ ଥିଲି । ମୋର ଜୀବନର କାହାଣୀ ପରେ କହିବି–ବର୍ତ୍ତମାନ ପାଇଁ ଏତିକି କହିଲେ ଯଥେଷ୍ଟ ହେବ ଯେ ଏ ମଧ୍ୟରେ ଭୋଜବିଦ୍ୟା ଓ ଚକ୍ଷୁବନ୍ଧନରେ ମୁଁ ଚୂଡ଼ାନ୍ତ କୃତିତ୍ୱ ଲାଭ କରିଅଛି । ତା ଛଡା ମୁଁ ପକ୍ଷୀମାନଙ୍କର ଭାଷା ବୁଝିପାରେ ଏବଂ ବିଷଧର ସର୍ପମାନଙ୍କୁ ମଧ୍ୟ ବଶୀଭୂତ କରିପାରେ । ଏହି ଦେଖ, ନିକଟରେ ଗୋଟାଏ ବିଷଧର ସର୍ପ ଚାଲିଯାଉଛି । ଏହାର ଦଂଶନ ମାରାତ୍ମକ ହେଲେ ମଧ୍ୟ, କେତେକ ମୂଳମୂଳିକା ସାହାଯ୍ୟରେ ଚିକିତ୍ସା କଲେ ଅଳ୍ପ ସମୟ ମଧ୍ୟରେ ପୁନର୍ଜୀବନ ଲାଭ ହୁଏ । ଆଚ୍ଛା, ପ୍ରାଣଦଣ୍ଡ କେଉଁଠାରେ ଦିଆଯିବ ?”

 

”ସମ୍ମୁଖସ୍ଥ ସାନ୍ଦ୍ର ବୃକ୍ଷଡାଳରେ ଦୋଷୀ ବ୍ୟକ୍ତିର ଫାଶୀଦଣ୍ଡ ହୁଏ । ଏଇ ଦେଖ, ଅଦୂରରେ ରାଜକର୍ମଚାରୀମାନଙ୍କ ସହିତ ବହୁଲୋକ ଆଗମନ କରୁଅଛନ୍ତି ।”

 

‘‘ତେବେ ଚଞ୍ଚଳ ଉଠ । ଶୁଣ, ମୁଁ ସର୍ପଟାକୁ ମୋହର ପିତାଙ୍କ ଉପରକୁ ନିକ୍ଷେପ କରିବି-। ସର୍ପଦଂଶନ ଫଳରେ ସେ ହତଚେତନ ହୋଇ ପଡ଼ିବେ । ତୁମେ ମୋର ମାତାଙ୍କ ସହ ରାଜାଙ୍କ ନିକଟକୁ ଯାଇ ମୃତ ଦେହଟିକୁ ତାହାଙ୍କୁ ଫେରାଇ ଦେବାପାଇଁ ପ୍ରାର୍ଥନା କରିବ । ତୁମ ନିଜ ଉଦ୍ୟାନର ଅନ୍ତରାଳରେ ଚିତା ପ୍ରସ୍ତୁତ କର । ମୁଁ ପରେ ଆସି ଅନ୍ୟ ସମସ୍ତ ବ୍ୟବସ୍ଥା କରିବି ।”

 

ପୂର୍ଣ୍ଣଭଦ୍ର ସମ୍ମତି ଜଣାଇ ଅତି ବ୍ୟଗ୍ରଭାବରେ ପ୍ରସ୍ଥାନ କଲେ । ମୁଁ ସାବଧାନତା ସହକାରେ ସର୍ପଟିକୁ ବନ୍ଧନ କଲି ଏବଂ ତାହାପରେ ବୃକ୍ଷ ଉପରକୁ ଆରୋହଣ କରି ଏକ ଶାଖାରେ ଲୁକ୍କାୟିତ ହୋଇ ରହିଲି ।

 

କିଛି ସମୟ ମଧ୍ୟରେ ମୋର ପିତାଙ୍କ ଦସ୍ତପଦ ଶୃଙ୍ଖଳିତ କରି କେତେକ ପ୍ରହରୀ ଓ ବହୁ ଦର୍ଶକ ବୃକ୍ଷମୂଳକୁ ଆସିଲେ । ସେମାନେ ଆସି ଠିକ୍ ମୋର ନିମ୍ନଦେଶରେ ଠିଆହେଲେ । ମୁଁ ପିତାଙ୍କୁ ଏପରି ହୀନ ଓ ଅସହାୟ ଅବସ୍ଥାରେ ଜୀବନରେ ସର୍ବପ୍ରଥମେ ଦେଖିବାକୁ ପାଇଲି । ଯାହା ହେଉ, ଏ ଅବସ୍ଥାରେ ମଧ୍ୟ ମୋର ପିତା ମସ୍ତକ ଅବନତ ନକରି ନିର୍ଭୀକ ଭାବେ ଦଣ୍ଡାୟମାନ ହୋଇଥିବା ଦେଖି ମୋର ପ୍ରାଣ ଆନନ୍ଦରେ ପୂରିଗଲା ଏବଂ ବିଶ୍ୱାସ ହେଲା ଯେ ସେ ନିଶ୍ଚୟ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ଏତିକିବେଳେ ପ୍ରଧାନ କର୍ମଚାରୀ ପିତାଙ୍କ ବିରୁଦ୍ଧରେ ଉପସ୍ଥାପିତ ଅଭିଯୋଗମାନ ଗୋଟିକ ପରେ ଗୋଟିଏ ପାଠ କଲେ । ଶେଷରେ ସେ ବିଚାରପତିଙ୍କ ଦଣ୍ଡାଦେଶ ପ୍ରକାଶ କରନ୍ତେ, ଜନତା ମଧ୍ୟରେ ଏକ ଭୀଷଣ ଚାଞ୍ଚଲ୍ୟ ଖେଳିଗଲା । ଆଦେଶରେ ବ୍ୟବସ୍ଥା ଥିଲା ଯେ ପ୍ରଥମେ ତପ୍ତ ଲୌହଶଳାକାଦ୍ୱାରା ତାହାଙ୍କୁ ଅନ୍ଧ କରାଯାଇ ପରେ ଫାଶୀ ବିଧାନ କରାଯିବ ।

 

କେତେକ ଆତତାୟୀ ବୃକ୍ଷର ଅପରପାର୍ଶ୍ୱରେ ଲୌହଶଳାକା ଉତ୍ତପ୍ତ କରୁଥିଲେ । ଦଣ୍ଡାଦେଶ ଶୁଣି ମୋର ହୃତ୍‍ପିଣ୍ଡ ବିକମ୍ପିତ ହେବାକୁ ଲାଗିଲା । ଏପରି ଅବସ୍ଥାରେ ଲକ୍ଷ୍ୟ ଠିକ୍ ରଖି ସର୍ପଟିକୁ ନିକ୍ଷେପ କରିପାରିବି କି ? କିନ୍ତୁ ଚେଷ୍ଟା କରିବାକୁ ହେବ । ସର୍ପଟିକୁ ମଣ୍ଡଳାକାରରେ ସଜୋରେ ଗୁଡ଼ାଇ ଧରି ଲକ୍ଷ୍ୟ ଠିକ୍ କଲି ଏବଂ ମଙ୍ଗଳମୟଙ୍କ ନାମ ସ୍ମରଣ କରି ନିକ୍ଷେପ କଲି । ସର୍ପଟି ଯାଇ ଠିକ୍ ଗୋଟିଏ ମୁକୁଟ ଭଳି ମୋର ପିତାଙ୍କ ମସ୍ତକ ଉପରେ ପଡ଼ିଲା ଏବଂ ଆଘାତ ଖାଇ ଫୁତ୍କାର ସହକାରେ ତାହାଙ୍କ କପାଳରେ ଦଂଶନ କଲା । ପର ମୁହୂର୍ତ୍ତରେ ଦେଖିଲି, ପିତା ଶୃଙ୍ଖଳିତ ହସ୍ତ ଦୁଇଟିକୁ ଉପରକୁ ଟେକି ଚିତ୍କାର କରି ଆପାଦମସ୍ତକ କମ୍ପିତ ହେବା ସଙ୍ଗେ ସଙ୍ଗେ ହତଚେତନ ହୋଇ ଭୂମି ଉପରେ ପଡ଼ିଗଲେ । ସର୍ପଟି ଭୀତତ୍ରସ୍ତ ଜନତା ମଧ୍ୟରେ ପଶି ପଳାଇବାକୁ ବସିଲା । ଚତୁର୍ଦ୍ଦିଗରୁ ଚିତ୍କାର ଉଠିଲା ଯେ ଏହା ବିଧାତାର ଦଣ୍ଡ । ତେଣୁ ତାହାଙ୍କର ଦୋଷ ସମ୍ବନ୍ଧେ ଆଉ କୌଣସି ସନ୍ଦେହ ନାହିଁ ।

 

ଏ ମଧ୍ୟରେ ପୂର୍ଣ୍ଣଭଦ୍ର ମୋ ମାତାଙ୍କ ସହିତ ରାଜାଙ୍କ ନିକଟରେ ଉପସ୍ଥିତ ହୋଇଥିଲେ । ମା ଅତି ବିକଳଭାବରେ କ୍ରନ୍ଦନ କରି ରାଜାଙ୍କୁ ନିବେଦନ କଲେ ଯେ ମୃତ ପତିଙ୍କର ଶବ ତାହାଙ୍କୁ ଫେରାଇଦେଲେ ବିଧାନ ଅନୁଯାୟୀ ସେ ସତ୍କାର କରିବେ । ଅସହାୟା ନାରୀର ବିକଳ ମିନତି ରାଜହୃଦୟ ସ୍ପର୍ଶ କଲା । ରାଜା ଆଦେଶ କଲେ ଯେ ପ୍ରାଣଦଣ୍ଡ ଦିଆଯିବା ପରେ କାମପାଳଙ୍କ ମୃତ ଦେହ ତାହାଙ୍କ ସ୍ତ୍ରୀଙ୍କୁ ଅର୍ପଣ କରିଦିଆଯିବ । ଏ ଆଦେଶ ତତ୍‍କ୍ଷଣାତ୍ ବଧ୍ୟଭୂମିକୁ ପ୍ରେରିତ ହେଲା-

 

ଏଣେ ବଧ୍ୟଭୂମିରେ ପରିସ୍ଥିତିର ଏପରି ଆକସ୍ମିକ ପରିବର୍ତ୍ତନ ଯୋଗୁଁ କି ପନ୍ଥା ଅବଲମ୍ବନ କରିବାକୁ ହେବ, ତାହା କର୍ମଚାରୀମାନଙ୍କ ମଧ୍ୟରେ ଆଲୋଚିତ ହେଉଥିଲା । ସେମାନେ ଶେଷରେ ମୃତ ଦେହ ଉପରେ ଆଦିଷ୍ଟ ଦଣ୍ଡ ଦିଆଯିବା ଉଚିତ କି ନୁହେ ଜାଣିବା ପାଇଁ ରାଜାଙ୍କ ନିକଟକୁ ଦୂତ ପ୍ରେରଣ କଲେ । ମୁଁ ଅବଶ୍ୟ ଏ କଥା ଆଗରୁ କଳ୍ପନା କରିପାରି ନଥିଲି । ତେଣୁ ମୋର ସକଳ ଚେଷ୍ଟା ଯେ ଏଠାରେ ପଣ୍ଡ ହେବାକୁ ଯାଉଛି, ଏହା ଭାବି ଅସ୍ଥିର ହୋଇପଡ଼ିଲି-। ସୁତରାଂ କୌଣସିପ୍ରକାର ଚକ୍ଷୁବନ୍ଧନ ବା ଭୋଜବାଜିଦ୍ୱାରା ମୁଁ ଏ ପରିସ୍ଥିତିକୁ ପରିବର୍ତ୍ତିତ କରି ପାରିବି କି ନା ଚିନ୍ତା କଲାବେଳେ ହଠାତ୍ ମୋର ମା ପୂର୍ଣ୍ଣଭଦ୍ରଙ୍କ ସହିତ ଆସି ଉପସ୍ଥିତା ହେଲେ । ଅବଗୁଣ୍ଠିତ ମସ୍ତକରେ ଆର୍ତ୍ତବିଳାପ କରୁ କରୁ ସେ ପିତାଙ୍କ ଶରୀର ଉପରେ ପଡ଼ିଗଲେ । ଏଣେ ପୂର୍ଣ୍ଣଭଦ୍ର ସଂକ୍ଷେପରେ ରାଜାଙ୍କ ସହିତ ତାହାଙ୍କର ସାକ୍ଷାତ ଓ ରାଜାଙ୍କ ଆଦେଶ ସମ୍ବନ୍ଧେ ଜଣାଇଲାବେଳେ ରାଜଦୂତ ଆସି ଉପସ୍ଥିତ ହେଲା । ତେଣୁ କର୍ମଚାରୀଗଣ ଆତତାୟୀ ଓ ଜନତା ସହ ମୃତଦେହ ନିକଟରୁ ଅନ୍ତର ହୋଇ ନଗର ଅଭିମୁଖରେ ପ୍ରତ୍ୟାବର୍ତ୍ତନ କଲେ । ମୃତଦେହ ନିକଟରେ ମୋର ମାତା ଏବଂ ପୂର୍ଣ୍ଣଭଦ୍ର କେବଳ ରହିଲେ । କହିବା ବାହୁଲ୍ୟ ଯେ ରାଜାଙ୍କ ସହିତ ସାକ୍ଷାତ ପୂର୍ବରୁ ପୂର୍ଣ୍ଣଭଦ୍ର ମୋର ଆଗମନ ଓ ପ୍ରଚେଷ୍ଟା ସମ୍ବନ୍ଧେ ମାତାଙ୍କୁ ସମସ୍ତ କଥା କହିଥିଲେ-। ତେଣୁ ତାହାଙ୍କର ସମସ୍ତ କ୍ରନ୍ଦନ କେବଳ ଅଭିନୟମୂଳକ ଥିଲା ।

 

ମୁଁ ବୃକ୍ଷଶାଖାରୁ ଅବତରଣ କରି ମା’ଙ୍କ ପାଦତଳେ ପ୍ରଣାମ କରିବା ମାତ୍ରେ ସେ ମୋତେ କୋଳ କରି ଆନନ୍ଦାଶ୍ରୁ, ବର୍ଷଣ କରିବା ସଙ୍ଗେ ସଙ୍ଗେ ଯଥାଶୀଘ୍ର ପିତାଙ୍କୁ ସଚେତ କରାଇବା ନିମିତ୍ତ ବ୍ୟାକୁଳ ହୋଇପଡ଼ିଲେ । ମୁଁ ତାହାଙ୍କୁ ଧୈର୍ଯ୍ୟ ଧରିବା ସକାଶେ ଅନୁରୋଧ କଲି ଏବଂ ପୂର୍ଣ୍ଣଭଦ୍ରଙ୍କ ବିଶ୍ୱସ୍ତ ଭୃତ୍ୟମାନଙ୍କ ସାହାଯ୍ୟରେ ମୃତପ୍ରାୟ ପିତାଙ୍କୁ ଗୃହକୁ ନେବା ପାଇଁ ଉପଦେଶ ଦେଇ ସର୍ପଗଦ ଅନ୍ୱେଷଣରେ ବାହାରିଲି ।

 

ଏଥି ମଧ୍ୟରେ ପ୍ରସ୍ତାବ ଅନୁଯାୟୀ ପୂର୍ଣ୍ଣଭଦ୍ର ତାହାଙ୍କର କର୍ତ୍ତବ୍ୟ କରିଥିଲେ । ତାହାଙ୍କ ଉଦ୍ୟାନରେ ଲୋକଚକ୍ଷୁର ଅନ୍ତରାଳରେ ଚିତାଗ୍ନି ପ୍ରସ୍ତୁତ ହୋଇଥିଲା । ଅଳ୍ପକ୍ଷଣ ମଧ୍ୟରେ ଈପ୍ସିତ ମୂଳମୂଳିକା ଲାଭ କରି ମୁଁ ଫେରିଆସିଲି । ସାମାନ୍ୟ ଚିକିତ୍ସା ପରେ ପିତା ଚେତନା ପାଇ ବିସ୍ମୟାଭିଭୂତ ଭାବରେ ଉପବେଶନ କଲେ । ଆମ୍ଭମାନଙ୍କର ପୁନର୍ମିଳନ ଅଭୂତପୂର୍ବ ଆନନ୍ଦ ପ୍ରଦାନ କଲା–ସବୁରି ଚକ୍ଷୁ ଆନନ୍ଦାଶ୍ରୁରେ ପ୍ଳାବିତ ହୋଇଗଲା । ତେଣେ ଶବହୀନ ଚିତା ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ସହ ଜଳିଉଠିଲା ବେଳକୁ ଆମ୍ଭେମାନେ ଏକ ନିଭୃତ କକ୍ଷରେ ବସି ମଧୁର ଆଳାପରେ ନିମଜ୍ଜିତ ହେଲୁଁ ।

 

ଯାହାହେଉ, ଏହାପରେ ପିତାଙ୍କର ମୃତ୍ୟୁ ଓ ମାତାଙ୍କର ବୈଧବ୍ୟର ଛଳନା କିଛି ଦିନ ଯାଏଁ କରି ଭବିଷ୍ୟତ୍ କର୍ମପନ୍ଥା ଠିକ୍ କରିବାକୁ ଲାଗିଲୁ । ଅକୃତଜ୍ଞ ରାଜାକୁ ସିଂହାସନଚ୍ୟୁତ କରି ରାଜଭଗିନୀ ମୋର ମାତାଙ୍କୁ ରାଜ୍ୟାଧିକାର ଦେଇ ପିତାଙ୍କ ସାହାଯ୍ୟରେ ତାହାଙ୍କର ପରିଚାଳନାର ବ୍ୟବସ୍ଥା କରିବାହିଁ ହେଲା ଆମ୍ଭମାନଙ୍କର ଲକ୍ଷ୍ୟ ।

 

ସେଦିନ ରାତିରେ ପିତାଙ୍କୁ ତାହାଙ୍କର ପରିଖା ପରିବେଷ୍ଟିତ ଦୁର୍ଗ ମଧ୍ୟକୁ ନେଇଗଲୁ । ତନ୍ମଧ୍ୟରେ ଏକ କୋଠରିରେ ସେ ଲୁକ୍କାୟିତ ହୋଇ ରହିଲେ । ଏକଥା ତାହାଙ୍କ ବିଶ୍ୱସ୍ତ ଚାକରମାନଙ୍କ ଭିତରୁ ବି ଖୁବ୍ କମ୍ ଲୋକ ଜାଣି ପାରିଥିଲେ ।

 

ଏ ମଧ୍ୟରେ ପୂର୍ଣ୍ଣଭଦ୍ର ଏବଂ ମୁଁ ପିତାଙ୍କର ପୁରାତନ ବନ୍ଧୁମାନଙ୍କ ସହ ଆଲୋଚନା କରି ଏକ ଶକ୍ତିଶାଳୀ ଦଳ ଗଠନ କରିବାକୁ ଲାଗିଲୁ । ମୋର ପିତାଙ୍କ ପ୍ରାସାଦ ରାଜପ୍ରାସାଦର ପାର୍ଶ୍ୱରେ ଅବସ୍ଥିତ । ସୁତରାଂ ଏଠାରୁ ରାଜପ୍ରାସାଦ ମଧ୍ୟକୁ ଭୂଗର୍ଭରେ ଏକ ସୁଡ଼ଙ୍ଗ ନିର୍ମାଣ କରି ଆକସ୍ମିକ ଭାବରେ ରାଜାଙ୍କୁ ଆକ୍ରମଣ କରି ବନ୍ଦୀକରିବା ନିମନ୍ତେ ମୁଁ ପ୍ରସ୍ତାବ କଲି । ଏଥିରେ ଅତି କୁଣ୍ଠା ସହକାରେ ପିତା ସମ୍ମତି ଦେଲେ ।

 

ପିତାଙ୍କର ବିଶ୍ୱସ୍ତ ଅନୁଚରମାନଙ୍କ ସାହାଯ୍ୟରେ ସୁଡ଼ଙ୍ଗପଥ ନିର୍ମାଣକାର୍ଯ୍ୟ ଆରମ୍ଭ ହେଲା; କିନ୍ତୁ ବଡ଼ ବିଚିତ୍ର କଥା ଯେ ସୁଡ଼ଙ୍ଗର ଅର୍ଦ୍ଧପଥ ଖନିତ ହେବା ପରେ ଆମ୍ଭେମାନେ ଏକ ସୁପ୍ରଶସ୍ତ, ଆଲୋକିତ, ସୁସଜ୍ଜିତ କୋଠରୀ ଦେଖିବାକୁ ପାଇଲୁ । ଭୂଗର୍ଭରେ ଏହା ଏକ କ୍ଷୁଦ୍ର ପ୍ରାସାଦ ।

 

ମୋର ସହଚରମାନଙ୍କୁ ସେହିଠାରେ ରଖି ମୁଁ ପ୍ରାସାଦ ମଧ୍ୟକୁ ଅଗ୍ରସର ହେଲି । କିଛି ଦୂର ଗମନ କରି ମୁଁ କେତେଜଣ ସୁନ୍ଦରୀ ତରୁଣୀଙ୍କ ସମ୍ମୁଖୀନ ହେଲି । ତାରକାପୁଞ୍ଜ ମଧ୍ୟରେ ଚନ୍ଦ୍ର ଭଳି ଏ ତରୁଣୀମାନଙ୍କ ମଧ୍ୟରେ ଜଣେ ଅତି ରୂପସୀ ଯୁବତୀ ଥିଲେ । ମୁଁ ତାହାଙ୍କର ସୌନ୍ଦର୍ଯ୍ୟରେ ଆତ୍ମହରା ହେଲେ ମଧ୍ୟ ସେ ମାନବୀ କି ଅପ୍‍ସରୀ ନିରୂପଣ କରି ପାରିଲି ନାହିଁ । ସେ ଏକ ସ୍ୱର୍ଣ୍ଣପ୍ରତିମା ଭଳି ପ୍ରତୀତ ହେଉଥିଲେ ଏବଂ ସେ ମୋ ଆଡ଼କୁ ଅଗ୍ରସର ହେଲାବେଳେ ତାହାଙ୍କ ଅଙ୍ଗରୁ ଆଲୋକରେଖା ବିଚ୍ଛୁରିତ ହୋଇପଡ଼ୁଥିଲା । ସେ ମୋତେ ଦେଖିବା କ୍ଷଣି ସ୍ଥିର ବିଦ୍ୟୁତ୍‍ଭଳି ଦଣ୍ଡାୟମାନା ହୋଇ ରହିଲେ । ଜଣେ ପୌଢ଼ା ସ୍ତ୍ରୀ ମୋ ନିକଟକୁ ଆସି ମୋର ପଦତଳେ ପଡ଼ି ଏ ଯୁବତୀମାନଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ । ବସ୍ତୁତଃ ସେ ଭାବିଥିଲେ ଯେ ମୁଁ ସେମାନଙ୍କର ଉପକାର କରିବା ପାଇଁ ଇଶ୍ୱରପ୍ରେରିତ; କିନ୍ତୁ ମୁଁ ତାହାଙ୍କୁ ଆଶ୍ୱାସନା ଦେଇ କହିଲି ଯେ, “ମୁଁ ଜଣେ ମାନବ–କାମପାଳ ଓ ତାହାଙ୍କ ସ୍ତ୍ରୀ କାନ୍ତିମତୀଙ୍କର ବହୁ ପୂର୍ବରୁ ନିରୁଦ୍ଦିଷ୍ଟ ଏକମାତ୍ର ସନ୍ତାନ ।” ସଙ୍ଗେ ସଙ୍ଗେ ମୁଁ ମଧ୍ୟ ଜାଣିବାକୁ ଇଚ୍ଛା କଲି ସେ ଯୁବତିଗଣ ମାନବୀ ନା ପୁରାଣବର୍ଣ୍ଣିତ ପାତାଳପୁରୀର କନ୍ୟା ।

ପୌଢ଼ା ଉତ୍ତର କଲା, “ଯୁବରାଜ, ତୁମର ମାତାମହ ଚଣ୍ତସିଂହଙ୍କର ତିନିଗୋଟି ସନ୍ତାନ ଥିଲେ–ତୁମର ମାତା କାନ୍ତିମତୀ, ଚଣ୍ଡଘୋଷ ଏବଂ ସିଂହଘୋଷ । ଚଣ୍ଡଘୋଷଙ୍କ ଅକାଳମୃତ୍ୟୁ ପରେ ସିଂହଘୋଷ ସିଂହାସନ ଆରୋହଣ କରି ବର୍ତ୍ତମାନ ରାଜା ହୋଇଛନ୍ତି । ଏହି ରୂପସୀ ଯୁବତୀ ଚଣ୍ଡଘୋଷଙ୍କ କନ୍ୟା–ପିତାଙ୍କ ମୃତ୍ୟୁପରେ ଜନ୍ମଗ୍ରହଣ କରିଥିଲେ । ଏ କନ୍ୟାର ଜନ୍ମକାଳରେ ଚଣ୍ଡସିଂହ ଏହାକୁ ମୋ ହାତରେ ସମର୍ପଣ କରି କହିଲେ, “ମୁଁ ଏହି ପୌତ୍ରୀ ମଣିକର୍ଣ୍ଣିକାକୁ ମାଳବରାଜ ମାନସାରଙ୍କ ପୁତ୍ରଙ୍କ ସହିତ ବିବାହ ଦେବା ନିମିତ୍ତ ମନସ୍ଥ କରିଅଛି: କିନ୍ତୁ କାଳେ ମୋହର କନ୍ୟା କାନ୍ତିମତୀ ସ୍ଵଇଚ୍ଛାରେ କାମପାଳଙ୍କୁ ପତିରୂପେ ବରଣ କଲା ପରି ଏ ମଧ୍ୟ ମୋ ଇଚ୍ଛାବିରୁଦ୍ଧ କାର୍ଯ୍ୟ କରିବ, ଏଥିପାଇଁ ଏହାକୁ ତୁମର ତତ୍ୱାବଧାନରେ ଦେଇଅଛି । ମାନସାରଙ୍କୁ ମୋହର ବାଗ୍‍ଦାନ ଯେପରି ଭଙ୍ଗ ନ ହୁଏ ସେଥିପାଇଁ ତୁମେ ଯତ୍ନ କରିବ ।”ଏହା କହି ସେ ମୋତେ ଭୂଗର୍ଭ ପ୍ରାସାଦକୁ ପ୍ରେରଣ କଲେ । ଏହା ଦର୍ଘ ତେର ବର୍ଷ ତଳର କଥା । ସେହି ଦିନଠାରୁ ସେ ଥରେ ସୁଦ୍ଧା ଆମ୍ଭମାନଙ୍କୁ ଦେଖିବାକୁ ଆସି ନାହାନ୍ତି । ବୋଧହୁଏ ତାହାଙ୍କ ସହିତ ଏ ଘଟଣା ବିସ୍ମୃତିଗର୍ଭରେ ବିଲୟ ଭଜିଛି । ମୁଁ ଏକଥା କେବେହେଲେ ସିଂହଘୋଷଙ୍କୁ ଜଣାଇନାହିଁ । କାରଣ ଉଭୟ ଭ୍ରାତାଙ୍କ ମଧ୍ୟରେ ଚିର ବୈରଭାବ ପ୍ରତିଷ୍ଠିତ ଥିଲା । ଆମ୍ଭେମାନେ ଏଠାରେ ଅସୂର୍ଯଂପଶ୍ୟା ଅବସ୍ଥାରେ ଥିଲେ ମଧ୍ୟ ଏ ଆବାସ ବେଶ୍ ଆମୋଦପ୍ରଦ ହୋଇଛି । ଆମ୍ଭମାନଙ୍କର ଯଥେଷ୍ଟ ଖାଦ୍ୟସାମଗ୍ରୀ ଅଛି ଏବଂ ଗୋପନ ଭାବରେ ଯାହା କିଛି ଆବଶ୍ୟକୀୟ ବସ୍ତୁ ପାଇପାରୁଛୁ । ରାଜାରାଣୀ ଶତ୍ରୁକବଳରୁ ଆତ୍ମରକ୍ଷା କରିବା ପାଇଁ ଏହି ଗୁପ୍ତ ପ୍ରାସାଦ ପ୍ରଥମେ ନିର୍ମିତ ହୋଇଥିଲେ ମଧ୍ୟ ଏହା ରାଜକୁମାରୀଙ୍କ ପକ୍ଷେ ବନ୍ଦିଶାଳାରେ ପରିଣତ ହୋଇଛି । ସୁତରାଂ ହେ ରାଜକୁମାର, ମୋହର ବିନୀତ ଅନୁରୋଧ, ତୁମେ କୌଣସିମତେ ତୁମର ଏ ଭଗିନୀକୁ ଏଠାରୁ ଉଦ୍ଧାର କରି କର୍ମମୟ ସଂସାରକୁ ନେଇଯାଅ ।”

ମଣିକର୍ଣ୍ଣିକାଙ୍କର ଉଦ୍ଧାର ପାଇଁ ମୋର କୌଣସି ଅତିରିକ୍ତ ଶ୍ରମ ସ୍ୱୀକାର କରିବାର ଆବଶ୍ୟକତା ନ ଥିଲା । ମୁଁ ପୌଢ଼ାକୁ ନିକଟକୁ ଡାକି ମୋର ସେଠାକୁ ଆଗମନର ଉଦ୍ଦେଶ୍ୟ ବର୍ଣ୍ଣନା କଲି । ସେ ମଧ୍ୟ ମୋତେ ସକଳ ପ୍ରକାର ସାହାଯ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଲା । ବାସ୍ତବିକ ତାହା ଯୋଗୁଁ ମୋହର ବହୁମୂଲ୍ୟ ସମୟ ଓ ଶକ୍ତି ରକ୍ଷା ହେଲା । କାରଣ ଏ ସ୍ଥାନରୁ ଯେଉଁ ଗୁପ୍ତପଥ ଠିକ୍ ରାଜାଙ୍କ ଶୟନକକ୍ଷ ମଧ୍ୟକୁ ଯାଇଥିଲା, ତାହାର ସମସ୍ତ କୌଶଳ ତାହାକୁ ହିଁ ଅବଗତ ଥିଲା । ତେଣୁ ବୃଦ୍ଧାର ସାହାଯ୍ୟରେ ମୁଁ ଅଳ୍ପକ୍ଷଣ ମଧ୍ୟରେ ରାଜାଙ୍କ ଶୟନକକ୍ଷର ଗୁପ୍ତଦ୍ୱାର ନିକଟରେ ଆସି ଉପସ୍ଥିତ ହେଲି । ଦ୍ୱାରର ଏକ ରନ୍ଧ୍ର ମଧ୍ୟରେ ନିରୀଷଣ କରି ଦେଖିଲି, ମୋହର ଶତ୍ରୁ ଦୁଗ୍ଧଫେନନିଭ କୋମଳ ଶଯ୍ୟା ଉପରେ ସୁଷୁପ୍ତ ।

ଉପଯୁକ୍ତ କୌଶଳ ପ୍ରୟୋଗପୂର୍ବକ ଏ ଗୁପ୍ତଦ୍ୱାର ଉନ୍ମୁକ୍ତ କରି ମୁଁ କକ୍ଷମଧ୍ୟରେ ନୀରବରେ ପ୍ରବେଶ କଲି ଏବଂ ତତ୍‌କ୍ଷଣାତ୍ ଏକ ହସ୍ତରେ ରାଜାର ବସ୍ତ୍ର ସକଳ ମଧ୍ୟରେ ତାହାକୁ ଗୁଡ଼ାଇ ଏପରି ଏକ ପିଣ୍ତୁଳାରେ ପରିଣତ କରିଦେଲି ଯେପରି କୌଣସି ମତେ ତାହାର ବାକ୍‍ସ୍ଫୂର୍ତ୍ତି ହୋଇ ପାରିବ ନାହିଁ । । ତାହାପରେ ଉକ୍ତ ପୌଢ଼ା ସ୍ତ୍ରୀର ସାହାଯ୍ୟରେ ବସ୍ତ୍ର ପିଣ୍ତୁଳାଟିକୁ ଧରି ଗୁପ୍ତ ପଥ ଦେଇ ପିତାଙ୍କ ପ୍ରାସାଦ ଅଭିମୁଖରେ ଗତି କଲି ।

ଗଳଦ୍‍ଘର୍ମ ଅବସ୍ଥାରେ ମୋର ଭାର ପିତାଙ୍କ ପଦତଳେ ରଖି କହିଲି, ‘‘ପିତା, ଏହି ସେହି କ୍ରୂର ରାଜା । ବର୍ତ୍ତମାନ ଏହାକୁ ନେଇ କଅଣ କରିବା ଉଚିତ ଆଦେଶ କରନ୍ତୁ ।”

ପିତା ଅତି ସ୍ତମ୍ଭିତ ହୋଇ କହିଲେ, “ଏତେ ଚଞ୍ଚଳ ଏହା କିପରି ସମ୍ଭବ ହେଲା ? ମୁଁ ଭାବିଥିଲି ତୁମେମାନେ ଅର୍ଦ୍ଧପଥ ସୁଦ୍ଧା ଅଗ୍ରସର ହୋଇ ପାରି ନ ଥିବ ।”

ମୁଁ ଉତ୍ତର କଲି, “ଏହା ସହିତ ଆଉ ଏକ ବିଚିତ୍ର ଘଟଣା ସଂପୃକ୍ତ, ଯାହାଫଳରେ ଏ ଅସମ୍ଭବ ସମ୍ଭବ ହୋଇ ପାରିଛି । ଆସନ୍ତୁ, ପ୍ରଥମେ ତାହା ଆପଣଙ୍କୁ ଦେଖାଇ ଦେବି ।”

ପିତାଙ୍କ ସହ ସୁଡ଼ଙ୍ଗ ପଥ ଦେଇ ମୁଁ ଭୂଗର୍ଭ ପ୍ରାସାଦରେ ପ୍ରବେଶ କଲି । ସେ ମଧ୍ୟ ଏ ପ୍ରାସାଦ କିମ୍ୱା ମଣିକର୍ଣ୍ଣିକାଙ୍କ ସମ୍ବନ୍ଧେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ । ମଣିକର୍ଣ୍ଣିକା ମୋର ପିତାଙ୍କୁ ଦେଖି ଓ ପରିଚୟ ପାଇ ଲଜ୍ଜାବିନମ୍ର ବଦନରେ ତାହାଙ୍କର ପଦବନ୍ଦନା କଲେ । ପିତା କୁମାରୀଙ୍କର ମସ୍ତକରେ ଆଶୀର୍ବାଦ ବର୍ଷଣ କରି ମୋତେ କହିଲେ, “ଏ ଘଟଣା ପରେ ଆମେ ଆମର ଯୋଜନାର ପରିବର୍ତ୍ତନ କରିବାକୁ ହେବ । ତୁମେ ମଣିକର୍ଣ୍ଣିକାର ପାଣିଗ୍ରହଣ କରି ଏ ରାଜ୍ୟର ଶାସନଭାର ଗ୍ରହଣ କରିବା ଉଚିତ । ମୁଁ ତୁମର ମନ୍ତ୍ରୀ ସ୍ୱରୂପ ତୁମକୁ ସୁଶାସନ ଶିକ୍ଷା ଦେଇ ଉପଯୁକ୍ତ ଶାସକରେ ପରିଣତ କରିବି । ଏହାହିଁ ହେବା ଯୁକ୍ତିଯୁକ୍ତ ।”

ମୁଁ ଉତ୍ତର କଲି, “ପିତା, ପ୍ରଥମ ପ୍ରସ୍ତାବରେ ମୁଁ ସ୍ୱୀକୃତ, କିନ୍ତୁ ଦ୍ୱିତୀୟଟିରେ ନୁହେଁ । ଆମର ପୂର୍ବପ୍ରସ୍ତାବ ଅନୁଯାୟୀ ପକ୍ୱ ଅନୁଭୂତି ସହ ଆପଣ ଶାସନଦଣ୍ଡ ଗ୍ରହଣ କରନ୍ତୁ ।”

“ମୋର ଅନୁଭୂତି ହିଁ ଏ ରାଜ୍ୟ ଶାସନ କରିବ–ତୁମରି ମାଧ୍ୟମରେ । ମୁଁ ବର୍ତ୍ତମାନ ବୃଦ୍ଧ, ତୁମେ ଯୁବକ, ଶକ୍ତିବନ୍ତ ଓ ସୁଶିକ୍ଷିତ । ତେଣୁ ଏ ଅବସ୍ଥାରେ ପିତାଙ୍କର ଇଚ୍ଛା ପୂରଣ କରି କର୍ତ୍ତବ୍ୟନିଷ୍ଠ ହୁଅ ।”

ଶେଷରେ ପିତାଙ୍କ ଇଛା ହିଁ କାର୍ଯ୍ୟକାରୀ ହେଲା । ମୁଁ ରାଜକୁମାରୀ ମଣିକର୍ଣ୍ଣିକାଙ୍କୁ ବିବାହ କଲି ଏବଂ ଚଣ୍ଡସିଂହଙ୍କ ଜ୍ୟେଷ୍ଠ ପୌତ୍ରୀଙ୍କର ପତି ଭାବରେ ସିଂହାସନ ଆରୋହଣ କଲି । ସ୍ୱର୍ଗତ ରାଜାଙ୍କର କନିଷ୍ଠ ପ୍ରପୌତ୍ର ଭାବରେ ମଧ୍ୟ ସିଂହାସନ ପାଇଁ ମୋର ଦାବି ଦ୍ୱିଗୁଣିତ ହୋଇ ମନ୍ତ୍ରୀ ଓ ସାମନ୍ତମାନଙ୍କର ମନୋନୀତ ହେଲା । ସିଂହଘୋଷ ଅତି ଦୁର୍ବଳ ରାଜା ଥିଲେ ଏବଂ ତାହାଙ୍କ ଶାସନ-ଫଳରେ ରାଜ୍ୟର ଅବନତି ଘଟିବା ଆରମ୍ଭ ହୋଇଥିଲା । ତେଣୁ ତାହାଙ୍କୁ ରାଜବନ୍ଦୀ ଭାବରେ ରଖିବାରେ ପ୍ରଜାସାଧାରଣଙ୍କର କୌଣସି ଆପତ୍ତି ହେଲା ନାହିଁ ।

ଏ ଘଟନାର କିଛିଦିନ ପରେ ମୁଁ ସିଂହବର୍ମାଙ୍କୁ ସାହାଯ୍ୟ କରିବା ନିମିତ୍ତ ଏଠାକୁ ଆସି ଆପଣଙ୍କୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ଦେଖିବାକୁ ପାଇଲି । ଏହା ହିଁ ମୋର ପରମ ଆନନ୍ଦର କଥା ।”

Image

 

ଅଠର

ବ୍ରମତିଙ୍କ କଥା

 

ଅର୍ଥପାଳଙ୍କ କଥା ଶ୍ରବଣ କରିସାରି ରାଜବାହନ କହିଲେ, “ହାୟ ରାଜକୁମାରୀ ମଣିକର୍ଣ୍ଣିକାଙ୍କୁ କି ଅବସାଦମୟ ଶୈଶବ ଜୀବନ କଟାଇବାକୁ ହୋଇଥିଲା ! ପ୍ରକୃତିଦତ୍ତର ମନୋରମ ସୌରରଶ୍ମି ସମ୍ଭୋଗ, ହରିତାୟମାନ ବୃକ୍ଷଲତା ସକଳର ନୟନାଭିରାମ ଶୋଭାଦର୍ଶନ ଓ କର୍ଣ୍ଣରସାୟନ ବିହଙ୍ଗକାକଳି ଶ୍ରବଣରୁ ଆଜନ୍ମ ବଞ୍ଚିତ ହୋଇ ରହିବା କି ଅଭିଶପ୍ତ ଜୀବନ, ତାହା ଅନୁଭବୀ ମାତ୍ର ପ୍ରକାଶ କରିପାରେ । ଯାହାହେଉ ଆନନ୍ଦର କଥା, ସେ ଆଜି ଏ ସମସ୍ତ ନୈସର୍ଗିକ ସୁଖର ଅଧିକାରୀ ହୋଇ ପାରିଛନ୍ତି । ଅପହାର ବର୍ମା କହିଲେ, “ଅର୍ଥପାଳଙ୍କର ସୌଭାଗ୍ୟ ଯେ ଉପଯୁକ୍ତ ସମୟରେ ସେ ଆପାତତଃ ବିଷଯୁକ୍ତ ସର୍ପଟିକୁ ଦେଖିବାକୁ ପାଇଥିଲେ । ଏହା ମଙ୍ଗଳମୟଙ୍କ ବିଶେଷ ଅନୁକମ୍ପା ବୋଲିବାକୁ ହେବ । ନଚେତ୍ ପିତାଙ୍କର ଜୀବନରକ୍ଷା ତାହାଙ୍କ ପକ୍ଷେ ସମ୍ଭବ ହୋଇ ନ ଥାନ୍ତା ।”

 

“ବାସ୍ତବିକ” ଯୁବରାଜ କହିଲେ, ‘‘ଆମ୍ଭେମାନେ ପ୍ରତ୍ୟେକେ ଏହିପରି ଭାବରେ ବିଧାତାଙ୍କ ଅନୁଗ୍ରହରୁ ନାନା ବିପଦିଆପଦ ଅତିକ୍ରମ କରି ଏଠାରେ ସମବେତ ହୋଇ ପାରିଅଛୁ । ଆଚ୍ଛା, ବର୍ତ୍ତମାନ ଆସ ବନ୍ଧୁ ବ୍ରମତିଙ୍କ କଥା ଶ୍ରବଣ କରିବା ।“

 

ବ୍ରମତି କହିଲେ, “ବନ୍ଧୁବର୍ଗ, ମୁଁ ରାଜକୁମାରଙ୍କର ଅନ୍ୱେଷଣରେ ବାହାରି ବିନ୍ଧ୍ୟାଚଳର ଉପତ୍ୟକା ସକଳ ଭ୍ରମଣ କରିବାକୁ ଲାଗିଲି । ଏହିପରି ଭାବରେ ଅଗ୍ରସର ହେଉ ହେଉ ଘନ ଅରଣ୍ୟ ମଧ୍ୟରେ ପ୍ରବେଶ କରି ଏକ ବଟବୃକ୍ଷତଳେ ଆଶ୍ରୟ ନେଲି । କ୍ରମେ ତନ୍ଦ୍ରା ଆକ୍ରମଣ କରନ୍ତେ ନିଦ୍ରାବସ୍ଥାରେ ମୋର ନିରାପଦତା ଓ ସୁଷୁପ୍ତି ନିମିତ୍ତ ବନଦେବୀଙ୍କୁ ପ୍ରାର୍ଥନା କରି ସେହିଠାରେ ଶୟନ କଲି ।

 

ଆନନ୍ଦର କଥା, ମୁଁ ସେଠାରେ ବେଶ୍ ଶାନ୍ତିରେ ଶୟନ କରି ଏକ ବିଚିତ୍ର ସ୍ଵପ୍ନ ଦେଖିଲି-। ସ୍ୱପ୍ନରେ ମୋତେ ବୋଧ ହେଲା ମୁଁ ଯେପରି କି ଶ୍ରାବସ୍ତି ନଗରୀକୁ ଚାଲିଯାଇଛି । ସେଠାରେ ଶିବରାତ୍ର ଉପଲକ୍ଷେ ଏକ ବିରାଟ ଉତ୍ସବ କିଛି ସମୟ ପୂର୍ବରୁ ସାଙ୍ଗ ହୋଇଥିବାରୁ କର୍ମକ୍ଳାନ୍ତ ସମସ୍ତ ନଗରବାସୀ ସୁଷୁପ୍ତ ଥିଲେ । ସାରା ନଗର ଯେପରିକି ଏକ ମୃତ ନଗରୀରେ ପରିଣତ ହୋଇଥିଲ-। ସଙ୍ଗେ ସଙ୍ଗେ ମୋତେ ବୋଧହେଲା ମୁଁ ଯେପରିକି ଦୃଷ୍ଟିର ଅଗୋଚର ଏକ ବାୟବୀୟ ଜୀବରେ ପରିଣତ ହୋଇ ନିରୁଦ୍ଦିଷ୍ଟ ଭାବରେ ନଗରର ଇତସ୍ତତଃ ଭ୍ରମଣ କରୁଅଛି । ସ୍ୱପ୍ନରେ ଅତି ଅସମ୍ଭବ କଥା ମଧ୍ୟ ସତ୍ୟ ପ୍ରତୀତ ହୁଏ । ସୁତରାଂ କୌଣସି କଥା ମୋତେ ବିଚିତ୍ର ବୋଧ ହେଲା ନାହିଁ । କିଛିକ୍ଷଣ ପରେ ମୁଁ ଜାଣି ପାରିଲି ଯେ ରାଜପ୍ରାସାଦ ମଧ୍ୟରେ ମୁଁ ଅବାଧ ଗତି କରୁଛି । ରାଜଦରବାର ଓ ପଥପାର୍ଶ୍ୱର ସୂକ୍ଷ୍ମ କାରୁକାର୍ଯ୍ୟମାନ ଦେଖି ମୁଁ ମନେ ମନେ ପ୍ରଶଂସା କରିବାକୁ ଲାଗିଲି । ପ୍ରାସାଦର ପ୍ରହରୀମାନଙ୍କୁ ଦେଖି ମଧ୍ୟ ମୋ ମନରେ କୌଣସି ଭୀତିସଞ୍ଚାର ହେଲାନାହିଁ, କାରଣ ମୁଁ ଜାଣେ ଯେ ମୁଁ ସେମାନଙ୍କ ଦୃଷ୍ଟିର ଅଗୋଚର । ଏହିପରି ଭାବରେ ମୁଁ ଅନ୍ତଃପୁରରେ ପ୍ରବେଶ କରି ରାଣୀଙ୍କ ଶୟନାଗାର ନିକଟବର୍ତ୍ତୀ ହେଲି । ସେଠାରେ ଦେଖିଲି ଏକ ସୁସଜ୍ଜିତ କକ୍ଷମଧ୍ୟରେ ଗଜଦନ୍ତ ପଲଙ୍କ ଉପରେ ଜଣେ ଅତି ରୂପସୀ ତରୁଣୀ ଶାୟିତା । ଭାବିଲି ସେ ନିଶ୍ଚୟ ରାଜକୁମାରୀ ହେବେ । ମୁଁ ସେତେବେଳେ ମନେ ମନେ ପ୍ରତିଜ୍ଞା କଲି ଯେ ମୁଁ ନିଃସ୍ୱ ଯାଯାବର ହେଲେ ମଧ୍ୟ ଏ ସୁକୁମାରୀଙ୍କର ମନୋହରଣ କରି ନିଶ୍ଚୟ ମୋର ହୃଦୟେଶ୍ୱରୀ କରିବି-। ଏହା ଠିକ୍ କରି ମୁଁ ତାହାଙ୍କର ନିକଟବର୍ତ୍ତୀ ହୋଇ କମଳ କୋମଳ ଜବାଧରରେ ଚୁମ୍ବନ ଦେବାକୁ ଗଲାବେଳେ ହଠାତ୍ ମୋର ନିଦ୍ରା ଭଙ୍ଗ ହେଲା ।

 

ଏ ସମସ୍ତ କେବଳ ସ୍ୱପ୍ନ–ନିରାଟ ଅବାସ୍ତବ ସ୍ୱପ୍ନ; କିନ୍ତୁ ମୁଁ ବାସ୍ତବ ଅବସ୍ଥାକୁ ଫେରିଆସି ମଧ୍ୟ କାହିଁକି କେଜାଣି ମୋର ସ୍ୱପ୍ନର ପ୍ରତିଜ୍ଞାକୁ ସ୍ମରଣ କରି ତାହାକୁ ସଫଳ କରିବା ପାଇଁ କୃତନିଶ୍ଚୟ ହେଲି ଏବଂ ସେହି ଉଦ୍ଦେଶ୍ୟରେ ଶ୍ରାବସ୍ତି ନଗରୀ ଅଭିମୁଖରେ ଯାତ୍ରା କଲି ।

 

ମୋ ଲକ୍ଷ୍ୟ ସ୍ଥଳର ନିକଟରେ ଗୋଟିଏ ଗ୍ରାମମଧ୍ୟରେ କୁକ୍କୁଟ ଯୁଦ୍ଧର ଆୟୋଜନ ହେଉଥିଲା । ମୁଁ ସେଠାରେ ଦର୍ଶକମାନଙ୍କ ସହିତ ଯୋଗ ଦେଲି; କିନ୍ତୁ ମୁଁ କୁକ୍କୁଟ ଦୁଇଟିକୁ ଦେଖି ହାସ୍ୟ ସମ୍ବରଣ ନ କରି ରହି ପାରିଲି ନାହିଁ କାରଣ ସେଥିମଧ୍ୟରୁ ଗୋଟାଏ ଅତି ଉଚ୍ଚ ଏବଂ ହୃଷ୍ଟପୁଷ୍ଟ, ଅପରଟି ଅତି କ୍ଷୁଦ୍ର ଓ ଦୁର୍ବଳ । କୌଣସିଠାରେ ଏପରି ଯୁଦ୍ଧ ସମ୍ଭବ ହୁଏ ନାହିଁ–ତେଣୁ ଏପରି ବିବାଦ ଦେଖିବା ପାଇଁ ଅପେକ୍ଷା କରିବା ସମୟର ଅପବ୍ୟୟ ଛଡ଼ା ଆଉ କିଛି ନୁହେଁ । ମୁଁ ଯାହା ଭାବିଲି ତାହା ଚିତ୍କାର କରି କହିଦେବାକୁ ଚେଷ୍ଟା କଲାବେଳେ ହଠାତ୍ ମୋର ନିକଟବର୍ତ୍ତୀ ଜଣେ ବ୍ରାହ୍ମଣ ମୋତେ ଟାଣି ଆଣି ତାହାଙ୍କର ବିଜୟରେ ବାଧା ନ ଦେଇ ନୀରବ ରହିବା ନିମିତ୍ତ ଅନୁରୋଧ କଲେ । ସେ କହିଲେ ସେ ଜାଣନ୍ତି, ତାହାଙ୍କ କୁକ୍କୁଟ ନିଶ୍ଚୟ ଜୟଲାଭ କରିବ, କିନ୍ତୁ ତାହାଙ୍କର ପ୍ରତିଦ୍ୱନ୍ଦ୍ୱୀ ତାହାଙ୍କ ପ୍ରତି ଓ ତାହାଙ୍କ କୁକ୍କୁଟ ପ୍ରତି ତାଚ୍ଛଲ୍ୟ ପ୍ରକାଶ କରି କହିଛି ଯେ ଅନ୍ୟ କୌଣସି ଯେତେ ଦୁର୍ବଳ କୁକ୍କୁଟ ହେଉ ନା କାହିଁକି ବ୍ରାହ୍ମଣର କୁକ୍କୁଟକୁ ନିଶ୍ଚୟ ପରାସ୍ତ କରିବ । ତେଣୁ ସେ ତାହାଙ୍କ ପ୍ରତିଦ୍ୱନ୍ଦ୍ୱୀକୁ ଏକ ଶିକ୍ଷା ଦେବାକୁ ବସିଛନ୍ତି । ଦୁର୍ଭାଗ୍ୟବଶତଃ ଅଦ୍ୟାବଧି କୌଣସି ଯୁଦ୍ଧରେ ସେ ବିଜୟଲାଭ କରି ନ ଥିଲେ ମଧ୍ୟ ଏହି ଥରକ ଏହା ସୁନିଶ୍ଚିତ । ଏହି କାରଣରୁ ମୁଁ ନୀରବ ହେବାପାଇଁ ସେ ମୋତେ ଅନୁନୟ କଲେ ।

 

ମୁଁ ନୀରବ ରହିଲି ଏବଂ ନିକଟରେ ଉପବେଶନ କରି ବ୍ରାହ୍ମଣଙ୍କଠାରୁ ଖଣ୍ଡିଏ ତାମ୍ୱୁଳ ଗ୍ରହଣ କରି ଚର୍ବଣ କରିବାକୁ ଲାଗିଲି । ଯୁଦ୍ଧ ଅତଶୀଘ୍ର ସମାପ୍ତ ହେଲା ଓ ବ୍ରାହ୍ମଣଙ୍କର କୁକ୍କୁଟ ବିଜୟୀ ବୋଲି ଘୋଷିତ ହେଲା । ବାହ୍ମଣ ଗର୍ବୋତ୍‍ଫୁଲ୍ଲ ପ୍ରାଣରେ କୁକ୍କୁଟ ସହ ସ୍ଵଗୃହକୁ ପ୍ରତ୍ୟାବର୍ତ୍ତନ କଲାବେଳେ ମୋତେ ତାହାଙ୍କର ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଲେ । କିଛି ଦିନ ଲାଗି ମୁଁ ତାହାଙ୍କଦ୍ୱାରା ଅତି ଆଦରରେ ଅଭ୍ୟର୍ଥିତ ହେଲି । ବ୍ରାହ୍ମଣ ମୋଠାରେ ବିଶେଷ ପ୍ରୀତ ହୋଇ ମୋର ସବିଶେଷ ପରିଚୟ ପାଇବାକୁ ଇଚ୍ଛାପ୍ରକାଶ କଲେ । ମୁଁ ପରିଚୟ ସହିତ ଅବଶ୍ୟ ମୋର ସ୍ୱପ୍ନକଥା ତାହାଙ୍କୁ କହିଲି ନାହିଁ । ମାତ୍ର ଯେତେବେଳେ ବିଦାୟ ନେବାକୁ ବାହାରିଲି ସେତେବେଳେ ମୁଁ ତାହାଙ୍କୁ ଘନିଷ୍ଠ ବନ୍ଧୁ, ଭାବରେ ସ୍ମରଣ କରିବା ନିମିତ୍ତ ଓ ଆବଶ୍ୟକ ସମୟରେ ତାହାଙ୍କର ସାହଚର୍ଯ୍ୟ ଲୋଡ଼ିବା ନିମିତ୍ତ ସେ ମୋତେ ଅନୁରୋଧ କଲେ । ମୁଁ ତାହାଙ୍କୁ ଗୋଟିଏ ରତ୍ନମୁଦ୍ରିକା ବନ୍ଧୁତ୍ୱର ଚିହ୍ନସ୍ୱରୂପ ଦେଇ ସେ ସ୍ଥାନ ପରିତ୍ୟାଗ କଲି ।

 

ମୁଁ ଶ୍ରାବସ୍ତି ନଗରରେ ପଦାର୍ପଣ କଲାବେଳକୁ ମଧ୍ୟାହ୍ନ-ରବିର କିରଣ ଅତି ପ୍ରଖର ହୋଇଉଠିଥିଲା । ସୁତରାଂ ନଗରର ଗୋଟିଏ ଉଦ୍ୟାନ ମଧ୍ୟରେ ପ୍ରବେଶ କରି ବିଶ୍ରାମ ନେଉ ନେଉ ନିଦ୍ରାଭିଭୂତ ହୋଇ ପଡ଼ିଲି ।

 

କିଛି ସମୟ ପରେ ମୋର ନିଦ୍ରାଭଙ୍ଗ ହୁଅନ୍ତେ ମୁଁ ଦେଖିଲି ଜଣେ ଯୁବକ ମୋ ନିକଟରେ ଉପବେଶନ କରି ମୋତେ ଜିଜ୍ଞାସୁ ନେତ୍ରରେ ଲକ୍ଷ୍ୟ କରୁଅଛି । ମୁଁ ତାହାଙ୍କୁ ଏପରି ଲକ୍ଷ୍ୟ କରିବାର ଉଦ୍ଦେଶ୍ୟ ପଚାରିବାରୁ ସେ କହିଲେ, “ଆପଣ ଅପରିଚିତ, ସୁତରାଂ ମୋତେ କ୍ଷମାକରନ୍ତୁ । ଆପଣଙ୍କଠାରେ ମୁଁ ଏକ ଅଭିନବ ସାଦୃଶ୍ୟ ଲକ୍ଷ୍ୟ କରି ପାରିଅଛି । କିଛିଦିନ ହେଲା ମୋର ଭଗିନୀ ଗୋଟିଏ ବ୍ୟକ୍ତିର ପ୍ରତିକୃତି ଆଣିଅଛି । ତାହାର ମୁଖଛବି ସହିତ ଆପଣଙ୍କର ସାଦୃଶ୍ୟ ଅତି ଅଧିକ । ଆପଣ ମୋ ସହିତ ଆସି ପ୍ରତିକୃତିଟି ଦେଖି ଯାଇପାରନ୍ତି । ଆପଣଙ୍କୁ ଦେଖି ମୋର ଭଗିନୀ ନିଶ୍ଚୟ ଆନନ୍ଦିତା ହେବ ।”

 

ମୋର ଅନ୍ୟତ୍ର କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ଥିବାରୁ ଯୁବକଙ୍କ ସହିତ ମୁଁ ତାହାଙ୍କର ବାସଭବନକୁ ଗମନ କଲି । ତାହା ଏକ ରାଜପ୍ରାସାଦ ତୁଲ୍ୟ ଅଟ୍ଟାଳିକା । ମୁଁ ସମ୍ପୂର୍ଣ୍ଣ ଅପରିଚିତ ହେଲେ ମଧ୍ୟ ସେ ମୋତେ ଅତିଥି ଭାବରେ ସମ୍ବର୍ଦ୍ଧନା କଲେ । ସୁଖକର ସ୍ନାନ ଓ ରୁଚିକର ଆହାର ପରେ ସେ ମୋତେ ତାହାଙ୍କର ଭଗିନୀଙ୍କ କକ୍ଷ ମଧ୍ୟକୁ ନେଇଗଲେ ।

 

ବନ୍ଧୁଙ୍କର ଭଗିନୀ ଯୁବତୀ । ସେତେବେଳେ ସେ ଏକ ପଟ୍ଟବସ୍ତ୍ର ଉପରେ ପୁଷ୍ପଚିତ୍ର ରଚନା କରୁଥିଲେ । ଜାଣି ପାରିଲି, ସେତେବେଳ ଯାଏ ଭାଇଭଉଣୀଙ୍କ ମଧ୍ୟରେ ମୋ ସମ୍ବନ୍ଧେ କୌଣସି କଥୋପକଥନ ହୋଇ ନ ଥିଲା–କାରଣ ଯୁବତୀ ମୋତେ ଦେଖିବା ମାତ୍ରେ ଆସନ ତ୍ୟାଗ କରି ଠିକ୍ ତାହାଙ୍କ ଭାଇଙ୍କ ଭଳି ମୋ ଉପରେ ସବିସ୍ମୟ ଦୃଷ୍ଟିପାତ କଲେ ଏବଂ ଭାଇ ମୋ ଆଡ଼କୁ ଅଙ୍ଗୁଳି ଦେଖାଇ ଭଉଣୀଙ୍କୁ କହିଲେ, “ଭଉଣୀ, ବଡ଼ ଆଶ୍ଚର୍ଯ୍ୟର କଥା ଯେ ତୁମେ ରାଜପ୍ରାସାଦରୁ ଆଣିଥିବା ଛବି ଭଳି ଅବିକଳ ଏ ଭଦ୍ରଲୋକଙ୍କୁ ମୁଁ ଅକସ୍ମାତ୍ ଦେଖି ପାରୁଛି । ଏହାଙ୍କଠାରୁ ନିକଟତର ସାମଞ୍ଜସ୍ୟ ଆଉ ସମ୍ଭବ ହୋଇ ପାରେ କି ?” “ଭାଇ” ଭଉଣୀ ଉତ୍ତର କଲେ, “ବାସ୍ତବିକ ଅସାଧାରଣ ସାମଞ୍ଜସ୍ୟ । ମୁଁ ଏ ସମ୍ବାଦ ରାଜକୁମାରୀଙ୍କୁ ଅତିଶୀଘ୍ର ଜଣାଇବି ।”

 

ଏହି କଥାବାର୍ତ୍ତାରୁ ମୁଁ ବୁଝିନେଲି ଯେ ଏ ଯୁବତୀ ରାଜକୁମାରୀଙ୍କର ଜଣେ ଅନ୍ତରଙ୍ଗ ସହଚରୀ ଏବଂ ରାଜକୁମାରୀ ବୋଧହୁଏ ମୋର ସ୍ୱପର ପ୍ରେୟସୀ । ତାହା, ପରେ ତାହାଙ୍କର ଭାଇ କହିଥିବା ପ୍ରତିକୃତିଟି ଆଣି ଯୁବତୀ ମୋତେ ଦେଖାଇଲେ। ମୁଁ ସେ ଛବିକୁ ଏବଂ ଦର୍ପଣରେ ମୋର ପ୍ରତିବିମ୍ବକୁ ଦେଖିଲି । ବାସ୍ତବରେ ସାଦୃଶ୍ୟ ଅତି ପ୍ରବଳ । ମୁଁ ଯୁବତୀଙ୍କ ପ୍ରତି ନୀରବ ଦୃକ୍‍ପାତ କରି ଏ ବିଚିତ୍ର ସାମଞ୍ଜସ୍ୟର ରହସ୍ୟ ପ୍ରକାଶ କରିବା ନିମିତ୍ତ ମୂକ ନିବେଦନ କଲି ।

 

ଦୃଷ୍ଟିର ଭାବ ବୋଧ କରି ଯୁବତୀ କହିଲେ, “ହେ ଅପରିଚିତ, ଏ ପ୍ରତିକୃତି ମୋର ଅନ୍ତରଙ୍ଗ ବାନ୍ଧବୀ ଚିତ୍ରକଳାକୁଶଳା ରାଜକୁମାରୀ ନବମାଳିକାଙ୍କଦ୍ୱାରା ଅଙ୍କିତ । ସେ ଶିବୋତ୍ସବର ପରଦିବସ ରାତ୍ର କୌଣସି ଦେବ ବା ମାନବଙ୍କୁ ସ୍ଵପ୍ନରେ ଦେଖି ତାହାଙ୍କର ଛବି ଅଙ୍କନ କରିଛନ୍ତି । ପ୍ରତିକୃତି ଅଙ୍କନ କଲାବେଳେ ସେ ମୋତେ ସ୍ୱପ୍ନ କଥା ବର୍ଣ୍ଣନା କରି କହିଲେ ଯେ ସେ ନିଜେ ସେତେବେଳେ ଏ ଅଶରୀରିଣୀ ଅବସ୍ଥାରେ ଅନ୍ୟ ଏକ ଅଶରୀରୀ ପୁରୁଷଦ୍ୱାରା ଆକୃଷ୍ଟ ହୋଇ ନଗର ମଧ୍ୟରେ ଅବାଧରେ ଭ୍ରମଣ କଲାଭଳି ବୋଧ କରୁଥିଲେ । ମାତ୍ର ଅଶରୀରୀ ପୁରୁଷ ପୁରୋଭାଗରେ ସର୍ବଦା ଗତି କରୁଥିଲେ ମଧ୍ୟ ନିଜର ଶୟନକକ୍ଷକୁ ଫେରି ନ ଆସିବା ଯାଏ ସେ ତାହାଙ୍କର ମୁଖ ଦେଖିବାକୁ ପାଇ ନ ଥିଲେ । ଶୟନକକ୍ଷରେ ଉଭୟଙ୍କର ସାକ୍ଷାତ୍ ହେବାକ୍ଷଣି ତାହାଙ୍କର ସ୍ୱପ୍ନ ଭାଙ୍ଗିଗଲା । ସେହି କ୍ଷଣିକ ଦେଖା ତାହାଙ୍କ ମାନସପଟରେ ଏକ ଗଭୀର ରେଖାପାତ କରିଦେଲା । ତାହାଙ୍କର ଦୃଢ଼ ଧାରଣା ହେଲା ଯେ ସେହି ପୁରୁଷ ତାହାଙ୍କର ଭାବୀ ହୃଦୟେଶ୍ୱର ।

 

ଯୁବରାଜ, ଏ କଥା ଶ୍ରବଣ କଲାବେଳେ ନିଜର ସ୍ୱପ୍ନ ବିବରଣ ସ୍ମରଣ କରି ମୋର ମନରେ ଯେଉଁ ଭାବ ଜାତ ହୋଇଥିବ ତାହା ଆପଣ ଅନୁମାନ କରି ପାରୁଥବେ । ଅଦୃଷ୍ଟ ଯେ ଆମ୍ଭମାନଙ୍କୁ ପରସ୍ପରର ନିକଟତର କରି ଆଣୁଥିଲା, ଏଥିରେ ମୋର ସନ୍ଦେହ ରହିଲା ନାହିଁ । ସୁତରାଂ ମୁଁ ପରେ ମୋର ନିଜ ସ୍ୱପ୍ନ-ବୃତ୍ତାନ୍ତ ବର୍ଣ୍ଣନ କଲି ଏବଂ ସଙ୍ଗେ ସଙ୍ଗେ ତୂଳିକା ଗ୍ରହଣ କରି ସେହି ଚିତ୍ରପୃଷ୍ଠରେ ମୋର ସ୍ୱପ୍ନ ପ୍ରେୟସୀର ମୁଖମଣ୍ଡଳ ଅଙ୍କନ କଲି । ଚିତ୍ର ଅତ୍ୟନ୍ତ ତାତ୍କାଳିକ ହେଲେ ମଧ୍ୟ ଭ୍ରାତା ଓ ଭଗିନୀ ଉଭୟେ ଏକ ମୁଖରେ ସ୍ୱୀକାର କଲେ ଯେ ରାଜକୁମାରୀଙ୍କ ମୁଖ ସହିତ ଛବିର ସାଦୃଶ୍ୟ ଅତି ନିକଟତର ଥିଲା । ନବମାଳିକାଙ୍କୁ ମୁଁ କେବେ ସଶରୀରରେ ଦେଖି ନ ଥିଲି, ତେଣୁ ସେମାନଙ୍କର ମୋ ସ୍ୱପ୍ନ ସମ୍ୱନ୍ଧେ ପୂର୍ଣ୍ଣ ଆସ୍ଥା ଜନ୍ମିଲା ଏବଂ ରାଜକୁମାରୀଙ୍କର ମୁଁ ଯେ ପ୍ରଜାପତିନିର୍ଦ୍ଦିଷ୍ଟ ପତି, ଏ କଥା ବିଶ୍ୱାସ ହେଲା ।

 

ଏପରି ଦୁଇଟି ସ୍ଵପ୍ନର ମିଳନ ସମ୍ବନ୍ଧେ ହୁଏତ ରାଜକୁମାରୀଙ୍କର ଓ ତାହାଙ୍କ ବନ୍ଧୁମାନଙ୍କର ଏବଂ ସର୍ବୋପରି ମୋହର ପ୍ରତୀତ ଆସିପାରେ; କିନ୍ତୁ ରାଜା ଏ କଥାକୁ କର୍ଣ୍ଣପାତ କରିବେ କାହିଁକି ? ସେମାନଙ୍କଠାରୁ ଶୁଣିଲି ଜାମାତା ମନୋନୟନରେ ରାଜା ବଡ଼ କଠୋର ପ୍ରଥା ଅବଲମ୍ବନ କରିଥିଲେ । କାରଣ ନବମାଳିକାଙ୍କ ଅତୁଳନୀୟ ରୂପଶ୍ରୀର ପ୍ରଶଂସା ନାନା ରାଜ୍ୟରେ ପ୍ରଚାରିତ ହୁଅନ୍ତେ ବହୁ ବିକ୍ରମୀ ଯୋଦ୍ଧା ଏବଂ ରାଜପୁରୁଷ ତାହାଙ୍କର ପ୍ରଣୟପ୍ରାର୍ଥୀ ହୋଇ ନିଜ ନିଜକୁ ଛଦ୍ମବେଶୀ ନରପତି ଏବଂ ନବମାଳିକାଙ୍କର ବିଧିନିର୍ଦ୍ଦିଷ୍ଟ ପତି ବୋଲି ପରିଚୟ ଦେଇଥିଲେ-। କିନ୍ତୁ ରାଜା ସେମାନଙ୍କ ବ୍ୟବହାରରେ ସନ୍ଦିଗ୍ଧ ହୋଇ ସେମାନଙ୍କୁ ଗୋଟି ଗୋଟି କରି ରାଜ୍ୟରୁ ବହିଷ୍କୃତ କରିଦେଇଥିଲେ ।

 

ଏହାପରେ ମୁଁ କହିଲି, “ଆପଣମାନେ ମୋର ସ୍ୱପ୍ନ ସମ୍ବନ୍ଧେ ନିଶ୍ଚୟ ନିଃସନ୍ଦେହ । ସୁତରାଂ କୌଣସି ଗୋପନ ଉପାୟରେ ମୋତେ ମୋର ସ୍ୱପ୍ନପ୍ରେୟସୀଙ୍କୁ ହସ୍ତଗତ କରିବାକୁ ହେବ-। ମୋର ଜଣେ ବନ୍ଧୁ, ଆବଶ୍ୟକ ସମୟରେ ମୋତେ ସାହାଯ୍ୟ କରିବା ପାଇଁ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି । ବର୍ତ୍ତମାନ ମୁଁ ତାହାଙ୍କର ଉପଦେଶ ଗ୍ରହଣ କରିବା ନିମିତ୍ତ ଯାଉଛି । ଯଦି ଏପରି କୌଣସି ସ୍ଥାନ ବା ସମୟରେ ଆପଣମାନେ ମୋର ଉପସ୍ଥିତିର କୌଣସି ସୂଚନା ପାଆନ୍ତି, ଯେଉଁ ସ୍ଥାନ ବା ସମୟରେ ମୋର ପ୍ରବେଶ ନିଷିଦ୍ଧ, ଅବାଞ୍ଚ୍ଥନୀୟ ବା ଅସମ୍ଭବ–ତେବେ କୌଣସିପ୍ରକାରେ ବିସ୍ମିତ ହେବେ ନାହିଁ । ଏହାଦ୍ୱାରା ମୁଁ କାହାରି କୌଣସି କ୍ଷତି କରିବି ନାହିଁ ବା ଅନ୍ୟାୟ କାର୍ଯ୍ୟ କରିବି ନାହିଁ । ମୋର ବିଶ୍ୱାସ ଆପଣମାନେ ମୋ ପ୍ରତି ବିରୁଦ୍ଧାଚରଣ କରିବେ ନାହିଁ । ରାଜା ନିଜେ ପ୍ରକାଶ୍ୟ ଭାବେ ମୋତେ ତାହାଙ୍କର ଜାମାତାରୂପେ ଗ୍ରହଣ କରିବେ । ଏଥିଦ୍ୱାରା ମୁଁ ମୋର ବୁଦ୍ଧିମତ୍ତାର ପରିଚୟ ଦେବି । ଅଳ୍ପ କେତେକ ମାସ ମଧ୍ୟରେ ମୁଁ ଯଦି ଏହା ସାଧନ କରି ନ ପାରେ, ତେବେ ମୃତ୍ୟୁବରଣ କରିବି ।”

ସେମାନେ ମୋର ପ୍ରସ୍ତାବ ଶୁଣି ବିଶେଷ ଆନନ୍ଦିତ ହେଲେ ଓ ପ୍ରତିଜ୍ଞା କଲେ ଯେକୌଣସି ସମୟରେ ମୋତେ କୌଣସି ଅନାକାଙ୍‍କ୍ଷିତ ସ୍ଥାନରେ ଦେଖିବାକୁ ପାଇଲେ ତାହା ସେମାନେ ପ୍ରକାଶ କରିବେ ନାହିଁ ଏବଂ ଆମ୍ଭମାନଙ୍କର ବର୍ତ୍ତମାନର ସାକ୍ଷାତକୁ ମଧ୍ୟ ଗୋପନ ରଖିବେ ।

ତାହାପରେ ମୁଁ ସେଠାରୁ ବାହାରି ମୋର ବ୍ରାହ୍ମଣ ବନ୍ଧୁଙ୍କ ନିକଟକୁ ଫେରିଆସିଲି । ତାହାଙ୍କ ସମ୍ମୁଖରେ ଏ ସମସ୍ତ ବୃତ୍ତାନ୍ତ ପ୍ରକାଶ କରନ୍ତେ ସେ କିଛି ସମୟ ଚିନ୍ତା କରି କହିଲେ, “ତାହାହେଲେ କିଛି ଦିନ ପାଇଁ ତୁମେ ମୋର କନ୍ୟା ହୋଇପାରିବ ?”

“ତୁମର କନ୍ୟା !” ମୁଁ ବିସ୍ମିତ ହୋଇ ପଚାରିଲି, “ତାହା ମୋତେ କିପରି ସାହାଯ୍ୟ କରିବ-?” “ଧୈର୍ଯ୍ୟ ଧର ଏବଂ ଦେଖ !” ଏତିକି ମାତ୍ର କହି ବନ୍ଧୁ ମୃଦୁ ହାସ୍ୟ କରିବାକୁ ଲାଗିଲେ ।

ଏହାପରେ ନାରୀର ଛଦ୍ମବେଶରେ କିପରି ଗତି କରିବାକୁ ହେବ, ବାକ୍ୟାଳାପ କରିବାକୁ ହେବ, ବେଶବିନ୍ୟାସ କରିବାକୁ ହେବ, ଏହିପରି ଅସଂଖ୍ୟ କଥା ମୋତେ ଶିକ୍ଷା କରିବାକୁ ହେଲା । ଭାଗ୍ୟବଶତଃ ମୁଁ ନାତିଦୀର୍ଘ ଥିଲି ଏବଂ ମୋର ହସ୍ତପଦ ସ୍ତ୍ରୀମାନଙ୍କ ଭଳି କ୍ଷୁଦ୍ର ଏବଂ କୋମଳ ଥିଲା । ସୁତରାଂ ମୁଁ ଏକ ଅତି ଚମତ୍କାର ଯୁବତୀରେ ପରିଣତ ହୋଇଗଲି ।

ଯେତେବେଳେ ବ୍ରାହ୍ମଣ ବିଚାର କଲେ ଯେ ମୋର ଗତି ଓ ରୀତି ଅବିକଳ ନାରୀମାନଙ୍କ ଭଳି ହୋଇପାରିଛି, ସେତେବେଳେ ସେ ତାହାଙ୍କ ଯୋଜନାର ଏକ ଅଂଶ ମୋ ସମ୍ମୁଖରେ ପ୍ରକାଶ କଲେ । ସଂକ୍ଷେପରେ ସେ କହିଲେ ଯେ ସେ ମୋତେ ତାହାଙ୍କର କନ୍ୟାରୂପରେ ରାଜାଙ୍କ ତତ୍ତ୍ୱାବଧାନରେ ରଖି ମୋ ନିମିତ୍ତ ପ୍ରସ୍ତାବିତ ଓ ପରେ ନିରୁଦ୍ଦିଷ୍ଟ ହୋଇଥିବା ପତିଙ୍କ ଅନୁସନ୍ଧାନରେ ଉଜ୍ଜୟିନୀ ଯାତ୍ରା କରିବେ । ଆସନ୍ତା ଶିବରାତ୍ରି ଉତ୍ସବ ଦିନ ମୁଁ ଗୋପନରେ ଚାଲିଯାଇ ସେ ଯେଉଁ ସ୍ଥାନର ସୂଚନା ଦେଇଥିବେ, ସେଠାରେ ସନ୍ତରଣଦ୍ୱାରା ନଦୀ ଅତିକ୍ରମ କରିଯିବି । ସେହି ସ୍ଥାନରେ ସେ ମୋର ନିଜର ପରିଚ୍ଛଦ ସହ ଅପେକ୍ଷା କରିଥିବେ । ଉଚିତ ସମୟରେ ଆମ୍ଭେମାନେ ପ୍ରାସାଦକୁ ଆସି ଶୁଣିବୁ ଏବଂ ଦେଖିବୁ...କଅଣ ? ବ୍ରାହ୍ମଣ ଉଚ୍ଚ ହାସ୍ୟ କରୁ କରୁ କହିଲେ, “ଧୈର୍ଯ୍ୟ ଧର, ଧୈର୍ଯ୍ୟ ଧର ।”

ପର ଦିବସ ଆମ୍ଭେମାନେ ଶ୍ରାବସ୍ତି ନଗର ଅଭିମୁଖରେ ଯାତ୍ରା କଲୁ । ନଦୀ ନିକଟରେ ପହଞ୍ଚନ୍ତେ ମୁଁ ଯେଉଁ ସ୍ଥାନରୁ ଗୋପନରେ ସନ୍ତରଣ କରିଆସି ଯେଉଁ ସ୍ଥାନରେ ଅପେକ୍ଷା କରିବି, ତାହା ଠିକ୍ କରାଗଲା । ତାହାପରେ ଦୁହେଁ ନଗର ମଧ୍ୟରେ ପ୍ରବେଶ କରି ରାଜପ୍ରାସାଦ ଅଭିମୁଖରେ ଗତି କଲୁ । ଅନତିବିଳମ୍ବେ ଆମ୍ଭମାନଙ୍କୁ ରାଜଦରବାରରେ ରାଜାଙ୍କ ସାକ୍ଷାତ ମିଳିଲା-। ମୋର ଛଳନାକାରୀ ପିତା ରାଜାଙ୍କୁ ଆଶୀର୍ବାଦ ପ୍ରଦାନ କରିସାରି ବିନୀତ ଭାବରେ ଜଣାଇଲେ, “ଶ୍ରୀଛାମୁରେ ନିବେଦନ ଏହି କି, ଏ ବାଳିକା ମୋର ଏକମାତ୍ର କନ୍ୟା । କେତେକ ବର୍ଷ ହେଲା ଏହାର ମାତା ମୃତ୍ୟୁମୁଖରେ ପତିତ ହେବାରୁ ମୁଁ ଏହାକୁ ଉଭୟ ପିତା ଓ ମାତା ଭାବରେ ଲାଳନପାଳନ କରିଅଛି । ଏ ମୋର ନୟନର ପିତୁଳା ଏବଂ ଜୀବନର ଶ୍ରେଷ୍ଠ ସମ୍ପତ୍ତି । କେତେକ ବର୍ଷ ପୂର୍ବେ ମୁଁ ମୋର ଜଣେ ସଚ୍ଚରିତ୍ର ଶାସ୍ତ୍ରଜ୍ଞ ବନ୍ଧୁଙ୍କ ସହିତ ଏହାର ବିବାହ ଦେବି ବୋଲି ବାଗ୍‍ଦାନ କରିଥିଲି । ତାହାପରେ ସେ ଭାବୀ କୁଟୁମ୍ବ ପ୍ରତିପୋଷଣ ନିମିତ୍ତ ଅର୍ଥୋପାର୍ଜନ କରିବା ଉଦ୍ଦେଶ୍ୟରେ ଉଜ୍ଜୟିନୀ ଯାତ୍ରା କଲେ । ବହୁ ଦିବସ ହେଲା ମୁଁ ତାହାଙ୍କର କୌଣସି ସମ୍ବାଦ ପାଇ ନଥିବାରୁ ହୃଦୟରେ ନାନା ଆଶଙ୍କାର ସଞ୍ଚାର ହେଉଅଛି । ତେଣୁ ମୁଁ ଅନତିବିଳମ୍ବେ ଉଜ୍ଜୟିନୀ ଗମନ କରି ତାହାଙ୍କର ଅନୁସନ୍ଧାନ କରିବା ଦରକାର । କନ୍ୟାର ବିବାହ ବୟସ ହୋଇଯାଇଥିବାରୁ ତାହା ଯଥାଶୀଘ୍ର ସମ୍ପନ୍ନ କରିବାକୁ ହେବ; କିନ୍ତୁ ମୋର ଏପରି କେହି ବନ୍ଧୁ ଏ ରାଜ୍ୟରେ ନାହିଁ ଯାହା ଉପରେ କନ୍ୟାର ଭାର ଅର୍ପଣ କରି ମୁଁ ବିଦେଶଯାତ୍ରା କରିପାରେ । ଶାସ୍ତ୍ର କହେ–ରାଜା ପ୍ରଜାସାଧାରଣଙ୍କର ପିତା ଓ ରକ୍ଷକ । ସୁତରାଂ ମୋର ବିନୀତ ଅନୁରୋଧ ଏହି କି ଛାମୁ ମୋର କନ୍ୟାରତ୍ନକୁ ମୁଁ ପ୍ରତ୍ୟାବର୍ତନ କରିବା ଯାଏଁ ନିଜ ତତ୍ତ୍ୱାବଧାନରେ ରକ୍ଷା କରନ୍ତୁ ।”

କହିବା ବାହୁଲ୍ୟ ଯେ ରାଜା ଅତି ଆନନ୍ଦର ସହିତ ଏ ପ୍ରସ୍ତାବରେ ସ୍ୱୀକୃତ ହେଲେ ଏବଂ ନିଜର କନ୍ୟାକୁ ଡକାଇଆଣି ମୋତେ ତାହାଙ୍କ ହସ୍ତରେ ଅର୍ପଣ କଲେ । ଅନ୍ତଃପୁରର ଏକ ସୁସଜ୍ଜିତ କୋଠରି ମୋ ପାଇଁ ନିର୍ଦ୍ଦିଷ୍ଟ କରିଦିଆଗଲା । ମୁଁ ପରିଚାରିକା ପରିବେଷ୍ଟିତ ହୋଇ ରାଜକୁମାରୀ ପରି ଦିନାତିପାତ କରିବାକୁ ଲାଗିଲା । କୁମାରୀ ନବମାଳିକା ମୋ ପ୍ରତି ସର୍ବାଧିକ ସଦୟ ବ୍ୟବହାର କରୁଥିଲେ । ଚିତ୍ରାଙ୍କନ ଓ ବୀଣାବାଦନରେ ସେ ସିଦ୍ଧହସ୍ତା ଥିଲେ । ସେ ମୋତେ ତାହାଙ୍କର ଚିତ୍ରଗୁଡ଼ିକ ଦେଖାଇବା ଓ ମୋ ନିକଟରେ ବୀଣା ବଜାଇବାରେ ଅଧିକ ଆନନ୍ଦ ଉପଭୋଗ କରୁଥିଲେ; କିନ୍ତୁ ଏ କଥା ସ୍ୱୀକାର କରିବାକୁ ହେବ ଯେ ସର୍ବଦା ଏକାନ୍ତରେ ତାହାଙ୍କ ସହିତ ଆଳାପ କରୁଥିବାରୁ ଆତ୍ମଗୋପନ କରି ରହିବା ନିମିତ୍ତ ମୋତେ ଯତ୍ପରୋନାସ୍ତି ଆତ୍ମସଂଯମ କରିବାକୁ ହୋଇଥିଲା । ଦିନେ ସେ ମୋତେ କହିଲେ ଯେ, ସେ ମୋ ପ୍ରତି ବିଶେଷ ଆସକ୍ତା ହେବାର ପ୍ରଧାନ କାରଣ ମୁଁ ତାହାଙ୍କ ସ୍ୱପ୍ନଦୃଷ୍ଟ ପତିଙ୍କ ଭଗିନୀ ପରି ଦେଖା ଯାଉଥିଲି । ତାହାପରେ ସେ ତାହାଙ୍କର ସ୍ୱପ୍ନବୃତ୍ତାନ୍ତ ପ୍ରକାଶ କରି ନିଜେ ଅଙ୍କନ କରିଥିବା ଭାବୀ ପତିଙ୍କ ଛବି ଦେଖାଇଲେ । ଏ ଛବିର ପୃଷ୍ଠଭାଗରେ ଲିଖିତ ତାହାଙ୍କ ନିଜ ପ୍ରତିକୃତିଟିକୁ ଦେଖାଇ ସେ କହିଲେ, ଏହା ତାହାଙ୍କର ଜଣେ ବାନ୍ଧବୀ ଅଙ୍କନ କରିଛି । ଅବଶ୍ୟ ଏହି ସମୟରେ ତାହାଙ୍କର ଉକ୍ତ ବାନ୍ଧବୀ ସେଠାରେ ଉପସ୍ଥିତା ଥିଲେ ଏବଂ ଏ କଥା ଶ୍ରବଣ କରି ତାହାଙ୍କ ମୁଖରେ ମୃଦୁ ହାସ୍ୟରେଖା ଖେଳିଗଲା; ମାତ୍ର ଅସମ୍ମତି ପ୍ରକାଶ ପାଇଲା ନାହିଁ । ଏତିକିବେଳେ ମୁଁ ତାହାଙ୍କ ଆଡ଼କୁ ଚକ୍ଷୁ ଫେରାନ୍ତେ ହଠାତ୍ ତାହାଙ୍କ ଦୃଷ୍ଟିରେ ବିସ୍ମୟଭାବ ଖେଳିଗଲା; କିନ୍ତୁ ଆନନ୍ଦର କଥା ସେ ତାହାଙ୍କର ପ୍ରତିଜ୍ଞା ରକ୍ଷା କରି ମନୋଭାବ ଗୋପନ କରିନେଲେ ।

ଶେଷରେ ଶିବରାତ୍ରି ଉପସ୍ଥିତ ହେଲା । ରାଜାରାଣୀ ଏବଂ ରାଜପରିବାର ଶିବାଳୟରେ ପୂଜାରାଧନା ପାଇଁ ବାହାରିଲେ । ମୁଁ ରାଜକୁମାରୀଙ୍କ ସହିତ ଗମନ କଲି । ମନ୍ଦିରପ୍ରବେଶ ପୂର୍ବରୁ ସମସ୍ତେ ନିକଟବର୍ତ୍ତୀ ନଦୀରେ ସ୍ନାନ କଲେ । ମୁଁ ମଧ୍ୟ ନଦୀମଧ୍ୟରେ ପ୍ରବେଶ କଲି; କିନ୍ତୁ ସକଳ ଚକ୍ଷୁର ଅନ୍ତରାଳରେ ଜଳମଧ୍ୟରେ ନିମଜ୍ଜିତ ହୋଇ ନଦୀଗର୍ଭରେ ସନ୍ତରଣ କରି କରି ଅନ୍ୟ ତଟର ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ହେଲି । ଜଳଗର୍ଭରେ ସନ୍ତରଣ କରି ଆସିଲାବେଳେ ମୁଁ ମୋହର ଶାଢ଼ିକୁ ତ୍ୟାଗ କରିଥିଲି ଏବଂ ତାହା ସ୍ରୋତମୁଖରେ ଭାସି ଯାଇଥିଲା ।

ମୋହର ବ୍ରାହ୍ମଣବନ୍ଧୁ ଯଥାସ୍ଥାନରେ ଅପେକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ମୁଁ ମୋହର ନିଜ ବେଶ ପରିବର୍ତ୍ତନ କଲି ଏବଂ ଉଭୟେ ତାହାଙ୍କ ଗୃହକୁ ପ୍ରତ୍ୟାବର୍ତ୍ତନ କଲୁ ।

ଏଣେ ରାଜକୁମାରୀ ଯେତେବେଳେ ଅବଗତ ହେଲେ ଯେ, ମୁଁ ସେମାନଙ୍କ ମଧ୍ୟରେ ନାହିଁ, ସେ ଅନ୍ୟ ରମଣୀମାନଙ୍କ ସହିତ ମୋର ଅନୁସନ୍ଧାନ କରିବାକୁ ଲାଗିଲେ । ସେମାନେ କ୍ରମେ କିଛି ସମୟ ପରେ ମୋର ଭାସମାନ ଶାଢ଼ି ଦେଖିପାରି ଚିତ୍କାର କରିଉଠିଲେ । ନିଶ୍ଚିତଭାବେ ଜଣାଗଲା ଯେ ମୁଁ ଜଳମଗ୍ନ ହୋଇଛି । ଏ ସମ୍ବାଦ ରାଜାଙ୍କ ନିକଟରେ ପହଞ୍ଚନ୍ତେ ସେ ବିଶେଷ କାତର ହୋଇପଡ଼ି ଜଳମଧ୍ୟରୁ ମୋର ଦେହ ଉଦ୍ଧାର ପାଇଁ ସକଳ ପ୍ରକାର ଯତ୍ନ କଲେ । କିନ୍ତୁ ଶେଷରେ ସକଳ ଚେଷ୍ଟା ନିଷ୍ଫଳ ହେଲା । ମୋର ଅଭାବରେ ରାଜପରିବାରରେ ଗୋଟାଏ ବିଷାଦ ଛାୟା ମାଡ଼ିଗଲା ।

କେତେକ ଦିବସ ପରେ ମୋର ବ୍ରାହ୍ମଣବନ୍ଧୁ ମୋତେ ବହୁମୂଲ୍ୟ ପରିଚ୍ଛଦରେ ରାଜକୁମାର ବେଶରେ ସୁସଜ୍ଜିତ କରି ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ । ଯଥୋପଯୁକ୍ତ ଆଶିଷ ପ୍ରଦାନ ପରେ ବ୍ରାହ୍ମଣ ରାଜାଙ୍କୁ ଉଦ୍ଦେଶ୍ୟ କରି କହିଲେ, “ମହାରାଜ, ମୋର ଉଜ୍ଜୟିନୀ ଯାତ୍ରାକାଳରେ ଛାମୁ ମୋ କନ୍ୟାର ରକ୍ଷଣଭାର ଗ୍ରହଣ କରିଥିବା ଯୋଗୁ ମୁଁ ବିଶେଷ କୃତଜ୍ଞ । ମୋର ଜାମାତା ମୋର କନ୍ୟାକୁ ଗ୍ରହଣ କରିବା ନିମିତ୍ତ ପ୍ରତ୍ୟାବର୍ତ୍ତନୋଦ୍ୟତ ହେଲାବେଳେ ମୁଁ ତାହାଙ୍କ ସାକ୍ଷାତ୍ ପାଇଲି । ଏ ସେହି ମୋ ପାର୍ଶ୍ୱରେ ଦଣ୍ଡାୟମାନ । ଏ ଜଣେ ବିଭବ, ପ୍ରତିଭା ଓ ସୁଶ୍ରୀସମ୍ପନ୍ନ ବ୍ୟକ୍ତି । ମୁଁ ଏପରି ଜଣେ ଜାମାତା ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଅଛି । ବର୍ତ୍ତମାନ ମୋର କନ୍ୟାକୁ ଆନୟନ କରିବା ନିମିତ୍ତ ଛାମୁରୁ ଆଦେଶ ପ୍ରଦତ୍ତ ହେଲେ ଆନନ୍ଦିତ ହେବି ।”

ବ୍ରାହ୍ମଣର ବାକ୍ୟରେ ରାଜା କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଲେ । ତାହାଙ୍କ ମୁଖରୁ ବାକ୍‍ସ୍ଫୂର୍ତ୍ତ ହେଲା ନାହିଁ । ସେ କେବଳ ବ୍ରାହ୍ମଣଙ୍କ ମୁଖକୁ ଅବଲୋକନ କରି ରହିବା ଦେଖି ଜଣେ ମନ୍ତ୍ରୀ ଦଣ୍ଡାୟମାନ ହୋଇ କନ୍ୟାର ଶୋଚନୀୟ ମୃତ୍ୟୁ ସମ୍ବାଦ ପ୍ରକାଶ କଲେ ।

କନ୍ୟା ମୃତା, ଏ କଥା ଶୁଣିବା ମାତ୍ରେ ବ୍ରାହ୍ମଣଙ୍କର ଶୋକ ଅସମ୍ଭାଳ ହୋଇଉଠିଲା । କନ୍ୟାର ଗୁଣ ଓ ରୂପ ସ୍ମରଣ କରି ସେ ଏପରି ବିକଳ-କ୍ରନ୍ଦନ କରିବାକୁ ଲାଗିଲେ ଯେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତିର ଚକ୍ଷୁ ଅଶ୍ରୁଛଳ ଛଳ ହୋଇ ପଡ଼ିଲା । ତାହାପରେ ସେ ହଠାତ୍ ଅତି ଦୃଢ଼ ଭାବରେ ଦଣ୍ଡାୟମାନ ହେବା ସଙ୍ଗେ ସଙ୍ଗେ ରାଜାଙ୍କୁ କଠୋର ଅଭିଶାପ ଦେବାକୁ ଉଦ୍ୟତ ହୋଇ କହିଲେ, “ରାଜା, ଏହି କି ତୁମ୍ଭର ପ୍ରତିଜ୍ଞାପାଳନର ରୀତି ? ତୁମର ଅବହେଳା ଯୋଗୁ ମୁଁ ଏ ଯୁବକ ବ୍ରାହ୍ମଣ ନିକଟରେ ପ୍ରତିଜ୍ଞା ଭଙ୍ଗ କରିବାକୁ ହେବ–ଯାହା କି ମୋ ଜୀବନରେ କଦାପି ଘଟି ନ ଥିଲା-। ମୁଁ ସତ୍ୟ କରିଛି, ପ୍ରାଣପାତରେ ସୁଦ୍ଧା ପ୍ରତିଜ୍ଞା ପାଳନ କରିବି । ତୁମେ ହିଁ ମୋର କନ୍ୟାର ମୃତ୍ୟୁର କାରଣ । ସୁତରାଂ ତୁମେ ମୋର ପ୍ରତିଜ୍ଞା ରକ୍ଷା କରିବାକୁ ହେବ । ମୁଁ ଏହାଙ୍କୁ ଗୋଟିଏ କନ୍ୟା ପ୍ରଦାନ କରିବାପାଇଁ ବାଗ୍‍ଦାନ କରିଛି ଏବଂ ସେ ତାହା ନିଶ୍ଚୟ ପାଇବେ । ତୁମେ ତାହାଙ୍କୁ ନିଜ କନ୍ୟାକୁ ଅର୍ପଣ କର । ଶାସ୍ତ୍ର ଏହା ସମର୍ଥନ କରେ । ଯଦି ନାସ୍ତି କର, ତେବେ ଏହିଠାରେ ହିଁ ମୁଁ ମୋହର ପ୍ରାଣପାତ କରିଚି ।”

କ୍ରୂର ବାକ୍ୟବାଣରେ ରାଜା ବିବ୍ରତ ହୋଇପଡ଼ି ମୋତେ ଓ ମୋର ବନ୍ଧୁଙ୍କୁ ପ୍ରାସାଦରୁ ଅନ୍ତର କରାଇଦେଲେ; କିନ୍ତୁ ବ୍ରାହ୍ମଣଙ୍କର ଦୃଢ଼ ପ୍ରତିଜ୍ଞା ଦେଖି ତାହାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାକୁ ସାହସ କଲେ ନାହିଁ । ଏ ମଧ୍ୟରେ ବ୍ରାହ୍ମଣ ରାଜପ୍ରାସାଦ ସମ୍ମୁଖରେ ଚିତାଗ୍ନି ପ୍ରସ୍ତୁତ କରି ଘୋଷଣା କରିଦେଲେ ଯେ ତାହାଙ୍କର ପ୍ରତିଜ୍ଞା ଭଙ୍ଗ ହେଲେ ସେ ଚିତାମଧ୍ୟରେ ଦେହତ୍ୟାଗ କରିବେ । ଏ ଘଟଣା ଦେଖି ମୋର ହୃତ୍‍କମ୍ପ ଜାତ ହେଲା । କାରଣ ମୋର ବନ୍ଧୁ କ୍ରୋଧର ଛଳନା କରୁ କରୁ ବାସ୍ତବିକ କ୍ରୋଧାନ୍ଧ ହୋଇପଡ଼ିଥିଲେ । ମାତ୍ର ଯାହା ହେଉ, ସେ ତୃତୀୟ ଥର ଅଗ୍ନି ପ୍ରଦକ୍ଷିଣ କରିସାରି ଠିକ୍ ଲମ୍ଫ ଦେବା ନିମିତ୍ତ ଉଦ୍ୟତ ହେଲାବେଳକୁ ଜଣେ ମନ୍ତ୍ରୀ ଦ୍ରୁତଗତିରେ ଆସି ତାହାଙ୍କୁ ବାଧା ଦେଇ ଜଣାଇଦେଲେ ଯେ ବ୍ରହ୍ମହତ୍ୟା ଭୟରେ ରାଜା କନ୍ୟା ପ୍ରଦାନ କରିବାକୁ ସ୍ୱୀକୃତ ।

ହେ ଯୁବରାଜ, ଏହିପରି ଭାବରେ ମୁଁ ମୋର ପ୍ରିୟତମା ନବମାଳିକାଙ୍କୁ ଲାଭ କଲି । ରାଜଦରବାରରେ ରାଜାଙ୍କ ସହିତ ବ୍ରାହ୍ମଣ ବନ୍ଧୁଙ୍କର କଳହ ସମୟରେ ନବମାଳିକା ପରଦା ମଧ୍ୟରୁ ମୋତେ ବରାବର ଲକ୍ଷ୍ୟ କରୁଥାନ୍ତି ଏବଂ ମୁଁ ଯେ ତାହାଙ୍କର ସ୍ୱପ୍ନ ଦୃଷ୍ଟ ପତି, ଏହି ଧାରଣା ସେହି ସମୟରୁ ହିଁ ତାହାଙ୍କ ମନରେ ବଦ୍ଧମୂଳ ହୋଇଥିଲା । ତେଣୁ ବ୍ରାହ୍ମଣଙ୍କର ଇଚ୍ଛା ପୂର୍ଣ୍ଣ କରିବା ପାଇଁ ସେ ପିତାଙ୍କ ସହିତ ଯୁକ୍ତି କରିଥିଲେ ଏବଂ ଶେଷରେ ତାହାହିଁ ହେଲା ।

ମୋହର ବୁଦ୍ଧି ଓ ବିଚକ୍ଷଣତାରେ ପରିତୃପ୍ତ ହୋଇ ରାଜା କ୍ରମେ ମୋତେ ରାଜ୍ୟଶାସନରେ ସହକାରୀ କରିନେଲେ । ନିକଟ ଭବିଷ୍ୟତରେ ସେ ଅବସର ନେଇ ମୋତେ ସମ୍ପୂର୍ଣ୍ଣ ରାଜ୍ୟଭାର ଅର୍ପଣ କରିବେ । ଇତିମଧ୍ୟରେ ମୁଁ ସିଂହବର୍ମାଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଏଠାକୁ ଆସି ସୌଭାଗ୍ୟବଶତଃ ଆପଣଙ୍କର ଓ ବନ୍ଧୁମାନଙ୍କର ସାକ୍ଷାତ ପାଇଲି ।”

Image

 

ଉଣେଇଶ

ମନ୍ତ୍ରଗୁପ୍ତଙ୍କ କଥା

 

ବ୍ରମତିଙ୍କ କଥାଶେଷରେ ରାଜବାହନ କହିଲେ, “ବିଚିତ୍ର ସ୍ୱପ୍ନ ! ବାସ୍ତବରେ ଏହିପରି ଯଦି ପ୍ରତ୍ୟେକ ସ୍ୱପ୍ନ ସତ୍ୟ ହେଉଥାନ୍ତା, ତେବେ ଆମ୍ଭେମାନେ ସମୟ ସମୟରେ ଯେଉଁ ଅଦ୍ଭୁତ ସ୍ୱପ୍ନ ଦେଖୁଁ ତାହା ଫଳରେ ଅତି ଭାଗ୍ୟବାନ୍ ହୋଇ ପାରନ୍ତେ । ଆଛା, ଆମର ବନ୍ଧୁ, ମନ୍ତ୍ରଗୁପ୍ତଙ୍କର ଏହାଠାରୁ ବିଚିତ୍ରତର କୌଣସି ସ୍ୱପ୍ନ ବୃତ୍ତାନ୍ତ ଅଛି କି ?”

 

ମନ୍ତ୍ରଗୁପ୍ତ ସହର୍ଷବଦନରେ ଉତ୍ତର କଲେ, “ଯୁବରାଜ, ବାସ୍ତବରେ ଏକ ଚମକପ୍ରଦ ସ୍ଵପ୍ନଦ୍ୱାରା ଆକୃଷ୍ଟ ହୋଇ ମୁଁ ମୋହର ପତ୍ନୀଙ୍କୁ ଲାଭ କଲି; କିନ୍ତୁ ବନ୍ଧୁ ବ୍ରମତିଙ୍କ ଗଳ୍ପଭଳି ତାହା ସେତେ ଆମୋଦପ୍ରଦ ନୁହେଁ । ଆପଣ ଶ୍ରବଣ କରିବା ନିମିତ୍ତ ଇଚ୍ଛା କଲେ ବର୍ଣ୍ଣନା କରିବି ।”

 

“ନିଶ୍ଚୟ, ନିଶ୍ଚୟ, ମନ୍ତ୍ରଗୁପ୍ତ ! ଆମେ ନିଶ୍ଚୟ ଶ୍ରବଣ କରିବୁଁ । ଅବିଳମ୍ବେ ପ୍ରକାଶ କର,” କୁମାରଗଣ ଉତ୍ସାହିତ ହୋଇ କହିଲେ ।

 

ମନ୍ତ୍ରଗୁପ୍ତ କହିଲେ, ଯୁବରାଜ ଓ ବନ୍ଧୁଗଣ, ମୁଁ ମୋର ଭ୍ରମଣ ମଧ୍ୟରେ କଳିଙ୍ଗ ନଗରୀରେ ଉପସ୍ଥିତ ହେଲି । ସେତେବେଳକୁ ରାତ୍ରି ଉପଗତ ହୋଇଥିବାରୁ ନଗରୀର ପ୍ରବେଶଦ୍ୱାର ରୁଦ୍ଧ ହୋଇଯାଇଥିଲା । ସୁତରାଂ ନଗରୀ ପ୍ରାଚୀର ବହିର୍ଭାଗରେ ରାତ୍ରିଯାପନ କରିବାକୁ ବାଧ୍ୟ ହେଲି । ମାତ୍ର ହଠାତ୍ ଆକାଶ ମେଘାଚ୍ଛନ୍ନ ହୋଇ ସାମାନ୍ୟ ବୃଷ୍ଟି ହେବାରୁ ଓ ଫଳରେ ଶୈତ୍ୟର ପ୍ରତାପ ବୃଦ୍ଧି ହୁଅନ୍ତେ ମୁଁ କୌଣସି ଆଶ୍ରୟ ଅନୁସନ୍ଧାନରେ ବାହାରି ଶେଷରେ ଶ୍ମଶାନ ନିକଟସ୍ଥ ଏକ ନଦୀସେତୁ ଗର୍ଭରେ ପ୍ରବେଶ କଲି । ଏ ସ୍ଥାନ ବିଶ୍ରାମର ସମ୍ପୂର୍ଣ୍ଣ ଅନୁପଯୋଗୀ ହେଲେ ମଧ୍ୟ ‘ଯାଚକ କଦାପି ନିର୍ବାଚକ ହୋଇ ନ ପାରେ’ ଏହି ସାନ୍ତ୍ୱନା ନେଇ ସେଠାରେ ବସିରହିଲି ଏବଂ ପଥଶ୍ରାନ୍ତି ଯୋଗୁ ବୃଷ୍ଟିବାତ୍ୟା ସତ୍ତ୍ୱେ ମୁଁ ତନ୍ଦ୍ରାଭିଭୂତ ହୋଇପଡ଼ିଲି।

 

ମୁଁ ସ୍ୱପ୍ନ ଦେଖିଲି ଯେ, କୌଣସି ଭୀଷଣ ଚିତ୍କାର ଫଳରେ ଯେପରିକି ମୋର ନିଦ୍ରା ଭଙ୍ଗ ହୋଇଗଲା । ଦେଖିଲି, ଅଳ୍ପ ଦୂରରେ ଦୁଇଟି କଦାକାର ପିଶାଚ ଦଣ୍ଡାୟମାନ । ସେମାନଙ୍କ ମଧ୍ୟରୁ ଜଣେ ଅପରକୁ କହୁଛି, ‘‘ଭାଇ, କଙ୍କାଳ-କାପାଳିକ ମୋତେ ପୁଣି ଡାକିଲାଣି । ପୁଣି କି ଦଣ୍ଡ ଦେବ କେଜାଣି ? ଏ ସାରା ସଂସାରରେ କଣ ଏପରି କେହି ବୀରପୁରୁଷ ନାହିଁ ଯେ ଆମକୁ ଏ ପାପୀ କବଳରୁ ରକ୍ଷା କରିପାରେ ?” ବକ୍ତା ପ୍ରତ୍ୟୁତ୍ତରର ଅପେକ୍ଷା ନ ରଖି ଅଗ୍ରସର ହେଲା ଏବଂ ଅନ୍ୟ ଜଣକ ତାହାର ଅନୁସରଣ କଲା ।

 

ଏ ବିଚିତ୍ର ଘଟଣାର ମୂଳ ଅନୁସନ୍ଧାନ କରିବା ନିମିତ୍ତ ମୁଁ ମଧ୍ୟ ସେମାନଙ୍କର ପଶ୍ଚାଦ୍‍ଗାମୀ ହେଲି; କିନ୍ତୁ ମୋତେ ବେଶି ଦୂର ଯାତ୍ରା କରିବାକୁ ହେଲା ନାହିଁ । ପ୍ରାୟ ଶତପଦ ଗତି କରିବା ପରେ ହଠାତ୍ କଙ୍କାଳ-ତାନ୍ତ୍ରିକର ଅଦୂରବର୍ତ୍ତୀ ହୋଇ ଯେଉଁ ଦୃଶ୍ୟ ଦେଖିଲି, ସେଥିରେ ମୋର ହୃତ୍‍କମ୍ପ ଜାତ ହେଲା ।

 

ଶ୍ମଶାନ ମଧ୍ୟରେ ପଦ୍ମାସନରେ ଜଣେ କାପାଳିକ ଉପବିଷ୍ଟ । ମସ୍ତକରେ ଜଟା, ସର୍ବାଙ୍ଗରେ ଭସ୍ମ, ଗଳାରେ ଖର୍ପରମାଳା, ସମ୍ମୁଖରେ ବିଶାଳ ହୋମକୁଣ୍ଡ ମୁହୁର୍ମୁହୁଃ ଆହୁତି ପ୍ରଦାନ ଓ ତିଳନିକ୍ଷେପ ଫଳରେ ଲେଲିହାନଜିହ୍ୱ ହୋଇଉଠିଛି । ପାର୍ଶ୍ୱରେ ଉପରୋକ୍ତ ଭୌତିକ ରୂପଦ୍ୱୟ ବଦ୍ଧାଞ୍ଜଳି ହୋଇ ଦଣ୍ଡାୟମାନ, ଆଦେଶ ଅପେକ୍ଷାରେ । ମେଘମନ୍ଦ୍ର ସ୍ୱରରେ କାପାଳିକ ଆଦେଶ କଲା, ‘‘ପଲକ ମଧ୍ୟରେ କଳିଙ୍ଗ ରାଜକୁମାରୀ କନକଲେଖାକୁ ଆନୟନ କର ।” ବିସ୍ମୟର କଥା, ପିଶାଚଦ୍ୱୟ ତତ୍‍କ୍ଷଣାତ୍ ଅନ୍ତର୍ଦ୍ଧାନ ହୋଇ ପଲକପାତ ପୂର୍ବରୁ ଏକ ଭାର ବହନ କରି ଆସି ଉପସ୍ଥିତ । ସେମାନେ ଊର୍ଦ୍ଧ୍ୱଶ୍ୱାସ ଅବସ୍ଥାରେ ଭାରଟିକୁ କାପାଳିକର ପାଦତଳେ ରଖି ପୁଣି ଦଣ୍ଡାୟମାନ ହେଲେ ।

 

ଏହି ଭାର ମଧ୍ୟରେ ସୁକୁମାରୀ ରାଜକୁମାରୀ ଚେତନା ଲାଭ କରି ଚିତ୍କାର କରିଉଠିଲେ-। କିନ୍ତୁ ପର ମୁହୂର୍ତ୍ତରେ କାପାଳିକ ବାମହସ୍ତରେ ତାହାଙ୍କର କେଶ ଧାରଣ କରି ସୁରକ୍ଷିତ ଖଡ଼୍‍ଗ ନିକଟକୁ ଆକର୍ଷଣ କରିନେଲା ଏବଂ ଦକ୍ଷିଣ ହସ୍ତରେ ତାହା ଧାରଣ କରି ମସ୍ତକଛେଦନ କରିବାକୁ ଉଦ୍ୟତ ହେଲା । ଏହି ନାରକୀୟ ଦୃଶ୍ୟରେ ପିଶାଚ ଦୁହେଁ ମଧ୍ୟ ଭୀତତ୍ରସ୍ତ ଭାବରେ ବିକଟ ଧ୍ୱନି କରି ଉଠିଲେ; ମାତ୍ର ପ୍ରତିରୋଧ କରିବା ପାଇଁ ସେମାନଙ୍କର ଶକ୍ତି କାହିଁ ?

 

ଏତେବେଳ ଯାଏ ମୁଁ ନିର୍ବେଦ ନିର୍ବାକ୍ ଭାବରେ ଦଣ୍ଡାୟମାନ ହୋଇଥିଲି–ମୋ ପଦଯୁଗଳର ଚଳତ୍‍ଶକ୍ତି ଲୋପ ପାଇଥିଲା; କିନ୍ତୁ ଶେଷୋକ୍ତ ଦୁଶ୍ୟ ଦର୍ଶନ ମାତ୍ରେ ମୋର ମାନସିକ ପ୍ରତିକ୍ରିୟା ଏପରି ଉତ୍ତେଜିତ ହୋଇଉଠିଲା ଯେ ମୁଁ ଅନ୍ଧଭାବରେ କାପାଳିକ ଉପରକୁ ଏକ ଲମ୍ଫ ଦେଲି ଏବଂ ଲୌହମୁଷ୍ଟିରେ ତାହାର ଦକ୍ଷିଣ ହସ୍ତକୁ ଧରିନେଇ ରଜ୍ଜୁଭଳି ତାହାକୁ ମୋଡ଼ିଦେଲି ।

 

ଏ ଆକସ୍ମିକ ଆକ୍ରମଣରେ କାପାଳିକ ଉପାୟଶୂନ୍ୟ ହୋଇ ଯନ୍ତ୍ରଣାରେ ଚିତ୍କାର କରୁ କରୁ ହସ୍ତରୁ ଖଡ଼୍‍ଗଟି ଖସିପଡ଼ିଲା । ଏହି ଅବସରରେ ସେ ହୁଏତ କୌଣସି ମନ୍ତ୍ରୋଚ୍ଚାରଣ କରି ମୋତେ ଭସ୍ମୀଭୂତ କରିଥାନ୍ତା; କିନ୍ତୁ ପଲକ ମଧ୍ୟରେ ମୁଁ ଖଡ଼୍‍ଗ ଉତ୍ତୋଳନ କରି ଏକ ପ୍ରହାରରେ ତାହାର ମସ୍ତକକୁ ସ୍କନ୍ଧରୁ ଛିନ୍ନ କରିଦେଲି ।

 

ରାଜକୁମାରୀ ଚେତନାହୀନ ଅବସ୍ଥାରେ ଭୂପତିତା । ମୁଁ ତାହାଙ୍କୁ ଉତ୍ତୋଳନ କରିବାକୁ ଯାଉଛି, ହଠାତ୍ ଦେଖିଲି ଅସଂଖ୍ୟ କଦାକାର ପିଶାଚ କେଉଁ ଅଜ୍ଞାତ ସ୍ଥାନରୁ ଆବିର୍ଭୂତ ହୋଇ ନୃତ୍ୟ କରିବାକୁ ଲାଗିଲେ । ସେମାନଙ୍କର ଭଙ୍ଗୀ ଓ ଅବୋଧ୍ୟ ଚିତ୍କାରଦ୍ୱାରା ସେମାନେ ଯେ ଆନନ୍ଦ ପ୍ରକାଶ କରୁଛନ୍ତି, ଏହା ମୁଁ ବୁଝିପାରିଲି । ସେତେବେଳକୁ ରାଜକୁମାରୀଙ୍କର ମୁଖ କ୍ରମେ ସତେଜ ଓ ଚକ୍ଷୁ ଅପେକ୍ଷାକୃତ ସଚଳ ହୋଇ ଆସୁଥାଏ । ସେ ସଚେତ ହେବା ପରେ ହୁଏତ ଏମାନଙ୍କୁ ଦେଖି ପୁଣି ତ୍ରସ୍ତ ହୋଇପଡ଼ିବେ, ଏଥିପାଇଁ ମୁଁ ପିଶାଚମାନଙ୍କୁ ନୀରବ ଓ ଧୀରସ୍ଥିର ରହିବା ପାଇଁ ଅନୁରୋଧ କଲି । ସେମାନେ ନୃତ୍ୟରୁ କ୍ଷାନ୍ତ ହେଲେ । ତାହା ପରେ ଯେଉଁ ପିଶାଚ ରାଜକୁମାରୀଙ୍କୁ ଆନୟନ କରିଥିଲା ସେ ସମ୍ମୁଖକୁ ଆସି କହିଲା, ‘‘ହେ ବୀର ଯୁବକ, ଭୀତ ହୁଅ ନାହିଁ । ରାଜକୁମାରୀଙ୍କର ଆମେ କୌଣସି ଅମଙ୍ଗଳ କାମନା କରୁନାହୁଁ; କିନ୍ତୁ କାପାଳିକର ଶକ୍ତି ଅଧୀନରେ ରହିଥିବାରୁ ସେ ଯେକୌଣସି କ୍ରୂର କର୍ମପାଇଁ ଆଦେଶ ପ୍ରଦାନ କଲେ ଆଜିଯାଏଁ ଆମେ ତାହା ପାଳନ କରିବାକୁ ବାଧ୍ୟ ହେଉଥିଲୁ । ରାଜକୁମାରୀ ଅତ୍ୟନ୍ତ ଭୟତ୍ରସ୍ତା ହୋଇପଡ଼ିଛନ୍ତି-। ଆପଣ ତାହାଙ୍କୁ ପ୍ରବୋଧ ଦେଇ ସୁଖୀ କରାନ୍ତୁ । ଆପଣ ହିଁ ତାହାଙ୍କର ପାଣିଗ୍ରହଣ କରିବା ନିମିତ୍ତ ବିଧିନିର୍ଦ୍ଦିଷ୍ଟ ଯୁବକ । ମନ୍ଦପ୍ରକୃତିକ କାପାଳିକ ତାହାଙ୍କୁ ବଳିଦାନ କରି ଆପଣଙ୍କୁ ଏ ସୌଭାଗ୍ୟରୁ ବଞ୍ଚିତ କରିବାକୁ ଯାଉଥିଲା । ଆପଣ ତାହାକୁ ହତ୍ୟା କରି ଆମ୍ଭମାନଙ୍କୁ ଅପରିମିତ ଆନନ୍ଦ ଦେବା ସଙ୍ଗେ ସଙ୍ଗେ ପୃଥିବୀପୃଷ୍ଠରୁ ଏ ପାପଭାର ଉଶ୍ୱାସ କରି ତାହାର ଶକ୍ତିର ଉତ୍ତରାଧିକାରୀ ହୋଇଅଛନ୍ତି । ଆପଣଙ୍କର ସ୍ୱଭାବ ସତ୍ ଏବଂ ତଦନୁଯାୟୀ କାପାଳିକ ଯେଉଁ ସକଳ ଅନ୍ୟାୟ ଓ ଅତ୍ୟାଚାର ସୃଷ୍ଟି କରିଯାଇଛି, ତାହାର ନିରାକରଣ ତଥା ନ୍ୟାୟର ପ୍ରତିଷ୍ଠା ଦିଗରେ ଆପଣ ଆମ୍ଭମାନଙ୍କୁ ବ୍ୟବହାର କରନ୍ତୁ । ଏଣିକି ଆମ୍ଭେମାନେ ଆପଣଙ୍କର ସ୍ନେହବନ୍ଧନରେ ଆଜ୍ଞାକାରୀ ହୋଇ ରହିବୁ–ଦାସତ୍ୱ ବନ୍ଧନରେ ନୁହେଁ । ବର୍ତ୍ତମାନ ଆମ୍ଭମାନଙ୍କର କର୍ତ୍ତବ୍ୟ ସମ୍ବନ୍ଧେ ଆଦେଶ କରନ୍ତୁ । ଜଗତରେ ଆମ୍ଭମାନଙ୍କ ଶକ୍ତିର ବହିର୍ଭୂତ କୌଣସି କର୍ମ ନାହିଁ-।”

 

ପିଶାଚର କଥାରେ ମୁଁ ଯେତିକି ପ୍ରୀତ ହେଲି ରାଜକୁମାରୀଙ୍କ ମୁଖପଙ୍କଜ ଅବଲୋକନ କରି ସେତିକି ମୁଗ୍ଧ ହେଲି । ମୋଦ୍ୱାରା ସେ ଆସନ୍ନ ମୃତ୍ୟୁକବଳରୁ ରକ୍ଷା ପାଇଥିବାରୁ ତାହାଙ୍କ ହୃଦୟ ଯେ ଗଭୀର କୃତଜ୍ଞତାରେ ପୂରି ଯାଇଥିଲା, ଏହା ତାହାଙ୍କ ସଲଜ୍ଜ ମୁଖମଣ୍ଡଳରେ ସ୍ପଷ୍ଟ ପ୍ରତିଭାତ ହେଉଥିଲା । ସେ ଧୀର ବିନମ୍ର ବଦନରେ କହିଲେ, “ହେ ବୀରୋତ୍ତମ, ଏ ନିଃସହାୟା ବାଳିକାକୁ ଆପଣ ଏ କ୍ରୂର ରାକ୍ଷସ ମୁଖରୁ ରକ୍ଷା କରିଅଛନ୍ତି । ଆପଣ ହିଁ ମୋହର ରକ୍ଷକ ଓ ଦେବତା ଏବଂ ପିଶାଚର ବାକ୍ୟାନୁଯାୟୀ ମୋହର ଭାଗ୍ୟନିର୍ଦ୍ଦିଷ୍ଟ ପତି । ସୁତରାଂ ଏହି ମୁହୂର୍ତ୍ତରୁ ମୁଁ ଆପଣଙ୍କର ।”

 

ରାଜକୁମାରୀଙ୍କ ଅମୃତମୟୀ ବାଣୀ ଶ୍ରବଣ କରି ମୋହର ହୃଦୟର ଭାବରାଜି ଉଦ୍ବେଳିତ ହୋଇପଡ଼ିଲା । ମୁଁ ଭାବିଲି, ପୈଶାଚିକ ଶକ୍ତି ସାହାଯ୍ୟରେ ଏ ସୁକୁମାରୀଙ୍କ ସହ କୌଣସି ଅଜ୍ଞାତ ସୁଦୂର ସୁରମ୍ୟ ପ୍ରଦେଶକୁ ଚାଲିଯାଇ ସେଠାରେ ଚିରକାଳ ପାଇଁ ମୋହର ଅମର ନଗରୀ ସୃଷ୍ଟି କରିବି; କିନ୍ତୁ ହଠାତ୍ ଆପଣଙ୍କ ଅନ୍ୱେଷଣରୁ କ୍ଷାନ୍ତ ହୋଇ ଆତ୍ମସୁଖରେ ଲିପ୍ତ ରହିବାରେ ମୋହର ଯେଉଁ ଦୁର୍ନାମ ହେବ ଏବଂ କୁମାରୀଙ୍କ ନିରୁଦ୍ଦେଶ ଫଳରେ ତାହାଙ୍କ ପିତାମାତାଙ୍କର ଯେ ଗଭୀର ଦୁଃଖ ଜାତ ହେବ, ଏ ଦୁଇଟି ଚିନ୍ତା ଏକାଦିକ୍ରମେ ମନମଧ୍ୟରେ ପ୍ରବେଶ କରି ମୋତେ ଏଥିରୁ କ୍ଷାନ୍ତ କରାଇଦେଲା । ସୁତରାଂ ମୁଁ ନିଶ୍ଚୟ କଲି ଯେ ରାଜକୁମାରୀଙ୍କୁ ତାହାଙ୍କ ପ୍ରାସାଦକୁ ପ୍ରେରଣ କରାଇ ବୀରୋଚିତ ଭାବରେ କଳିଙ୍ଗରାଜ୍ୟର ମଙ୍ଗଳ ସାଧନ କରି ସମ୍ମାନ ସହକାରେ ରାଜଜେମାଙ୍କ ପାଣି ପ୍ରାର୍ଥନା କରିବି ।

 

ମୋହର ପ୍ରତିଜ୍ଞା ରାଜକୁମାରୀଙ୍କ ନିକଟରେ ପ୍ରକାଶ କଲି ଏବଂ ତାହାଙ୍କୁ ଆଶ୍ୱାସନା ଦେଇ କହିଲି ଯେ ମୁଁ ତାହାଙ୍କର ବିଧିନିର୍ଦ୍ଧିଷ୍ଟ ପତି ହୋଇଥିବାରୁ ଉପଯୁକ୍ତ ବୀରତ୍ୱ ପ୍ରଦର୍ଶନପୂର୍ବକ ରାଜାଙ୍କ ସ୍ୱୀକୃତି ଅନୁଯାୟୀ ତାହାଙ୍କୁ ଲାଭ କରିବି । ସେ ବର୍ତ୍ତମାନ ପ୍ରାସାଦକୁ ପ୍ରତ୍ୟାବର୍ତ୍ତନ କରି ଧୌର୍ଯ୍ୟ ସହକାରେ ଅପେକ୍ଷା କରିବା ବିଧେୟ । ରାଜକୁମାରୀ ଏଥିରେ ସମ୍ମତା ହେଲେ । ଉଭୟେ ପରସ୍ପରକୁ ଯଥୋପଯୁକ୍ତ ସମ୍ଭାଷଣ-ଦ୍ୱାରା ପ୍ରୀତିଜ୍ଞାପନ କରି ସାରିବା ପରେ କୁମାରୀଙ୍କୁ ସ୍ୱସ୍ଥାନରେ ଅବସ୍ଥାପିତ କରି ଆସିବା ନିମିତ୍ତ ମୁଁ ପିଶାଚକୁ ଆଦେଶ କଲି ।

 

ମୋହର ଆଦେଶ ପାଳନ କରିବା ନିମିତ୍ତ ତାହାକୁ କେତେକ ମୁହୂର୍ତ୍ତରୁ ବେଶି ସମୟ ଲାଗିଲା ନାହିଁ । ମୁଁ ଏକାକୀ ବସି ଜୀବନର ଏ ବିଚିତ୍ର ଅନୁଭୂତି ସମ୍ବନ୍ଧେ ଚିନ୍ତା କରିବାକୁ ଯାଉଛି, ପିଶାଚ ଫେରିଆସି ମୋ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲା, “ହେ ବୀରାଗ୍ରଣି, କିଛି ସମୟ ପରେ ଆପଣଙ୍କୁ ଏ ସମସ୍ତ ଘଟନା ମିଥ୍ୟା ସ୍ୱପ୍ନବତ୍ ପ୍ରତୀୟମାନ ହେବ; କିନ୍ତୁ ବାସ୍ତବରେ ଏହା ସ୍ୱପ୍ନ ନୁହେଁ, ସତ୍ୟ । ନିଦ୍ରିତାବସ୍ଥାରେ ଏହାର ପ୍ରାରମ୍ଭ ହୋଇଥିବାରୁ ସେପରି ପ୍ରତୀତ ହେବା ସ୍ଵାଭାବିକ । ତେଣୁ ମୁଁ ଗୋଟିଏ ମନ୍ତ୍ର ଦେଉଛି, ତାହା ସ୍ମରଣ ରଖନ୍ତୁ । ଏ ମନ୍ତ୍ର ତିନିଥର ଉଚ୍ଚାରଣ କଲେ ଆମ୍ଭେମାନେ ଆପଣଙ୍କ ନିକଟରେ ଉପସ୍ଥିତ ହୋଇ ଯାହା ଆଦେଶ କରିବେ ତାହା ସାଧନ କରିବୁ । ମନ୍ତ୍ରଟି ପିଶାଚର ବିଲୋମ–‘ଚଶାପି, ଚଶାପି, ଚଶାପି’ । ମୋ କଥାର ପ୍ରମାଣ ସ୍ୱରୂପ ଆପଣ ଦେଖିବେ ପ୍ରଭାତରେ ନିଦ୍ରୋତ୍‍ଥିତ ହେଲାବେଳକୁ ଆପଣ ହାତରେ ଗୋଟାଏ ନରଖର୍ପର ଧରିଥିବେ ।”

 

ବାସ୍ତବିକ ତାହା ହିଁ ଘଟିଥିଲା । ପ୍ରଭାତରେ ମୁଁ ଅତି ଅବଶ ଭାବରେ ଉଠି ଦେଖିଲି ମୋହର ଦକ୍ଷିଣ ହସ୍ତରେ ଗୋଟାଏ ନରଖର୍ପର । ନିକଟରେ ହୋମକୁଣ୍ଡ ବା କାପାଳିକର ମୃତ ଦେହର କୌଣସି ଚିହ୍ନ ନାହିଁ । ଓଃ କି ଦୁଃସ୍ୱପ୍ନ ! ମୁଁ ପିଶାଚ କଥାର ସତ୍ୟତା ସେହିଠାରେ ପରୀକ୍ଷା କରିବା ପାଇଁ ଇଚ୍ଛା କଲି । ଦୁର୍ଭାଗ୍ୟର କଥା ମନ୍ତ୍ର ବିସ୍ମରଣ ହୋଇ ଯାଇଛି । ସକଳ ପ୍ରକାର ଚେଷ୍ଟା ସତ୍ତ୍ଵେ ତାହା ଆଉ ସ୍ମରଣ ହେଲା ନାହିଁ । ସୁତରାଂ ଘଟନାଚକ୍ରରେ ତାହା ସ୍ୱତଃ ମନରେ ଜାଗରିତ ନ ହେବା ଯାଏ ସେ ଆଶା ତ୍ୟାଗ କରିବାକୁ ବାଧ୍ୟ ହେଲି ।

 

କିଛି ସମୟ ପରେ ମୁଁ ନଗର ମଧ୍ୟରେ ପ୍ରବେଶ କଲି । ସେତେବେଳେ ସେଠାରେ ସର୍ବତ୍ର ଗୋଟାଏ ଅସ୍ଵାଭାବିକ ପରିସ୍ଥିତି ଉପୁଜିଥିଲା ଭଳି ମୋତେ ବୋଧ ହେଲା । ନାଗରିକଗଣ ଭୀତତ୍ରସ୍ତ ଭାବରେ ନିଜ ନିଜର ମୂଲ୍ୟବାନ୍ ସାମଗ୍ରୀ ଓ ରମଣୀମାନଙ୍କୁ ନିରାପଦ ସ୍ଥାନକୁ ଅନ୍ତର କରିବାରେ ବ୍ୟସ୍ତ । ସୈନ୍ୟଗଣ ବିଭିନ୍ନ ଦିଗରେ ପରିଚାଳିତ, ପଲ୍ଲୀବାସିଗଣ ସ୍ରୋତଗତିରେ ପ୍ରାଣଭୟରେ ନଗରୀମଧ୍ୟକୁ ପ୍ରଧାବିତ । ଏ ଅବସ୍ଥା ଦେଖି ମୁଁ ଅନୁସନ୍ଧାନ କରି ବୁଝିଲି ଯେ ଆନ୍ଧ୍ରଦେଶର ରାଜା ଜୟସିଂହ ବିଶ୍ୱାସଘାତକ ଭାବେ କଳିଙ୍ଗ ଆକ୍ରମଣ କରିଅଛନ୍ତି । ଏ ସମ୍ବାଦ ପାଇବା ମାତ୍ରେ ରାଜା ମିତ୍ର ରାଜ୍ୟମାନଙ୍କୁ ଆହ୍ୱାନ କରି ଦୂତ ପ୍ରେରଣ କରିବା ସଙ୍ଗେ ସଙ୍ଗେ ନଗର ରକ୍ଷାର ବ୍ୟବସ୍ଥା ପାଇଁ ଆଦେଶ କରିଛନ୍ତି । ମିତ୍ରପକ୍ଷମାନଙ୍କର ଆଗମନ ପର୍ଯ୍ୟନ୍ତ ନଗରୀ ଅବରୁଦ୍ଧ ଅବସ୍ଥାରେ ହିଁ ରହିବା ନିମିତ୍ତ ସ୍ଥିର କରାଯାଇଛି । ଏକଥା ଶୁଣି ମୁଁ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ମୋତେ ଦୁର୍ଗ ଅବରୋଧ କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଅନୁରୋଧ କଲି । ଅତି ଅଳ୍ପ କାଳ ପରେ ଜୟସିଂହ ଏକ ବିଶାଳ ସେନା ସହ ପଥ ମଧ୍ୟରେ ସମସ୍ତ ଗ୍ରାମ ଓ ନଗର ଧ୍ୱଂସ କରି କଳିଙ୍ଗ ନଗର ଅବରୋଧ କଲେ । ଏତିକିବେଳେ ମୁଁ ଭାବିଲି, ପିଶାଚର ମନ୍ତ୍ରଟି ସ୍ମରଣ ହୁଅନ୍ତା କି !

 

ଏହିପରି ଅବରୁଦ୍ଧ ଅବସ୍ଥାରେ ମାସାଧିକ କାଳ ଅତୀତ ହେଲା । କ୍ରମେ ନଗରମଧ୍ୟରେ ଖାଦ୍ୟ ଓ ଜଳର ଅଭାବ ହୋଇଆସିଲା । ରାଜା ଏଥିରେ ବିଚଳିତ ହୋଇ ଦୁର୍ଗର ଅଧିଷ୍ଠାତ୍ରୀ ଦେବୀଙ୍କ ଶରଣାପନ୍ନ ହେବା ପାଇଁ ରାଣୀ ଓ ରାଜକୁମାରୀଙ୍କ ସହିତ ବିଜେକଲେ । ମୁଁ ସୈନିକଭାବେ ଯଥାସ୍ଥାନରେ ଦୁର୍ଗରକ୍ଷା କାର୍ଯ୍ୟରେ ନିଯୁକ୍ତ ଥିଲି । ରାଜାଙ୍କର ଏ ଯାତ୍ରା ମଧ୍ୟରେ ଅକସ୍ମାତ୍ ରାଜକୁମାରୀଙ୍କ ମୁଖପଦ୍ମ ମୋହର ଦୃଷ୍ଟିଗୋଚର ହୁଅନ୍ତେ ହଠାତ୍ ମାନସପଟରେ ପୂର୍ବ ସ୍ୱପ୍ନବୃତ୍ତାନ୍ତ ଜାଗରିତ ହୋଇ ଉଠିଲା–କ୍ରମେ ସ୍ୱପ୍ନର ସମସ୍ତ ଘଟଣା ଓ ଉକ୍ତି ପ୍ରତ୍ୟୁକ୍ତି ସ୍ୱତଃ ଉଭାସିତ ହୋଇପଡ଼ିଲା–ତାହା ସହିତ ସେହି ପିଶାଚପ୍ରଦତ୍ତ ମନ୍ତ୍ର ମଧ୍ୟ ।

 

ମୁଁ ପାଗଳଙ୍କ ପରି ରାଜାଙ୍କ ସମ୍ମୁଖକୁ ଦୌଡ଼ିଯାଇ ନିବେଦନ କଲି, ‘‘ମହାରାଜ, ଆଦେଶ କରନ୍ତୁ, ଅଧୀନ ଏକାକୀ ଶତ୍ରୁ ସୈନ୍ୟ-ସାଗରକୁ ମନ୍ଥନ କରିଦେଇ ଆସିବ ।”

 

ମୋହର ହୁଏତ ମସ୍ତିଷ୍କ ବିକାର ଘଟିଛି, ରାଜା ଏକଥା ଆପାତତଃ ବୁଝିନେଲେ ମଧ୍ୟ ମୋତେ ଅନୁମତି ଦେଲେ । କାରଣ ଶତ୍ରୁ ସହିତ ସଂଗ୍ରାମ କରିବାକୁ ଅଗ୍ରସର ହେଲାବେଳେ ଗୋଟାଏ ସୈନ୍ୟର ପାର୍ଥକ୍ୟ କିଛି ନୁହେଁ ।

 

ସେଦିନ ରାତ୍ରି ମୋହର ବିଗତ ସ୍ୱପ୍ନରାତ୍ରି ଅପେକ୍ଷା ଅଧିକ ତମସାଚ୍ଛନ୍ନ ଏବଂ ବାତ୍ୟାବିକ୍ଷୋଭିତ ହୋଇପଡ଼ିଥିଲା । ଶତ୍ରୁ ଦୁର୍ଗର ଚତୁର୍ଦ୍ଦିଗ ଅଧିକାର କରିଥିଲେ ମଧ୍ୟ ଶ୍ମଶାନଭୂମି ନିର୍ଜନ ଥିଲା । ମୁଁ ଅତି ସତର୍କତାର ସହିତ ସେଠାରେ ଉପସ୍ଥିତ ହୋଇ ମନ୍ତ୍ର ଉଚ୍ଚାରଣ କଲି–‘ଚଶାପି, ଚଣାପି, ଚଶାପି ।’ ସଙ୍ଗେ ସଙ୍ଗେ ଦେଖିଲି ମୋ ସମ୍ମୁଖରେ ଅସଂଖ୍ୟ ପିଶାଚ ଚିତ୍କାର କରି ଉଠିଲେ–ଶତ, ସହସ୍ର, ଲକ୍ଷ ସଂଖ୍ୟକ ପିଶାଚ ମୋତେ ସମ୍ମାନ ପ୍ରଦର୍ଶନ କରି ମୋ ଆଦେଶ ପାଇଁ ଅପେକ୍ଷା କରି ରହିଲେ । ମୁଁ କହିଲି–‘‘ଏହି ମୁହୂର୍ତ୍ତରେ ପଲକମାତ୍ରେ ତୁମ୍ଭେମାନେ ହୀନମତି ବିଶ୍ୱାସଘାତକ ଜୟସିଂହ ଓ ଆନ୍ଧ୍ର ସୈନ୍ୟମାନଙ୍କୁ ଏପରି ଯାତନା ଦେବ ଯେ ସେମାନେ ପ୍ରାଣଭୟରେ ପଳାୟନ କରିବେ ।” ପିଶାଚଗଣ ସମ୍ମତିସୂଚକ ଧ୍ୱନି କରି ମୁହୂର୍ତ୍ତକ ମଧ୍ୟରେ ଅଦୃଶ୍ୟ ହୋଇଗଲେ ।

 

ମୁଁ ନଗର ମଧ୍ୟକୁ ଫେରିଆସି ଶାନ୍ତିରେ ବିଶ୍ରାମ କଲି । ପ୍ରଭାତ ହେବା ପୂର୍ବରୁ ପ୍ରହରିଗଣ ରାଜାଙ୍କୁ ଜଣାଇଲେ ଯେ ଆନ୍ଧ୍ରରାଜା ସସୈନ୍ୟ ପଳାୟନ କରିଅଛନ୍ତି । ଅଥଚ ସେମାନଙ୍କ ଶିବିର ପଡ଼ିରହିଛି । ଏ ସମ୍ବାଦରେ ରାଜାଙ୍କର ସନ୍ଦେହ ହେଲା; କାରଣ ଆନ୍ଧ୍ର ରାଜାଙ୍କ ଉପରେ ଆସ୍ଥା ସ୍ଥାପନ କରିବାର ସଦ୍ୟଫଳ ସେ ପାଇଛନ୍ତି । ମାତ୍ର ପରମୁହୂର୍ତ୍ତରେ ଗୁପ୍ତଚରଗଣ ଆସି ମଧ୍ୟ ସେହି ସମ୍ବାଦ ଦେଲେ । ସେମାନେ ବହୁଦୂର ପର୍ଯ୍ୟନ୍ତ ଅନୁସନ୍ଧାନ କରି ମଧ୍ୟ କୌଣସିଠାରେ ଶତ୍ରୁସୈନ୍ୟର ଚିହ୍ନ ସୁଦ୍ଧା ପାଇଲେ ନାହିଁ । ଆନ୍ଧ୍ରମାନେ ଅସ୍ତ୍ରଶସ୍ତ୍ର ଓ ଶିବିର ପରିତ୍ୟାଗ କରି ପଳାୟନ କରିଥିଲେ ।

 

ପିଶାଚଗଣ କିପରି ଭାବରେ ଏ ଦୁଃସାଧ୍ୟ କର୍ମ ସମ୍ପାଦନ କଲେ ତାହା ମୋହର ସମ୍ପୂର୍ଣ୍ଣ ଅଜ୍ଞାତ । ସୁତରାଂ ରାଜା ଯେତେବେଳେ କୃତଜ୍ଞ ବିନୟ ଭାଷାରେ ସମସ୍ତ କଥା ଜିଜ୍ଞାସା କଲେ, ସେତେବେଳେ ମୁଁ ମୋହର ସ୍ୱପ୍ନବୃତ୍ତାନ୍ତ ଓ ପିଶାଚ ମନ୍ତ୍ର–ମନ୍ତ୍ର ବିସ୍ମରଣ ଓ ରାଜକୁମାରୀଙ୍କ ଦର୍ଶନରେ ତାହାର ପୁନଃସ୍ମରଣ ଇତ୍ୟାଦି କଥା ପ୍ରକାଶ କରିବା ବ୍ୟତୀତ ଅନ୍ୟ ଉପାୟ ନ ଥିଲା । ସମସ୍ତ ବୃତ୍ତାନ୍ତ ଶୁଣି ରାଜା ଅତି ସନ୍ତୋଷ ସହକାରେ ସ୍ୱୀକାର କଲେ ଯେ, ପ୍ରଜାପତି ନିର୍ବନ୍ଧରେ ସେ ପ୍ରତିକୂଳ ହେବେ ନାହିଁ; ବରଂ ସଚ୍ଚରିତ୍ର ଓ ଦୈବୀଶକ୍ତି ସମ୍ପନ୍ନ ଜଣେ ଯୁବକକୁ ନିଜର ଜାମାତା ଭାବରେ ପାଇ ପ୍ରୀତ ହେବେ ।

 

ବନ୍ଧୁଗଣ, ଏହିପରି ଭାବରେ ମୁଁ କଳିଙ୍ଗ ରାଜକୁମାରୀ ସୁକୁମାରୀ କନକଲେଖାଙ୍କୁ ଲାଭ କଲି । ବର୍ତ୍ତମାନ ବିଶାଳ କଳିଙ୍ଗସେନା ସିଂହବର୍ମାଙ୍କ ସାହାଯ୍ୟାର୍ଥେ ଅଗ୍ରସର ହୋଇ ଏଠାରେ ଉପସ୍ଥିତ । ଆପଣ ଇଚ୍ଛାନୁଯାୟୀ ସେମାନଙ୍କୁ ନିଜ କାର୍ଯ୍ୟରେ ନିଯୁକ୍ତ କରି ପାରନ୍ତି ।”

Image

 

କୋଡ଼ିଏ

ବଶ୍ରୁତଙ୍କ କଥା

 

କୁମାରଗଣ ମନ୍ତ୍ରଗୁପ୍ତଙ୍କ ଆଳାପରେ ଅତ୍ୟନ୍ତ ପ୍ରୀତ ହୋଇ ଏକ ମୁଖରେ ତାହାଙ୍କର ପ୍ରଶଂସା ଗାନ କଲେ । ଶେଷରେ ରାଜକୁମାର କହିଲେ, “ବନ୍ଧୁ ମନ୍ତ୍ରଗୁପ୍ତ; ଅଜେୟ କଳିଙ୍ଗସେନା ଓ ତୁମର ବଶୀଭୂତ ପିଶାଚଗଣଙ୍କ ସାହାଯ୍ୟରେ ମାଳବ ରାଜ୍ୟ କରଗତ କରିବା ଆମ୍ଭମାନଙ୍କ ପକ୍ଷେ ଅତି ସାମାନ୍ୟ କର୍ମ ମାତ୍ର । ସୁତରାଂ ଆମ୍ଭମାନଙ୍କ ଭାଗ୍ୟରବି ଯେ ବର୍ତ୍ତମାନ ପ୍ରାଚୀ ଦିଗ୍‍ବଳୟରେ ଉଦୀୟମାନ ଏଥିରେ ଆଉ ସନ୍ଦେହ କଅଣ ? ସର୍ବଶେଷରେ ଆସ, ବନ୍ଧୁ, ବିଶ୍ରୁତଙ୍କ କଥା ଶ୍ରବଣ କରି ତତ୍‍ପରେ ଆମ୍ଭମାନଙ୍କର ଅପହୃତ ସାମ୍ରାଜ୍ୟର ପୁନରୁଦ୍ଧାର ଚିନ୍ତା କରିବା ।”

 

“ବାସ୍ତବିକ କଥା,” ବିଶ୍ରୁତ ଉତ୍ତର କଲେ । “ମୁଁ ମଧ୍ୟ ମୋହର ବନ୍ଧୁମାନଙ୍କ ପରି ରୂପସୀ ଓ ଗୁଣବତୀ ପତ୍ନୀ ଲାଭ କରିଅଛି ଏବଂ ଏପରି ଜଣେ ଶକ୍ତିଶାଳୀ ରାଜାଙ୍କର ବନ୍ଧୁତ୍ୱ ଲାଭ କରି ପାରିଅଛି ଯାହାଙ୍କ ସୈନ୍ୟବଳ ଆପଣଙ୍କ ସାମ୍ରାଜ୍ୟ ବିଜୟରେ ବିନିଯୋଗ କରାଯାଇପାରେ । ମୋହର କଥା ଆରମ୍ଭ କରିବା ପୂର୍ବରୁ ଏ କଥା ମୁଁ ସ୍ୱୀକାର କରିବା କର୍ତ୍ତବ୍ୟ ମନେକରେ ଯେ ମୁଁ ଯଦି ଆପଣମାନଙ୍କ ସହିତ ବିନ୍ଧ୍ୟାବାସରେ ସକଳ କଳା ଓ ଶାସ୍ତ୍ରଚର୍ଚ୍ଚା କରି ନଥାନ୍ତି ତେବେ ମୋହର କାର୍ଯ୍ୟାବଳି ଆଦୌ ଶ୍ରବଣଯୋଗ୍ୟ ହୋଇ ପାରି ନ ଥାନ୍ତା ।

 

ମୁଁ ଆପଣଙ୍କ ଅନୁସନ୍ଧାନରେ ବାହାରି ବିନ୍ଧ୍ୟାରଣ୍ୟରେ ପ୍ରବେଶ କଲି । ସେଠାରେ ଏକ ବାମ୍ଫୀ ନିକଟରେ ଜଣେ ଯୁବକ ନିଃସହାୟଭାବରେ ବସି କ୍ରନ୍ଦନ କରୁଥିଲେ । ସେ ମୋତେ ଦେଖି ତାହାଙ୍କ ସଂରକ୍ଷଣ କର୍ତ୍ତାଙ୍କୁ କୂପ ମଧ୍ୟରୁ ଉଦ୍ଧାର କରିଦେବା ନିମିତ୍ତ ମୋତେ ସାନୁନୟ ଅନୁରୋଧ କଲେ । ବୋଧହୁଏ ସେହି ବ୍ୟକ୍ତି କୂପ ଚାନ୍ଦିନୀ ଉପରେ ବସିଥିଲାବେଳେ ଅତିରିକ୍ତ ଶାରୀରିକ କ୍ଳାନ୍ତି ଯୋଗୁ କୌଣସିମତେ କୂପମଧ୍ୟକୁ ଖସି ପଡ଼ିଥିଲେ ।

 

ସୌଭାଗ୍ୟକ୍ରମେ କୂପଟି ଅଗଭୀର ଥିଲା ଏବଂ କୂପକାନ୍ଥରେ ପ୍ରଦାଶ୍ରୟ ପାଇଁ ଯଥେଷ୍ଟ ସୁବିଧା ଥିଲା । ମୁଁ ତତ୍‍କ୍ଷଣାତ୍ କୂପମଧ୍ୟରେ ପ୍ରବେଶକରି କର୍ଦ୍ଦମାକ୍ତ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ବହୁକଷ୍ଟରେ ଉଦ୍ଧାର କରି ଆଣିଲି ।

 

ବୃଦ୍ଧ ଟିକିଏ ଆଶ୍ୱସ୍ତ ହେବା ପରେ ମୁଁ ତାହାଙ୍କୁ ନିଜର ତଥା ରାଜକୁମାର ତୁଲ୍ୟ ରୂପବାନ୍ ଯୁବକଙ୍କର ପରିଚୟ ଜିଜ୍ଞାସା କଲି ।

 

“ଭଦ୍ର ମହୋଦୟ”, ବୃଦ୍ଧ ଉତ୍ତର କଲେ, “ମୋହର ନାମ ନଳିଜଙ୍ଗ । ମୁଁ ଏହି ରାଜକୁମାର ଭାସ୍କର ବର୍ମାଙ୍କର ସଂରକ୍ଷଣକର୍ତ୍ତା । ଏହାଙ୍କ ପିତା ଅନନ୍ତବର୍ମା ବିଦର୍ଭଦେଶର ଶାସକ ଥିଲେ । ସେ ଅତ୍ୟନ୍ତ ପ୍ରତାପଶାଳୀ ଥିଲେ ମଧ୍ୟ ନିଜର ଅବିମୃଷ୍ୟକାରିତା ଯୋଗୁ ଜଣେ କୁମନ୍ତ୍ରୀର ଅସତ୍ ପରାମର୍ଶରେ ପଡ଼ି ନିଜର ରାଜ୍ୟ ତଥା ପ୍ରାଣ ହରାଇଲେ । ଏ ଯୁବକଙ୍କ ପିତାମହ ପୁଣ୍ୟବର୍ମା ଜଣେ ସୁଶାସକ ଥିଲେ । ଅନନ୍ତବର୍ମା ସିଂହାସନ ଆରୋହଣ କାଳରେ ପିତାଙ୍କ ପରାମର୍ଶଦାତା ବସୁରକ୍ଷକଙ୍କଦ୍ୱାରା ପରିଚାଳିତ ହୋଇ ବିଶେଷ ଜନପ୍ରିୟ ହୋଇଥିଲେ; ମାତ୍ର ବୟୋବୃଦ୍ଧି ସଙ୍ଗେ ସଙ୍ଗେ ମନରେ ସ୍ୱେଚ୍ଛାଚାର ଭାବ ପ୍ରବେଶ କରନ୍ତେ ସେ ବୃଦ୍ଧ ମନ୍ତ୍ରୀଙ୍କୁ ହତାଦର କରି ବିକାରଭଦ୍ର ନାମକ ଜଣେ ହୀନମତି ବ୍ୟକ୍ତିର ମନ୍ତ୍ରଣାରେ ବଶୀଭୂତ ହେଲେ । ବିକାରଭଦ୍ର ତାହାଙ୍କ ମନରେ ବିଶ୍ୱାସ ଆଣିଦେଲା ଯେ କୂଟ ଅର୍ଥଶାସ୍ତ୍ରର କଠୋର ନୀତି ସକଳ ପାଳନ କରିବା ନିମିତ୍ତ ରାଜା ବାଧ୍ୟ ନୁହନ୍ତି । ରାଜା ଶାସନର ଦାୟିତ୍ୱ ମନ୍ତ୍ରୀ ହସ୍ତରେ ଅର୍ପଣ କରି ନିଜେ ଆମୋଦପ୍ରମୋଦରେ ଜୀବନ ଉପଭୋଗ କରିବା ବିଧେୟ ।

 

ଫଳତଃ ତାହା ହିଁ ହେଲା । ରାଜା ଅତିରିକ୍ତ ଭୋଗବିଳାସରେ ଲିପ୍ତ ରହିଲେ । ବସୁରକ୍ଷକ ମନ୍ତ୍ରିତ୍ୱରୁ ବିତାଡ଼ିତ ହେଲେ ଏବଂ ବିକାରଭଦ୍ର ତାହାଙ୍କ ସ୍ଥାନ ଅକାଧିର କରି ରାଜାଙ୍କୁ ସମ୍ପୂର୍ଣ୍ଣ ଭାବରେ ନିଜର ଆୟତ୍ତତାଧୀନ କଲେ । ରାଜଦରବାର ନୀଚାଶୟ ତୋଷାମଦକାରୀମାନଙ୍କ ଦ୍ଵାରା ପୂର୍ଣ୍ଣ ହେଲା । ଏମାନଙ୍କ ମଧ୍ୟରୁ ରାଜା ଚନ୍ଦ୍ରଭାନୁଙ୍କ ପ୍ରଧାନମନ୍ତ୍ରୀ ଚନ୍ଦ୍ରପାଳିତଙ୍କ ପୁତ୍ର ଇନ୍ଦ୍ରପାଳିତ ଏକତମ । ପୁତ୍ରର ଅଯୋଗ୍ୟତା ଯୋଗୁ ଚନ୍ଦ୍ରପାଳିତ ତାହାଙ୍କୁ ଗୃହରୁ ବିତାଡ଼ିତ କରିଦେଇଥିବା ସମ୍ବାଦ ସେତେବେଳେ ରାଷ୍ଟ୍ର ହୋଇଥିଲା । ଆମେ ପରବର୍ତ୍ତୀ ଘଟନାରୁ ଜାଣି ପାରୁଛୁ ଯେ ଚନ୍ଦ୍ରପାଳିତ ପୁତ୍ରକୁ ନିର୍ବାସନ କରିବା ଗୋଟାଏ ଛଳନା ମାତ୍ର ।

 

ବାସ୍ତବରେ ରାଜା ଅନନ୍ତବର୍ମାଙ୍କୁ ବିପଥଗାମୀ କରାଇ ତାହାଙ୍କ ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଇନ୍ଦ୍ରପାଳିତ ପିତାଙ୍କଦ୍ୱାରା ପ୍ରେରିତ ହୋଇଥିଲେ । ରାଜା ଚନ୍ଦ୍ରଭାନୁ ଅନନ୍ତ ବର୍ମାଙ୍କର ପ୍ରତ୍ୟକ୍ଷ ପ୍ରିୟବାଦୀ ବନ୍ଧୁ ହେଲେ ମଧ୍ୟ ଅନ୍ତରରେ ବିଦର୍ଭର ଐଶ୍ଵର୍ଯ୍ୟ ପ୍ରତି ତାହାଙ୍କର ଅତ୍ୟନ୍ତ ଈର୍ଷା ଥିଲା । ସୁତରାଂ ଏ ସମସ୍ତ ଛଳନା ତାହାଙ୍କ କଳ୍ପନାପ୍ରସୂତ । ଆମର ଏହି ଧାରଣା ହେବାର ପ୍ରଧାନ କାରଣ ହେଉଛି ଯେ ସେ ଭାନୁବର୍ମା ନାମକ ଜଣେ ସାମନ୍ତଙ୍କୁ ବିଦର୍ଭ ଆକ୍ରମଣ କରିବା ପାଇଁ ପ୍ରବର୍ତ୍ତାଇ ଥିଲେ ଏବଂ ସେ ଆକ୍ରମଣ କରନ୍ତେ ନିଜେ ମିତ୍ରଭାବରେ ଅନନ୍ତବର୍ମାଙ୍କୁ ସାହାଯ୍ୟ କରିବାକୁ ଆସି ଅନ୍ୟ ମିତ୍ରଶକ୍ତିମାନଙ୍କ ମଧ୍ୟରେ ଅନନ୍ତବର୍ମାଙ୍କ ପ୍ରତି ବିରାଗ ଭାବ ଜାତ କରାଇଥିଲେ । ଅନନ୍ତବର୍ମାଙ୍କର ତ ଚରିତ୍ରଗତ ଦୋଷ ବହୁତ ଥିଲା; ତେଣୁ ମିତ୍ରଶକ୍ତିଗଣ ତାହାଙ୍କୁ ପରିତ୍ୟାଗ କରି ନିଜ ନିଜ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କଲେ । ଏହି ସୁଯୋଗରେ ବସନ୍ତଭାନୁ ଭାନୁବର୍ମାଙ୍କ ସହିତ ମିଳିତ ହୋଇ ଏକ ଖଣ୍ଡଯୁଦ୍ଧରେ ଅନନ୍ତବର୍ମାଙ୍କୁ ପରାସ୍ତ ଓ ନିହତ କଲେ । ଭାନୁବର୍ମା କେତେକ ଧନସମ୍ପଦ ପାଇ ପରିତୃପ୍ତ ହେଲେ ଏବଂ ବସନ୍ତଭାନୁ ବିଦର୍ଭ ସିଂହାସନ ଅଧିକାର କଲେ । ଏହିପରି ଦୁର୍ଦ୍ଦଶାଗ୍ରସ୍ତ ହୋଇ ରାଣୀ ବସୁନ୍ଧରା ଏହି ଏକମାତ୍ର ପୁତ୍ର ଭାସ୍କରବର୍ମା ଓ କନ୍ୟା ମଞ୍ଜୁବଦନୀଙ୍କ ସହ ମୃତ ପତିଙ୍କ ବୈମାତୃକ ଭାଇ ମହୀଷମତିର ରାଜା ମିତ୍ରବର୍ମାଙ୍କ ଦରବାରକୁ ପଳାୟନ କରି ତାହାଙ୍କର ଶରଣପ୍ରାର୍ଥିନୀ ହେଲେ ।

 

କିନ୍ତୁ ଦୁର୍ଦ୍ଦିନର ଅବସାନ କେବଳ ସ୍ଥାନ ପରିବର୍ତ୍ତନରେ ହୋଇଯାଏ ନାହିଁ । ରାଣୀ ଏଠାରେ ପ୍ରବେଶ କରି ପୁଣି ଏକ ନୂତନ ବିପଦର ସମ୍ମୁଖୀନା ହେଲେ । ବିଧବା ବସୁନ୍ଧରା ଭ୍ରାତୃଜାୟା ଭାବରେ ମାତୃସ୍ଥାନୀୟା ହେଲେ ମଧ୍ୟ ପାପୀ ମିତ୍ରବର୍ମା ତାହାଙ୍କୁ ପୁନର୍ବିବାହ କରିବା ନିମିତ୍ତ ଦାବି କଲା । ଏଥିପାଇଁ ସେ ଯୁକ୍ତି କଲା ଯେ ସେ ଅନନ୍ତବର୍ମାଙ୍କ ସହୋଦର ଭାଇ ନୁହେଁ । ତେଣୁ ଏ ବିବାହ ଶାସ୍ତ୍ରାନୁମୋଦିତ । ଏ ପ୍ରସ୍ତାବ ଶୁଣି ବସୁନ୍ଧରା ନିତାନ୍ତ ମର୍ମାହତ ହୋଇପଡ଼ିଲେ । ଦ୍ୱିତୀୟତଃ ବର୍ତ୍ତମାନ ମିତ୍ରବର୍ମା ଦୃଢ଼ପ୍ରତିଜ୍ଞ ଯେ ରାଜକୁମାରୀ ମଞ୍ଜୁବଦନୀଙ୍କୁ ଉଜ୍ଜୟିନୀର ଚଣ୍ଡବର୍ମାଙ୍କ ସହୋଦର ପ୍ରଚଣ୍ଡବର୍ମାଙ୍କ ସହିତ ବିବାହ ଦେବେ । ପ୍ରଚଣ୍ଡବର୍ମାଙ୍କ ଅସଚ୍ଚରିତ୍ରତା ସର୍ବତ୍ର ସୁବିଦିତ; ଅଥଚ ଏ ଗୁରୁତର ପ୍ରସ୍ତାବରେ ବସୁନ୍ଧରାଙ୍କ ପରାମର୍ଶ ମଧ୍ୟ ନିଆଗଲା ନାହିଁ । ଏପରି କ୍ଷେତ୍ରରେ ବର୍ତ୍ତମାନ ଯଦି ରାଣୀ ଏ ଦୁଇଟିଯାକ ପ୍ରସ୍ତାବରେ ଅମତ ପ୍ରକାଶ କରନ୍ତି, ତେବେ ତାହାର କୁଫଳ ରାଜକୁମାରଙ୍କ ଉପରେ ହିଁ ଫଳିପାରେ । ଏହି ସମସ୍ତ ପରିସ୍ଥିତି ଆଲୋଚନା କରି ରାଣୀଙ୍କ ଅନୁରୋଧରେ ମୁଁ ଭାସ୍କରବର୍ମାଙ୍କ ସହ ଏ ମହାରଣ୍ୟ ମଧ୍ୟରେ ପ୍ରବେଶ କରିଅଛି । କୌଣସି ଗୋପନ ସ୍ଥାନରେ ତାହାଙ୍କ ଆଶ୍ରୟର ବ୍ୟବସ୍ଥା କରିବା ମୋର ଲକ୍ଷ୍ୟ । ଏ ସବୁ ଦୁର୍ଯୋଗ ଉପରେ ଆଜି ପୁଣି ଏ ଯେଉଁ ଦୁର୍ଘଟନା ଘଟିଲା, ସେଥିରୁ ମୋତେ ରକ୍ଷା କରିବା ପାଇଁ ଆପଣ ଇଶ୍ୱରପ୍ରେରିତ ବୋଲି ମୁଁ ମନେକରେ । ଆପଣଙ୍କ ନିଃସ୍ୱାର୍ଥ କର୍ମ ପାଇଁ ଶତ ଧନ୍ୟବାଦ ।”

 

ବୃଦ୍ଧ କ୍ଷାନ୍ତ ହୁଅନ୍ତେ ମୁଁ କିଛି ସମୟ ନୀରବରେ ବସି ଭାସ୍କରବର୍ମାଙ୍କ ଲକ୍ଷଣ ଅର୍ଥାତ୍ ସେ ପିତାମାତା ମଧ୍ୟରୁ କାହାର ପ୍ରକୃତିବିଶିଷ୍ଟ ଅନୁମାନ କରୁଛି, ଏତିକିବେଳେ ବୃଦ୍ଧ ପୁଣି କଥା ଆରମ୍ଭ କରି କହିଲେ, “ମହାଶୟ, ଅସହାୟା ବିଧବା ରାଣୀଙ୍କୁ ଏ ବିପଦରୁ ରକ୍ଷା କରିବା ନିମିତ୍ତ ଆପଣ କୌଣସିମତେ ସାହାଯ୍ୟ କରି ପାରିବେ କି ?”

 

ମୁଁ ଉତ୍ତର କଲି, ‘‘ବିବେକବାନ୍ ପ୍ରତ୍ୟେକ ମାନବର ଏ କ୍ଷେତ୍ରରେ କର୍ତ୍ତବ୍ୟ ଅଛି; କିନ୍ତୁ ମୁଁ ଏହିକ୍ଷଣି ଏକ ଗୁରୁତର କର୍ତ୍ତବ୍ୟାନୁରୋଧରେ ବ୍ୟସ୍ତ । ତେଣୁ ଅନ୍ୟ କୌଣସି କାର୍ଯ୍ୟରେ ମୋର ସମୟ ବ୍ୟୟ କରିବା ଉଚିତ ନୁହେଁ । ତଥାପି ଅସହାୟା ନାରୀର ବିପଦରେ କ୍ଷତ୍ରିୟର କର୍ତ୍ତବ୍ୟ ଗରିଷ୍ଠ ଏବଂ ସେହି ଦୃଷ୍ଟିରୁ ମୁଁ ଏ ଦେଶରେ ସମ୍ପୂର୍ଣ୍ଣ ଅପରିଚିତ ହେଲେ ମଧ୍ୟ ରାଣୀଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ଯଥାସାଧ୍ୟ ଶକ୍ତି, ବୃଦ୍ଧି ଓ ବିଚକ୍ଷଣତା ବିନିଯୋଗ କରିବି ।”

 

ମୋର ଆଶ୍ୱାସନା ବାଣୀ ଶ୍ରବଣ କରି ବୃଦ୍ଧ ଓ ରାଜକୁମାର ମୋର ପଦତଳେ ପଡ଼ି ମୋତେ ଧନ୍ୟବାଦ ଦେବାକୁ ଲାଗିଲେ । କାହିଁକି କେଜାଣି ସେମାନଙ୍କର ବିଶ୍ୱାସ ଜନ୍ମିଲା ଯେ ମୋଦ୍ୱାରା ଏ ଅନ୍ୟାୟର ନିଶ୍ଚୟ ପ୍ରତିକାର ହେବ । ତାହାପରେ ମୁଁ କହିଲି, ‘‘ଆଚ୍ଛା, ଆସ ସମସ୍ତ ଘଟନାକୁ ପୁଂଖାପୁଂଖ ରୂପେ ଆଲୋଚନା କରିବା । ପ୍ରଥମ କଥା ହେଉଛି, ମିତ୍ରବର୍ମାଙ୍କ କବଳରୁ ଆମ୍ଭମାନଙ୍କୁ ରକ୍ଷା ପାଇବାକୁ ହେବ । ଦ୍ୱିତୀୟତଃ ଏକ ବଳବାନ୍ ଶତ୍ରୁମୁଖରୁ ବିଦର୍ଭକୁ ଉଦ୍ଧାର କରିବାକୁ ହେଲେ ଏକ ଶକ୍ତିଶାଳୀ ସେନା ଦରକାର । ଏହା ସହିତ ପ୍ରଚଣ୍ଡବର୍ମାକୁ ଏପରି ଅବସ୍ଥାରେ ପକାଇବାକୁ ହେବ ଯାହା ଫଳରେ ସେ ସ୍ଵତଃ ବିବାହ ପ୍ରସ୍ତାବର ପୁନରୁତ୍‍ଥାନ କରି ପାରିବ ନାହିଁ । କେତେକ ବିଶେଷ କାରଣବଶତଃ ଉଜ୍ଜୟିନୀ ରାଜବଂଶ ତଥା ତତ୍‍ସଂପୃକ୍ତ ବ୍ୟକ୍ତିମାନଙ୍କର ମୁଁ ଅମଙ୍ଗଳ କାମନା କରେ । ସେ କଥା ପରେ କହିବି । ବର୍ତ୍ତମାନ ତୁମେ ଯୁବରାଜଙ୍କୁ ମୋ ନିକଟରେ ରଖି ଫେରିଯାଅ ଏବଂ ରାଣୀଙ୍କୁ ସମ୍ବାଦ ଦିଅ ଯେ ମଗଧର ରାଜହଂସଙ୍କ ପୁତ୍ର ରାଜବାହନଙ୍କ ବନ୍ଧୁ ବିଶ୍ରୁତ ନାମକ ଜଣେ ଯୁବକ ତାହାଙ୍କୁ ସାହାଯ୍ୟ କରିବା ନିମିତ୍ତ ପ୍ରତିଶ୍ରୁତ ହୋଇଅଛନ୍ତି । ଅତଏବ ସେ ନିଶ୍ଚିନ୍ତ ରହନ୍ତୁ ।”

 

ମୋର ପରିଚୟ ପାଇ ବୃଦ୍ଧ ଓ ତରୁଣ ଉଭୟେ ବିସ୍ମିତ ହୋଇ ପଡ଼ିଲେ । ସେମାନେ ପୁନର୍ବାର ମୋର ପ୍ରଶଂସାଗାନ କରିବସିବା ପୂର୍ବରୁ ମୁଁ କହିଲି, ‘‘ରାଜା ରାଜହଂସଙ୍କ ତତ୍ତ୍ୱାବଧାନରେ ମୁଁ ନାନାବିଧ ବିଜ୍ଞାନ ଓ କଳାରେ ପାରଦର୍ଶିତା ଲାଭ କରିଅଛି । ଏଠାରେ ସେ ଜ୍ଞାନକୁ ସତ୍‍କାର୍ଯ୍ୟରେ ବିନିଯୋଗ କରିବାର ସମୟ ଆସିଅଛି । ମୁଁ ଓ ଯୁବରାଜ କାପାଳିକ ସନ୍ନ୍ୟାସୀ ବେଶରେ ଯାଇ ନଗରୀର ଶ୍ମଶାନଭୂମିରେ ବାସ କରିବୁ । ତୁମେ ରାଣୀଙ୍କର ସର୍ବୋତ୍କୃଷ୍ଟ ହୀରକହାର ମୋତେ ଗୋପନରେ ଆଣି ଦେବ । ତାହା କୌଣସିମତେ ଅପହୃତ ହୋଇଛି ବୋଲି ମିତ୍ରବର୍ମାଙ୍କୁ ଜଣାଇ ଦେବାକୁ ହେବ । ତାହା ଦେହରେ ମୁଁ ଏକ ଅତି ମାରାତ୍ମକ ବିଷ ଲେପନ କରି ଏପରି ସ୍ଥାନରେ ହାରଟି ପକାଇଦେବି ଯେପରି କି ହାରଟି ସର୍ବପ୍ରଥମେ ମିତ୍ରବର୍ମାଙ୍କ ହସ୍ତରେ ପଡ଼ିବ । ଏଥି ନିମିତ୍ତ ମୁଁ ରାଜପ୍ରାସାଦର ଅବସ୍ଥିତି ମିତ୍ରବର୍ମାଙ୍କ ଗତିବିଧି ଓ ସାଧାରଣତଃ ତାହାଙ୍କର ସାନ୍ଧ୍ୟ ଭ୍ରମଣର ସ୍ଥାନ ସମ୍ବନ୍ଧେ ଜାଣିବା ଉଚିତ । ଏସବୁ ସମ୍ବାଦ ତୁମେ ସଂଗ୍ରହ କରି ମୋତେ ଦେବ । ସନ୍ନ୍ୟାସୀ ବେଶରେ ମୁଁ ମଧ୍ୟ ଯଥାସମ୍ଭବ ସମ୍ବାଦ ସଂଗ୍ରହ କରିବି । ବର୍ତ୍ତମାନ ଆମ୍ଭେମାନେ ଏହିଠାରୁ କାର୍ଯ୍ୟ ଆରମ୍ଭ କରିବା ।

 

ପ୍ରାୟ ଦୁଇ ସପ୍ତାହ ପରେ ଯୁବରାଜ ଏବଂ ମୁଁ ଗୋପନବେଶରେ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରି ରହିଲୁ । ଏ ମଧ୍ୟରେ ମୁଁ ଦିନେ ରାତ୍ରିକାଳରେ ରାଜୋଦ୍ୟାନରେ ପ୍ରବେଶ କରି ଅନେକ କଥା ଜାଣିପାରିଲି । ଏହାପରେ ନଳିଜଙ୍ଗ ଅତି ମୂଲ୍ୟବାନ ହାରଟିଏ ଧରି ଆସି କହିଲେ ଯେ ମିତ୍ରବର୍ମା ସାଧାରଣତଃ ପ୍ରତିଦିନ ସନ୍ଧ୍ୟା ପୂର୍ବରୁ ରାଜୋଦ୍ୟାନର ଦକ୍ଷିଣ-ପୂର୍ବ ଅଂଶରେ ଏକାକୀ ଭ୍ରମଣ କରନ୍ତି । ସେତେବେଳକୁ ମଞ୍ଜୁବଦନୀଙ୍କ ବିବାହ ଆୟୋଜନ ଅତି, କ୍ଷିପ୍ର ଗତିରେ ଚାଲିଯାଏ । ସୁତରାଂ ଯଥାଶୀଘ୍ର ସମ୍ଭବ ପ୍ରତିକାର ନ କଲେ ସମସ୍ତ ଚେଷ୍ଟା ଯେ ବିଫଳ ହେବ, ଏଥିରେ ଆଉ ସନ୍ଦେହ ନାହିଁ ।

 

ସେ ଦିନ ସନ୍ଧ୍ୟାରେ ମୁଁ ସମଗ୍ର ହାରଟିରେ ଅତି ମାରାତ୍ମକ ବିଷ ଲେପନ କରିଦେଲି । ଏ ବିଷ ଚର୍ମର ସଂସ୍ପର୍ଶରେ ଆସିବା ମାତ୍ରେ କ୍ରମେ ମାଂସ ଓ ରକ୍ତମଧ୍ୟରେ ପ୍ରବେଶ କରି ଏକ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟାଇବ । ଏହାର ପ୍ରତିଷେଧକ ନାହିଁ ଏବଂ ରକ୍ତରେ ମିଶ୍ରିତ ହେବା ଯାଏ ଏହାଦ୍ୱାରା କୌଣସି ଯନ୍ତ୍ରଣା ଅନୁଭୂତ ହେବ ନାହିଁ ।

 

ମୁଁ ହାର ସହିତ ପ୍ରାଚୀର ଅତିକ୍ରମ କରି ଉଦ୍ୟାନ ମଧ୍ୟରେ ପ୍ରବେଶ କଲି ଏବଂ ଅତି ସତର୍କତା ସହକାରେ ମିତ୍ରବର୍ମାଙ୍କ ସମ୍ଭାବ୍ୟ ଗତିପଥ ପାର୍ଶ୍ୱରେ ତାହା ପକାଇଦେଇ ଗୁଳ୍ମଲତା ମଧ୍ୟରେ ଆତ୍ମଗୋପନ କଲି । ଅତି ଅଳ୍ପ ସମୟ ପରେ କାହାର ପଦ ମୋହର ଶ୍ରୁତିଗୋଚର ହେଲା-। ଚାହିଁ ଦେଖିଲି ସ୍ୱୟଂ ମିତ୍ରବର୍ମା–ନିଜକୁ ନିଜେ ଅସ୍ପଷ୍ଟ ଭାବରେ କହୁଛନ୍ତି–‘‘ରୂପସୀକୁ ଲାଭ କରିବି ଏହା ଧ୍ରୁବ–ମୂର୍ଖ ପ୍ରଚଣ୍ଡବର୍ମା ତାହାର କନ୍ୟା ସହିତ ଅନ୍ତର ହେବା ପରେ ମୋତେ ବିବାହ କରିବା ନିମିତ୍ତ ବାଧ୍ୟ କରିବି । ସବୁ କିନ୍ତୁ ଅବିଳମ୍ବେ କରିନେବାକୁ ହେବ–ଏଁ, ଏ କଣ ଗୋଟାଏ ହୀରକ ହାର ! ଏହା ଅପହୃତ ବୋଲି ତ ସେ ମୋତେ କହୁଥିଲା ! ଦସ୍ୟ କବଳରୁ ନିଶ୍ଚୟ ଖସି ପଡ଼ିଛି । ତେବେ ତାହାର ଭାବୀ ପତି କିଛି ସମୟ ପାଇଁ ଏହା ଗଳାରେ ଧାରଣ କରୁ ।”

 

ଏହା କହି ହତଭାଗା ମିତ୍ରବର୍ମା ହାରଟିକୁ ଦୁଇ କରତଳଦ୍ୱାରା ଘର୍ଷଣ କରି ମସୀମୁକ୍ତ କଲା ଓ ତାହାକୁ ନିଜ କଣ୍ଠରେ ଧାରଣ କଲା । ଏହି ଘର୍ଷଣ ଫଳରେ ତାହାର ମୃତ୍ୟୁ ଯେ ଅନ୍ତତଃ ଆଉ ଦିନେ ନିକଟତର ହେଲା ଏହା ସ୍ଥିର କରି ମୁଁ ମୋହର ନିଜ ପଥରେ ଗୋପନରେ ପ୍ରତ୍ୟାବର୍ତ୍ତନ କଲି ।

 

ସେ ସମୟରେ ପ୍ରଚଣ୍ଡବର୍ମା ରାଜଅତିଥି ଭାବରେ ଏକ ପ୍ରାସାଦରେ ଅବସ୍ଥାନ କରି ସକଳପ୍ରକାର ହୀନ ଉପଭୋଗରେ ଉନ୍ମତ୍ତ ଥିଲେ । ଏହିଠାରେ ମୁଁ ତାହାଙ୍କୁ ମୋହର ସମ୍ମୋହନ ବିଦ୍ୟାଦ୍ୱାରା ବଶୀଭୂତ କରିନେବା ପାଇଁ ସ୍ଥିର କଲି । ହୀରକହାର ବିକ୍ଷେପ କରିବାର ଦୁଇଦିନ ପରେ ମୁଁ ମୋହର ହସ୍ତକୌଶଳ ପ୍ରଦର୍ଶନ କରିବା ପାଇଁ ପ୍ରଚଣ୍ଡବର୍ମା ଏକାକୀ ଥିବା ସମୟରେ ଏହି ପ୍ରାସାଦରେ ଛଦ୍ମବେଶରେ ଉପସ୍ଥିତ ହେଲି । ପ୍ରଥମେ ମୁଁ କେତେକ ଛଳନାପୂର୍ଣ୍ଣ ହସ୍ତକୌଶଳ ପ୍ରଦର୍ଶନ କଲି; ଯେପର କି ପ୍ରଚଣ୍ଡବର୍ମା ସେ ସବୁର ସୂତ୍ର ହଠାତ୍ ବୋଧ କରି ପାରିବେ । ଫଳତଃ ସେ ମୋହର ଅନ୍ୟାନ୍ୟ କୌଶଳ ଅବଗତ ହେବା ପାଇଁ କ୍ରମେ ମୋହର ନିକଟବର୍ତ୍ତୀ ହେଲେ । ଏହି ସୁଯୋଗରେ ମୁଁ ତାହାକୁ ସ୍ଥିର ଭାବରେ ବସି ମୋ ନିକଟରେ ମୋର ହସ୍ତକୌଶଳ ପର୍ଯ୍ୟବେକ୍ଷଣ କରିବାକୁ ଅନୁରୋଧ କରନ୍ତେ ସେ ଆଗ୍ରହ ସହକାରେ ସେଥିରେ ସମ୍ମତ ହେଲେ । ସୁତରାଂ ସେ ଉପବେଶନ କରିବାମାତ୍ରେ ମୁଁ ତାହାଙ୍କ ସମ୍ମୁଖରେ ସମ୍ମୋହନ ବିଧି ଅନୁଯାୟୀ ହସ୍ତଚାଳନା ଓ ମୁଖ ପ୍ରତି ଏକାଗ୍ର ଦୃଷ୍ଟି ନିବଦ୍ଧଦ୍ୱାରା ତାହାଙ୍କ ମାନସିକ କ୍ରିୟାକୁ ସମ୍ପୂର୍ଣ୍ଣ ଆୟତ୍ତାଧୀନ କରିପକାଇଲି । ତାହା ପରେ ତାହାଙ୍କୁ ସଧୀରେ କହିଲି, ‘‘ଆଜିଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ତୁମେ ଏକ ତୃଣଭୋଜୀ ଭାରବାହୀ ଗର୍ଦ୍ଦଭ । ସେହିପରି ବ୍ୟବହାର କର–ନଚେତ୍ ମୃତ୍ୟୁ ସୁନିଶ୍ଚିତ ।”

 

ତତ୍‍କ୍ଷଣାତ୍ ପ୍ରଚଣ୍ଡବର୍ମା ଠିକ୍ ଏକ ଗର୍ଦ୍ଦଭ ଭଳି ବ୍ୟବହାର କରି ଚିତ୍କାର ସହ ଭୂତଳରେ ବିଲୁଣ୍ଠିତ ହେଲେ । ମୁଁ କୌଶଳକ୍ରମେ ସେ ସ୍ଥାନ ତ୍ୟାଗ କରି ମୋର କାପାଳିକ ବେଶ ଧାରଣ କଲି-। ପ୍ରଥମେ ଏ ଘଟନାରେ ପ୍ରାସାଦରେ ବିଶେଷ କୌତୂହଳ ଜାତ ହେଲା; ମାତ୍ର ଅଳ୍ପ ସମୟ ପରେ ବିଶେଷ ଆନ୍ଦୋଳନ ସୃଷ୍ଟି ହେଲା । ନାନା ଚେଷ୍ଟା ସତ୍ତ୍ୱେ ପ୍ରଚଣ୍ଡବର୍ମା ଗର୍ଦ୍ଦଭପ୍ରକୃତି ତ୍ୟାଗ କଲେ ନାହିଁ । ନଗର ସାରା ଏ କଥା ରାଷ୍ଟ୍ର ହୋଇଗଲା । ଏ ଘଟନାରେ ରାଜା ବିବ୍ରତ ହୋଇ ବିବାହର ଆୟୋଜନ ସକଳ ସ୍ଥଗିତ କଲେ ଏବଂ ତାହାଙ୍କୁ ବିକୃତମସ୍ତିଷ୍କ ମନେକରି ସ୍ଵସ୍ଥାନକୁ ପଠାଇଦେଲେ-। ଅବଶ୍ୟ ଷଷ୍ଠ ଦିବସରେ ସେ ନିଜତ୍ୱ ଫେରି ପାଇ ବିବାହ କରିବା ଉଦ୍ଦେଶ୍ୟରେ ପୁଣି ଆଗମନ କଲେ; କିନ୍ତୁ ସେତେବେଳକୁ ମିତ୍ରବର୍ମା ପରଲୋକଗତ ହୋଇଥିଲେ ଏବଂ ମୁଁ ସକଳ ଅଧିକାର ଲାଭ କରିସାରିଥିଲି । ସୁତରାଂ ତାହାଙ୍କୁ ବିଫଳମନୋରଥ ହୋଇ ପ୍ରତ୍ୟାବୃତ୍ତ ହେବାକୁ ହୋଇଥିଲା-

 

ନିର୍ଦ୍ଦିଷ୍ଟ ଦିବସରେ ନଳିଜଙ୍ଗ ମୋ ନିକଟରେ ଉପସ୍ଥିତ ହେଲେ । ସେ ସମ୍ବାଦ ଦେଲେ ଯେ ରାଜା ଉତ୍କଟ ବ୍ୟାଧିଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ଶଯ୍ୟାଶାୟୀ । ଚିକିତ୍ସକଗଣ ବିଷର କୌଣସି ପ୍ରତିବିଧାନ କରି ନ ପାରି ନିରାଶ ହୋଇପଡ଼ିଛନ୍ତି ।

 

ମୁଁ ନଳିଜଙ୍ଗଙ୍କୁ କହିଲି ଯେ ଦୁଇଦିନ ମଧ୍ୟରେ ମିତ୍ରବର୍ମା ନିଶ୍ଚୟ ପରଲୋକଗତ ହେବେ-। ତାହା ପୂର୍ବରୁ ଭାସ୍କରବର୍ମାଙ୍କୁ ଆଣି ଉପସ୍ଥିତ କରିବାକୁ ହେବ ଏବଂ ତାହାଙ୍କୁ ଦୈବୀଶକ୍ତିସମ୍ପନ୍ନ ରାଜପୁରୁଷ ଭାବରେ ସର୍ବସମକ୍ଷରେ ଉପସ୍ଥାପିତ କରିବାକୁ ହେବ । ଏହା ଫଳରେ ପ୍ରଜାମାନେ ମିତ୍ରବର୍ମାଙ୍କ ମୃତ୍ୟୁ ପରେ ତାହାଙ୍କୁ ରାଜ୍ୟର ଶାସକଭାବେ ମନୋନୀତ କରିବାକୁ ଦ୍ୱିଧାବୋଧ କରିବେ ନାହିଁ ।

 

ଏହି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ମୁଁ ନିମ୍ନଲିଖିତ ପ୍ରଣାଳୀ ସ୍ଥିର କରି ନଳିଜଙ୍ଗଦ୍ୱାରା ବସୁନ୍ଧରାଙ୍କୁ ଜଣାଇଦେଲି ।

 

ପରଦିବସ ବସୁନ୍ଧରା ମନ୍ତ୍ରିବର୍ଗଙ୍କୁ ଶୁଣାଇଦେଲେ ଯେ ରାତ୍ରିରେ ସେ ଏକ ବିଚିତ୍ର ସ୍ୱପ୍ନ ଦେଖିଲେ । ଦେବୀ ବିନ୍ଧ୍ୟବାସିନୀ ସ୍ୱପ୍ନରେ ଆଜ୍ଞା ଦେଲେ ଯେ ସେ ତାହାଙ୍କର ଶିଶୁ ରାଜକୁମାରଙ୍କୁ ବ୍ୟାଘ୍ରୀ ରୂପରେ ଅପହରଣ କରି ପାଳନ କରୁଥିଲେ । ରାଜକୁମାର ଉପଯୁକ୍ତ ଶିକ୍ଷା ପାଇସାରିଥିବାରୁ ସେ ବର୍ତ୍ତମାନ ତାହାଙ୍କୁ ପ୍ରତ୍ୟର୍ପଣ କରିଦେବେ; କିନ୍ତୁ ଏଥିନିମିତ୍ତ ତାହାଙ୍କୁ ମନ୍ତ୍ରୀ ଓ ସାମନ୍ତମାନଙ୍କ ସହ ପର ଦିବସ ପ୍ରଭାତରୁ ଶ୍ମଶାନସ୍ଥ କାଳୀମନ୍ଦିରକୁ ଗମନ କରିବାକୁ ହେବ ଓ ସମାରୋହ ସହକାରେ ଦେବୀଙ୍କର ପୂଜାର୍ଚ୍ଚନା କରିବାକୁ ହେବ । ପୂଜା ପରେ ସମବେତ ଜନତା ମନ୍ଦିରର କିଛି ଦୂରରେ ଦଣ୍ଡାୟମାନ ହୋଇ ପ୍ରତୀକ୍ଷା କରିବା ଆବଶ୍ୟକ । ଏଥିରେ ବ୍ୟତିକ୍ରମ ହେଲେ ଦେବୀ ତାହାଙ୍କ କୁମାରଙ୍କୁ ଫେରାଇବେ ନାହିଁ ଏବଂ ସମଗ୍ର ରାଜ୍ୟ ଉପରେ ମହା ବିତ୍‍ପାତ ଉପସ୍ଥିତ ହେବ ।

 

ଇତିମଧ୍ୟରେ ଶ୍ମଶାନବାସୀ କାପାଳିକ ଭାବରେ ମୁଁ ଓ ରାଜକୁମାର କାଳୀ ମନ୍ଦିରର ପଶ୍ଚାଦ୍‍ଭାଗସ୍ଥ ପର୍ବତଗୁମ୍ଫା ମଧ୍ୟରେ ବାସ କରୁଥିଲୁ । ଅବସର ସମୟରେ ଏହିଠାରୁ ମନ୍ଦିରମଧ୍ୟସ୍ଥ କାଳୀମୂର୍ତ୍ତିଙ୍କର ଠିକ୍ ନିମ୍ନଭାଗ ପର୍ଯ୍ୟନ୍ତ ଏକ ସୁଡ଼ଙ୍ଗ ନିର୍ମାଣ କରିବା ଆମର ପ୍ରଧାନ କାର୍ଯ୍ୟ ହୋଇଥାଏ । ଏହା ସମାପ୍ତକରି ଆମେ ଦୁହେଁ କାଳୀଙ୍କ ପୀଠଦେହରେ ଗୋଟିଏ ଗୋପନ ପଥ ମଧ୍ୟ ନିର୍ମାଣ କଲୁ ଏବଂ ନଳିଜଙ୍ଗ ସାହାଯ୍ୟରେ କେତେକ ବହୁମୂଲ୍ୟ ରାଜପରିଚ୍ଛଦ ଓ ରତ୍ନମୁକୁଟ ସଂଗ୍ରହ କରିନେଲୁ ।

 

ମନ୍ତ୍ରିବର୍ଗ ରାଜ୍ୟ ଉପରେ ଦୈବୀ ବିପତ୍ତିର ଆଶଂକା କରି ବସୁନ୍ଧରାଙ୍କ ଉପଦେଶ ଗ୍ରହଣ କଲେ । କାଳୀଙ୍କ ମନ୍ଦିରରେ ଏକ ବିରାଟ ପୂଜାର ଆୟୋଜନ ହେଲା । କାଳୀମୂର୍ତ୍ତି ଯଥୋଚିତ ଭାବେ ଚର୍ଚ୍ଚିତ ହେବା ପରେ ସମସ୍ତେ ମନ୍ଦିର ତ୍ୟାଗ କରି କିଛି ଦୂରରେ ଯୋଡ଼ହସ୍ତ ହୋଇ ଦଣ୍ଡାୟମାନ ହେଲେ । ମନ୍ଦିରଦ୍ୱାର ରୁଦ୍ଧ କରିଦିଆଗଲା । ସବୁରି ଦୃଷ୍ଟି ଏକାଗ୍ରଭାବରେ ମନ୍ଦିରଦ୍ୱାରରେ ଆବଦ୍ଧ । ଏଣେ ବହୁ ବାଦ୍ୟ ବାଜଣାରେ ଆକାଶ ପ୍ରତିଧ୍ୱନିତ ହେଉଥାଏ ।

 

କାଳୀମୂର୍ତ୍ତିଙ୍କ ନିମ୍ନଭାଗରୁ ମୁଁ ଏବଂ ରାଜକୁମାର ମନ୍ଦିର ମଧ୍ୟରେ ପ୍ରବେଶ କରି ଗୁପ୍ତପଥ ରୁଦ୍ଧ କରିଦେଲୁ । ରାଜକୁମାର ରାଜପରିଚ୍ଛଦରେ ସଜ୍ଜିତ ହୋଇ ରତ୍ନମୁକୁଟ ଧାରଣ କଲେ । ମୁଁ ମଧ୍ୟ ଯଥୋପଯୁକ୍ତ ବେଶ ପରିବର୍ତ୍ତନ ପୂର୍ବକ ଦେବାଳୟ ଦ୍ୱାର ଉନ୍ମୁକ୍ତ କରି ସର୍ବସମକ୍ଷରେ ଦଣ୍ଡାୟମାନ ହୋଇ ଗୁରୁଗମ୍ଭୀର ସ୍ୱରରେ କହିଲି, ‘‘ରାଣୀ ବସୁନ୍ଧରା, ମନ୍ତ୍ରିବର୍ଗ, ସାମନ୍ତମଣ୍ଡଳି ଓ ଉପସ୍ଥିତ ପ୍ରଜାମଣ୍ଡଳି ! ମୁଁ ଜଗଜ୍ଜନନୀ କାଳୀଙ୍କଦ୍ୱାରା ଆପଣମାନଙ୍କୁ ସୁସମ୍ବାଦ ଦେବାପାଇଁ ନିୟୋଜିତ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେକରୁଛି । ମା କାଳୀ ଶ୍ରୀମୁଖରୁ ଆଦେଶ କରିଛନ୍ତି ଯେ ସେ କୁମାର ଭାସ୍କରବର୍ମାଙ୍କୁ ନିଜର ସନ୍ତାନ ଭାବରେ ପାଳନ କରିଅଛନ୍ତି । ସେ ଏ ଧରାର ଅଧୀଶ୍ୱର ହେବେ । ସୁତରାଂ ତାହାଙ୍କୁ ରାଜ୍ୟାଭିଷେକ କରାଇ ଆଦିମାତା କାଳୀଙ୍କର ଆର୍ଶୀର୍ବାଦ ଲାଭ କର ।”

 

ମୋହର ବାଣୀ ଶେଷ ହେଉ ହେଉ ହଠାତ୍ ସମଗ୍ର ନିସ୍ତବ୍ଧ ଜନତାର ମସ୍ତକ ଅବନତ ହୋଇ ଆଦିମାତାଙ୍କ ଆଦେଶ ଶିରୋଧାର୍ଯ୍ୟ କଲା । ତାହାପରେ ମୁଁ ରାଜକୁମାରଙ୍କ ହସ୍ତ ଧାରଣ କରି ସର୍ବସମକ୍ଷରେ ଉପସ୍ଥିତ କଲି । ଭାସ୍କାରବର୍ମା ଧୀର ଗମ୍ଭୀର ଗତିରେ ଅଗ୍ରସର ହୋଇ ମାତାଙ୍କୁ ନମସ୍କାର କଲେ । ସେ ମା କାଳୀଙ୍କ ଆଶୀର୍ବାଦରୁ ମହାଶକ୍ତିଶାଳୀ ହୋଇଥିବା କଥା ଜଣାଇ ତାହାଙ୍କ ସହିତ ରାଜପ୍ରାସାଦକୁ ଗମନ କରିବା ନିମିତ୍ତ ମାତାଙ୍କୁ ନିର୍ଦ୍ଦେଶ ଦେଲେ ।

 

ଏ ରୋମାଞ୍ଚକର ଘଟଣାରେ ପ୍ରତ୍ୟେକ ପ୍ରଜା ବିସ୍ମିତ ଓ ବିମୁଗ୍ଧ ହୋଇପଡ଼ିଲେ । ଠିକ୍ ଏହି ଅବସରରେ ତେଣେ ମିତ୍ରବର୍ମାଙ୍କ ପଞ୍ଚତ୍ୱପ୍ରାପ୍ତି ସମ୍ବାଦ ଜନମଣ୍ତଳି ମଧ୍ୟରେ ଖେଳିଗଲା । ମୋ ଆନୁମାନିକ ସମୟର ଆହୁରି ଆଗରୁ ସେ ଇହଲୀଳା ସାଙ୍ଗ କରି ଚାଲିଗଲେ । ସୁତରାଂ ସାମନ୍ତ ଓ ଅମାତ୍ୟଗଣ ମା ଦୁର୍ଗାଙ୍କ ଅନୁଗ୍ରହରୁ ପୁଣି ଜଣେ ଭୋଜବଂଶୀ ରାଜକୁମାରଙ୍କୁ ରାଜ୍ୟାଧୀଶ୍ୱରରୂପେ ପାଇଥିବାରୁ ଏକମୁଖରେ ସ୍ତୁତିଗାନ କରିବାକୁ ଲାଗିଲେ ।

 

ଏ ସକଳ ହଟ୍ଟଗୋଳ ପରେ ରାଣୀ ବସୁନ୍ଧରା ମୋ ନିକଟରେ କୃତଜ୍ଞତା ଜ୍ଞାପନ କରି ମୋହର ବୁଦ୍ଧି କୌଶଳକୁ ବାରମ୍ବାର ପ୍ରଶଂସା କରିବାକୁ ଲାଗିଲେ । ସେ ମୋତେ ବିଶେଷ ଅନୁରୋଧ କଲେ ଯେ ମୁଁ ତାହାଙ୍କ ପୁତ୍ରଙ୍କର ପ୍ରତିନିଧି ଓ ପରାମର୍ଶଦାତା ନିଯୁକ୍ତ ହୋଇ ତାହାଙ୍କୁ ରାଜନୀତି ସମ୍ବନ୍ଧେ କିଛି ଶିକ୍ଷା ଦେବି । ଅବଶ୍ୟ ପରୋକ୍ଷରେ କୁମାରୀ ମଞ୍ଜୁବଦନୀଙ୍କ ରୂପ ଲାବଣ୍ୟରେ ବିମୁଗ୍ଧ ହୋଇ ମୁଁ ଏ ପ୍ରସ୍ତାବରେ ସ୍ଵୀକୃତି ଦେଲି । କିଛିଦିନ ପରେ ମୁଁ ମୋହର ଏ ବିବାହ ପ୍ରସ୍ତାବ ରାଣୀଙ୍କ ନିକଟରେ ଉପସ୍ଥାପିତ କଲି ଏବଂ ଅତିଶୟ ଆନନ୍ଦ ସହକାରେ ସେ ତାହା ଗ୍ରହଣ କଲେ ।

 

ଉପଯୁକ୍ତ ସାମରିକ ବ୍ୟବସ୍ଥା ପରେ ଆମ୍ଭେମାନେ ବସନ୍ତଭାନୁଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲୁ । ଏହାପୂର୍ବରୁ ମୁଁ କେତେକ ବିଶ୍ୱସ୍ତ ପ୍ରଚାରକଙ୍କଦ୍ୱାରା ବସନ୍ତଭାନୁଙ୍କ ରାଜ୍ୟରେ ରାଷ୍ଟ୍ର କରିଦେଲି ଯେ ଭାସ୍କରବର୍ମା ମା’କାଳୀଙ୍କ ପାଳିତ ସନ୍ତାନ ଏବଂ ମୁଁ ଦେବୀପ୍ରେରିତ ତାହାଙ୍କର ସହଚର ଓ ସଂରକ୍ଷକ ଅଟେ । ଯଦି କେହି ଆମ୍ଭମାନଙ୍କର ପ୍ରତିରୋଧ କରେ ତାହାର ଧ୍ୱଂସ ଅବଶ୍ୟମ୍ଭାବୀ ।

 

ସାଧାରଣ ଏହା ବିଶ୍ୱାସ କରିଥିଲେ । ତେଣୁ ଆମ୍ଭମାନଙ୍କର ପ୍ରତିରୋଧ କରିବା ଦୂରେ ଥାଉ ବସନ୍ତଭାନୁ ଆମ୍ଭମାନଙ୍କ ଆଗମନ ସମ୍ବାଦ ପାଇ ପଳାୟନ କଲା; ତଥାପି ପରେ ଧୃତ ଓ ଦଣ୍ଡିତ ହୋଇଥିଲା ।

 

ବର୍ତ୍ତମାନ ବନ୍ଧୁଗଣ, ସିଂହବର୍ମାଙ୍କ ସାହାଯ୍ୟାର୍ଥେ ମୁଁ ଯେତିକି ସୈନ୍ୟ ସଂଗ୍ରହ କରି ଆଣିଛି, ତାହାଠାରୁ ବହୁଗୁଣ ସୈନ୍ୟ ମୋହର ଅଛନ୍ତି । ସେମାନଙ୍କୁ ଆମର ରାଜ୍ୟବିଜୟରେ ବ୍ୟବହାର କରାଯାଇପାରେ ।”

 

ରାଜବାହନ ବିଶ୍ରୁତଙ୍କୁ ବୁଦ୍ଧି ଓ କୌଶଳ ନିମିତ୍ତ ବହୁ ଧନ୍ୟବାଦ ଦେଇସାରିବା ପରେ ସହଚରଗଣଙ୍କ ସହ ଚମ୍ପାନଗରୀରେ ପ୍ରବେଶ କରି ସେଠାରେ ଅବସ୍ଥାନ କଲେ ଓ ମାଳବ ବିଜୟ ସମ୍ବନ୍ଧେ ମନ୍ତ୍ରଣା କରିବାକୁ ଲାଗିଲେ ।

Image

 

ଏକୋଇଶ

ବିଜୟବାହୁଡ଼ା

 

ରାଜବାହନ ଓ ତାହାଙ୍କ ସହଚରଗଣ ବିଦେଶରେ କଠୋର ସାଂସାରିକ ବିଷୟ ଶିକ୍ଷାରେ କିପରି କୃତକାର୍ଯ୍ୟ ହେଉଛନ୍ତି, ସେ ସମ୍ବନ୍ଧେ ରାଜା ରାଜହଂସ ଓ ରାଣୀ ବସୁମତୀ ସର୍ବଦା ଚିନ୍ତିତ ଥାନ୍ତି । ବହୁକାଳାବଧି ସେମାନଙ୍କର କୌଣସି ସମ୍ବାଦ ନ ପାଇ ରାଜଦମ୍ପତିଙ୍କର ଚିନ୍ତାର ମାତ୍ରା ଦିନକୁ ଦିନ ବଢ଼ିବାରେ ଲାଗିଥାଏ । ହଠାତ୍ ଦିନେ ଜଣେ ଶବର ଆସି ତାହାଙ୍କୁ ଜଣାଇଲା ଯେ ବନମଧ୍ୟରେ ରାଜବାହନଙ୍କର ଜଣେ ସହଚରଙ୍କ ସାକ୍ଷାତଲାଭ କରିଥିଲା । ତାହାଙ୍କଠାରୁ ସେ ଶୁଣିଥିଲା, ରାଜକୁମାର ଅନ୍ୟ ସହଚରମାନଙ୍କ ନିକଟରୁ କେତେକାଳ ହେଲା ବିଚ୍ଛିନ୍ନ ହୋଇପଡ଼ିଥିବାରୁ ସେମାନେ ତାହାଙ୍କୁ ଅନୁସନ୍ଧାନ କରିବା ପାଇଁ ଚତୁର୍ଦ୍ଦିଗରେ ଯାତ୍ରା କରିଛନ୍ତି । ଏ ସମ୍ବାଦରେ ରାଜା ଓ ରାଣୀ ଅତ୍ୟଧିକ ବ୍ୟଥିତ ହୋଇପଡ଼ିଲେ । ତେଣୁ ସେମାନେ ଅନତିବିଳମ୍ବେ ମହର୍ଷି ବାମଦେବଙ୍କ ଆଶ୍ରମରେ ଉପସ୍ଥିତ ହୋଇ ନିବେଦନ କଲେ, ‘‘ହେ ମହର୍ଷେ, ଆପଣଙ୍କ ଉପଦେଶ ଅନୁଯାୟୀ ମୋହର ପ୍ରାଣାଧିକ ପୁତ୍ର ଓ ତାହାର-ସହଚରମାନଙ୍କୁ ବୈଷୟିକ ଶିକ୍ଷା ଉଦ୍ଦେଶ୍ୟରେ ପ୍ରେରଣ କରିଥିଲି । ବର୍ତ୍ତମାନ ଶୁଣି ପାରୁଛି ମୋହର ରାଜବାହନ ନିରୁଦ୍ଦିଷ୍ଟ ଏବଂ ସଖାଗଣ ତାହାର ଅନୁସନ୍ଧାନ ଉଦ୍ଦେଶ୍ୟରେ ଚତୁର୍ଦ୍ଦିଗରେ ବିକ୍ଷିପ୍ତ । ଏ ଅବସ୍ଥାରେ ମୋହର କର୍ତ୍ତବ୍ୟ କଅଣ ଆଦେଶ କରି ବାଧିତ କରିବା ହୁଅନ୍ତୁ ।”

 

ବାମଦେବ ଉତ୍ତର କଲେ, ‘‘ହେ ରାଜହଂସ, ତୁମ ସନ୍ତାନର କୁଶଳ ସମାଚାର ସମ୍ବନ୍ଧେ ନିଶ୍ଚିନ୍ତ ରହ । ସେ ଅପୂର୍ବ ପ୍ରତିପତ୍ତି ଲାଭକରି ସହଚରମାନଙ୍କ, ସହ ପରମ ଆନନ୍ଦରେ କାଳାତିପାତ କରୁଅଛନ୍ତି । ସେମାନେ ବର୍ତ୍ତମାନ ଏକତ୍ର ହୋଇ ଅଙ୍ଗଦେଶର ଚମ୍ପାନଗରୀରେ ଅବସ୍ଥାନ କରୁଅଛନ୍ତି । ସହଚରଗଣଙ୍କ ମଧ୍ୟରୁ ଅନେକେ ବିଭବଶାଳୀ ରାଜ୍ୟର ଅଧୀଶ୍ୱର ହୋଇ ପାରିଛନ୍ତି ଏବଂ ଅନ୍ୟମାନେ ବିଶାଳ ସମ୍ପତି ଲାଭ କରି ଅଛନ୍ତି । ସେମାନେ ବର୍ତ୍ତମାନ ସମୂହଭାବରେ ଯୁବରାଜଙ୍କର ସହାୟ ହୋଇ ଉଜ୍ଜୟିନୀ ବିଜୟ କରି ତୁମର ଶତ୍ରୁ ମାନସାରଙ୍କ ପୁତ୍ରଙ୍କୁ ରାଜ୍ୟଚ୍ୟୁତ କରିବେ; କିନ୍ତୁ ସେମାନଙ୍କର ବିଜୟଯାତ୍ରା ପୂର୍ବରୁ ତୁମେ ସେମାନଙ୍କୁ ଆହ୍ୱାନ କରି ଯଥୋପଯୁକ୍ତ ଉପଦେଶ ଓ ଆଶୀର୍ବାଦ ପ୍ରଦାନ କର ।”

 

ଋଷିମୁଖନିଃସୃତ ଏ ସକଳ ସୁସମ୍ବାଦ ରାଜଦମ୍ପତିଙ୍କ କର୍ଣ୍ଣରେ ଅମୃତଧାରା ଢାଳିଦେଲା-। ଉଭୟେ କୁଟୀରକୁ ପ୍ରତ୍ୟାବର୍ତ୍ତନ କରି ଜଣେ ଅଶ୍ୱାରୋହୀ ପତ୍ରବାହକଦ୍ୱାରା ଗୋଟିଏ ପତ୍ର ପ୍ରେରଣ କଲେ–

 

ଆୟୁଷ୍ମାନ୍ ବତ୍ସ ରାଜବାହନ,

 

ତୁମେ ସହଚରଗଣଙ୍କ ନିକଟରୁ ବିଚ୍ଛିନ୍ନ ହୋଇ ନିରୁଦ୍ଦିଷ୍ଟ ହୋଇଥିବା ସମ୍ବାଦ ଜଣେ ଶବରଠାରୁ ପ୍ରାପ୍ତ ହୋଇ ତୁମର ହତଭାଗ୍ୟ ପିତାମାତା ଦୁଃଖସାଗରରେ ନିମଗ୍ନ ହୋଇଥିଲୁ । ତୁମେ ଏ ମର୍ତ୍ତ୍ୟଧାମର ଯେକୌଣସି ସ୍ଥାନରେ ଥିଲେ ମଧ୍ୟ ତୁମର ସହଚରଗଣ ଯେ ତୁମର ଅନୁସନ୍ଧାନ କରିନେବେ ଏ ଭରସା ଆମ୍ଭମାନଙ୍କର ଅଛି । ତଥାପି ନାନା ଆଶଂକା ଆମ୍ଭ ମନରେ ଘୋର ଯନ୍ତ୍ରଣା ଦେଉଥାଏ । ସୁତରାଂ ମୁଁ ଦିନେ ତୁମର ମାତାଙ୍କ ସହିତ ଋଷି ବାମଦେବଙ୍କ ଆଶ୍ରମରେ ଉପନୀତ ହେଲି ଏବଂ ସେ ତୁମ୍ଭମାନଙ୍କର କୁଶଳ ସମ୍ବାଦ ଜଣାଇ ଅପାର ଆନନ୍ଦ ଦେଲେ । ଆମ୍ଭମାନଙ୍କର ବିଶେଷ ଅନୁରୋଧ ଯେ ତୁମ୍ଭେମାନେ ଉଜ୍ଜୟିନୀ ବିଜୟ କରି ଶତ୍ରୁସାଧନ ତଥା ଅପହୃତ ସାମ୍ରାଜ୍ୟର ପୁନରୁଦ୍ଧାର କରିବା ପୂର୍ବରୁ ଥରେ ଏ ହତଭାଗା ଜନକଜନନୀଙ୍କୁ ସାକ୍ଷାତ ଦେଇ ଆମ୍ଭମାନଙ୍କର ଆନନ୍ଦ ବର୍ଦ୍ଧନ କରିବ । ଇତି ।

 

ତୁମର ମଙ୍ଗଳାକାଙ୍‍କ୍ଷୀ ପିତା

 

ରାଜବାହନ ପ୍ରଥମେ ମଗଧ ବିଜୟ କରିବେ ଓ ପରେ ପିତାମାତାଙ୍କୁ ବନବାସରୁ ଫେରାଇ ଆଣି ରାଜ୍ୟରେ ପୁନରାଭିଷେକ କରାଇବା ନିମିତ୍ତ ସଂକଳ୍ପ କରିଥିଲେ; କିନ୍ତୁ ଏ ପତ୍ରପ୍ରାପ୍ତି ମାତ୍ରେ ତାହାଙ୍କ ହୃଦୟରେ ମଧ୍ୟ ପିତୃମାତୃ ଦର୍ଶନ ଲିପ୍‍ସା ବଳବତୀ ହୋଇଉଠିଲା । ସେ ତତ୍‍କ୍ଷଣାତ୍ ତାହାଙ୍କର କାର୍ଯ୍ୟକ୍ରମ ପରିବର୍ତ୍ତନ କରି ସହଚରମାନଙ୍କ ସହିତ ବିନ୍ଧ୍ୟ ଅଭିମୁଖରେ ଯାତ୍ରା କଲେ । ସେ ନିଜେ ଅଙ୍ଗଦେଶ ବାହିନୀର ଅଗ୍ରଗାମୀ ହେଲେ ଏବଂ ସହଚରଗଣ ସ୍ୱ ସ୍ୱ ସେନାଚାଳନ କରି ଅଗ୍ରସର ହେବାକୁ ଲାଗିଲେ । ଏ ବିଶାଳ ସେନାନୀ ସମ୍ମୁଖରେ ଚମ୍ପାନଗରୀର ନର୍ତ୍ତକୀଗଣ ଯାତ୍ରା କରୁଥାନ୍ତି । ପଥମଧ୍ୟରେ ଏ ବିରାଟ ଶୋଭାଯାତ୍ରାର ଅଖଣ୍ଡ ଧାରା ଲାଗିଥାଏ ।

 

ପରିଶେଷରେ ସେମାନେ ବିନ୍ଧ୍ୟାଚଳରେ ଉପସ୍ଥିତ ହୋଇ ରାଜହଂସ ଓ ବସୁମତୀଙ୍କ ପଦବନ୍ଦନା କଲେ । ରାଜା ଓ ରାଣୀ ସାଶ୍ରୁ ବଦନରେ ସେମାନଙ୍କ ମସ୍ତକରେ ଆଶୀର୍ବାଦ ବର୍ଷଣ କଲେ । କିଛିଦିନ ପରେ ସେମାନେ ଋଷି ବାମଦେବଙ୍କ ଆଶ୍ରମକୁ ଗମନ କରି ତାହାଙ୍କର ଅମୂଲ୍ୟ ଉପଦେଶ ଓ ଅବ୍ୟର୍ଥ ଶୁଭାଶିଷ ଲାଭ କଲେ ।

 

ଏହାପରେ ଯୁବରାଜ ରାଜବାହନ ଓ ନବ ସହଚର ଉଜ୍ଜୟିନୀ ଅଭିଯାନରେ ବାହାରିଲେ । ଦର୍ପସାର ତପସ୍ୟାଦ୍ୱାରା ଦୈବୀଶକ୍ତି ଲାଭ କରିଥିବା ଭଳି ଆଶ୍ୱାସନା ହୃଦୟରେ ପୋଷଣ କରି ପୁଣି ଥରେ ହିମାଳୟରୁ ଫେରିଆସିଲେ; କିନ୍ତୁ ତାହା ନିଷ୍ଫଳ ହୋଇଥିଲା । ସେ ତାହାଙ୍କ ପ୍ରତିନିଧି ଚଣ୍ଡବର୍ମାଙ୍କ ନିକଟକୁ ଯେପରି କ୍ରୂର ଆଦେଶ ପ୍ରେରଣ କରିଥିଲେ, ତାହା ଫଳରେ ତାହାଙ୍କ ତପୋନଷ୍ଟ ଘଟିଥିଲା । ସୁତରାଂ ସମରକ୍ଷେତ୍ରରେ ସେ ପରାସ୍ତ ଓ ନିହତ ହେଲେ-

 

ରାଜବାହନ ବିଜୟବୈଜୟନ୍ତୀ ସହ ରାଜଧାନୀରେ ପ୍ରବେଶ କଲେ । ରାଜା ମାନସାର ସେତେବେଳକୁ ବାର୍ଦ୍ଧକ୍ୟାବସ୍ଥାରେ ଉପନୀତ; ସକଳ ଶକ୍ତିରହିତ । ତାହାଙ୍କଠାରୁ କୌଣସି ପ୍ରକାର ନୂତନ ବିପଦର ସମ୍ଭାବନା ନ ଥିବାରୁ ଏବଂ ବିଶେଷତଃ ସେ ଅବନ୍ତୀସୁନ୍ଦରୀଙ୍କ ଜନକ ହୋଇଥିବାରୁ ରାଜବାହନ ତାହାଙ୍କୁ କ୍ଷମା ଦେଇଥିଲେ ।

 

ଉଜ୍ଜୟିନୀକୁ ସମ୍ପୂର୍ଣ୍ଣଭାବରେ ଆୟତ୍ତ କରିସାରିବା ପରେ ରାଜବାହନ ପୁଷ୍ପପୁରୀକୁ ଗମନ କରି ପିତାଙ୍କୁ ମଗଧ ଓ ମାଳବର ଅଧୀଶ୍ୱର ଭାବେ ଅଧିଷ୍ଠିତ କଲେ; କିନ୍ତୁ ଅଳ୍ପକାଳ ପରେ ରାଜହଂସ ସୁଯୋଗ୍ୟ ପୁତ୍ରଙ୍କୁ ଯୁବରାଜ ରୂପେ ସିଂହାସନରେ ଅଭିଷିକ୍ତ କରି ରାଣୀ ବସୁମତୀଙ୍କ ସହିତ ବାନପ୍ରସ୍ଥବ୍ରତ ଅବଲମ୍ବନ ପୂର୍ବକ ପୁଣି ବିନ୍ଧ୍ୟାରଣ୍ୟରେ ଆଶ୍ରୟ ଗ୍ରହଣ କଲେ ।

 

କିଛିଦିନ ପରେ ନବୀନ ସମ୍ରାଟ ରାଜବାହନଙ୍କ ସହଚରଗଣ ବିଦାୟ ଗ୍ରହଣ କରି ସ୍ୱ ସ୍ୱ ରାଜ୍ୟ ଓ କର୍ମକ୍ଷେତ୍ରକୁ ଯାତ୍ରା କଲେ । ପୁଷ୍ପୋଦ୍ଭବ ଉଜ୍ଜୟିନୀରେ ରାଜପ୍ରତିନିଧି ରୂପେ ନିଯୁକ୍ତ ହୋଇ ପତ୍ନୀ ବାଳଚନ୍ଦ୍ରିକାଙ୍କ ସହିତ ସେଠାରେ ସୁଶାସନ ପ୍ରତିଷ୍ଠା କରିବାକୁ ଲାଗିଲେ ।

 

ରାଜବାହନ ଏକ ବିଶାଳ ସାମ୍ରାଜ୍ୟର ରାଜଦଣ୍ଡ ଗ୍ରହଣ କରି ଏବଂ ନିଜ ରାଜ୍ୟର ଚତୁର୍ଦ୍ଦିଗରେ ସହଚର ମିତ୍ର ରାଜ୍ୟମାନଙ୍କଦ୍ୱାରା ପରିବେଷ୍ଟିତ ହୋଇ ନ୍ୟାୟ ଓ ଧର୍ମାନୁମୋଦିତ ନୀତିରେ ପ୍ରଜାପାଳନ କଲେ । ସହଚର ରାଜାଗଣ ବର୍ଷ ମଧ୍ୟରେ ଦୁଇଥର ନିଜ ରାଣୀମାନଙ୍କ ସହ ପୁଷ୍ପପୁରୀକୁ ଆଗମନ କରି କେତେକ ଦିବସ ଆମୋଦପ୍ରମୋଦରେ ଅତିବାହିତ କରନ୍ତି; ଏପରିକି ଏହି ସମୟରେ ପାତାଳ ପତି ମାତଙ୍ଗ ଓ ରାଣୀ କାଳିନ୍ଦୀ ପୁଷ୍ପପୁରୀକୁ ଆଗମନ କରିଥାନ୍ତି ।

 

ରାଜବାହନଙ୍କ ରାଜତ୍ୱରେ ମେଘମାନେ ସୁବୃଷ୍ଟି କଲେ; ପୁଥିବୀ ଫଳପ୍ରସୂ ହେଲା ଏବଂ ଜନସାଧାରଣ ଧର୍ମପ୍ରାଣ ହେଲେ । ରାଜ୍ୟରେ ଶାନ୍ତି ବିରାଜିତ ହେଲା । ସତ୍ୟ ଓ ଅହିଂସା ସର୍ବତ୍ର ପ୍ରଚାର ଲାଭ କଲା । ଅସତ୍ୟ ହିଂସା ସମଗ୍ର ରାଜ୍ୟରୁ ନିର୍ବାସିତ ହେଲେ ।

Image